ଅଧ୍ୟୟନ ଲେଖା ୨୫
ଗୀତ ୯୪ ଯିହୋବାଙ୍କ ବାକ୍ୟ ପାଇଁ କୃତଜ୍ଞ
ଯାକୁବ ନିଜର ଆଠଜଣ ପୁତ୍ରଙ୍କ ବିଷୟରେ କରିଥିବା ଭବିଷ୍ୟତବାଣୀରୁ ମିଳୁଥିବା ଶିକ୍ଷା
“ସେ ପ୍ରତ୍ୟେକଙ୍କୁ ସେହି ଆଶୀର୍ବାଦ ଦେଲେ, ଯାହାର ସେ ଯୋଗ୍ୟ ଥିଲେ ।”—ଆଦି. ୪୯:୨୮ NWT.
କʼଣ ଶିଖିବା ?
ଯାକୁବ ନିଜ ମୃତ୍ୟୁ ପୂର୍ବରୁ ସବୂଲୂନ, ଇଷାଖର୍, ଦାନ୍, ଗାଦ୍, ଆଶେର୍, ନପ୍ତାଲି, ଯୋଷେଫ ଓ ବିନ୍ୟାମିନଙ୍କ ବିଷୟରେ ଯେଉଁ ଭବିଷ୍ୟତବାଣୀ କରିଥିଲେ, ସେଥିରୁ ଆମେ କʼଣ ଶିଖିପାରିବା ?
୧. ଏହି ଲେଖାରେ ଆମେ କେଉଁ ବିଷୟରେ ଚର୍ଚ୍ଚା କରିବା ?
ଯାକୁବଙ୍କ ୧୨ ଜଣ ପୁତ୍ର ଏକାଠି ହୁଅନ୍ତି । ସେ ପ୍ରତ୍ୟେକଙ୍କୁ ଆଶୀର୍ବାଦ ଦିଅନ୍ତି ଓ ସମସ୍ତେ ଧ୍ୟାନର ସହ ତାଙ୍କର କଥା ଶୁଣନ୍ତି । ପୂର୍ବ ଲେଖାରେ ଆମେ ଦେଖିଥିଲୁ ଯେ ସେ ନିଜ ପୁତ୍ର ରୁବେନ୍, ଶିମୀୟୋନ, ଲେବୀ ଓ ଯିହୁଦାଙ୍କୁ ଆଶୀର୍ବାଦ ଦେଇଥିଲେ । ତାଙ୍କର କଥା ଶୁଣି ସମସ୍ତେ ବହୁତ ଚିନ୍ତିତ ଥିଲେ । ବର୍ତ୍ତମାନ ସେମାନେ ହୁଏତ ଭାବୁଥିବେ ଯେ ତାଙ୍କର ବାପା ଅନ୍ୟ ଆଠଜଣ ପୁତ୍ରଙ୍କୁ କʼଣ କହିବେ । ଏହି ଲେଖାରେ ଆମେ ଚର୍ଚ୍ଚା କରିବା ଯେ ଯାକୁବ ନିଜର ଅନ୍ୟ ଆଠଜଣ ପୁତ୍ର ସବୂଲୂନ, ଇଷାଖର୍, ଦାନ୍, ଗାଦ୍, ଆଶେର୍, ନପ୍ତାଲି, ଯୋଷେଫ ଓ ବିନ୍ୟାମିନଙ୍କୁ କʼଣ କହିଲେ ଏବଂ ଆମେ ସେଥିରୁ କʼଣ ଶିଖିପାରିବା ।a
ସବୂଲୂନ
୨. ସବୂଲୂନଙ୍କ ବିଷୟରେ ଯାକୁବ କʼଣ ଭବିଷ୍ୟତବାଣୀ କରିଥିଲେ ଓ ଏହା କିପରି ପୂରା ହେଲା ? (ଆଦି ପୁସ୍ତକ ୪୯:୧୩) (ବକ୍ସ ମଧ୍ୟ ଦେଖନ୍ତୁ ।)
୨ ଆଦି ପୁସ୍ତକ ୪୯:୧୩ ପଢ଼ନ୍ତୁ । ଯାକୁବଙ୍କ କଥାରୁ ଜଣାପଡ଼େ ଯେ ସବୂଲୂନ ଗୋତ୍ରକୁ ପ୍ରତିଜ୍ଞାତ ଦେଶର ଉତ୍ତରରେ ଥିବା ଅଞ୍ଚଳ ମିଳନ୍ତା, ଯାହା ସମୁଦ୍ର କୂଳରେ ଥିଲା । ପ୍ରାୟ ୨୦୦ ବର୍ଷ ପରେ ଏପରି ହିଁ ହେଲା । ସବୂଲୂନ ଗୋତ୍ରକୁ ଗାଲିଲୀ ସାଗର ଓ ଭୂମଧ୍ୟ ସାଗରର ମଧ୍ୟ ଭାଗରେ ଥିବା ଅଞ୍ଚଳ ଦିଆଗଲା । ମୋଶା ଭବିଷ୍ୟତବାଣୀ କରିଥିଲେ, ‘ହେ ସବୂଲୂନ, ତୁମ୍ଭେ ଆପଣା ଯାତ୍ରାରେ ଆନନ୍ଦ କର ।’ (ଦ୍ୱିବି. ୩୩:୧୮) ଏହି ଭବିଷ୍ୟତବାଣୀର ଅର୍ଥ କʼଣ ଥିଲା ? ହୁଏତ ଏହାର ଅର୍ଥ ଥିଲା ଯେ ସବୂଲୂନଙ୍କ ବଂଶଜ ପାଇଁ ସେଠାରେ ବ୍ୟବସାୟ କରିବା ବହୁତ ସହଜ ହେବ, କାରଣ ସେହି ଅଞ୍ଚଳ ଦୁଇଟି ସମୁଦ୍ରର ମଧ୍ୟ ଭାଗରେ ଥିଲା । ଆଉ ଏହା ସବୂଲୂନ ଗୋତ୍ର ପାଇଁ ଖୁସି ରହିବାର କାରଣ ଥିଲା ।
୩. ଆମେ ଖୁସି ରହିବା ପାଇଁ କʼଣ କରିପାରିବା ?
୩ ଆମେ ଏଥିରୁ କʼଣ ଶିଖୁ ? ଆମେ ଯେଉଁଠି ବି ରହୁ କିମ୍ବା ଆମ ପରିସ୍ଥିତି ଯେପରି ବି ହେଉ, ଆମ ସମସ୍ତଙ୍କ ପାଖରେ ଖୁସି ରହିବାର କୌଣସି କାରଣ ନିଶ୍ଚୟ ଥାଏ । ଆମେ ଖୁସି ରହିବା ପାଇଁ ଏହା ଜରୁରୀ ଯେ ଆମ ପାଖରେ ଯାହା ଅଛି, ଆମେ ସେତିକିରେ ସନ୍ତୁଷ୍ଟ ରହିବା । (ଗୀତ. ୧୬:୬; ୨୪:୫) ବେଳେବେଳେ ଆମେ ସେହି ଜିନିଷ ବିଷୟରେ ଭାବୁ ଯାହା ଆମ ପାଖରେ ନାହିଁ ଓ ଏହା ଯୋଗୁଁ ଆମେ ଦୁଃଖି ହୋଇଯାଉ । ସେଥିପାଇଁ ଆମେ ସେହି ଜିନିଷ ବିଷୟରେ ଭାବିବା ଉଚିତ୍, ଯାହା ଆମ ପାଖରେ ଅଛି । ଯଦି ଆମେ ଏପରି କରିବା, ତାହେଲେ ଆମେ ଯେକୌଣସି ପରିସ୍ଥିତିରେ ମଧ୍ୟ ଖୁସିରେ ରହିପାରିବା ।—ଗାଲା. ୬:୪.
ଇଷାଖର୍
୪. ଇଷାଖର୍ଙ୍କ ବିଷୟରେ ଯାକୁବ କʼଣ ଭବିଷ୍ୟତବାଣୀ କରିଥିଲେ ଓ ଏହା କିପରି ପୂରା ହେଲା ? (ଆଦି ପୁସ୍ତକ ୪୯:୧୪, ୧୫) (ବକ୍ସ ମଧ୍ୟ ଦେଖନ୍ତୁ ।)
୪ ଆଦି ପୁସ୍ତକ ୪୯:୧୪, ୧୫ ପଢ଼ନ୍ତୁ । ଯାକୁବ ଇଷାଖର୍ଙ୍କ ପ୍ରଶଂସା କଲେ, କାରଣ ସେ ବହୁତ ପରିଶ୍ରମୀ ଥିଲେ । ଯାକୁବ ତାଙ୍କର ତୁଳନା ବଳବାନ ଗର୍ଦ୍ଦଭ ବା ଗଧ ସହ କଲେ, ଯିଏ ଭାରି ବୋଝ ଉଠାଇପାରେ । ଯାକୁବ ଏହା ବି କହିଲେ ଯେ ଇଷାଖର୍ଙ୍କୁ ଉତ୍ତରାଧିକାରୀ ଭାବେ ଭଲ ଜମି ଦିଆଯିବ ଓ ଏପରି ହିଁ ହେଲା । ଇଷାଖର୍ଙ୍କ ବଂଶଜକୁ ଯର୍ଦ୍ଦନ ନଦୀ ପାଖରେ ଥିବା ବହୁତ ଭଲ ଓ ଉର୍ବର ଜମି ଦିଆଗଲା । (ଯିହୋ. ୧୯:୨୨) ସେମାନେ ସେଠାରେ ଚାଷବାସ କରିବା ପାଇଁ ନିଶ୍ଚୟ କଠିନ ପରିଶ୍ରମ କରିଥିବେ । ତାʼସହ ସେମାନେ ଅନ୍ୟମାନଙ୍କୁ ମଧ୍ୟ ସାହାଯ୍ୟ କରିବା ପାଇଁ ସବୁବେଳେ ପ୍ରସ୍ତୁତ ରହୁଥିଲେ । (୧ ରାଜା. ୪:୭, ୧୭) ଯେପରି, ଯେବେ ନ୍ୟାୟୀ ବାରକ୍ ଓ ଭବିଷ୍ୟଦ୍ବକ୍ତ୍ରୀ ଦବୋରା ଯୁଦ୍ଧ ପାଇଁ ଇସ୍ରାଏଲୀୟମାନଙ୍କୁ ଡାକିଲେ, ତେବେ ଇଷାଖର୍ ଗୋତ୍ର ସାହାଯ୍ୟ କରିବା ପାଇଁ ଆଗେଇ ଆସିଲା । ଅନ୍ୟ ସମୟରେ ମଧ୍ୟ ସେମାନେ ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ରହୁଥିଲେ ।—ବିଚା. ୫:୧୫.
୫. ଆମେ କାହିଁକି କଠିନ ପରିଶ୍ରମ କରିବା ଉଚିତ୍ ?
୫ ଆମେ ଏଥିରୁ କʼଣ ଶିଖୁ ? ଇଷାଖର୍ ଗୋତ୍ରର କଠିନ ପରିଶ୍ରମକୁ ଯିହୋବା ବହୁମୂଲ୍ୟ ମନେ କଲେ । ସେହିପରି ଆଜି ଆମେ ତାଙ୍କର ସେବା କରିବା ପାଇଁ ଯାହା ବି ପରିଶ୍ରମ କରୁ, ତାହାକୁ ବି ସେ ବହୁମୂଲ୍ୟ ମନେ କରନ୍ତି । (ଉପ. ୨:୨୪) ଯେପରି, ଭାଇମାନେ ମଣ୍ଡଳୀର ଦେଖାରେଖା କରିବା ପାଇଁ କଠିନ ପରିଶ୍ରମ କରନ୍ତି । (୧ ତୀମ. ୩:୧) ସେମାନେ ସତରେ ତ କୌଣସି ଯୁଦ୍ଧ କରନ୍ତି ନାହିଁ, କିନ୍ତୁ ଈଶ୍ୱରଙ୍କ ମେଷମାନଙ୍କୁ ରକ୍ଷା କରିବା ପାଇଁ କଠିନ ପରିଶ୍ରମ କରନ୍ତି । (୧ କରି. ୫:୧, ୫; ଯିହୂ. ୧୭-୨୩) ତାʼସହିତ ସେମାନେ ଭାଷଣ ଓ ଅନ୍ୟ ଭାଗଗୁଡ଼ିକର ମଧ୍ୟ ପ୍ରସ୍ତୁତି କରିବା ପାଇଁ କଠିନ ପରିଶ୍ରମ କରନ୍ତି, ଯାହାଫଳରେ ସେମାନେ ଭାଇଭଉଣୀମାନଙ୍କର ଉତ୍ସାହ ବଢ଼ାଇପାରିବେ ।—୧ ତୀମ. ୫:୧୭.
ଦାନ୍
୬. ଦାନ୍ ଗୋତ୍ରକୁ କେଉଁ କାମ ଦିଆଯାଇଥିଲା ? (ଆଦି ପୁସ୍ତକ ୪୯:୧୭, ୧୮) (ବକ୍ସ ମଧ୍ୟ ଦେଖନ୍ତୁ ।)
୬ ଆଦି ପୁସ୍ତକ ୪୯:୧୭, ୧୮ ପଢ଼ନ୍ତୁ । ଯାକୁବ ଦାନ୍ଙ୍କ ତୁଳନା ଏପରି ସାପ ସହ କଲେ, ଯିଏ ବଡ଼ ବଡ଼ ଜୀବଜନ୍ତୁକୁ ମଧ୍ୟ ଡରେ ନାହିଁ । ସେ ଯୁଦ୍ଧ ଘୋଡ଼ା ଓ ଘୋଡ଼ା ଚାଳକଙ୍କୁ ବି ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ଥାଏ । ଏଥିରୁ ଜଣାପଡ଼େ ଯେ ଦାନ୍ଙ୍କ ବଂଶଜ ବହୁତ ସାହସୀ ଥିଲେ ଏବଂ ଇସ୍ରାଏଲୀୟମାନଙ୍କ ବଡ଼ ବଡ଼ ଶତ୍ରୁମାନଙ୍କର ସାହସର ସହ ସାମନା କରୁଥିଲେ । ଯେବେ ଇସ୍ରାଏଲୀୟମାନେ ପ୍ରତିଜ୍ଞାତ ଦେଶ ଆଡ଼କୁ ଯାଉଥିଲେ, ତେବେ ଦାନ୍ ଗୋତ୍ର ସମସ୍ତ ଗୋତ୍ରକୁ ରକ୍ଷା କରିବା ପାଇଁ ‘ସମସ୍ତଙ୍କ ପଶ୍ଚାତ୍ରେ ଚଳିଲା’ ବା ସମସ୍ତଙ୍କ ପଛରେ ଚାଲିଲା । (ଗଣ. ୧୦:୨୫) ଅଧିକାଂଶ ଇସ୍ରାଏଲୀୟ ଦେଖିପାରନ୍ତେ ନାହିଁ ଯେ ଦାନ୍ ବଂଶ ସେମାନଙ୍କ ପାଇଁ କʼଣ କଲା, କିନ୍ତୁ ସେମାନଙ୍କୁ ଯାହା ଦାୟିତ୍ୱ ଦିଆଯାଇଥିଲା ତାହା ବହୁତ ଜରୁରୀ ଥିଲା ।
୭. ଆମକୁ ଯିହୋବାଙ୍କର ସେବାରେ ଯାହା ବି କାମ ମିଳେ, ସେବିଷୟରେ ଆମେ କʼଣ ମନେ ରଖିବା ଉଚିତ୍ ?
୭ ଆମେ ଏଥିରୁ କʼଣ ଶିଖୁ ? କʼଣ ଆପଣଙ୍କ ସହ କେବେ ଏପରି ହୋଇଛି ଯେ ଆପଣ କୌଣସି କାମ କଲେ ଓ ତାହାକୁ କେହି ଧ୍ୟାନ ଦେଲେ ନାହିଁ ? ଯେପରି, କʼଣ ଆପଣ ରାଜ୍ୟଘରକୁ ସଫାସୁତୁରା କରିବା ଓ ତାହାର ଦେଖାରେଖା କରିବାରେ ସହଯୋଗ କରିଛନ୍ତି ? କିମ୍ବା ସମ୍ମିଳନୀ ଭବନ ଓ ଅଧିବେଶନରେ ସ୍ୱୟଂସେବକ ଭାବେ କାମ କରିଛନ୍ତି କିମ୍ବା ଅନ୍ୟ କୌଣସି ଦାୟିତ୍ୱ ତୁଲାଇଛନ୍ତି ? ଯଦି ଆପଣ ଏପରି କରିଛନ୍ତି, ତାହେଲେ ଏହା ବହୁତ ଭଲ କଥା । ସବୁବେଳେ ମନେ ରଖନ୍ତୁ ଯେ ଆପଣ ଯିହୋବାଙ୍କ ପାଇଁ ଯାହା ବି କରନ୍ତି ତାହାକୁ ସେ ଧ୍ୟାନ ଦିଅନ୍ତି ଓ ବହୁମୂଲ୍ୟ ମନେ କରନ୍ତି । ତାʼସହିତ ଯେବେ ଆପଣ ଲୋକମାନଙ୍କଠାରୁ ପ୍ରଶଂସା ପାଇବା ପାଇଁ ନୁହେଁ, ବରଂ ପ୍ରେମ ଯୋଗୁଁ ଯିହୋବାଙ୍କ ପାଇଁ କିଛି କରନ୍ତି, ତାହେଲେ ଯିହୋବା ଆହୁରି ଅଧିକ ଖୁସି ହୁଅନ୍ତି ।—ମାଥି. ୬:୧-୪.
ଗାଦ୍
୮. ଶତ୍ରୁମାନଙ୍କ ପାଇଁ କାହିଁକି ଗାଦ୍ ଗୋତ୍ର ଉପରେ ଆକ୍ରମଣ କରିବା ସହଜ ଥିଲା ? (ଆଦି ପୁସ୍ତକ ୪୯:୧୯) (ବକ୍ସ ମଧ୍ୟ ଦେଖନ୍ତୁ ।)
୮ ଆଦି ପୁସ୍ତକ ୪୯:୧୯ ପଢ଼ନ୍ତୁ । ଯାକୁବ ଭବିଷ୍ୟତବାଣୀ କରିଥିଲେ ଯେ ଗାଦ୍ଙ୍କ ଉପରେ ସୈନ୍ୟଦଳ [“ଡକାୟତମାନେ,” NWT] ଆକ୍ରମଣ କରିବେ । ଏହାର ପ୍ରାୟ ୨୦୦ ବର୍ଷ ପରେ ଗାଦ୍ ଗୋତ୍ରକୁ ଯର୍ଦ୍ଦନ ନଦୀର ପୂର୍ବରେ ଥିବା ଅଞ୍ଚଳ ଦିଆଗଲା । ସେମାନଙ୍କର ଅଞ୍ଚଳର ସୀମା ଶେଷ ହେବା ପରେ ଶତ୍ରୁମାନଙ୍କର ଅଞ୍ଚଳ ଥିଲା । ତେଣୁ ଶତ୍ରୁମାନେ ସେମାନଙ୍କ ଉପରେ କେବେ ବି ଆକ୍ରମଣ କରିପାରନ୍ତେ । କିନ୍ତୁ ଗାଦ୍ ଗୋତ୍ରର ଲୋକମାନେ ସେହି ଅଞ୍ଚଳରେ ହିଁ ରହିବା ପାଇଁ ଚାହୁଁଥିଲେ, କାରଣ ସେଠାରେ ସେମାନଙ୍କର ପଶୁପଲ ଚରିବା ପାଇଁ ସ୍ଥାନ ଥିଲା । (ଗଣ. ୩୨:୧, ୫) ଏପରି ଜଣାପଡ଼େ ଯେ ଗାଦ୍ର ଲୋକମାନେ ବହୁତ ସାହସୀ ଥିଲେ । କିନ୍ତୁ ସେମାନଙ୍କୁ ନିଜ ଅପେକ୍ଷା ଯିହୋବାଙ୍କର ଶକ୍ତି ଉପରେ ଭରସା ଥିଲା । ସେମାନେ ଜାଣିଥିଲେ ଯେ ଯିହୋବା ସେମାନଙ୍କୁ ଶତ୍ରୁମାନଙ୍କଠାରୁ ଓ ଡକାୟତମାନଙ୍କଠାରୁ ରକ୍ଷା କରିପାରିବେ । ତାʼସହ ଯେବେ ଅନ୍ୟ ଗୋତ୍ର ଯର୍ଦ୍ଦନ ନଦୀର ପଶ୍ଚିମରେ ଥିବା ପ୍ରତିଜ୍ଞାତ ଦେଶରେ କବ୍ଜା କରିବା ପାଇଁ ଗଲା, ତେବେ ଗାଦ୍ ଗୋତ୍ର ସେମାନଙ୍କର ସାହାଯ୍ୟ କରିବା ପାଇଁ ନିଜର ସୈନିକମାନଙ୍କୁ ପଠାଇଲା । (ଗଣ. ୩୨:୧୬-୧୯) ସେମାନଙ୍କୁ ପୂରା ଭରସା ଥିଲା ଯେ ତାଙ୍କର ସୈନିକମାନେ ନ ଥିଲେ ବି ଯିହୋବା ସେମାନଙ୍କର ସ୍ତ୍ରୀ ଓ ପିଲାମାନଙ୍କର ରକ୍ଷା କରିବେ । ସେମାନେ ସାହସର ସହ କାମ କଲେ ଓ ଯାହା ବି ତ୍ୟାଗ କଲେ, ଏହା ପାଇଁ ଯିହୋବା ସେମାନଙ୍କୁ ଅନେକ ଆଶିଷ ଦେଲେ ।—ଯିହୋ. ୨୨:୧-୪.
୯. ଯିହୋବାଙ୍କ ଉପରେ ଭରସା ଥିଲେ ଆମେ କʼଣ କରିବା ?
୯ ଆମେ ଏଥିରୁ କʼଣ ଶିଖୁ ? କଠିନ ପରିସ୍ଥିତିରେ ବି ଯିହୋବାଙ୍କର ସେବା କରିବା ପାଇଁ ଆମକୁ ତାଙ୍କ ଉପରେ ଭରସା କରିବା ବହୁତ ଜରୁରୀ । (ଗୀତ. ୩୭:୩) ଆଜି ଅନେକ ଭାଇଭଉଣୀ ଯିହୋବାଙ୍କ ଉପରେ ଭରସା କରନ୍ତି ଓ ତାଙ୍କର ସେବା କରିବା ପାଇଁ ବହୁତ ତ୍ୟାଗ କରନ୍ତି । ଯେପରି, କିଛି ଭାଇଭଉଣୀ ସଂଗଠନର ନିର୍ମାଣ କାମରେ ସହଯୋଗ କରନ୍ତି, କିଛି ଭାଇଭଉଣୀ ସେଠାକୁ ଯାଇ ସେବା କରନ୍ତି, ଯେଉଁଠି ପ୍ରଚାରକଙ୍କର ଅଧିକ ଆବଶ୍ୟକତା ରହିଛି ଓ କିଛି ଭାଇଭଉଣୀ ଅନ୍ୟ ଦାୟିତ୍ୱ ତୁଲାନ୍ତି । ସେମାନେ ଏଥିପାଇଁ ଏସବୁ ତ୍ୟାଗ କରନ୍ତି, କାରଣ ସେମାନଙ୍କୁ ପୂରା ଭରସା ଅଛି ଯେ ଯିହୋବା ସବୁବେଳେ ସେମାନଙ୍କର ଧ୍ୟାନ ରଖିବେ ।—ଗୀତ. ୨୩:୧.
ଆଶେର୍
୧୦. ଆଶେର୍ ଗୋତ୍ର କʼଣ କରିବାର ସୁଯୋଗ ହରାଇଦେଲା ? (ଆଦି ପୁସ୍ତକ ୪୯:୨୦) (ବକ୍ସ ମଧ୍ୟ ଦେଖନ୍ତୁ ।)
୧୦ ଆଦି ପୁସ୍ତକ ୪୯:୨୦ ପଢ଼ନ୍ତୁ । ଯାକୁବ ଭବିଷ୍ୟତବାଣୀ କରିଥିଲେ ଯେ ଆଶେର୍ ଗୋତ୍ର ସମୃଦ୍ଧଶାଳୀ ହେବ ଓ ଏପରି ହିଁ ହେଲା । ଆଶେର୍ ଗୋତ୍ରକୁ ଯେଉଁ ଅଞ୍ଚଳ ଦିଆଗଲା ତାହା ପୂରା ଇସ୍ରାଏଲରେ ସବୁଠୁ ଉର୍ବର ଅଞ୍ଚଳ ଥିଲା । (ଦ୍ୱିବି. ୩୩:୨୪) ତାʼସହ ସେମାନଙ୍କ ଅଞ୍ଚଳର ପଶ୍ଚିମ ସୀମାରେ ଭୂମଧ୍ୟ ସାଗର ଥିଲା ଓ ସେଠାରେ ସୀଦୋନ୍ର ବନ୍ଦର ମଧ୍ୟ ଥିଲା, ଯେଉଁଠି ଫିନିକେର ଧନୀ ବ୍ୟାପାରିମାନେ ଭଲ ବ୍ୟବସାୟ କରୁଥିଲେ । କିନ୍ତୁ ଆଶେର୍ ଗୋତ୍ର ନିଜ ଦେଶରୁ କିଣାନୀୟମାନଙ୍କୁ ବାହାର କଲା ନାହିଁ । (ବିଚା. ୧:୩୧, ୩୨) ତେଣୁ କିଣାନୀୟମାନଙ୍କର ସେମାନଙ୍କ ଉପରେ ଖରାପ ପ୍ରଭାବ ପଡ଼ିଲା । ତାʼସହ ଏପରି ଜଣାପଡ଼େ ଯେ ସେମାନେ ନିଜର ଧନସମ୍ପତ୍ତିକୁ ବହୁତ ଭଲ ପାଉଥିଲେ । ତେଣୁ ସତ୍ୟ ଉପାସନା ପାଇଁ ସେମାନଙ୍କର ଉତ୍ସାହ କମ୍ ହୋଇଗଲା । ଯେବେ ନ୍ୟାୟୀ ବାରକ୍ କିଣାନୀୟମାନଙ୍କ ସହିତ ଯୁଦ୍ଧ କରିବା ପାଇଁ ସମସ୍ତ ଗୋତ୍ରକୁ ଡାକିଲେ, ତେବେ ଆଶେର୍ ଗୋତ୍ର ନିଜର କୌଣସି ଲୋକକୁ ସେଠାକୁ ପଠାଇଲା ନାହିଁ । ସେଥିପାଇଁ ଆଶେର୍ ଗୋତ୍ର ସେହି ଜୟ ଦେଖିବାର ସୁଯୋଗ ହରାଇଦେଲା, ଯାହା ଯିହୋବା ‘ମଗିଦ୍ଦୋର ଜଳତୀରସ୍ଥରେ’ ନିଜର ଲୋକମାନଙ୍କୁ କରାଇଥିଲେ । (ବିଚା. ୫:୧୯-୨୧) ଏହାପରେ ବାରକ୍ ଓ ଦବୋରା ଈଶ୍ୱରଙ୍କ ପ୍ରେରଣାରେ ଗୋଟିଏ ବିଜୟୀ ଗୀତ ଗାଇଲେ ଯେଉଁଥିରେ ସେମାନେ କହିଲେ, “ଆଶେର୍ ସମୁଦ୍ରତୀରରେ ବସି ରହିଲା ।” (ବିଚା. ୫:୧୭) ଭାବନ୍ତୁ, ଏହାଶୁଣି ଆଶେର୍ ଗୋତ୍ରର ଲୋକମାନଙ୍କୁ କେତେ ଲଜ୍ଜା ଅନୁଭବ ହୋଇଥିବ !
୧୧. ଆମେ କାହିଁକି ଟଙ୍କା ପଇସା ବିଷୟରେ ସଠିକ୍ ଦୃଷ୍ଟିକୋଣ ରଖିବା ଉଚିତ୍ ?
୧୧ ଆମେ ଏଥିରୁ କʼଣ ଶିଖୁ ? ଆମେ ମନପ୍ରାଣ ଦେଇ ଯିହୋବାଙ୍କର ସେବା କରିବା ପାଇଁ ଚାହୁଁ, ସେଥିପାଇଁ ଆମେ ଦୁନିଆର ଚିନ୍ତାଧାରାଠାରୁ ଦୂରେଇ ରହିବା ଜରୁରୀ । ଯେପରି, ଦୁନିଆର ଲୋକମାନେ ଭାବନ୍ତି ଯେ ପଇସା ଏବଂ ଆରାମଦାୟକ ଜୀବନ ହିଁ ସେମାନଙ୍କ ପାଇଁ ସବୁକିଛି ଅଟେ ଓ ସେମାନେ ଏସବୁ ପାଇବା ପଛରେ ହିଁ ପଡ଼ିଥାʼନ୍ତି । (ହିତୋ. ୧୮:୧୧) କିନ୍ତୁ ଆମେ ଟଙ୍କା ପଇସା ବିଷୟରେ ସଠିକ୍ ଦୃଷ୍ଟିକୋଣ ରଖିବା ପାଇଁ ଚେଷ୍ଟା କରୁ । (ଉପ. ୭:୧୨; ଏବ୍ରୀ ୧୩:୫) ଆମେ ନିଜର ପୂରା ସମୟ ଓ ଶକ୍ତି ଧନସମ୍ପତ୍ତି ଓ ଅଯଥା ଜିନିଷ କିଣିବା ପଛରେ ନଷ୍ଟ କରି ନ ଥାଉ । କାରଣ ଆମେ ମନପ୍ରାଣ ଦେଇ ଯିହୋବାଙ୍କର ସେବା କରିବା ପାଇଁ ଚାହୁଁ । ଆଉ ଆମେ ଜାଣିଛୁ ଯେ ଯିହୋବା ଖୁବ୍ ଶୀଘ୍ର ଆମକୁ ଗୋଟିଏ ଉତ୍ତମ ଜୀବନ ଦେବେ, ଯେଉଁଠି ଆମକୁ କୌଣସି ବି ଜିନିଷର ଅଭାବ ହେବ ନାହିଁ ।—ଗୀତ. ୪:୮.
ନପ୍ତାଲି
୧୨. ନପ୍ତାଲି ଗୋତ୍ର ବିଷୟରେ ଯାକୁବ ଯେଉଁ ଭବିଷ୍ୟତବାଣୀ କରିଥିଲେ, ତାହା କିପରି ପୂରା ହେଲା ? (ଆଦି ପୁସ୍ତକ ୪୯:୨୧) (ବକ୍ସ ମଧ୍ୟ ଦେଖନ୍ତୁ ।)
୧୨ ଆଦି ପୁସ୍ତକ ୪୯:୨୧ ପଢ଼ନ୍ତୁ । ଯାକୁବ ନପ୍ତାଲି ଗୋତ୍ର ବିଷୟରେ କହିଲେ ଯେ ସେ “ମନୋହର ବାକ୍ୟ କହିବ ।” ଏହାର ଅର୍ଥ ହୁଏତ ଏହା ଥିଲା ଯେ ଆଗକୁ ଯାଇ ଯେବେ ଯୀଶୁ ପୃଥିବୀରେ ଆସିବେ, ତେବେ ତାଙ୍କର କଥାବାର୍ତ୍ତା କିପରି ଥିବ । ଯୀଶୁ କଫର୍ନାହୂମରେ ଲୋକମାନଙ୍କୁ ଶିଖାଇବା ପାଇଁ ଲମ୍ବା ସମୟ ବିତାଇଥିଲେ । ସେଥିପାଇଁ ସେହି ସହରକୁ ତାଙ୍କର ‘ନିଜ ନଗର’ ବୋଲି କୁହାଯାଇଛି । ଧ୍ୟାନ ଦିଅନ୍ତୁ ଯେ କଫର୍ନାହୂମ ନପ୍ତାଲି ଗୋତ୍ରର ଅଞ୍ଚଳରେ ହିଁ ଥିଲା । (ମାଥି. ୪:୧୩; ୯:୧; ଯୋହ. ୭:୪୬) ଯିଶାଇୟ ମଧ୍ୟ ଯୀଶୁଙ୍କ ବିଷୟରେ ଭବିଷ୍ୟତବାଣୀ କରିଥିଲେ ଯେ ସବୂଲୂନ ଓ ନପ୍ତାଲିର ଲୋକମାନେ “ମହାଆଲୁଅ” ଦେଖିବେ । (ଯିଶା. ୯:୧, ୨) ଯୀଶୁ ହିଁ ‘ସତ୍ୟ ଜ୍ୟୋତିଃ ଥିଲେ, ଯିଏ ପ୍ରତ୍ୟେକ ମନୁଷ୍ୟକୁ ଆଲୋକ ପ୍ରଦାନ କରନ୍ତେ ।’—ଯୋହ. ୧:୯.
୧୩. ଆମେ କିପରି ନିଜର କଥାବାର୍ତ୍ତାରୁ ଯିହୋବାଙ୍କୁ ଖୁସି କରିପାରିବା ?
୧୩ ଆମେ ଏଥିରୁ କʼଣ ଶିଖୁ ? ଯିହୋବା ଏହି କଥାକୁ ଧ୍ୟାନ ଦିଅନ୍ତି ଯେ ଆମେ ଲୋକମାନଙ୍କୁ କʼଣ କହୁ ଓ କିପରି କହୁ । ଯଦି ଆମେ “ମନୋହର ବାକ୍ୟ” କହିବା ପାଇଁ ଚାହୁଁ ଓ ଯିହୋବାଙ୍କୁ ଖୁସି କରିବା ପାଇଁ ଚାହୁଁ, ତାହେଲେ ଆମେ କʼଣ କରିପାରିବା ? ଆମେ ସବୁବେଳେ ସତ କହିବା । (ଗୀତ. ୧୫:୧, ୨) ଆମେ ନିଜ କଥାରୁ ଅନ୍ୟମାନଙ୍କର ଉତ୍ସାହ ବଢ଼ାଇବା । ଅନ୍ୟମାନଙ୍କର ଦୁର୍ବଳତା ଦେଖିବା ପରିବର୍ତ୍ତେ ସେମାନଙ୍କର ଭଲ ଗୁଣଗୁଡ଼ିକ ଉପରେ ଧ୍ୟାନ ଦେବା ଓ ତାʼପାଇଁ ତାଙ୍କର ପ୍ରଶଂସା କରିବା । (ଏଫି. ୪:୨୯) ତାʼସହିତ ଆମେ କଥାବାର୍ତ୍ତା ଆରମ୍ଭ କରିବାର ଦକ୍ଷତା ବି ବଢ଼ାଇବା ଉଚିତ୍, ଯାହାଫଳରେ ଆମେ ଲୋକମାନଙ୍କୁ ଭଲଭାବେ ସାକ୍ଷ୍ୟ ଦେଇପାରିବା ।
ଯୋଷେଫ
୧୪. ଯୋଷେଫଙ୍କ ବିଷୟରେ ଯାକୁବ ଯେଉଁ ଭବିଷ୍ୟତବାଣୀ କରିଥିଲେ, ତାହା କିପରି ପୂରା ହେଲା ? (ଆଦି ପୁସ୍ତକ ୪୯:୨୨, ୨୬) (ବକ୍ସ ମଧ୍ୟ ଦେଖନ୍ତୁ ।)
୧୪ ଆଦି ପୁସ୍ତକ ୪୯:୨୨, ୨୬ ପଢ଼ନ୍ତୁ । ଯିହୋବା ଯୋଷେଫଙ୍କୁ “ଆପଣ ଭ୍ରାତୃଗଣଠାରୁ ପୃଥକ” କଲେ, ତେଣୁ ଯାକୁବଙ୍କୁ ନିଶ୍ଚୟ ନିଜ ପୁତ୍ର ଯୋଷେଫଙ୍କ ଉପରେ ବହୁତ ଗର୍ବ ହୋଇଥିବ । ଯାକୁବ କହିଲେ, “ଯୋଷେଫ ଫଳଦାୟୀ ବୃକ୍ଷର ପଲ୍ଲବ” ବା ଫଳଦାୟୀ ବୃକ୍ଷର ଶାଖା ସ୍ୱରୂପ । ଏହାର ଅର୍ଥ ହେଉଛି, ଯାକୁବ ନିଜେ ଫଳଦାୟୀ ବୃକ୍ଷ ଥିଲେ ଓ ଯୋଷେଫ ତାହାର ଶାଖା ସ୍ୱରୂପ ଥିଲେ । ଏପରି କହିବା ଠିକ୍ ବି ଥିଲା, କାରଣ ଯୋଷେଫ ଯାକୁବଙ୍କ ପ୍ରିୟ ସ୍ତ୍ରୀ ରାହେଲଙ୍କର ପ୍ରଥମଜାତ ପୁତ୍ର ଥିଲେ । ଯାକୁବ ଏହା ବି କହିଲେ ଯେ ଯୋଷେଫଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବେ ଦୁଇଗୁଣ ଭାଗ ମିଳିବ । (ଆଦି. ୪୮:୫, ୬; ୧ ବଂଶା. ୫:୧, ୨) ଦେଖିବାକୁ ଗଲେ ଏହା ଲେୟାଙ୍କ ପ୍ରଥମଜାତ ପୁତ୍ର ରୁବେନ୍ଙ୍କୁ ମିଳିବା କଥା, କିନ୍ତୁ ସେ ନିଜର ଏହି ଅଧିକାରକୁ ହରାଇ ବସିଥିଲେ । ଯାକୁବଙ୍କର ଭବିଷ୍ୟତବାଣୀ କିପରି ପୂରା ହେଲା ? ଯୋଷେଫଙ୍କ ଦୁଇ ପୁତ୍ର ଇଫ୍ରୟିମ ଓ ମନଃଶିଙ୍କଠାରୁ ଇସ୍ରାଏଲର ଦୁଇଟି ଗୋତ୍ର ଗଠିତ ହେଲା । ଏହି ଦୁଇ ଗୋତ୍ରକୁ ଉତ୍ତରାଧିକାରୀ ଭାବେ ନିଜ ନିଜ ଅଞ୍ଚଳ ମିଳିଲା ।—ଆଦି. ୪୯:୨୫; ଯିହୋ. ୧୪:୪.
୧୫. ଯେବେ ଯୋଷେଫଙ୍କ ସହ ଅନ୍ୟାୟ ହେଲା, ତେବେ ସେ କʼଣ କଲେ ?
୧୫ ଯାକୁବ ଭବିଷ୍ୟତବାଣୀରେ ଏହା ବି କହିଥିଲେ ଯେ ଧନୁର୍ଦ୍ଧରମାନେ “ଯୋଷେଫଙ୍କ ଉପରେ ତୀର ଚଲାଇବେ ଓ ମନରେ ତାଙ୍କ ବିରୁଦ୍ଧରେ ଶତ୍ରୁତା କରିବେ ।” (ଆଦି. ୪୯:୨୩, NWT) ଏହି ଧନୁର୍ଦ୍ଧରମାନେ ଯୋଷେଫଙ୍କ ଭାଇ ଥିଲେ, ଯେଉଁମାନେ ତାଙ୍କୁ ଈର୍ଷା କରୁଥିଲେ । ସେମାନେ ତାଙ୍କ ସହିତ ଅନ୍ୟାୟ କରିଥିଲେ, ଏହି କାରଣ ଯୋଗୁଁ ଯୋଷେଫଙ୍କୁ ଅନେକ ସମସ୍ୟାର ସାମନା କରିବାକୁ ପଡ଼ିଥିଲା । କିନ୍ତୁ ସେ ନିଜର ଭାଇମାନଙ୍କ ଉପରେ ଓ ଯିହୋବାଙ୍କ ଉପରେ ରାଗ କି କ୍ରୋଧ ରଖିଲେ ନାହିଁ । ଏହା ପରିବର୍ତ୍ତେ ଯେପରି ଯାକୁବ କହିଥିଲେ “[ଯୋଷେଫଙ୍କ] ଧନୁ ଦୃଢ଼ ହୋଇ ରହିବ, ତାଙ୍କ ହାତ ମଜବୁତ୍ ହୋଇ ରହିବ ଓ କ୍ଷୀପ୍ର ବେଗରେ ଚାଲିବ ।” (ଆଦି. ୪୯:୨୪, NWT) ଏତେ କଠିନ ପରିସ୍ଥିତିରେ ବି ଯୋଷେଫ ଯିହୋବାଙ୍କ ଉପରେ ଭରସା ରଖିଲେ । ସେ ନିଜ ଭାଇମାନଙ୍କୁ କେବଳ କ୍ଷମା କଲେନି, ବରଂ ସେ ତାଙ୍କ ସହିତ ପ୍ରେମର ସହ ବ୍ୟବହାର କଲେ । (ଆଦି. ୪୭:୧୧, ୧୨) ପାହାଡ଼ ଭଳି ପରୀକ୍ଷାଗୁଡ଼ିକର ସାମନା କରିବା ଦ୍ୱାରା ଯୋଷେଫ ନିଜଠାରେ ଭଲ ଗୁଣଗୁଡ଼ିକ ବଢ଼ାଇପାରିଲେ । (ଗୀତ. ୧୦୫:୧୭-୧୯) ଏହି କାରଣ ଯୋଗୁଁ ଯିହୋବା ଯୋଷେଫଙ୍କୁ ବଡ଼ ବଡ଼ କାମ ପାଇଁ ବ୍ୟବହାର କଲେ ।
୧୬. ସମସ୍ୟା ସମୟରେ ଆମେ ଯୋଷେଫଙ୍କ ଭଳି କʼଣ କରିପାରିବା ?
୧୬ ଆମେ ଏଥିରୁ କʼଣ ଶିଖୁ ? ସମସ୍ୟା ସମୟରେ ଯିହୋବାଙ୍କଠାରୁ ଓ ଭାଇଭଉଣୀମାନଙ୍କଠାରୁ ଦୂରେଇ ଯାʼନ୍ତୁ ନାହିଁ । ମନେ ରଖନ୍ତୁ, ଯେବେ ଆମର ପରୀକ୍ଷା ହୁଏ, ତେବେ ପ୍ରକୃତରେ ଯିହୋବା ଆମକୁ ପ୍ରଶିକ୍ଷଣ ଦେଉଥାʼନ୍ତି । (ଏବ୍ରୀ ୧୨:୭) ଏଥିରୁ ଆମେ ଆହୁରି ଭଲ ମଣିଷ ହୋଇପାରୁ, ଆମେ ନିଜ ଭିତରେ ଭଲ ଗୁଣ ବଢ଼ାଇପାରୁ । ଯେପରି, ଆମେ ଦୟାଳୁ ହୋଇପାରୁ ଓ କ୍ଷମା କରିବା ଶିଖୁ । (ଏବ୍ରୀ ୧୨:୧୧) ଆମେ ଭରସା ରଖିପାରିବା ଯେ ଯିହୋବା ଆମର ଧୈର୍ଯ୍ୟ ପାଇଁ ଆମକୁ ନିଶ୍ଚୟ ପୁରସ୍କାର ଦେବେ, ଯେପରି ସେ ଯୋଷେଫଙ୍କୁ ଦେଇଥିଲେ ।
ବିନ୍ୟାମିନ
୧୭. ବିନ୍ୟାମିନଙ୍କ ବିଷୟରେ ଯାକୁବ ଯେଉଁ ଭବିଷ୍ୟତବାଣୀ କରିଥିଲେ, ତାହା କିପରି ପୂରା ହେଲା ? (ଆଦି ପୁସ୍ତକ ୪୯:୨୭) (ବକ୍ସ ମଧ୍ୟ ଦେଖନ୍ତୁ ।)
୧୭ ଆଦି ପୁସ୍ତକ ୪୯:୨୭ ପଢ଼ନ୍ତୁ । ଯାକୁବ ବିନ୍ୟାମିନ ଗୋତ୍ରର ତୁଳନା ଗୋଟିଏ କେନ୍ଦୁଆ ବା ଗଧିଆ ସହ କଲେ, ଯିଏ ବିନା ଡରି ନିଜ ଶତ୍ରୁମାନଙ୍କ ଉପରେ ଆକ୍ରମଣ କରେ । (ବିଚା. ୨୦:୧୫, ୧୬; ୧ ବଂଶା. ୧୨:୨) ଯାକୁବ କହିଲେ, ‘ପ୍ରାତଃକାଳରେ ସେ ମୃଗ ଭକ୍ଷଣ କରିବ ।’ ‘ପ୍ରାତଃକାଳର’ ଅର୍ଥ କʼଣ ? ଯେବେ ଇସ୍ରାଏଲରେ ରାଜାମାନଙ୍କର ଶାସନ ଆରମ୍ଭ ହେଲା, ତେବେ ସବୁଠୁ ପ୍ରଥମ ରାଜା ବିନ୍ୟାମିନ ଗୋତ୍ରରୁ ଶାଉଲ ଥିଲେ । ସେ ଜଣେ ବୀର ଯୋଦ୍ଧା ଥିଲେ ଓ ସେ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଅନେକ ଯୁଦ୍ଧ କରିଥିଲେ । (୧ ଶାମୁ. ୯:୧୫-୧୭, ୨୧) ଯାକୁବ, ବିନ୍ୟାମିନଙ୍କ ବିଷୟରେ ଏହା ମଧ୍ୟ କହିଥିଲେ ଯେ ସେ “ସନ୍ଧ୍ୟାକାଳରେ ଶିକାର ବଣ୍ଟନ କରିବ ।” ‘ସନ୍ଧ୍ୟାକାଳର’ ଅର୍ଥ କʼଣ ? ଯେବେ ରାଜାମାନଙ୍କର ଶାସନ ଶେଷ ହୋଇଗଲା ଓ ଇସ୍ରାଏଲୀୟମାନେ ପାରସ୍ୟ ଶାସନର ଅଧୀନରେ ଥିଲେ, ତେବେ ପୂରା ଇସ୍ରାଏଲ ଜାତିକୁ ଶେଷ କରିବାର ଷଡ଼ଯନ୍ତ୍ର କରାଗଲା । କିନ୍ତୁ ବିନ୍ୟାମିନ ଗୋତ୍ରରୁ ରାଣୀ ଏଷ୍ଟର ଓ ପ୍ରଧାନମନ୍ତ୍ରୀ ମର୍ଦ୍ଦଖୟ ଏହି ଷଡ଼ଯନ୍ତ୍ରକୁ ବିଫଳ କରିଦେଲେ ଓ ଇସ୍ରାଏଲୀୟମାନଙ୍କର ଜୀବନ ରକ୍ଷା ହେଲା ।—ଏଷ୍ଟ. ୨:୫-୭; ୮:୩; ୧୦:୩.
୧୮. ଆମେ କିପରି ଦେଖାଇପାରିବା ଯେ ଆମେ ବିନ୍ୟାମିନଙ୍କ ଲୋକମାନଙ୍କ ଭଳି ବିଶ୍ୱସ୍ତ ?
୧୮ ଆମେ ଏଥିରୁ କʼଣ ଶିଖୁ ? ବିନ୍ୟାମିନର ଲୋକମାନଙ୍କୁ ଏହା ଦେଖି ବହୁତ ଖୁସି ହୋଇଥିବ ଯେ ଯେପରି ଯାକୁବ ଭବିଷ୍ୟତବାଣୀ କରିଥିଲେ, ଠିକ୍ ସେହିପରି ତାଙ୍କ ଗୋତ୍ରରୁ ଇସ୍ରାଏଲର ପ୍ରଥମ ରାଜାଙ୍କୁ ବଛାଗଲା । କିନ୍ତୁ ଯେବେ ପରବର୍ତ୍ତୀ ରାଜା ଯିହୁଦା ଗୋତ୍ରରୁ ଦାଉଦଙ୍କୁ ବଛାଗଲା, ତେବେ ଆଗକୁ ଯାଇ ବିନ୍ୟାମିନ ଗୋତ୍ର ତାଙ୍କୁ ପୂରା ସହଯୋଗ କଲା । (୨ ଶାମୁ. ୩:୧୭-୧୯) ଆଉ ଅନେକ ବର୍ଷ ପରେ ଯେବେ ଇସ୍ରାଏଲର ସମସ୍ତ ଗୋତ୍ର ଯିହୁଦା ଗୋତ୍ର ବିରୁଦ୍ଧରେ ବିଦ୍ରୋହ କଲା, ତେବେ ବିନ୍ୟାମିନ ଗୋତ୍ର ଯିହୁଦା ଗୋତ୍ରକୁ ସମର୍ଥନ କଲା । ସେମାନେ ଯିହୋବାଙ୍କ ଦ୍ୱାରା ବଛାଯାଇଥିବା ରାଜାଙ୍କର ବିଶ୍ୱସ୍ତ ରହିଲେ । (୧ ରାଜା. ୧୧:୩୧, ୩୨; ୧୨:୧୯, ୨୧) ଆସନ୍ତୁ ଆମେ ମଧ୍ୟ ବିନ୍ୟାମିନର ଲୋକମାନଙ୍କ ଭଳି ସେହି ଭାଇମାନଙ୍କୁ ପୂରା ସହଯୋଗ କରିବା, ଯେଉଁମାନଙ୍କୁ ଯିହୋବା ନିଜ ଲୋକମାନଙ୍କର ନେତୃତ୍ୱ ନେବା ପାଇଁ ବାଛିଛନ୍ତି ।—୧ ଥେସ. ୫:୧୨.
୧୯. ଯାକୁବଙ୍କ ଭବିଷ୍ୟତବାଣୀରୁ ଆମେ କʼଣ ଶିଖିଲୁ ?
୧୯ ଯାକୁବ ନିଜ ମୃତ୍ୟୁ ପୂର୍ବରୁ ଯେଉଁ ଭବିଷ୍ୟତବାଣୀ କରିଥିଲେ, ସେଥିରୁ ଆମେ ଅନେକ କଥା ଶିଖିଲୁ । ଏହି ଭବିଷ୍ୟତବାଣୀଗୁଡ଼ିକ ଉପରେ ଆଲୋଚନା କରି ଆମର ଏହି କଥା ଉପରେ ବିଶ୍ୱାସ ବଢ଼ିଗଲା ଯେ ଈଶ୍ୱରଙ୍କ ବାକ୍ୟରେ ଲେଖାଥିବା ଅନ୍ୟ ଭବିଷ୍ୟତବାଣୀଗୁଡ଼ିକ ମଧ୍ୟ ନିଶ୍ଚୟ ପୂରା ହେବ । ଆଉ ଯାକୁବ ନିଜ ପୁତ୍ରମାନଙ୍କୁ ଯାହା କହିଲେ, ସେଥିରୁ ଆମେ ଜାଣୁ ଯେ ଯିହୋବାଙ୍କର ହୃଦୟ ଖୁସି କରିବା ପାଇଁ ଆମେ କʼଣ କରିପାରିବା ।
ଗୀତ ୧୨୯ ଆମେ ଧୈର୍ଯ୍ୟବାନ ହେବା
a ଯାକୁବ ପ୍ରଥମେ ନିଜର ବଡ଼ ପୁତ୍ର ରୁବେନ୍, ତାʼପରେ ଦ୍ୱିତୀୟ ଓ ତୃତୀୟ ପୁତ୍ର ଶିମୀୟୋନ ଓ ଲେବୀଙ୍କୁ ଓ ତାʼପରେ ନିଜର ଚତୁର୍ଥ ପୁତ୍ର ଯିହୁଦାଙ୍କୁ ଆଶୀର୍ବାଦ ଦେଲେ । କିନ୍ତୁ ଅନ୍ୟ ଆଠଜଣ ପୁତ୍ରଙ୍କୁ ସେ ଏହା ଦେଖି ଆଶୀର୍ବାଦ ଦେଲେ ନାହିଁ ଯେ କିଏ ବଡ଼ ଓ କିଏ ସାନ ।