ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w25 ଜୁନ୍‌ ପୃଷ୍ଠା ୨୦-୨୫
  • ଯିହୋବାଙ୍କ ସେବକ ହେବାର ନିଷ୍ପତ୍ତି ନେବା ପାଇଁ ନିଜ ବିଦ୍ୟାର୍ଥୀଙ୍କୁ ସାହାଯ୍ୟ କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କ ସେବକ ହେବାର ନିଷ୍ପତ୍ତି ନେବା ପାଇଁ ନିଜ ବିଦ୍ୟାର୍ଥୀଙ୍କୁ ସାହାଯ୍ୟ କରନ୍ତୁ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ବୁଝାନ୍ତୁ ଯେ ବିଦ୍ୟାର୍ଥୀଙ୍କୁ କେଉଁ କଥା ଆଗକୁ ବଢ଼ିବା ପାଇଁ ବାଧା ଦେଉଛି
  • ଯିହୋବାଙ୍କ ପାଇଁ ତାଙ୍କ ହୃଦୟରେ ପ୍ରେମ ବଢ଼ାନ୍ତୁ
  • ଯିହୋବାଙ୍କୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେବା ପାଇଁ ଶିଖାନ୍ତୁ
  • ସମସ୍ୟାର ସାମନା କରିବା ପାଇଁ ଶିଖାନ୍ତୁ
  • ଦେଖାନ୍ତୁ ଯେ ଆପଣ ନିଜ ବିଦ୍ୟାର୍ଥୀଙ୍କ ଉପରେ ଭରସା କରନ୍ତି
  • “ଖୁସିଭରା ଜୀବନ” ବହିରୁ ବାଇବଲ ଅଧ୍ୟୟନ କିପରି କରାଇବି ?
    ଲୋକଙ୍କୁ ପ୍ରେମ କର—ଶିଷ୍ୟ କର
  • ସୁସମାଚାରରେ ଆଗ୍ରହ ଦେଖାଉଥିବା ଲୋକଙ୍କ ଶୀଘ୍ର ସହାୟତା କରନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • କʼଣ ମୋ ନିଷ୍ପତ୍ତିଗୁଡ଼ିକରୁ ଜଣାପଡ଼େ ଯେ ମୁଁ ଯିହୋବାଙ୍କ ଉପରେ ନିର୍ଭର ରହେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ବିନା ଡରି ପରାମର୍ଶ ଦିଅନ୍ତୁ
    ଲୋକଙ୍କୁ ପ୍ରେମ କର—ଶିଷ୍ୟ କର
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
w25 ଜୁନ୍‌ ପୃଷ୍ଠା ୨୦-୨୫

ଅଧ୍ୟୟନ ଲେଖା ୨୭

ଗୀତ ୭୯ ମଜବୁତ୍‌ ରହିବା ଶିଖାନ୍ତୁ

ଯିହୋବାଙ୍କ ସେବକ ହେବାର ନିଷ୍ପତ୍ତି ନେବା ପାଇଁ ନିଜ ବିଦ୍ୟାର୍ଥୀଙ୍କୁ ସାହାଯ୍ୟ କରନ୍ତୁ

“ବିଶ୍ୱାସରେ ସ୍ଥିର ହୋଇଥାଅ, ସାହସିକ ହୋଇ ବଳବାନ ହୁଅ ।”—୧ କରି. ୧୬:୧୩.

କʼଣ ଶିଖିବା ?

ଈଶ୍ୱରଙ୍କ ସେବା କରିବାର ନିଷ୍ପତ୍ତି ନେବା ପାଇଁ ଜଣେ ବାଇବଲ ବିଦ୍ୟାର୍ଥୀଙ୍କୁ ବିଶ୍ୱାସ ଓ ସାହସର ଦରକାର ପଡ଼ିଥାଏ । ତାହେଲେ ଆମେ କିପରି ତାଙ୍କୁ ନିଜର ବିଶ୍ୱାସ ବଢ଼ାଇବା ପାଇଁ ଏବଂ ସାହସର ସହିତ କାମ କରିବା ପାଇଁ ଶିଖାଇପାରିବା ?

୧-୨. (କ) କିଛି ବାଇବଲ ବିଦ୍ୟାର୍ଥୀ ଯିହୋବାଙ୍କର ସେବା କରିବାର ନିଷ୍ପତ୍ତି ନେବା ପାଇଁ କାହିଁକି ସଂକୋଚ କରନ୍ତି ? (ଖ) ଏହି ଲେଖାରେ ଆମେ କେଉଁ ବିଷୟରେ ଚର୍ଚ୍ଚା କରିବା ?

ସତ୍ୟ ଶିଖିବା ପରେ କʼଣ ଆପଣ ଯିହୋବାଙ୍କ ସାକ୍ଷୀ ହେବା ପାଇଁ ସଂକୋଚ କରୁଥିଲେ ? କʼଣ ଆପଣଙ୍କୁ ଏହା ଭାବି ଡର ଲାଗୁଥିଲା ଯେ ଆପଣଙ୍କ ସହ କାମ କରୁଥିବା ଲୋକମାନେ, ସାଙ୍ଗମାନେ ଓ ପରିବାରର ସଦସ୍ୟ ଆପଣଙ୍କ ବିରୁଦ୍ଧରେ ହୋଇଯିବେ ? କିମ୍ବା କʼଣ ଆପଣ ଏହା ଭାବୁଥିଲେ ଯେ ଯିହୋବାଙ୍କ ସ୍ତର ଅନୁସାରେ ବଞ୍ଚିବା ବହୁତ କଠିନ, ଆପଣଙ୍କ ଦ୍ୱାରା ଏହା ହୋଇପାରିବ ନାହିଁ ? ଯଦି ଆପଣ ଏପରି ଭାବୁଥିଲେ, ତାହେଲେ ଆପଣ ସେହି ବିଦ୍ୟାର୍ଥୀଙ୍କ ଭାବନା ଭଲଭାବେ ବୁଝିପାରିବେ ଯେଉଁମାନଙ୍କୁ ଯିହୋବାଙ୍କ ସାକ୍ଷୀ ହେବା ପାଇଁ ସଂକୋଚ ହେଉଛି ।

୨ ଯୀଶୁ ଜାଣିଥିଲେ ଯେ ଏପରି ଡର ଜଣେ ବ୍ୟକ୍ତିକୁ ଯିହୋବାଙ୍କ ସେବା କରିବା ପାଇଁ ବାଧା ଦେଇପାରିବ । (ମାଥି. ୧୩:୨୦-୨୨) କିନ୍ତୁ ସେ ଏପରି ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ପଛଘୁଞ୍ଚା ଦେଲେ ନାହିଁ । ସେ ଯେପରି ଭାବେ ଲୋକମାନଙ୍କୁ ଶିଖାଇଲେ, ସେଥିରୁ ଆମେ ଶିଖୁ ଯେ ଆମେ କିପରି ନିଜ ବିଦ୍ୟାର୍ଥୀମାନଙ୍କୁ ସାହାଯ୍ୟ କରିପାରିବା । ଯୀଶୁ ଏହି ଚାରୋଟି ଉପାୟ ଆପଣାଇଲେ: (୧) ସେ ଏହା ଜଣାଇଲେ ଯେ କେଉଁ କଥା ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ବାଧା ଦେଉଛି, (୨) ସେମାନଙ୍କ ହୃଦୟରେ ସେ ଯିହୋବାଙ୍କ ପାଇଁ ପ୍ରେମ ବଢ଼ାଇଲେ, (୩) ସେମାନଙ୍କୁ ଯିହୋବାଙ୍କୁ ପ୍ରଥମ ସ୍ଥାନ ଦେବା ପାଇଁ ଶିଖାଇଲେ ଓ (୪) ସେ ଶିଖାଇଲେ ଯେ ସେମାନେ କିପରି ସମସ୍ୟାଗୁଡ଼ିକର ସାମନା କରିପାରିବେ । ଏହି ଲେଖାରେ ଆମେ ଜାଣିବା ଯେ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିରୁ ଶିଖାଇବା ସମୟରେ ଆମେ କିପରି ଯୀଶୁଙ୍କ ଭଳି ନିଜ ବିଦ୍ୟାର୍ଥୀଙ୍କୁ ସାହାଯ୍ୟ କରିପାରିବା, ଯାହାଫଳରେ ସେ ଯିହୋବାଙ୍କ ସେବା କରିବା ପାଇଁ ନିଷ୍ପତ୍ତି ନେଇପାରିବେ ।

ବୁଝାନ୍ତୁ ଯେ ବିଦ୍ୟାର୍ଥୀଙ୍କୁ କେଉଁ କଥା ଆଗକୁ ବଢ଼ିବା ପାଇଁ ବାଧା ଦେଉଛି

୩. ଯୀଶୁଙ୍କ ଶିଷ୍ୟ ହେବା ପାଇଁ ନୀକଦୀମଙ୍କୁ କେଉଁ କଥା ବାଧା ଦେଉଥିଲା ?

୩ ନୀକଦୀମ ଯିହୁଦୀମାନଙ୍କର ଜଣେ ବଡ଼ ଅଧିକାରୀ ଥିଲେ । ସେ ଯୀଶୁଙ୍କ କାମ ଦେଖି ବୁଝିଯାଇଥିଲେ ଯେ ସେ ଈଶ୍ୱରଙ୍କ ତରଫରୁ ଆସିଛନ୍ତି । (ଯୋହ. ୩:୧, ୨) ସେସମୟରେ ଯୀଶୁଙ୍କୁ ନିଜ ସେବା ଆରମ୍ଭ କରିବାର ପ୍ରାୟ ଛଅ ମାସ ହୋଇଥିଲା । କିନ୍ତୁ ଯୀଶୁଙ୍କ ଶିଷ୍ୟ ହେବା ପାଇଁ ନୀକଦୀମଙ୍କୁ ଗୋଟିଏ କଥା ରୋକୁଥିଲା । ସେ ‘ଯିହୁଦୀମାନଙ୍କୁ ଭୟ’ କରୁଥିଲେ, ତେଣୁ ସେ ରାତିରେ ଲୁଚିଛପି ଯୀଶୁଙ୍କୁ ଭେଟିବା ପାଇଁ ଯାଉଥିଲେ । (ଯୋହ. ୭:୧୩; ୧୨:୪୨) ହୁଏତ ସେ ଏହା ଭାବି ଡରୁଥିଲେ ଯେ ଯଦି ସେ ଯୀଶୁଙ୍କ ଶିଷ୍ୟ ହୋଇଯିବେ, ତାହେଲେ ତାଙ୍କୁ ଅନେକ କିଛି ହରାଇବାକୁ ପଡ଼ିବ ।a

୪. ଯୀଶୁ କିପରି ନୀକଦୀମଙ୍କୁ ଏହା ବୁଝିବା ପାଇଁ ସାହାଯ୍ୟ କଲେ ଯେ ଈଶ୍ୱର ତାଙ୍କଠାରୁ କʼଣ ଆଶା କରନ୍ତି ?

୪ ନୀକଦୀମଙ୍କୁ ମୋଶାଙ୍କ ବ୍ୟବସ୍ଥାର ଭଲ ଜ୍ଞାନ ଥିଲା, କିନ୍ତୁ ତାଙ୍କୁ ଏହା ବୁଝିବା ପାଇଁ ସାହାଯ୍ୟ ଦରକାର ଥିଲା ଯେ ଯିହୋବା ତାଙ୍କଠାରୁ କʼଣ ଆଶା କରନ୍ତି । ଯୀଶୁ କିପରି ତାଙ୍କୁ ସାହାଯ୍ୟ କଲେ ? ଯୀଶୁ ତାଙ୍କ ସହିତ ବହୁତ ସମୟ ବିତାଇଲେ, ଏପରିକି ସେ ତାଙ୍କୁ ରାତିରେ ବି ଯାଇ ଭେଟିଲେ । ସେ ନୀକଦୀମଙ୍କୁ ସ୍ପଷ୍ଟ ଭାବେ କହିଲେ ଯେ ତାଙ୍କର ଶିଷ୍ୟ ହେବା ପାଇଁ ତାଙ୍କୁ କʼଣ କରିବାକୁ ପଡ଼ିବ: ତାଙ୍କୁ ନିଜ ପାପ ପାଇଁ ପଶ୍ଚାତାପ କରିବାକୁ ପଡ଼ିବ, ପାଣିରେ ବାପ୍ତିସ୍ମ ନେବାକୁ ପଡ଼ିବ ଏବଂ ଈଶ୍ୱରଙ୍କ ପୁତ୍ରଙ୍କ ଉପରେ ବିଶ୍ୱାସ କରିବାକୁ ପଡ଼ିବ ।—ଯୋହ. ୩:୫; ୧୪-୨୧.

୫. ଆପଣ କିପରି ନିଜର ବିଦ୍ୟାର୍ଥୀଙ୍କୁ ଏହା ବୁଝିବା ପାଇଁ ସାହାଯ୍ୟ କରିପାରିବେ ଯେ କେଉଁ କଥା ତାଙ୍କୁ ଯିହୋବାଙ୍କ ସେବା କରିବା ପାଇଁ ବାଧା ଦେଉଛି ?

୫ ହୋଇପାରେ ଆପଣଙ୍କ ବିଦ୍ୟାର୍ଥୀଙ୍କୁ ବାଇବଲର ଭଲ ଜ୍ଞାନ ଥିବ, କିନ୍ତୁ ହୁଏତ ତାଙ୍କୁ ଏହା ବୁଝିବା ପାଇଁ ସାହାଯ୍ୟ ଦରକାର ଥିବ ଯେ କେଉଁ କଥା ତାଙ୍କୁ ଯିହୋବାଙ୍କ ସେବା କରିବା ପାଇଁ ବାଧା ଦେଉଛି । ହୁଏତ ତାଙ୍କର ପୂରା ସମୟ ଚାକିରିରେ ଚାଲି ଯାଉଥିବ କିମ୍ବା ତାଙ୍କ ପରିବାର ଲୋକେ ଚାହୁଁ ନ ଥିବେ ଯେ ସେ ଜଣେ ଯିହୋବାଙ୍କ ସାକ୍ଷୀ ହୁଅନ୍ତୁ । ଯଦି ଏପରି ହେଉଛି, ତାହେଲେ ତାଙ୍କ ସହିତ ସମୟ ବିତାନ୍ତୁ । ଆପଣ ଚାହିଁଲେ ତାଙ୍କୁ ଚାʼ ପାଇଁ ଡାକିପାରିବେ କିମ୍ବା ତାଙ୍କ ସହିତ ବୁଲିବା ପାଇଁ ଯାଇପାରିବେ । ଏପରି ଭାବେ ସମୟ ବିତାଇଲେ ସେ ହୁଏତ ନିଜ ବିଷୟରେ ଆପଣଙ୍କୁ ମନଖୋଲି କହିବେ । ତେବେ ଆପଣ ବୁଝିପାରିବେ ଯେ କେଉଁ କଥା ତାଙ୍କୁ ଯିହୋବାଙ୍କ ସେବା କରିବା ପାଇଁ ବାଧା ଦେଉଛି । ତାʼପରେ ଆପଣ ତାଙ୍କୁ କହିପାରିବେ ଯେ ତାଙ୍କୁ କେଉଁ ମାମଲାଗୁଡ଼ିକରେ ସୁଧାର କରିବା ଜରୁରୀ । ଆପଣ ତାଙ୍କୁ ଏହା ବି କହନ୍ତୁ ଯେ ସେ ଆପଣଙ୍କୁ ଖୁସି କରିବା ପରିବର୍ତ୍ତେ ଯିହୋବାଙ୍କୁ ଖୁସି କରିବା ପାଇଁ ନିଜ ଭିତରେ ସୁଧାର କରନ୍ତୁ ।

୬. ଆପଣ କିପରି ନିଜର ବିଦ୍ୟାର୍ଥୀଙ୍କୁ ଯିହୋବାଙ୍କର ସେବା କରିବାର ନିଷ୍ପତ୍ତି ନେବା ପାଇଁ ସାହସ ବଢ଼ାଇପାରିବେ ? (୧ କରିନ୍ଥୀୟ ୧୬:୧୩)

୬ ଆପଣଙ୍କ ବିଦ୍ୟାର୍ଥୀଙ୍କୁ ଯେବେ ଭରସା ହେବ ଯେ ବାଇବଲ ସ୍ତରଗୁଡ଼ିକୁ ମାନିବା ପାଇଁ ଯିହୋବା ତାଙ୍କୁ ସାହାଯ୍ୟ କରିବେ, ତେବେ ତାଙ୍କୁ ସାହସ ମିଳିବ ଓ ସେ ବାଇବଲ ସ୍ତରଗୁଡ଼ିକୁ ମାନିବେ । (୧ କରିନ୍ଥୀୟ ୧୬:୧୩ ପଢ଼ନ୍ତୁ ।) ଯେବେ ଆପଣ ସ୍କୁଲ ଯାଉଥିଲେ, ତେବେ ଆପଣଙ୍କୁ କେଉଁ ଟିଚର ଭଲ ଲାଗୁଥିଲେ ? ନିଶ୍ଚୟ ଆପଣଙ୍କୁ ଏପରି ଟିଚର ଭଲ ଲାଗୁଥିବେ ଯିଏ ଆପଣଙ୍କୁ ଧୈର୍ଯ୍ୟର ସହ ଶିଖାଉଥିଲେ ଏବଂ ଆପଣଙ୍କର ସାହସ ବଢ଼ାଉଥିଲେ । ଆପଣ ବି ଏପରି କରିପାରିବେ । ନିଜର ବାଇବଲ ବିଦ୍ୟାର୍ଥୀଙ୍କୁ କେବଳ ଏହା ଶିଖାନ୍ତୁ ନାହିଁ ଯେ ଈଶ୍ୱର ତାଙ୍କଠାରୁ କʼଣ ଆଶା କରନ୍ତି । ଏହା ପରିବର୍ତ୍ତେ ତାଙ୍କ ସହ ଧୈର୍ଯ୍ୟ ଧରନ୍ତୁ ଏବଂ ତାଙ୍କୁ ଭରସା ଦିଅନ୍ତୁ ଯେ ସେ ନିଜ ଜୀବନରେ ଯାହା ବି ସୁଧାର କରିବେ, ତାʼପାଇଁ ଯିହୋବା ତାଙ୍କୁ ସାହାଯ୍ୟ କରିବେ । ଆମେ ନିଜ ବିଦ୍ୟାର୍ଥୀଙ୍କୁ ସାହାଯ୍ୟ କରିବା ପାଇଁ ଆଉ କʼଣ କରିପାରିବା ?

ଯିହୋବାଙ୍କ ପାଇଁ ତାଙ୍କ ହୃଦୟରେ ପ୍ରେମ ବଢ଼ାନ୍ତୁ

୭. ଯୀଶୁ କିପରି ଲୋକମାନଙ୍କ ହୃଦୟରେ ଯିହୋବାଙ୍କ ପାଇଁ ପ୍ରେମ ବଢ଼ାଇଲେ ?

୭ ଯୀଶୁ ଜାଣିଥିଲେ ଯେ ତାଙ୍କ ଶିଷ୍ୟମାନେ ଯଦି ଯିହୋବାଙ୍କୁ ପ୍ରେମ କରିବେ, ତେବେ ସେମାନେ ତାଙ୍କର କଥା ମାନିବେ । ସେଥିପାଇଁ ସେ ନିଜ ଶିଷ୍ୟମାନଙ୍କୁ ଏପରି କଥା ଶିଖାଉଥିଲେ, ଯେଉଁଥିରୁ ସେମାନଙ୍କ ହୃଦୟରେ ଯିହୋବାଙ୍କ ପାଇଁ ପ୍ରେମ ବଢ଼ିବ । ଯେପରି, ସେ ନିଜ ଶିଷ୍ୟମାନଙ୍କୁ କହିଲେ, ଯିହୋବା ଜଣେ ପିତାଙ୍କ ଭଳି ଅଟନ୍ତି ଯିଏ ନିଜ ପିଲାମାନଙ୍କୁ ଭଲ ଜିନିଷଗୁଡ଼ିକ ଦିଅନ୍ତି । (ମାଥି. ୭:୯-୧୧) ଯେଉଁମାନେ ଯୀଶୁଙ୍କ କଥା ଶୁଣୁଥିଲେ, ସେମାନଙ୍କ ମଧ୍ୟରେ ହୁଏତ ଏପରି ବ୍ୟକ୍ତିମାନେ ବି ଥିଲେ ଯେଉଁମାନଙ୍କ ବାପା ସେମାନଙ୍କୁ ପ୍ରେମ କରୁ ନ ଥିଲେ । ଭାବନ୍ତୁ, ଯେବେ ଯୀଶୁ ଅପବ୍ୟୟୀ ପୁତ୍ରର ବା ହଜିଯାଇଥିବା ପୁତ୍ରର ଉଦାହରଣ ଦେଲେ, ତେବେ ସେମାନଙ୍କୁ କିପରି ଲାଗିଥିବ । ସେହି ପୁତ୍ର ଯେବେ ନିଜ ଜୀବନରେ ଅନେକ ଖରାପ କାମ କରି ମଧ୍ୟ ଘରକୁ ଫେରେ, ତେବେ ତାʼବାପା ତାକୁ ବହୁତ ପ୍ରେମର ସହିତ ସ୍ୱାଗତ କରନ୍ତି । ଏହି ଉଦାହରଣରୁ ସେମାନେ ବୁଝିଯାଇଥିବେ ଯେ ଯିହୋବା ନିଜ ପିଲାମାନଙ୍କୁ ଅର୍ଥାତ୍‌ ଆମ ମଣିଷମାନଙ୍କୁ କେତେ ପ୍ରେମ କରନ୍ତି ।—ଲୂକ ୧୫:୨୦-୨୪.

୮. ଆପଣ କିପରି ନିଜ ବିଦ୍ୟାର୍ଥୀଙ୍କ ହୃଦୟରେ ଯିହୋବାଙ୍କ ପାଇଁ ପ୍ରେମ ବଢ଼ାଇପାରିବେ ?

୮ ଆପଣ ମଧ୍ୟ ନିଜ ବିଦ୍ୟାର୍ଥୀଙ୍କ ହୃଦୟରେ ଯିହୋବାଙ୍କ ପାଇଁ ପ୍ରେମ ବଢ଼ାଇପାରିବେ । ତାହା କିପରି ? ତାଙ୍କୁ ଯିହୋବାଙ୍କ ଗୁଣଗୁଡ଼ିକ ବିଷୟରେ ଶିଖାନ୍ତୁ । ପ୍ରତିଥର ଅଧ୍ୟୟନ କଲା ସମୟରେ ତାଙ୍କୁ ଏହା ବୁଝିବା ପାଇଁ ସାହାଯ୍ୟ କରନ୍ତୁ ଯେ ସେ ଯାହା ଶିଖୁଛନ୍ତି, ସେଥିରୁ କିପରି ଜଣାପଡ଼େ ଯେ ଯିହୋବା ତାଙ୍କୁ ପ୍ରେମ କରନ୍ତି । ଯେପରି, ମୁକ୍ତିର ମୂଲ୍ୟ ବିଷୟରେ ଚର୍ଚ୍ଚା କରିବା ସମୟରେ ଆପଣ ତାଙ୍କୁ ବୁଝାଇପାରିବେ ଯେ ଯିହୋବା ତାଙ୍କ ପାଇଁ ମଧ୍ୟ ମୁକ୍ତିର ମୂଲ୍ୟ ଦେଇଛନ୍ତି, କାରଣ ସେ ତାଙ୍କୁ ପ୍ରେମ କରନ୍ତି । (ରୋମୀ. ୫:୮; ୧ ଯୋହ. ୪:୧୦) ଯେବେ ବିଦ୍ୟାର୍ଥୀ ଏବିଷୟରେ ଭାବିବେ ଯେ ଯିହୋବା ତାଙ୍କୁ କେତେ ପ୍ରେମ କରନ୍ତି, ତେବେ ସେ ମଧ୍ୟ ଯିହୋବାଙ୍କୁ ପ୍ରେମ କରିବାକୁ ଲାଗିବେ ।—ଗାଲା. ୨:୨୦.

୯. ମାଇକଲ କେଉଁ କାରଣ ଯୋଗୁଁ ନିଜ ଜୀବନରେ ପରିବର୍ତ୍ତନ କରିପାରିଲେ ?

୯ ଇଣ୍ଡୋନେସିଆର ମାଇକଲଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ତାଙ୍କର ଲାଳନପାଳନ ସତ୍ୟରେ ହୋଇଥିଲା, କିନ୍ତୁ ସେ ବାପ୍ତିସ୍ମ ନେଲେ ନାହିଁ । ୧୮ ବର୍ଷ ବୟସରେ ସେ ବିଦେଶ ଯାଇ ଟ୍ରକ ଡ୍ରାଇଭର୍‌ ଭାବେ ଚାକିରି କରିବାକୁ ଲାଗିଲେ । ପରେ ତାଙ୍କର ବିବାହ ହୋଇଗଲା, କିନ୍ତୁ ସେ ନିଜ ପରିବାରକୁ ଇଣ୍ଡୋନେସିଆରେ ଛାଡ଼ି ବିଦେଶରେ ହିଁ ଚାକିରି କରିବାକୁ ଲାଗିଲେ । ସେହି ସମୟ ମଧ୍ୟରେ ତାଙ୍କର ସ୍ତ୍ରୀ ଓ ତାଙ୍କର ଝିଅ ବାଇବଲ ଅଧ୍ୟୟନ କରିବାକୁ ଲାଗିଲେ ଏବଂ ସେହି କଥାଗୁଡ଼ିକୁ ମାନିବାକୁ ଲାଗିଲେ । କିଛି ସମୟ ପରେ ମାଇକଲଙ୍କ ମାଆଙ୍କ ମୃତ୍ୟୁ ହୋଇଗଲା, ତେଣୁ ସେ ନିଜ ବାପାଙ୍କ ଦେଖାଶୁଣା କରିବା ପାଇଁ ଘରକୁ ଫେରି ଆସିଲେ । ଘରକୁ ଫେରିବା ପରେ ସେ ବି ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିରୁ ବାଇବଲ ଅଧ୍ୟୟନ କରିବାକୁ ଲାଗିଲେ । ଯେବେ ସେ ପାଠ ୨୭ର “ଭାବନ୍ତୁ ଓ ଶିଖନ୍ତୁ” ଭାଗ ଉପରେ ଚର୍ଚ୍ଚା କରୁଥିଲେ, ତେବେ ଗୋଟିଏ କଥା ତାଙ୍କ ହୃଦୟକୁ ଛୁଇଁଗଲା । ଯେବେ ସେ ଏବିଷୟରେ ଭାବିଲେ ଯେ ଯିହୋବାଙ୍କୁ ନିଜ ପୁତ୍ରଙ୍କୁ ଯନ୍ତ୍ରଣାରେ ଦେଖି କେତେ ଦୁଃଖ ଲାଗିଥିବ, ତେବେ ତାଙ୍କ ଆଖିରେ ଲୁହ ଭରିଗଲା । ସେ ମୁକ୍ତିର ମୂଲ୍ୟ ପାଇଁ ବହୁତ କୃତଜ୍ଞ ମନେ କଲେ । ତାʼପରେ ସେ ଭାବିନେଲେ ଯେ ସେ ନିଜ ଜୀବନରେ ପରିବର୍ତ୍ତନ କରିବେ ଓ ବାପ୍ତିସ୍ମ ନେବେ ।

ଯିହୋବାଙ୍କୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେବା ପାଇଁ ଶିଖାନ୍ତୁ

୧୦. ଯୀଶୁ ନିଜର କିଛି ଶିଷ୍ୟଙ୍କୁ ଏହା କିପରି ବୁଝାଇଲେ ଯେ ସେମାନଙ୍କୁ ପ୍ରଚାର କାମକୁ ପ୍ରଥମ ସ୍ଥାନ ଦେବା ଉଚିତ୍‌ ? (ଲୂକ ୫:୫-୧୧) (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୦ ଯୀଶୁଙ୍କ କିଛି ଶିଷ୍ୟ ତୁରନ୍ତ ବୁଝିଗଲେ ଯେ ଯୀଶୁ ହିଁ ପ୍ରତିଜ୍ଞା କରାଯାଇଥିବା ଖ୍ରୀଷ୍ଟ ଅଟନ୍ତି, କିନ୍ତୁ ସେମାନେ ଏହା ବୁଝିପାରି ନ ଥିଲେ ଯେ ସେମାନଙ୍କୁ ପ୍ରଚାର କାମକୁ ପ୍ରଥମ ସ୍ଥାନ ଦେବା ଉଚିତ୍‌ । ଯେପରି, ପିତର ଓ ଆନ୍ଦ୍ରିୟ ଯୀଶୁଙ୍କ ଶିଷ୍ୟ ହେବା ପରେ ବି ମାଛ ଧରିବା କାମରେ ଲାଗି ରହିଥିଲେ । ସେମାନେ ହୁଏତ ଯାକୁବ ଓ ଯୋହନଙ୍କ ସହ ମିଶି ମାଛର ବ୍ୟବସାୟ କରୁଥିଲେ ଏବଂ ବହୁତ ପଇସା ରୋଜଗାର କରୁଥିଲେ । (ମାର୍କ ୧:୧୬-୨୦) କିନ୍ତୁ ଯୀଶୁ ସେମାନଙ୍କୁ ନିଜ ସହିତ ପୂର୍ଣ୍ଣ ସମୟର ସେବା କରିବା ପାଇଁ ଡାକିଲେ । (ମାଥି. ୪:୧୮, ୧୯) ତେବେ ପିତର ଓ ଆନ୍ଦ୍ରିୟ “ଜାଲ ଛାଡ଼ି” ତାଙ୍କ ପଛରେ ଚାଲିବାକୁ ଲାଗିଲେ । ସେମାନେ ନିଶ୍ଚୟ ନିଜର ପରିବାର ଲୋକଙ୍କ ଆବଶ୍ୟକତା ପୂରା କରିବା ପାଇଁ କିଛି ବ୍ୟବସ୍ଥା କରିଥିବେ । କିନ୍ତୁ ପ୍ରଶ୍ନ ଉଠେ, ସେମାନେ କାହିଁକି ନିଜର ବ୍ୟବସାୟ ଛାଡ଼ି ଯୀଶୁଙ୍କ ପଛରେ ଚାଲିବାକୁ ଲାଗିଲେ ? ଲୂକ ବହିରେ କୁହାଯାଇଛି ଯେ ଯୀଶୁ ଯିହୋବାଙ୍କ ଉପରେ ସେମାନଙ୍କର ଭରସା ବଢ଼ାଇବା ପାଇଁ ଗୋଟିଏ ଚମତ୍କାର କଲେ । ସେହି ଚମତ୍କାର ଦେଖି ସେମାନେ ବୁଝିପାରିଲେ ଯେ ଯଦି ସେମାନେ ଯିହୋବାଙ୍କୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେବେ, ତାହେଲେ ଯିହୋବା ତାଙ୍କ ଆବଶ୍ୟକତାଗୁଡ଼ିକୁ ପୂରା କରିବେ ।—ଲୂକ ୫:୫-୧୧ ପଢ଼ନ୍ତୁ ।

ଯେବେ ଯୀଶୁ ଦୁଇଜଣ ମାଛ ଧରାଳିଙ୍କୁ ନିଜ ପଛରେ ଚାଲିବା ପାଇଁ କହନ୍ତି, ତେବେ ସେମାନେ ନିଜ ନୌକା ଛାଡ଼ି ତାଙ୍କ ପଛରେ ଚାଲିବାକୁ ଲାଗନ୍ତି । ଅନ୍ୟ ମାଛ ଧରାଳି ନୌକାରେ ହିଁ ଅଛନ୍ତି ଏବଂ ଜାଲ ସଜାଡ଼ୁଛନ୍ତି ।

ଯୀଶୁ କିପରି ନିଜ ଶିଷ୍ୟମାନଙ୍କୁ ଶିଖାଇଲେ ଯେ ସେମାନଙ୍କୁ ଯିହୋବାଙ୍କୁ ପ୍ରଥମ ସ୍ଥାନ ଦେବା ଉଚିତ୍‌ ଏବଂ ସେଥିରୁ ଆମେ କʼଣ ଶିଖୁ ? (ପାରାଗ୍ରାଫ ୧୦)b


୧୧. ଆମେ କିପରି ନିଜର ଅନୁଭୂତି କହି ବିଦ୍ୟାର୍ଥୀଙ୍କ ବିଶ୍ୱାସ ଦୃଢ଼ କରିପାରିବା ?

୧୧ ଯୀଶୁଙ୍କ ଭଳି ଆମେ କୌଣସି ଚମତ୍କାର କରିପାରିବା ନାହିଁ, କିନ୍ତୁ ଆମେ ନିଜ ବିଦ୍ୟାର୍ଥୀଙ୍କୁ ଏପରି ଅନୁଭୂତି କହିପାରିବା, ଯେଉଁଥିରୁ ସେ ବୁଝିପାରିବେ ଯେ ଯଦି ଆମେ ଯିହୋବାଙ୍କୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେଉ, ତେବେ ସେ ଆମକୁ ସମ୍ଭାଳିବେ । ଯେପରି, ଆପଣ ସେମାନଙ୍କୁ କହିପାରିବେ ଯେ ଯେବେ ଆପଣ ସଭାରେ ଯିବା ଆରମ୍ଭ କରିଥିଲେ, ତେବେ ଯିହୋବା କିପରି ଆପଣଙ୍କୁ ସାହାଯ୍ୟ କରିଥିଲେ । ହୁଏତ ଆପଣ ନିଜ ମାଲିକଙ୍କୁ କହିଥିବେ ଯେ ଯେଉଁ ଦିନ ସଭା ହୁଏ, ସେଦିନ ଆପଣ ଡେରି ପର୍ଯ୍ୟନ୍ତ କାମ କରିପାରିବେ ନାହିଁ । ନିଜ ବିଦ୍ୟାର୍ଥୀଙ୍କୁ ଏହା ମଧ୍ୟ କହନ୍ତୁ ଯେ ଯିହୋବାଙ୍କ ଉପାସନାକୁ ପ୍ରଥମ ସ୍ଥାନ ଦେବା ପାଇଁ ଆପଣ ଯେଉଁ ନିଷ୍ପତ୍ତି ନେଲେ, ତାʼ ଉପରେ କିପରି ଯିହୋବା ଆଶିଷ ଦେଲେ ଓ ସେଥିରୁ ଆପଣଙ୍କ ବିଶ୍ୱାସ କିପରି ଦୃଢ଼ ହେଲା ।

୧୨. (କ) ଆମେ କାହିଁକି ଅଲଗା ଅଲଗା ଭାଇଭଉଣୀମାନଙ୍କୁ ନିଜ ବାଇବଲ ଅଧ୍ୟୟନରେ ନେବା ଉଚିତ୍‌ ? (ଖ) ଗୋଟିଏ ଉଦାହରଣ ଦେଇ ବୁଝାନ୍ତୁ ଯେ ଆପଣ କିପରି ଭିଡିଓ ଦେଖାଇ ନିଜ ବିଦ୍ୟାର୍ଥୀଙ୍କୁ ଶିଖାଇପାରିବେ ଯେ ତାଙ୍କୁ, ଯିହୋବାଙ୍କୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେବା ଉଚିତ୍‌ ?

୧୨ ଅନ୍ୟ ଭାଇଭଉଣୀମାନଙ୍କ ଅନୁଭୂତିରୁ ବି ଆପଣଙ୍କର ବିଦ୍ୟାର୍ଥୀଙ୍କ ବିଶ୍ୱାସ ବଢ଼ିପାରେ । ଭାଇଭଉଣୀମାନେ ଯେବେ କହିବେ ଯେ ସେମାନେ କିପରି ଯିହୋବାଙ୍କ ଉପାସନାକୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେଇଛନ୍ତି, ତେବେ ସେଥିରୁ ବି ଆପଣଙ୍କ ବିଦ୍ୟାର୍ଥୀଙ୍କୁ ସାହାଯ୍ୟ ମିଳିବ । ସେଥିପାଇଁ ବାଇବଲ ଅଧ୍ୟୟନରେ ଅଲଗା ଅଲଗା ଭାଇଭଉଣୀମାନଙ୍କୁ ନିଅନ୍ତୁ । ସେମାନଙ୍କୁ କହନ୍ତୁ ଯେ ସେମାନେ ସତ୍ୟରେ କିପରି ଆସିଲେ ଓ ଯିହୋବାଙ୍କୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେବା ପାଇଁ କʼଣ କଲେ, ତାହା ଆପଣଙ୍କ ବିଦ୍ୟାର୍ଥୀଙ୍କୁ କହିବେ । ଏହା ବ୍ୟତୀତ ଆପଣ ନିଜ ବିଦ୍ୟାର୍ଥୀଙ୍କ ସହ ମିଶି ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିର “ଭାବନ୍ତୁ ଓ ଶିଖନ୍ତୁ” ଭାଗରେ ଦିଆଯାଇଥିବା ଭିଡିଓ ଦେଖନ୍ତୁ ଏବଂ ଆପଣ ଚାହିଁଲେ “ଅଧିକ ଜାଣନ୍ତୁ” ଭାଗରେ ଦିଆଯାଇଥିବା କିଛି ଭିଡିଓ ମଧ୍ୟ ଦେଖିପାରିବେ । ଯେପରି, ଆପଣ ପାଠ ୩୭ ଉପରେ ଚର୍ଚ୍ଚା କରିବା ସମୟରେ ଯିହୋବା ଆମ ଆବଶ୍ୟକତାଗୁଡ଼ିକୁ ପୂରା କରିବେ ନାମକ ଭିଡିଓ ଦେଖାଇପାରିବେ ଓ ସେଥିରେ ଯେଉଁ ସିଦ୍ଧାନ୍ତଗୁଡ଼ିକ ଦିଆଯାଇଛି, ସେଗୁଡ଼ିକ ଉପରେ ଚର୍ଚ୍ଚା କରିପାରିବେ ।

ସମସ୍ୟାର ସାମନା କରିବା ପାଇଁ ଶିଖାନ୍ତୁ

୧୩. ଯୀଶୁ କିପରି ନିଜ ଶିଷ୍ୟମାନଙ୍କୁ ବିରୋଧର ସାମନା କରିବା ପାଇଁ ପ୍ରସ୍ତୁତ କଲେ ?

୧୩ ଯୀଶୁ ନିଜ ଶିଷ୍ୟମାନଙ୍କୁ ବାରମ୍ବାର କହିଲେ ଯେ ଲୋକମାନେ, ଏପରିକି ସେମାନଙ୍କର ସମ୍ପର୍କୀୟମାନେ ବି ତାଙ୍କର ବିରୋଧ କରିବେ । (ମାଥି. ୫:୧୧; ୧୦:୨୨, ୩୬) ନିଜ ସେବାର ଶେଷ ସମୟରେ ସେ ନିଜ ଶିଷ୍ୟମାନଙ୍କୁ କହିଲେ ଯେ ଲୋକମାନେ ତାଙ୍କୁ ଏତେ ଘୃଣା କରିବେ ଯେ ହୁଏତ ସେମାନେ ତାଙ୍କୁ ଜୀବନରୁ ବି ମାରିଦେବେ । (ମାଥି. ୨୪:୯; ଯୋହ. ୧୫:୨୦; ୧୬:୨) ସେ ନିଜ ଶିଷ୍ୟମାନଙ୍କୁ ପ୍ରଚାର କରିବା ସମୟରେ ସତର୍କ ରହିବା ପାଇଁ କହିଲେ । ସେ ସେମାନଙ୍କୁ କହିଲେ ଯେ ଯଦି କେହି ତାଙ୍କର ବିରୋଧ କରନ୍ତି, ତାହେଲେ ସେ ଯୁକ୍ତିତର୍କ ନ କରି ଚୁପ୍‌ଚାପ ସେଠାରୁ ଚାଲିଯାʼନ୍ତୁ ଓ ଅନ୍ୟ ଜାଗାକୁ ଯାଇ ପ୍ରଚାର କରନ୍ତୁ ।

୧୪. ଆମେ କିପରି ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ବିରୋଧର ସାମନା କରିବା ପାଇଁ ପ୍ରସ୍ତୁତ କରିପାରିବା ? (୨ ତୀମଥି ୩:୧୨)

୧୪ ଆମେ ବି ନିଜ ବିଦ୍ୟାର୍ଥୀଙ୍କୁ ବିରୋଧର ସାମନା କରିବା ପାଇଁ ପ୍ରସ୍ତୁତ କରିପାରିବା । ଆମେ ତାଙ୍କୁ ବୁଝାଇପାରିବା ଯେ ତାଙ୍କ ସହ କାମ କରୁଥିବା ଲୋକମାନେ, ସାଙ୍ଗମାନେ କିମ୍ବା ତାଙ୍କର ସମ୍ପର୍କୀୟମାନେ ତାଙ୍କୁ କʼଣ କହିବେ । (୨ ତୀମଥି ୩:୧୨ ପଢ଼ନ୍ତୁ ।) ଆମେ ତାଙ୍କୁ କହିପାରିବା ଯେ ବାଇବଲ ଉପରେ ବିଶ୍ୱାସ କରିବା ଯୋଗୁଁ ହୁଏତ ତାଙ୍କ ସହ କାମ କରୁଥିବା ଲୋକମାନେ ତାଙ୍କର ମଜାକ ଉଡ଼ାଇବେ କିମ୍ବା ତାଙ୍କର ସମ୍ପର୍କୀୟମାନେ ତାଙ୍କୁ ଅପମାନ କରିବେ । ତେଣୁ ଭଲ ହେବ, ଆମେ ଅତିଶୀଘ୍ର ନିଜ ବାଇବଲ ବିଦ୍ୟାର୍ଥୀମାନଙ୍କ ସହ ଏବିଷୟରେ କଥା ହେବା, ଯାହାଫଳରେ ଯେବେ ବି ସେମାନଙ୍କର ବିରୋଧ ହୁଏ ତେବେ ସେମାନେ ଭଲଭାବେ ଏହାର ସାମନା କରିପାରିବେ ।

୧୫. ଯଦି ଆପଣଙ୍କ ବିଦ୍ୟାର୍ଥୀଙ୍କ ପରିବାର ଲୋକେ ତାଙ୍କୁ ବିରୋଧ କରନ୍ତି, ତାହେଲେ ଆପଣ କିପରି ତାଙ୍କୁ ସାହାଯ୍ୟ କରିପାରିବେ ?

୧୫ ଯଦି ଆପଣଙ୍କ ବିଦ୍ୟାର୍ଥୀଙ୍କ ପରିବାର ଲୋକେ ତାଙ୍କର ବିରୋଧ କରୁଛନ୍ତି, ତାହେଲେ ତାଙ୍କୁ ଏବିଷୟରେ ଭାବିବା ପାଇଁ କହନ୍ତୁ ଯେ ତାଙ୍କର ପରିବାର ଲୋକେ କାହିଁକି ଏଥିରୁ ଖୁସି ନାହାନ୍ତି । ହୁଏତ ସେମାନେ ଭାବୁଥିବେ ଯେ ଯିହୋବାଙ୍କ ସାକ୍ଷୀ ତାଙ୍କୁ ଭୁଲ ବାଟରେ ନେଇ ଯାଉଛନ୍ତି କିମ୍ବା ହୁଏତ ସେମାନେ ଶୁଣିଥିବେ ଯେ ଯିହୋବାଙ୍କ ସାକ୍ଷୀମାନେ ଭଲ ଲୋକ ନୁହଁନ୍ତି । ଏହା କୌଣସି ନୂଆ କଥା ନୁହେଁ । ଯୀଶୁଙ୍କ ସମ୍ପର୍କୀୟମାନେ ମଧ୍ୟ ତାଙ୍କଠାରୁ ଖୁସି ନ ଥିଲେ ଏବଂ ତାଙ୍କୁ ପାଗଳ ବୋଲି କହିଲେ । (ମାର୍କ ୩:୨୧; ଯୋହ. ୭:୫) ନିଜ ବିଦ୍ୟାର୍ଥୀଙ୍କୁ ଶିଖାନ୍ତୁ ଯେ ସେ ଅନ୍ୟମାନଙ୍କ ସହ, ବିଶେଷ କରି ନିଜ ପରିବାର ଲୋକଙ୍କ ପାଇଁ ଧୈର୍ଯ୍ୟ ଧରନ୍ତୁ ଓ ଭାବିଚିନ୍ତି କଥା ହୁଅନ୍ତୁ ।

୧୬. ଆମେ କିପରି ନିଜ ବିଦ୍ୟାର୍ଥୀଙ୍କୁ ଏହା ଶିଖାଇପାରିବା ଯେ ସେ ନିଜ ସମ୍ପର୍କୀୟମାନଙ୍କ ସହିତ କଥା ହେବା ସମୟରେ ଭାବିଚିନ୍ତି କଥା ହୋଇପାରିବେ ?

୧୬ ନିଜ ବିଦ୍ୟାର୍ଥୀଙ୍କୁ କହନ୍ତୁ ଯେ ଯଦି ତାଙ୍କର ସମ୍ପର୍କୀୟମାନେ ବାଇବଲ ବିଷୟରେ ଜାଣିବା ପାଇଁ ଚାହାନ୍ତି, ତାହେଲେ ସେ ସେମାନଙ୍କୁ ଏକାଥରେ ସବୁକଥା କହନ୍ତୁ ନାହିଁ । ଏପରି କଲେ ସେମାନଙ୍କୁ ହୁଏତ ବିରକ୍ତ ଲାଗିବ ଓ ସେମାନେ ଆରଥରକୁ ତାଙ୍କ କଥା ଶୁଣିବେ ନାହିଁ । ତେଣୁ ନିଜ ବିଦ୍ୟାର୍ଥୀଙ୍କୁ ନିଜ ସମ୍ପର୍କୀୟମାନଙ୍କୁ ଟିକେ ଟିକେ କରି କହିବା ପାଇଁ କହନ୍ତୁ, ଯାହାଫଳରେ ସେମାନେ ଆଗକୁ ବି ଶୁଣିବା ପାଇଁ ଚାହିଁବେ । (କଲ. ୪:୬) ତାଙ୍କୁ ନିଜ ସମ୍ପର୍କୀୟମାନଙ୍କୁ jw.org ୱେବସାଇଟ୍‌ ବିଷୟରେ ମଧ୍ୟ କହିବା ପାଇଁ କହନ୍ତୁ । ଏଥିରୁ ତାଙ୍କର ସମ୍ପର୍କୀୟମାନେ ସାକ୍ଷୀମାନଙ୍କ ବିଷୟରେ ଯାହା ବି ଜାଣିବା ପାଇଁ ଚାହାନ୍ତି, ତାହା ଜାଣିପାରିବେ ।

୧୭. ଆପଣ କିପରି ନିଜ ବିଦ୍ୟାର୍ଥୀଙ୍କୁ ସାକ୍ଷୀମାନଙ୍କ ବିଷୟରେ ପଚରାଯାଉଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ପାଇଁ ଶିଖାଇପାରିବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୭ ଆପଣ ନିଜ ବିଦ୍ୟାର୍ଥୀଙ୍କୁ jw.org ୱେବସାଇଟ୍‌ର “ଯିହୋବାଙ୍କ ସାକ୍ଷୀମାନଙ୍କ ବିଷୟରେ ବାରମ୍ବାର ପଚରାଯାଉଥିବା ପ୍ରଶ୍ନ” ସିରିଜ୍‌ ମଧ୍ୟ ଦେଖାଇପାରିବେ । ସେଥିରୁ ସେ ଜାଣିପାରିବେ ଯେ ସେ କିପରି ତାଙ୍କ ସହିତ କାମ କରୁଥିବା ଲୋକ ଓ ସମ୍ପର୍କୀୟମାନଙ୍କ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇପାରିବେ । (୨ ତୀମ. ୨:୨୪, ୨୫) ଆପଣ ତାଙ୍କ ସହିତ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିର ପ୍ରତ୍ୟେକ ପାଠର ଶେଷରେ ଦିଆଯାଇଥିବା “କିଛି ଲୋକ କହନ୍ତି” କିମ୍ବା “ହୁଏତ କେହି ପଚାରିପାରନ୍ତି” ଭାଗ ଉପରେ ବି ଚର୍ଚ୍ଚା କରିପାରିବେ । ଆପଣ ନିଜ ବିଦ୍ୟାର୍ଥୀଙ୍କ ସହିତ ଅଭ୍ୟାସ କରିପାରିବେ ଯେ ସେ କିପରି ନିଜ ବିଶ୍ୱାସ ବିଷୟରେ ଅନ୍ୟମାନଙ୍କୁ ବୁଝାଇବେ । ତାଙ୍କୁ ଏହା କହିବାରେ ସଂକୋଚ କରନ୍ତୁ ନାହିଁ ଯେ ସେ କିପରି ଆହୁରି ଭଲଭାବରେ ଉତ୍ତର ଦେଇପାରିବେ । ଏପରି ଅଭ୍ୟାସ କଲେ ସେ ପୂରା ଭରସାର ସହିତ ନିଜ ବିଶ୍ୱାସ ବିଷୟରେ ଅନ୍ୟମାନଙ୍କୁ କହିପାରିବେ ।

ଅଧ୍ୟୟନ କରିବା ସମୟରେ ଜଣେ ଭଉଣୀ ନିଜ ବିଦ୍ୟାର୍ଥୀଙ୍କ ସହ ଅଭ୍ୟାସ କରୁଛନ୍ତି ଯେ ସେ କିପରି ଅନ୍ୟମାନଙ୍କ ସହ ପ୍ରଚାର କରିପାରିବେ । ବିଦ୍ୟାର୍ଥୀ ଭଉଣୀଙ୍କୁ “ଜୀବନର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଆମେ କେଉଁଠି ପାଇବା?” ଟ୍ରାକ୍ଟ ଦେଖାଇ ପ୍ରଚାର କରୁଛନ୍ତି ।

ନିଜ ବିଦ୍ୟାର୍ଥୀଙ୍କ ସହ ଅଭ୍ୟାସ କରନ୍ତୁ ଯେ ସେ ଅନ୍ୟମାନଙ୍କୁ କିପରି ପ୍ରଚାର କରିବେ (ପାରାଗ୍ରାଫ ୧୭)c


୧୮. ଆପଣ କିପରି ନିଜ ବିଦ୍ୟାର୍ଥୀଙ୍କୁ ପ୍ରଚାରକ ହେବା ପାଇଁ ପ୍ରୋତ୍ସାହନ ଦେଇପାରିବେ ? (ମାଥିଉ ୧୦:୨୭)

୧୮ ଯୀଶୁ ନିଜ ଶିଷ୍ୟମାନଙ୍କୁ ଲୋକମାନଙ୍କୁ ଖୁସିର ଖବର ଶୁଣାଇବା ପାଇଁ କହିଥିଲେ । (ମାଥିଉ ୧୦:୨୭ ପଢ଼ନ୍ତୁ ।) ଯେବେ ଆପଣଙ୍କ ବିଦ୍ୟାର୍ଥୀ ଅନ୍ୟମାନଙ୍କୁ ନିଜ ବିଶ୍ୱାସ ବିଷୟରେ କହିବେ, ତେବେ ସେ ଯିହୋବାଙ୍କ ଉପରେ ଭରସା କରିବା ଶିଖିବେ । ସେଥିପାଇଁ ଅତିଶୀଘ୍ର ତାଙ୍କୁ ଏପରି କରିବା ପାଇଁ ପ୍ରୋତ୍ସାହନ ଦିଅନ୍ତୁ । ଏଥିପାଇଁ ଆପଣ କʼଣ କରିପାରିବେ ? ଯେବେ ମଣ୍ଡଳୀରେ ଘୋଷଣା କରାଯାଏ ଯେ କିଛି ସମୟ ପରେ ପ୍ରଚାରର ଅଭିଯାନ ରଖାଯିବ, ସେସମୟରେ ନିଜ ବିଦ୍ୟାର୍ଥୀଙ୍କୁ କହନ୍ତୁ ଯେ ସେ ପ୍ରଚାରକ ହେବା ବିଷୟରେ ଭାବିବେ । ତାଙ୍କୁ ଜଣାନ୍ତୁ ଯେ ଅନେକ ଭାଇଭଉଣୀ ଅଭିଯାନ ସମୟରେ ହିଁ ପ୍ରଚାର କରିବା ଆରମ୍ଭ କରିଥିଲେ । ଏହି ସମୟରେ ପ୍ରଚାର କରିବା ବହୁତ ସହଜ ଥାଏ । ଆପଣ ତାଙ୍କୁ ପ୍ରୋତ୍ସାହନ ଦେଇପାରିବେ ଯେ ସେ ସପ୍ତାହ ମଝିରେ ହେଉଥିବା ସଭାରେ ବିଦ୍ୟାର୍ଥୀ ଭାଗ ପରିବେଷଣ କରିବା ବିଷୟରେ ବି ଭାବିପାରିବେ । ଏପରି କଲେ ତାଙ୍କୁ ଲୋକମାନଙ୍କ ସହ ଭଲଭାବେ କଥାବାର୍ତ୍ତା ହେବା ପାଇଁ ଟ୍ରେନିଙ୍ଗ ମିଳିବ ।

ଦେଖାନ୍ତୁ ଯେ ଆପଣ ନିଜ ବିଦ୍ୟାର୍ଥୀଙ୍କ ଉପରେ ଭରସା କରନ୍ତି

୧୯. ଯୀଶୁ କିପରି ଦେଖାଇଲେ ଯେ ସେ ତାଙ୍କର ଶିଷ୍ୟମାନଙ୍କ ଉପରେ ଭରସା କରନ୍ତି ଏବଂ ଆମେ କିପରି ଯୀଶୁଙ୍କ ଭଳି ହୋଇପାରିବା ?

୧୯ ସ୍ୱର୍ଗ ଯିବା ପୂର୍ବରୁ ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଥିଲେ ଯେ ସେ ସେମାନଙ୍କୁ ପୁଣି ଭେଟିବେ ଓ ସେମାନେ ସାଙ୍ଗରେ ରହିବେ । କିନ୍ତୁ ଶିଷ୍ୟମାନେ ତାଙ୍କର ଏହି କଥା ବୁଝିପାରିଲେ ନାହିଁ ଯେ ଦିନେ ସେମାନେ ବି ସ୍ୱର୍ଗକୁ ଯିବେ ଏବଂ ତାଙ୍କ ସହିତ ରହିବେ । ସେମାନେ ତାଙ୍କ କଥା ଉପରେ ସନ୍ଦେହ କରିବାକୁ ଲାଗିଲେ । କିନ୍ତୁ ଯୀଶୁ ସେମାନଙ୍କ ଏହି ଦୁର୍ବଳତା ଉପରେ ଧ୍ୟାନ ଦେବା ପରିବର୍ତ୍ତେ ଏହି କଥା ଉପରେ ଧ୍ୟାନ ଦେଲେ ଯେ ସେମାନେ ତାଙ୍କର ବିଶ୍ୱସ୍ତ ଅଛନ୍ତି । (ଯୋହ. ୧୪:୧-୫, ୮) ଯୀଶୁ ଜାଣିଥିଲେ ଯେ ତାଙ୍କ ଶିଷ୍ୟମାନଙ୍କୁ କିଛି କଥା ବୁଝିବା ପାଇଁ ସମୟ ଲାଗିବ । ଯେପରି, ସେମାନଙ୍କୁ ଏହି କଥାକୁ ବୁଝିବା ପାଇଁ ସମୟ ଲାଗିବ ଯେ ସେମାନଙ୍କ ପାଖରେ ସ୍ୱର୍ଗ ଯିବାର ଆଶା ଅଛି । (ଯୋହ. ୧୬:୧୨) ଆମେ ବି ଯୀଶୁଙ୍କ ଭଳି ହୋଇପାରିବା । ଆମେ ବିଦ୍ୟାର୍ଥୀମାନଙ୍କୁ ଦେଖାଇପାରିବା ଯେ ଆମକୁ ସେମାନଙ୍କ ଉପରେ ଭରସା ଅଛି ଯେ ସେମାନେ ଯିହୋବାଙ୍କୁ ଖୁସି କରିବା ପାଇଁ ଚାହାନ୍ତି ।

ବିଦ୍ୟାର୍ଥୀଙ୍କୁ ଅତିଶୀଘ୍ର ନିଜ ବିଶ୍ୱାସ ବିଷୟରେ ଅନ୍ୟମାନଙ୍କୁ କହିବା ପାଇଁ ପ୍ରୋତ୍ସାହନ ଦିଅନ୍ତୁ, ଏପରି କଲେ ସେ ଯିହୋବାଙ୍କ ଉପରେ ଭରସା କରିବା ଶିଖିବେ

୨୦. ମାଲାବିର ଜଣେ ଭଉଣୀ କିପରି ଦେଖାଇଲେ ଯେ ସେ ନିଜର ବାଇବଲ ବିଦ୍ୟାର୍ଥୀଙ୍କ ଉପରେ ଭରସା କରନ୍ତି ?

୨୦ ଆମକୁ ଭରସା ରଖିବା ଉଚିତ୍‌ ଯେ ଆମ ବାଇବଲ ବିଦ୍ୟାର୍ଥୀ ସଠିକ୍‌ ପଦକ୍ଷେପ ନେବା ପାଇଁ ଚାହାନ୍ତି । ମାଲାବିର ଆମ ଭଉଣୀ ଚିଫୁଂଡୋଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ସେ ଏଲିନାଫେ ନାମକ ଜଣେ କ୍ୟାଥଲିକ ଝିଅ ସହ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିରୁ ବାଇବଲ ଅଧ୍ୟୟନ ଆରମ୍ଭ କଲେ । ପାଠ ୧୪ ଶେଷ ହେବା ପରେ ସେ ଏଲିନାଫେଙ୍କୁ ପଚାରିଲେ ଯେ ତାଙ୍କୁ କʼଣ ଲାଗେ, କʼଣ ଈଶ୍ୱରଙ୍କ ଉପାସନା କରିବା ପାଇଁ ମୂର୍ତ୍ତିର ବ୍ୟବହାର କରିବା ସଠିକ୍‌ । ଏଲିନାଫେଙ୍କୁ ଏହି କଥା ଭଲ ଲାଗିଲାନି । ସେ କହିଲେ, “ଏହା ତ ସମସ୍ତଙ୍କ ନିଜ ନିଷ୍ପତ୍ତି ।” ଚିଫୁଂଡୋଙ୍କୁ ଲାଗିଲା ଯେ ଏଲିନାଫେ ବାଇବଲ ଅଧ୍ୟୟନ କରିବା ବନ୍ଦ କରିଦେବେ । କିନ୍ତୁ ଚିଫୁଂଡୋ ଧୈର୍ଯ୍ୟ ଧରିଲେ ଓ ସେ ତାଙ୍କ ସହ ବାଇବଲ ଅଧ୍ୟୟନ କରିବା ଜାରି ରଖିଲେ । ସେ ଏହି କଥା ଉପରେ ଭରସା ରଖିଲେ ଯେ ଦିନେ ଏଲିନାଫେ ଏହା ବୁଝିପାରିବେ ଯେ ମୂର୍ତ୍ତିର ବ୍ୟବହାର କରିବା ଭୁଲ ଅଟେ । କିଛି ମାସ ବିତିବା ପରେ ଚିଫୁଂଡୋ ଏଲିନାଫେଙ୍କୁ ପାଠ ୩୪ରେ ଦିଆଯାଇଥିବା ପ୍ରଶ୍ନ ପଚାରିଲେ, “ଏବେ ପର୍ଯ୍ୟନ୍ତ ଆପଣ ବାଇବଲ ବିଷୟରେ ଓ ସତ୍ୟ ପରମେଶ୍ୱର ଯିହୋବାଙ୍କ ବିଷୟରେ ଯାହା ଶିଖିଛନ୍ତି, ସେଥିରୁ ଆପଣଙ୍କୁ କʼଣ ଲାଭ ହୋଇଛି ?” ଏହି ପ୍ରଶ୍ନର ଉତ୍ତର ଏଲିନାଫେ ଯାହା ଦେଲେ ସେବିଷୟରେ ଚିଫୁଂଡୋ କହନ୍ତି, “ସେ ଅନେକ ବଢ଼ିଆ କଥା କହିଲେ । ସେଥିରୁ ଗୋଟିଏ କଥା ଏହା ଥିଲା ଯେ ଯିହୋବାଙ୍କ ସାକ୍ଷୀମାନେ ଏପରି କୌଣସି କାମ କରନ୍ତି ନାହିଁ ଯାହାକୁ ବାଇବଲରେ ଭୁଲ ବୋଲି କୁହାଯାଇଛି ।” ଏହାର କିଛି ସମୟ ପରେ ଏଲିନାଫେ ମୂର୍ତ୍ତିର ଉପାସନା କରିବା ଛାଡ଼ିଦେଲେ ଓ ବାପ୍ତିସ୍ମ ନେଲେ ।

୨୧. ଆମ ବାଇବଲ ବିଦ୍ୟାର୍ଥୀ ଯିହୋବାଙ୍କ ସେବା କରିବାର ନିଷ୍ପତ୍ତି ନେଇପାରିବେ, ତାʼପାଇଁ ଆମେ କିପରି ତାଙ୍କୁ ସାହାଯ୍ୟ କରିପାରିବା ?

୨୧ ଏହା ସତ ଯେ ଯିହୋବା ଜଣେ ବ୍ୟକ୍ତିଙ୍କ ହୃଦୟରେ ସତ୍ୟର ବୀଜକୁ “ବୃଦ୍ଧି ସାଧନ” କରନ୍ତି, କିନ୍ତୁ ବାଇବଲ ବିଦ୍ୟାର୍ଥୀଙ୍କୁ ଆଗକୁ ବଢ଼ିବା ପାଇଁ ଆମେ ବି ସାହାଯ୍ୟ କରିପାରିବା । (୧ କରି. ୩:୭) ଆମେ କେବଳ ତାଙ୍କୁ ଏହା ଶିଖାଇ ନ ଥାଉ ଯେ ଯିହୋବା ତାଙ୍କଠାରୁ କʼଣ ଆଶା କରନ୍ତି, ବରଂ ଆମେ ତାଙ୍କ ହୃଦୟରେ ଯିହୋବାଙ୍କ ପାଇଁ ପ୍ରେମ ବଢ଼ାଇବାରେ ମଧ୍ୟ ସାହାଯ୍ୟ କରୁ । ଆମେ ତାଙ୍କୁ ପ୍ରୋତ୍ସାହନ ଦେଉ ଯେ ସେ ଯିହୋବାଙ୍କ ଉପାସନାକୁ ପ୍ରଥମ ସ୍ଥାନ ଦିଅନ୍ତୁ ଏବଂ ନିଜ କାମରୁ ଦେଖାନ୍ତୁ ଯେ ସେ ଯିହୋବାଙ୍କୁ କେତେ ପ୍ରେମ କରନ୍ତି । ଆମେ ତାଙ୍କୁ ସମସ୍ୟା ସମୟରେ ଯିହୋବାଙ୍କ ଉପରେ ଭରସା କରିବା ମଧ୍ୟ ଶିଖାଉ । ଯେବେ ଆମେ ଦେଖାଉ ଯେ ଆମକୁ ନିଜ ବିଦ୍ୟାର୍ଥୀଙ୍କ ଉପରେ ଭରସା ଅଛି ଯେ ସେ ଯିହୋବାଙ୍କୁ ଖୁସି କରିବା ପାଇଁ ଚାହାନ୍ତି, ତେବେ ହୁଏତ ତାଙ୍କୁ ଯିହୋବାଙ୍କ ସ୍ତର ଅନୁସାରେ ବଞ୍ଚିବା ପାଇଁ ଏବଂ ଯିହୋବାଙ୍କ ସେବା କରିବାର ନିଷ୍ପତ୍ତି ନେବା ପାଇଁ ପ୍ରୋତ୍ସାହନ ମିଳେ ।

ଆପଣ କʼଣ ଉତ୍ତର ଦେବେ ?

  • ଆପଣ ନିଜ ବିଦ୍ୟାର୍ଥୀଙ୍କୁ କିପରି ବୁଝାଇପାରିବେ ଯେ କେଉଁ କଥା ତାଙ୍କୁ ଆଗକୁ ବଢ଼ିବା ପାଇଁ ବାଧା ଦେଉଛି ?

  • ଆପଣ କିପରି ନିଜ ବିଦ୍ୟାର୍ଥୀଙ୍କ ହୃଦୟରେ ଯିହୋବାଙ୍କ ପାଇଁ ପ୍ରେମ ବଢ଼ାଇପାରିବେ ?

  • ଆପଣ କିପରି ତାଙ୍କୁ ଯିହୋବାଙ୍କୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେବା ଶିଖାଇପାରିବେ ?

ଗୀତ ୭୩ ଦିଅ ନିର୍ଭୟର ବରଦାନ

a ଯୀଶୁଙ୍କୁ ଭେଟିବାର ପ୍ରାୟ ଅଢ଼େଇ ବର୍ଷ ପରେ ମଧ୍ୟ ନୀକଦୀମ ଯିହୁଦୀ ମହାସଭାର ସଦସ୍ୟ ଥିଲେ । (ଯୋହ. ୭:୪୫-୫୨) କିଛି ଇତିହାସକାର ମାନନ୍ତି ଯେ ସେ ଯୀଶୁଙ୍କ ମୃତ୍ୟୁ ପରେ ଯାଇ ତାଙ୍କର ଶିଷ୍ୟ ହେଲେ ।—ଯୋହ. ୧୯:୩୮-୪୦.

b ଚିତ୍ର ବିଷୟରେ: ପିତର ଓ ଅନ୍ୟ ମାଛ ଧରାଳି ନିଜ ବ୍ୟବସାୟ ଛାଡ଼ି ଯୀଶୁଙ୍କ ପଛରେ ଚାଲିବା ପାଇଁ ପ୍ରସ୍ତୁତ ଅଛନ୍ତି ।

c ଚିତ୍ର ବିଷୟରେ: ଜଣେ ଭଉଣୀ ନିଜ ବାଇବଲ ବିଦ୍ୟାର୍ଥୀଙ୍କ ସହ ଅଭ୍ୟାସ କରୁଛନ୍ତି ଯେ ସେ କିପରି ଅନ୍ୟମାନଙ୍କୁ ପ୍ରଚାର କରିବେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ