ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w25 ସେପ୍ଟେମ୍ବର ପୃଷ୍ଠା ୨୦-୨୫
  • ସୁସମାଚାରରେ ଆଗ୍ରହ ଦେଖାଉଥିବା ଲୋକଙ୍କ ଶୀଘ୍ର ସହାୟତା କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସୁସମାଚାରରେ ଆଗ୍ରହ ଦେଖାଉଥିବା ଲୋକଙ୍କ ଶୀଘ୍ର ସହାୟତା କରନ୍ତୁ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଯଦି କେହି ଶିଖିବା ପାଇଁ ଚାହାନ୍ତି, ତାହେଲେ କʼଣ କରିବା ?
  • ବାଇବଲ ଅଧ୍ୟୟନ ଆରମ୍ଭ ହେବା ପରେ କʼଣ କରିବା ?
  • ନୂଆ ଲୋକମାନେ ସଭାକୁ ଆସିଲେ କʼଣ କରିବା ?
  • ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
    ୨୦୨୫-୨୦୨୬ ସର୍କିଟ ସମ୍ମିଳନୀ ପାଇଁ କାର୍ଯ୍ୟକ୍ରମ ସର୍କିଟ ଅଧ୍ୟକ୍ଷଙ୍କ ସହିତ
  • ପ୍ରଚାର କାମରେ ଆହୁରି ଖୁସି ପାଆନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • କʼଣ ମୋ ନିଷ୍ପତ୍ତିଗୁଡ଼ିକରୁ ଜଣାପଡ଼େ ଯେ ମୁଁ ଯିହୋବାଙ୍କ ଉପରେ ନିର୍ଭର ରହେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ନମ୍ର ରହି ଏହା ସ୍ୱୀକାର କରନ୍ତୁ ଯେ ଆପଣଙ୍କୁ କିଛି କଥା ଜଣାନାହିଁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
w25 ସେପ୍ଟେମ୍ବର ପୃଷ୍ଠା ୨୦-୨୫

ଅଧ୍ୟୟନ ଲେଖା ୩୯

ଗୀତ ୫୪ “ପଥ ଏହି !”

ସୁସମାଚାରରେ ଆଗ୍ରହ ଦେଖାଉଥିବା ଲୋକଙ୍କ ଶୀଘ୍ର ସହାୟତା କରନ୍ତୁ

“ସେ ଯେ ତାହାଙ୍କ ଅନ୍ୱଷେଣକାରୀମାନଙ୍କର ପୁରସ୍କାରଦାତା ।”—ଏବ୍ରୀ ୧୧:୬.

କʼଣ ଶିଖିବା ?

ଆମେ କେବେ ଲୋକମାନଙ୍କୁ ବାଇବଲ ଅଧ୍ୟୟନର ବ୍ୟବସ୍ଥା ବିଷୟରେ କହିବା ଉଚିତ୍‌ ଏବଂ ସେମାନଙ୍କୁ ସଭା ପାଇଁ ଡାକିବା ଉଚିତ୍‌ ?

୧. ସୁସମାଚାର ଶୁଣି ଲୋକମାନେ କʼଣ କରନ୍ତି ? (ଏବ୍ରୀ ୧୧:୬; ପ୍ରେରିତ ୧୬:୧୪, ୧୫)

ପ୍ରଥମ ଶତାବ୍ଦୀରେ ଯେବେ ଲୋକମାନେ ଯୀଶୁଙ୍କ ବିଷୟରେ ସୁସମାଚାର ଶୁଣିଲେ, ତେବେ ଅନେକ ଲୋକ ତାହାକୁ ତୁରନ୍ତ ସ୍ୱୀକାର କଲେ ଏବଂ ଖ୍ରୀଷ୍ଟିୟାନ ହୋଇଗଲେ । (ଏବ୍ରୀ ୧୧:୬; ପ୍ରେରିତ ୧୬:୧୪, ୧୫ ପଢ଼ନ୍ତୁ ।) ଠିକ୍‌ ସେହିଭଳି ଆଜି ମଧ୍ୟ ଅନେକ ଲୋକ ଯେବେ ପ୍ରଥମ ଥର ସୁସମାଚାର ଶୁଣନ୍ତି, ତେବେ ସେମାନଙ୍କୁ ବହୁତ ଖୁସି ଲାଗେ ଏବଂ ସେମାନେ ଏବିଷୟରେ ଆହୁରି ଶିଖିବା ପାଇଁ ଚାହାନ୍ତି । କିନ୍ତୁ ଏପରି ବି କିଛି ଲୋକେ ଅଛନ୍ତି ଯେଉଁମାନେ ହୁଏତ ଆରମ୍ଭରେ ଆମ ସନ୍ଦେଶରେ ଏତେ ଆଗ୍ରହ ଦେଖାଇବେନି, କିନ୍ତୁ ଆଗକୁ ଯାଇ ଏବିଷୟରେ ଆହୁରି ଶିଖିବା ପାଇଁ ଚାହିଁବେ । ତେଣୁ ଯେବେ ଆମେ ପ୍ରଚାରରେ ଭଲ ମନ ରଖୁଥିବା ଲୋକଙ୍କ ସହ ଦେଖା ହେଉ, ତେବେ ଆମେ କʼଣ କରିବା ଉଚିତ୍‌ ?

୨. ବୁଝାନ୍ତୁ ଯେ ପ୍ରଚାର କାମ କିପରି ମାଳୀର କାମ ଭଳି ଅଟେ ।

୨ ଆମେ ପ୍ରଚାର କାମର ତୁଳନା ମାଳୀର କାମ ସହ କରିପାରିବା । ଯେବେ ମାଳୀଟିଏ ଦେଖେ ଯେ ଗୋଟିଏ ଗଛର ଫଳ ପାଚିଯାଇଛି, ତେବେ ସେ ତାହାକୁ ତୋଳି ନିଏ । କିନ୍ତୁ ତାʼସହିତ ସେ ସେହି ଗଛଗୁଡ଼ିକରେ ବି ଲଗାତାର ପାଣି ଦିଏ, ଯାହାର ଫଳ ଏବେ ଯାଏଁ ପାଚି ନାହିଁ । ଠିକ୍‌ ସେହିଭଳି ଯେବେ ଆମେ ଏପରି ବ୍ୟକ୍ତିକୁ ଭେଟିଥାଉ ଯିଏ ସୁସମାଚାରକୁ ଶୁଣେ ଏବଂ ଶିଖିବା ପାଇଁ ପ୍ରସ୍ତୁତ ଥାଏ, ତେବେ ଆମେ ତାକୁ ଯଥା ଶୀଘ୍ର ଈଶ୍ୱରଙ୍କ ସେବକ ହେବା ପାଇଁ ସାହାଯ୍ୟ କରୁ । କିନ୍ତୁ ତାʼସହିତ ଆମେ ସେମାନଙ୍କୁ ବି ସାହାଯ୍ୟ କରିବା ଜାରି ରଖୁ, ଯେଉଁମାନେ ବର୍ତ୍ତମାନ ଶିଖିବା ପାଇଁ ପ୍ରସ୍ତୁତ ନାହାନ୍ତି । (ଯୋହ. ୪:୩୫, ୩୬) ଆମେ ସେମାନଙ୍କୁ ବୁଝିବା ପାଇଁ ସାହାଯ୍ୟ କରୁ ଯେ ସେମାନଙ୍କୁ ଈଶ୍ୱର ଏବଂ ବାଇବଲ ବିଷୟରେ ଶିଖି କେତେ ଲାଭ ହେବ, ତେଣୁ ଭାବିଚିନ୍ତି କାମ କଲେ ଆମେ ବୁଝିପାରିବା ଯେ ଆମେ କିପରି ସେମାନଙ୍କ ସାହାଯ୍ୟ କରିପାରିବା । ଆସନ୍ତୁ ଦେଖିବା ଯେ ଯେବେ ଆମେ ଏପରି ବ୍ୟକ୍ତିକୁ ଭେଟୁ ଯିଏ ଶିଖିବା ପାଇଁ ପ୍ରସ୍ତୁତ ଅଛି, ତେବେ ଆମେ ତାକୁ କʼଣ କହିପାରିବା । ଆମେ ଏହା ବି ଜାଣିବା ଯେ ତାକୁ ଆଗକୁ ବଢ଼ିବା ପାଇଁ ଆମେ କିପରି ସାହାଯ୍ୟ କରିପାରିବା ।

ଯଦି କେହି ଶିଖିବା ପାଇଁ ଚାହାନ୍ତି, ତାହେଲେ କʼଣ କରିବା ?

୩. ଯେବେ କେହି ଈଶ୍ୱର କିମ୍ବା ବାଇବଲ ବିଷୟରେ ଆହୁରି ଜାଣିବା ପାଇଁ ଚାହେଁ, ତେବେ ଆମେ କʼଣ କରିବା ଉଚିତ୍‌ ? (୧ କରିନ୍ଥୀୟ ୯:୨୬)

୩ ଯେବେ ଆମେ ପ୍ରଚାରରେ ଏପରି ଲୋକଙ୍କ ସହ ଦେଖା ହେଉ, ଯେଉଁମାନେ ଈଶ୍ୱର କିମ୍ବା ବାଇବଲ ବିଷୟରେ ଆହୁରି ଜାଣିବା ପାଇଁ ଚାହାନ୍ତି, ତେବେ ଆମେ ଅତିଶୀଘ୍ର ସେମାନଙ୍କୁ ଜୀବନ ଆଡ଼କୁ ନେଇ ଯାଉଥିବା ପଥରେ ଚାଲିବା ପାଇଁ ସାହାଯ୍ୟ କରିବା ଉଚିତ୍‌ । ଆମେ ଏହା କିପରି କରିପାରିବା ? ସେମାନଙ୍କୁ ପ୍ରଥମ ସାକ୍ଷାତରେ ହିଁ ବାଇବଲ ଅଧ୍ୟୟନର ବ୍ୟବସ୍ଥା ବିଷୟରେ କୁହନ୍ତୁ ଏବଂ ସଭାକୁ ଡାକନ୍ତୁ ।—୧ କରିନ୍ଥୀୟ ୯:୨୬ ପଢ଼ନ୍ତୁ ।

୪. ଜଣେ ଝିଅର ଅନୁଭୂତି କୁହନ୍ତୁ ଯିଏ ତୁରନ୍ତ ବାଇବଲ ଅଧ୍ୟୟନ କରିବା ପାଇଁ ପ୍ରସ୍ତୁତ ହୋଇଗଲା ।

୪ ବାଇବଲ ଅଧ୍ୟୟନର ବ୍ୟବସ୍ଥା ବିଷୟରେ କୁହନ୍ତୁ । ବେଳେବେଳେ ଆମେ ପ୍ରଚାରରେ ଏପରି ଲୋକଙ୍କ ସହ ଦେଖା ହେଉ, ଯେଉଁମାନେ ବାଇବଲ ଅଧ୍ୟୟନ ପାଇଁ ତୁରନ୍ତ ପ୍ରସ୍ତୁତ ହୋଇଯାʼନ୍ତି । କାନାଡ଼ାର ଗୋଟିଏ ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ । ଏହା ଗୁରୁବାର ଦିନର କଥା ଥିଲା । ଜଣେ ଝିଅ ଆମ କାର୍ଟ ପାଖକୁ ଆସିଲା ଏବଂ ସେ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକା ନେଲା । କାର୍ଟରେ ଛିଡ଼ା ହୋଇଥିବା ଆମ ଜଣେ ଭଉଣୀ ତାକୁ କହିଲେ ଯେ ଏହି ପୁସ୍ତିକା ସାହାଯ୍ୟରେ ଆମେ ଲୋକମାନଙ୍କ ସହିତ ମାଗଣାରେ ବାଇବଲ ଅଧ୍ୟୟନ ବି କରୁ । ସେହି ଝିଅକୁ ଏହି କଥା ଭଲ ଲାଗିଲା ଏବଂ ସେ ଭଉଣୀଙ୍କୁ ନିଜ ଫୋନ୍‌ ନମ୍ବର ଦେଲା ଏବଂ ଭଉଣୀଙ୍କର ବି ଫୋନ୍‌ ନମ୍ବର ନେଲା । କିଛି ଘଣ୍ଟା ପରେ ସେହି ଝିଅ ଭଉଣୀକୁ ମେସେଜ୍‌ କରି ପଚାରେ ଯେ ଆମେ କେବେ ଅଧ୍ୟୟନ କରିପାରିବା । ଭଉଣୀ ତାକୁ କହନ୍ତି ଯେ ଆମେ ଶନିବାର ଦିନ ଦେଖା ହୋଇପାରିବା । ତେବେ ସେହି ଝିଅ ତାଙ୍କୁ କହେ, “କʼଣ ଆମେ କାଲି ଦେଖା ହୋଇପାରିବାନି ? କାଲି ମୁଁ ଖାଲି ଅଛି ।” ଏହାର ପରଦିନ ଅର୍ଥାତ୍‌ ଶୁକ୍ରବାର ଦିନ ଭଉଣୀ ତାକୁ ଭେଟନ୍ତି ଏବଂ ତାʼସହିତ ଅଧ୍ୟୟନ ଆରମ୍ଭ କରନ୍ତି । ତାʼପରେ ରବିବାର ଦିନ ସେହି ଝିଅ ସଭାକୁ ବି ଆସେ ଏବଂ ଖୁବ୍‌ ଶୀଘ୍ର ଯିହୋବାଙ୍କ ସହ ତାʼର ସମ୍ପର୍କ ଦୃଢ଼ ହୋଇଯାଏ ।

୫. ଯଦି କେହି ତୁରନ୍ତ ଅଧ୍ୟୟନ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ନ ଥିବେ, ତାହେଲେ ଆମେ କʼଣ କରିପାରିବା ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୫ ଆମେ ଏହା ଆଶା କରି ନ ଥାଉ ଯେ ଯେଉଁମାନେ ଆମ ସନ୍ଦେଶ ଶୁଣନ୍ତି, ସେମାନେ ସେହି ଝିଅ ଭଳି ତୁରନ୍ତ ଅଧ୍ୟୟନ କରିବା ପାଇଁ ପ୍ରସ୍ତୁତ ହୋଇଯିବେ । କିଛି ଲୋକମାନଙ୍କୁ ଟିକେ ସମୟ ଲାଗେ । ଏମିତିରେ ଆମେ କʼଣ କରିପାରିବା ? କୌଣସି ଏପରି ବିଷୟରେ କଥା ହୁଅନ୍ତୁ ଯେଉଁଥିରେ ସେମାନଙ୍କୁ ଆଗ୍ରହ ଥିବ । ସେମାନଙ୍କୁ ପ୍ରେମ ଦେଖାନ୍ତୁ, ସେମାନଙ୍କର ଚିନ୍ତା କରନ୍ତୁ ଏବଂ ଆଶା ରଖନ୍ତୁ ଯେ ଦିନେ ସେମାନେ ନିଶ୍ଚୟ ଅଧ୍ୟୟନ ଆରମ୍ଭ କରିବେ । ଯଦି ଆମେ ଏପରି କରୁଥିବା, ତାହେଲେ ହୁଏତ ଆମେ କିଛି ସମୟ ମଧ୍ୟରେ ଅଧ୍ୟୟନ ଆରମ୍ଭ କରିପାରିବା । କିନ୍ତୁ ଆମେ ସେମାନଙ୍କୁ ଅଧ୍ୟୟନର ଏହି ବ୍ୟବସ୍ଥା ବିଷୟରେ କିପରି କହିପାରିବା ? ଆମେ ଏହି ପ୍ରଶ୍ନ କିଛି ଏପରି ଭାଇଭଉଣୀଙ୍କୁ ପଚାରିଲୁ ଯେଉଁମାନେ ଅଧ୍ୟୟନ ଆରମ୍ଭ କରିବାରେ ଦକ୍ଷ ଅଟନ୍ତି । ଆସନ୍ତୁ ଦେଖିବା ଯେ ସେମାନେ କʼଣ କହିଲେ ।

ଚିତ୍ରଗୁଡ଼ିକ: ୧. ଦୁଇଜଣ ଭାଇ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ସହିତ କଥା ହେଉଛନ୍ତି, ଯିଏ ନିଜ ଘର ବାହାରେ ବସିଛନ୍ତି । ୨. ଦୁଇଜଣ ଭଉଣୀ ଜଣେ ସ୍ତ୍ରୀର ଘର ବାହାରେ ଛିଡ଼ା ହୋଇଛନ୍ତି ଏବଂ ତାକୁ “ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !“ ପୁସ୍ତିକା ଦେଖାଉଛନ୍ତି । ସେହି ସ୍ତ୍ରୀ ନିଜର ସାନ ପୁଅକୁ କୋଳରେ ଧରିଛି ଏବଂ ତାʼର ଅନ୍ୟ ପୁଅଟି ପାଖରେ ଛିଡ଼ା ହୋଇଛି ।

ଆପଣ ଏହି ଲୋକମାନଙ୍କୁ କʼଣ କହିବେ, ଯାହାଫଳରେ ସେମାନେ ଅଧ୍ୟୟନ କରିବା ପାଇଁ ଚାହିଁବେ ? (ପାରାଗ୍ରାଫ ୫)a


୬. ଲୋକଙ୍କୁ ପୁଣିଥରେ ଭେଟିବା ପାଇଁ ଆମେ ସେମାନଙ୍କୁ କʼଣ କହିପାରିବା ?

୬ ଆମେ ଭିନ୍ନ ଭିନ୍ନ ଦେଶର ପ୍ରଚାରକ ଏବଂ ଅଗ୍ରଦୂତମାନଙ୍କଠାରୁ ଜାଣିପାରିଲୁ ଯେ ସେମାନେ ବାଇବଲ ଅଧ୍ୟୟନ ବିଷୟରେ କହିବା ସମୟରେ ଏପରି ଶବ୍ଦଗୁଡ଼ିକର ବ୍ୟବହାର କରିନ୍ତିନି, ଯେପରି “ଷ୍ଟଡି,” “ଅଧ୍ୟୟନ,” କିମ୍ବା “ବାଇବଲ କୋର୍ସ ।” ଏହା ପରିବର୍ତ୍ତେ ସେମାନେ କହନ୍ତି ଯେ “ଆମେ କିଛି ଚର୍ଚ୍ଚା କରିବା,” “ଟିକେ କଥାବାର୍ତ୍ତା ହେବା,” କିମ୍ବା “ଗୋଟିଏ ପବିତ୍ର ବହିରୁ କିଛି ଭଲ କଥାଗୁଡ଼ିକୁ ଜାଣିବା ।” ଏପରି କରିବାରୁ ସେମାନଙ୍କୁ ଭଲ ପରିଣାମ ମିଳିଛି । ଲୋକଙ୍କୁ ପୁଣି ଭେଟିବା ପାଇଁ ଆପଣ ବାଇବଲ ବିଷୟରେ ଏପରି କିଛି କହିପାରିବେ: “ଏହି ବହିରେ କିଛି ଜରୁରୀ ପ୍ରଶ୍ନଗୁଡ଼ିକର ଉତ୍ତର ଦିଆଯାଇଛି” କିମ୍ବା “ଏଥିରେ ବଢ଼ିଆ ପରାମର୍ଶ ଦିଆଯାଇଛି, ଯାହା ପ୍ରତିଦିନର କାମରେ ଆସେ । କʼଣ ଆପଣ ଏବିଷୟରେ ଆହୁରି ଜାଣିବା ପାଇଁ ଚାହାନ୍ତି ?” ଯେବେ ଆମେ ଲୋକଙ୍କୁ ପଚାରୁ ଯେ “ଆମେ ପ୍ରତି ସପ୍ତାହ କେବେ ଦେଖା ହୋଇପାରିବା” କିମ୍ବା “ଅଧ୍ୟୟନ କରିବା ପାଇଁ କେଉଁ ସମୟ ଠିକ୍‌ ରହିବ,” ତେବେ ଏହା ଶୁଣି ହୁଏତ କିଛି ଲୋକ ଚିନ୍ତାରେ ପଡ଼ିଯିବେ । ସେମାନଙ୍କୁ ହୁଏତ ଲାଗିବ ଯେ ଆମେ ତାଙ୍କର ଅଧିକ ସମୟ ନେଇଯିବା । ତେଣୁ ଆପଣ ଏପରି କିଛି କହିପାରିବେ, “ଏହି ଚର୍ଚ୍ଚାରେ ଅଧିକ ସମୟ ଲାଗିବନି । ୧୦ରୁ ୧୫ ମିନିଟ୍‌ରେ ହିଁ ଆପଣ କିଛି ଭଲ କଥା ଶିଖିପାରିବେ ।”

୭. କିଛି ଲୋକ କେବେ ବୁଝିପାରିଲେ ଯେ ସେମାନେ ଯାହା ଶିଖୁଛନ୍ତି, ତାହା ହିଁ ସତ୍ୟ ? (୧ କରିନ୍ଥୀୟ ୧୪:୨୩-୨୫)

୭ ସେମାନଙ୍କୁ ସଭା ପାଇଁ ଡାକନ୍ତୁ । ଏପରି ଜଣାପଡ଼େ ଯେ ପ୍ରେରିତ ପାଉଲଙ୍କ ସମୟରେ ଯେବେ କିଛି ଲୋକ ପ୍ରଥମ ଥର ସଭାକୁ ଆସିଲେ, ତେବେ ସେମାନେ ବୁଝିପାରିଲେ ଯେ ସେମାନେ ଯାହା ଶିଖୁଛନ୍ତି, ତାହା ହିଁ ସତ୍ୟ । (୧ କରିନ୍ଥୀୟ ୧୪:୨୩-୨୫ ପଢ଼ନ୍ତୁ ।) ଆଜି ବି ଅନେକ ଥର ଏପରି ହୁଏ । ଯେବେ ନୂଆ ଲୋକମାନେ ସଭାକୁ ଆସିବାକୁ ଲାଗନ୍ତି, ତେବେ ସେମାନେ ଶୀଘ୍ର ଆଗକୁ ବଢ଼ିପାରନ୍ତି । ତାହେଲେ ଆପଣଙ୍କୁ କେବେ ଲୋକଙ୍କୁ ସଭାରେ ଡାକିବା ଉଚିତ୍‌ ? ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିର ପାଠ ୧୦ରେ ଲୋକମାନଙ୍କୁ ସଭାରେ ଆସିବା ପାଇଁ ପ୍ରୋତ୍ସାହନ ଦିଆଯାଇଛି । କିନ୍ତୁ ଲୋକମାନଙ୍କୁ ସଭାରେ ଡାକିବା ପାଇଁ ଏହି ପାଠର ଅପେକ୍ଷା କରନ୍ତୁ ନାହିଁ । ଯେବେ ଆପଣ ପ୍ରଥମ ଥର କୌଣସି ବ୍ୟକ୍ତିଙ୍କ ସହ ଦେଖା ହୁଅନ୍ତି, ତେବେ ବି ତାଙ୍କୁ ସପ୍ତାହ ଶେଷରେ ହେଉଥିବା ସଭାରେ ଡାକିପାରିବେ । ଆପଣ ଚାହିଁଲେ ତାଙ୍କୁ ଜନଭାଷଣର ବିଷୟ କହିପାରିବେ କିମ୍ବା ଏପରି କୌଣସି କଥା କହିପାରିବେ ଯେଉଁ ବିଷୟରେ ସେହି ସପ୍ତାହ ପ୍ରହରୀଦୁର୍ଗ ଅଧ୍ୟୟନରେ ଚର୍ଚ୍ଚା କରାଯିବ ।

୮. କାହାରିକୁ ସଭାରେ ଡାକିବା ପୂର୍ବରୁ ଆମେ ତାଙ୍କୁ କʼଣ କହିପାରିବା ? (ଯିଶାଇୟ ୫୪:୧୩)

୮ ଯେବେ ଆପଣ କାହାରିକୁ ସଭାରେ ଡାକନ୍ତି, ତେବେ ଆପଣ ତାକୁ କହିପାରିବେ ଯେ ଆମ ସଭାଗୁଡ଼ିକ କିପରି ଅନ୍ୟ ଧାର୍ମିକ ସଭାଗୁଡ଼ିକଠୁ ପୂରାପୂରି ଅଲଗା ଅଟେ । ଯେବେ ଜଣେ ବାଇବଲ ବିଦ୍ୟାର୍ଥୀ ପ୍ରଥମ ଥର ପ୍ରହରୀଦୁର୍ଗ ଅଧ୍ୟୟନକୁ ଆସିଲା, ତେବେ ସେ ନିଜ ବାଇବଲ ଶିକ୍ଷକଙ୍କୁ ପଚାରିଲା, “କʼଣ ସଭା ଚଲାଉଥିବା ଏହି ଭାଇ ସମସ୍ତଙ୍କ ନାମ ଜାଣନ୍ତି ?” ଭଉଣୀ ତାକୁ କହିଲେ ଯେ ଆମେ ସମସ୍ତଙ୍କ ନାମ ଜାଣିବା ପାଇଁ ଚେଷ୍ଟା କରୁ, କାରଣ ଆମେ ଗୋଟିଏ ପରିବାର ଭଳି ଅଟୁ । ଏହା ଶୁଣି ବିଦ୍ୟାର୍ଥୀ କହିଲା ଯେ ଆମ ଚର୍ଚ୍ଚରେ ଅଧିକାଂଶ ଲୋକେ ପରସ୍ପରର ନାମ ବି ଜାଣନ୍ତି ନାହିଁ । ଏହାଛଡ଼ା ଆପଣ ଲୋକମାନଙ୍କୁ ଏହା ବି କହିପାରିବେ ଯେ ଆମ ସଭାଗୁଡ଼ିକ ଆଉ ଗୋଟିଏ ପ୍ରକାରରେ ଅଲଗା ଅଟେ । (ଯିଶାଇୟ ୫୪:୧୩ ପଢ଼ନ୍ତୁ ।) ଆମେ ସଭାକୁ ଯିହୋବାଙ୍କ ଉପାସନା କରିବା, ତାଙ୍କଠାରୁ ଶିଖିବା ଏବଂ ପରସ୍ପରର ଉତ୍ସାହ ବଢ଼ାଇବା ପାଇଁ ଯାଉ । (ଏବ୍ରୀ ୨:୧୨; ୧୦:୨୪, ୨୫) ତେଣୁ ଆମ ସଭାଗୁଡ଼ିକ ବ୍ୟବସ୍ଥିତ ଭାବରେ ହୁଏ ଏବଂ ସେଠାରେ ଯେଉଁ କଥାଗୁଡ଼ିକ ଶିଖାଯାଏ, ତାହା ଲାଭଦାୟକ ହୋଇଥାଏ । (୧ କରି. ୧୪:୪୦) ଆମେ ସେଠାରେ କୌଣସି ବି ପ୍ରକାରର ରୀତିନୀତି ପାଳନ କରି ନ ଥାଉ । ଆମେ ରାଜ୍ୟଘରେ ଶିଖିବା ପାଇଁ ଯାଉ, ତେଣୁ ସେଠାରେ ଆଲୁଅର ଭଲ ବ୍ୟବସ୍ଥା ଥାଏ । ଆମେ କୌଣସି ରାଜନୈତିକ ପାର୍ଟିକୁ ସହଯୋଗ କରି ନ ଥାଉ, ଏହି ମାମଲାରେ ଆମେ ନିଷ୍ପକ୍ଷ ରହୁ । ଏହାଛଡ଼ା ଆମେ ସାମାଜିକ କଥାଗୁଡ଼ିକରେ ଯୁକ୍ତିତର୍କ କରି ନ ଥାଉ ଆଉ ନା ଲଢ଼େଇ ଝଗଡ଼ା କରୁ । ଆପଣ ବିଦ୍ୟାର୍ଥୀକୁ ସଭାରେ ଡାକିବା ପୂର୍ବରୁ ରାଜ୍ୟଘରେ କʼଣ ହୁଏ ? ନାମକ ଭିଡିଓ ଦେଖାଇପାରିବେ । ଏଥିରୁ ସେ ଜାଣିପାରିବ ଯେ ଆମ ସଭାଗୁଡ଼ିକ କିପରି ଚଲାଯାଏ ।

୯-୧୦. ଆପଣ ନୂଆ ଲୋକଙ୍କୁ କିପରି କହିପାରିବେ ଯେ ସଭାଗୁଡ଼ିକରେ ଭାଗ ନେବା ପାଇଁ କିମ୍ବା ସଦସ୍ୟ ହେବା ପାଇଁ କାହାରି ସହ ଜବରଦସ୍ତି କରାଯାଇ ନ ଥାଏ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୯ କିଛି ଲୋକ ସଭାକୁ ଆସିବା ପାଇଁ ସଂକୋଚ କରନ୍ତି, କାରଣ ସେମାନେ ଭାବନ୍ତି, ‘ଏହି ଲୋକମାନେ ମୋତେ ନିଜ ଚର୍ଚ୍ଚର ସଦସ୍ୟ ହେବା ପାଇଁ କହିବେ ।’ ତେଣୁ ନୂଆ ଲୋକମାନଙ୍କୁ କହନ୍ତୁ ଯେ ଆମ ସଭାଗୁଡ଼ିକରେ କେହି ବି ଆସିପାରିବେ ଏବଂ ଏଥିରେ ଭାଗ ନେବା ପାଇଁ କିମ୍ବା ସଦସ୍ୟ ହେବା ପାଇଁ କାହାରି ସହ ଜବରଦସ୍ତି କରାଯାଇ ନ ଥାଏ । ସଭାଗୁଡ଼ିକରେ ବାପାମାଆ ନିଜ ପିଲାମାନଙ୍କୁ ମଧ୍ୟ ସାଙ୍ଗରେ ଆଣିପାରିବେ । ଆମ ସଭାଗୁଡ଼ିକରେ ପିଲାମାନଙ୍କୁ ଅଲଗା କିଛି ଶିଖାଯାଏ ନାହିଁ, ବରଂ ସେମାନେ ବାପାମାଆଙ୍କ ସାଙ୍ଗରେ ହିଁ ବସି ଶୁଣନ୍ତି ଏବଂ ଶିଖନ୍ତି । ଏଥିରୁ ବାପାମାଆଙ୍କ ଧ୍ୟାନ ପିଲାମାନଙ୍କ ଉପରେ ରହେ ଏବଂ ସେମାନଙ୍କୁ ଜଣା ଥାଏ ଯେ ତାଙ୍କ ପିଲାମାନେ କʼଣ ଶିଖୁଛନ୍ତି । (ଦ୍ୱିବି. ୩୧:୧୨) ଆମ ସଭାଗୁଡ଼ିକରେ ଚାନ୍ଦା ମଗାଯାଇ ନ ଥାଏ । କାରଣ ଆମେ ଦାନ ଦେବା ମାମଲାରେ ଯୀଶୁଙ୍କର ଏହି ଆଜ୍ଞା ମାନୁ, “ତୁମ୍ଭେମାନେ ବିନାମୂଲ୍ୟରେ ପାଇଅଛ, ବିନାମୂଲ୍ୟରେ ଦାନ କର ।” (ମାଥି. ୧୦:୮) ଆପଣ ନୂଆ ଲୋକମାନଙ୍କୁ ଏହା ବି କହିପାରିବେ ଯେ ସଭାଗୁଡ଼ିକରେ ଆସିବା ପାଇଁ ସେମାନଙ୍କୁ ଦାମିକା ପୋଷାକ ପିନ୍ଧିବାର ଆବଶ୍ୟକ ନାହିଁ । କାରଣ ଈଶ୍ୱର ମନୁଷ୍ୟର ବାହ୍ୟରୂପ ଦେଖିବା ପରିବର୍ତ୍ତେ ଅନ୍ତଃକରଣ ଦେଖନ୍ତି ।—୧ ଶାମୁ. ୧୬:୭.

୧୦ ଯେବେ କୌଣସି ନୂଆ ବ୍ୟକ୍ତି ସଭାକୁ ଆସେ, ତେବେ ଆପଣ କʼଣ କରିପାରିବେ ? ପ୍ରେମର ସହ ତାʼର ସ୍ୱାଗତ କରନ୍ତୁ । ତାକୁ ପ୍ରାଚୀନ ଏବଂ ଅନ୍ୟ ପ୍ରଚାରକମାନଙ୍କ ସହ ଭେଟ କରାନ୍ତୁ । ଯଦି ଆପଣ ତାକୁ ପ୍ରେମ ଦେଖାଇବେ ଏବଂ ତାʼର ଚିନ୍ତା କରିବେ, ତାହେଲେ ସେ ପୁଣି ସଭାରେ ଆସିବ । ଯଦି ତାʼ ପାଖରେ ବାଇବଲ ନାହିଁ, ତାହେଲେ ସଭା ସମୟରେ ତାକୁ ନିଜ ବାଇବଲରୁ ପଦଗୁଡ଼ିକ ଦେଖାନ୍ତୁ କିମ୍ବା ଭାଷଣ ସମୟରେ ପଦଗୁଡ଼ିକୁ ଖୋଲିବା ପାଇଁ ସାହାଯ୍ୟ କରନ୍ତୁ ଏବଂ ଯେଉଁ ପ୍ରକାଶନରେ ଚର୍ଚ୍ଚା କରାଯାଉଛି, ଆପଣ ତାହା ବି ଦେଖାଇପାରିବେ ।

ପୂର୍ବ ଚିତ୍ରରେ ଦେଖାଯାଇଥିବା ସ୍ତ୍ରୀ ରାଜ୍ୟଘରକୁ ଆସେ ଏବଂ ସେଠାରେ ଭାଇଭଉଣୀ ପ୍ରେମର ସହିତ ତାକୁ ସ୍ୱାଗତ କରୁଛନ୍ତି । ସେ ନିଜର ସାନ ପୁଅକୁ କୋଳରେ ଧରିଛି ଏବଂ ଅନ୍ୟ ପୁଅଟି ଜଣେ ସାନ ପିଲା ସହିତ କଥା ହେଉଛି ।

ଜଣେ ବ୍ୟକ୍ତି ଯେତେ ଶୀଘ୍ର ସଭାକୁ ଆସିବା ଆରମ୍ଭ କରେ, ସେତେ ଶୀଘ୍ର ସେ ଯିହୋବାଙ୍କ ନିକଟତର ହେବାକୁ ଲାଗେ (ପାରାଗ୍ରାଫ ୯-୧୦)


ବାଇବଲ ଅଧ୍ୟୟନ ଆରମ୍ଭ ହେବା ପରେ କʼଣ କରିବା ?

୧୧. ଆପଣ କିପରି ଦେଖାଇପାରିବେ ଯେ ଆପଣ ଅଧ୍ୟୟନ କରୁଥିବା ବ୍ୟକ୍ତିର ସମୟକୁ ବହୁମୂଲ୍ୟ ଭାବନ୍ତି ?

୧୧ ଯେବେ ଆମେ କାହାରି ଘରେ ଅଧ୍ୟୟନ କରିବା ପାଇଁ ଯାଉ, ତେବେ ଆମେ କେଉଁ କଥାଗୁଡ଼ିକର ଧ୍ୟାନ ରଖିପାରିବା ? ତାଙ୍କ ସମୟକୁ ବହୁମୂଲ୍ୟ ଭାବନ୍ତୁ । ଯେପରି, ହୋଇପାରେ ଆପଣଙ୍କ ଅଞ୍ଚଳରେ ଲୋକମାନଙ୍କୁ ସମୟରେ ପହଞ୍ଚିବାର ଅଭ୍ୟାସ ନ ଥିବ, ତଥାପି ଅଧ୍ୟୟନ ପାଇଁ ସମୟରେ ପହଞ୍ଚନ୍ତୁ । ଏହାଛଡ଼ା, ଯେବେ ଆପଣ ପ୍ରଥମ ଥର ଅଧ୍ୟୟନ କରିବା ପାଇଁ ଯାʼନ୍ତି, ତାହେଲେ ଅଧ୍ୟୟନକୁ ଛୋଟ ରଖନ୍ତୁ । କିଛି ଅନୁଭବୀ ପ୍ରଚାରକ କହନ୍ତି ଯେ ସମୟ ପୂର୍ବରୁ ଅଧ୍ୟୟନ ଶେଷ କଲେ ସେହି ବ୍ୟକ୍ତିକୁ ଆହୁରି ଜାଣିବା ପାଇଁ ଇଚ୍ଛା ହୁଏ । ଅଧ୍ୟୟନ କରିବା ସମୟରେ ବେଶୀ କହନ୍ତୁ ନାହିଁ, ବରଂ ତାକୁ ନିଜ କଥା କହିବା ପାଇଁ ଦିଅନ୍ତୁ ।—ହିତୋ. ୧୦:୧୯.

୧୨. କାହାରି ସହିତ ବାଇବଲ ଅଧ୍ୟୟନ ଆରମ୍ଭ କରିବାର ଆମର କʼଣ ଲକ୍ଷ୍ୟ ହେବା ଉଚିତ୍‌ ?

୧୨ ଯେବେ ଆପଣ କାହାରି ସହ ବାଇବଲ ଅଧ୍ୟୟନ ଆରମ୍ଭ କରନ୍ତି, ତେବେ ଆପଣଙ୍କ ଏହା ଲକ୍ଷ୍ୟ ହେବା ଉଚିତ୍‌ ଯେ ଆପଣ ବିଦ୍ୟାର୍ଥୀକୁ ଯିହୋବା ଓ ଯୀଶୁଙ୍କୁ ଜାଣିବା ପାଇଁ ସାହାଯ୍ୟ କରନ୍ତୁ ଏବଂ ସେମାନଙ୍କ ପ୍ରତି ତାʼ ହୃଦୟରେ ପ୍ରେମ ବଢ଼ାନ୍ତୁ । ଆପଣ ଏହା କିପରି କରିପାରିବେ ? ଏହା ଦେଖାଇବା ପାଇଁ ଚେଷ୍ଟା କରନ୍ତୁ ନାହିଁ ଯେ ଆପଣଙ୍କ ପାଖରେ ବାଇବଲର ବହୁତ ଜ୍ଞାନ ଅଛି, ବରଂ ତାʼ ଧ୍ୟାନକୁ ସବୁବେଳେ ଈଶ୍ୱରଙ୍କ ବାକ୍ୟ ବାଇବଲ ଉପରେ ଆକର୍ଷଣ କରନ୍ତୁ । (ପ୍ରେରି. ୧୦:୨୫, ୨୬) ଏବିଷୟରେ ଆମେ ପାଉଲଙ୍କଠାରୁ ଅନେକ କଥା ଶିଖିପାରିବା । ସେ ସବୁବେଳେ ଲୋକମାନଙ୍କ ଧ୍ୟାନ ଯୀଶୁ ଖ୍ରୀଷ୍ଟଙ୍କ ଆଡ଼କୁ ଆକର୍ଷିତ କଲେ । ତାହା କାହିଁକି ? କାରଣ ଯିହୋବା ଯୀଶୁଙ୍କୁ ଏଥିପାଇଁ ପଠାଇଥିଲେ ଯେ ତାଙ୍କ ଜରିଆରେ ଲୋକେ ଯିହୋବାଙ୍କୁ ଜାଣିପାରନ୍ତୁ ଏବଂ ତାଙ୍କୁ ପ୍ରେମ କରିପାରନ୍ତୁ । (୧ କରି. ୨:୧, ୨) ଏହାଛଡ଼ା ପାଉଲ ଭାଇଭଉଣୀମାନଙ୍କୁ କହିଲେ ଯେ ସେମାନଙ୍କୁ ନୂଆ ଶିଷ୍ୟମାନଙ୍କ ଭିତରେ ଭଲ ଗୁଣଗୁଡ଼ିକୁ ବଢ଼ାଇବା ପାଇଁ ସାହାଯ୍ୟ କରିବା ବହୁତ ଜରୁରୀ । ଯେପରି—ବିଶ୍ୱାସ, ବୁଦ୍ଧି, ସୁକ୍ଷ୍ମ ବିଚାର ଓ ଯିହୋବାଙ୍କ ପାଇଁ ଭୟ । ସେ ଏହି ଗୁଣଗୁଡ଼ିକୁ ସୁନା, ରୂପା ଓ ବହୁମୂଲ୍ୟ ପଥରଗୁଡ଼ିକ ସହ ତୁଳନା କଲେ । (ଗୀତ. ୧୯:୯, ୧୦; ହିତୋ. ୩:୧୩-୧୫; ୧ କରି. ୩:୧୧-୧୫; ୧ ପିତ. ୧:୭) ଆପଣ ମଧ୍ୟ ଲୋକମାନଙ୍କୁ ଶିଖାଇବା ସମୟରେ ପାଉଲଙ୍କ ଉପାୟ ଆପଣାଇପାରିବେ । ଏଥିରୁ ବିଦ୍ୟାର୍ଥୀର ବିଶ୍ୱାସ ବଢ଼ିବ ଏବଂ ଯିହୋବାଙ୍କ ସହିତ ତାʼ ସମ୍ପର୍କ ଦୃଢ଼ ହେବ ।—୨ କରି. ୧:୨୪.

୧୩. ଶିଖାଇବା ସମୟରେ ଆମେ ନିଜ ବିଦ୍ୟାର୍ଥୀ ସହ କିପରି ଧୈର୍ଯ୍ୟ ଧରିପାରିବା ଏବଂ ତାʼ ଭାବନାକୁ ଭଲଭାବରେ ବୁଝିପାରିବା ? (୨ କରିନ୍ଥୀୟ ୧୦:୪, ୫) (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୩ ଯୀଶୁ ଲୋକମାନଙ୍କୁ ଶିଖାଇବା ସମୟରେ ସେମାନଙ୍କ ସହିତ ଧୈର୍ଯ୍ୟ ଧରୁଥିଲେ ଏବଂ ସେମାନଙ୍କ ଭାବନାଗୁଡ଼ିକୁ ଭଲଭାବରେ ବୁଝୁଥିଲେ । ଆମେ ବି ତାଙ୍କ ଭଳି ହୋଇପାରିବା । ନିଜ ବାଇବଲ ବିଦ୍ୟାର୍ଥୀକୁ ଶିଖାଇବା ସମୟରେ ଆମେ ତାକୁ ଏପରି କୌଣସି ପ୍ରଶ୍ନ କରିବାନି, ଯେଉଁଥିରୁ ସେ ଲଜ୍ଜା ଅନୁଭବ କରିବ । ଯଦି ସେ କୌଣସି କଥାକୁ ବୁଝିପାରୁନି, ତାହେଲେ ସେହି କଥାକୁ ଛାଡ଼ି ଦିଅନ୍ତୁ ଏବଂ ନିଜ ଅଧ୍ୟୟନ ଜାରି ରଖନ୍ତୁ । ସେହି ବିଷୟରେ ଆପଣ ପରେ ତାʼସହିତ ଚର୍ଚ୍ଚା କରିପାରିବେ । ଯଦି କୌଣସି ଶିକ୍ଷାକୁ ମାନିବାରେ ତାକୁ କଷ୍ଟ ହେଉଛି, ତାହେଲେ ତାକୁ ସେହି ବିଷୟରେ ଭାବିବା ପାଇଁ ସମୟ ଦିଅନ୍ତୁ । କୌଣସି ପ୍ରକାରେ ତାକୁ ବାଧ୍ୟ କରନ୍ତୁ ନାହିଁ । (ଯୋହ. ୧୬:୧୨; କଲ. ୨:୬, ୭) ବାଇବଲରେ କୁହାଯାଇଛି ଯେ ମିଥ୍ୟା ଶିକ୍ଷାଗୁଡ଼ିକୁ ହୃଦୟରୁ ବାହାର କରିବା ଦୃଢ଼ ଗଡ଼ ବା ଦୁର୍ଗକୁ ଭୂମିସାତ୍‌ କରିବା ଭଳି ଅଟେ । (୨ କରିନ୍ଥୀୟ ୧୦:୪, ୫ ପଢ଼ନ୍ତୁ ।) ଆମକୁ ମନେ ରଖିବା ଉଚିତ୍‌ ଯେ ଆମ ବାଇବଲ ବିଦ୍ୟାର୍ଥୀ ଅନେକ ବର୍ଷ ଧରି ଯେଉଁ ମିଥ୍ୟା ଶିକ୍ଷାଗୁଡ଼ିକୁ ମାନି ଆସୁଛି, ତାହା ତାʼପାଇଁ ଏକ ଦୃଢ଼ ଦୁର୍ଗ ଭଳି ଅଟେ । ଯଦି ଏହି ଦୁର୍ଗ ଭୁଷୁଡ଼ି ପଡ଼ିଯାଏ, ତାହେଲେ ସେ କୁଆଡ଼େ ଯିବ ? ତେଣୁ ଏହା ଭଲ ହେବ ଯେ ଆମେ ଯିହୋବାଙ୍କ ଉପରେ ତାʼର ଭରସା ବଢ଼ାଇବା, ଯେଉଁଥିରୁ ସେ ଯିହୋବାଙ୍କୁ ନିଜ ଦୁର୍ଗ ବା ଆଶ୍ରୟ କରିପାରିବ । ଯେବେ ସେ ଏପରି କରିବ, ତେବେ ତାକୁ ସେହି ମିଥ୍ୟା ଶିକ୍ଷାଗୁଡ଼ିକୁ ଛାଡ଼ିବା ସହଜ ହୋଇଯିବ, ଯାହାକୁ ସେ ଦୃଢ଼ ଭାବରେ ଧରି ରଖିଛି ।—ଗୀତ. ୯୧:୯.

ପୂର୍ବ ଚିତ୍ରରେ ଦେଖାଯାଇଥିବା ବୃଦ୍ଧ ବ୍ୟକ୍ତି ଦୁଇଜଣ ଭାଇଙ୍କ ସହିତ “ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !” ବହିରୁ ଅଧ୍ୟୟନ କରୁଛନ୍ତି । ପାଖରେ ଥିବା ଆଲମିରାରେ ତାଙ୍କର ସେନାରେ ଥିବା ସମୟର ଫଟୋ ଏବଂ ମେଡେଲ ରଖା ହୋଇଛି ।

ବିଦ୍ୟାର୍ଥୀକୁ ସତ୍ୟ ଜାଣିବା ପାଇଁ ଏବଂ ତାʼଅନୁସାରେ ନିଜ ଚିନ୍ତାଧାରାକୁ ପରିବର୍ତ୍ତନ କରିବା ପାଇଁ ସମୟ ଲାଗେ, ତେଣୁ ତାକୁ ସମୟ ଦିଅନ୍ତୁ (ପାରାଗ୍ରାଫ ୧୩)


ନୂଆ ଲୋକମାନେ ସଭାକୁ ଆସିଲେ କʼଣ କରିବା ?

୧୪. ସଭାରେ ଆସିଥିବା ନୂଆ ଲୋକଙ୍କ ସହିତ ଆମକୁ କିପରି ବ୍ୟବହାର କରିବା ଉଚିତ୍‌ ?

୧୪ ଆମ ସଭାରେ ଭିନ୍ନ ଭିନ୍ନ ପ୍ରକାରର ଲୋକ ଆସନ୍ତି । କିଛିମାନେ ଅନ୍ୟ ଜାଗାରୁ ଥାʼନ୍ତି, ତ ଆଉ କିଛି ଅନ୍ୟ ସଂସ୍କୃତିରୁ । କିଛିମାନେ ଧନୀ ଥାʼନ୍ତି, ତ ଆଉ କିଛି ଗରିବ । ତଥାପି ଯିହୋବା ଚାହାନ୍ତି ଯେ ଆମେ ସବୁ ଲୋକଙ୍କ ସହିତ ପ୍ରେମର ସହ ବ୍ୟବହାର କରୁ ଏବଂ ସେମାନଙ୍କ ସହିତ କୌଣସି ପ୍ରକାରେ ଭେଦଭାବ ନ କରୁ । (ଯାକୁ. ୨:୧-୪, ୯) ତାହେଲେ ଯେବେ କୌଣସି ନୂଆ ବ୍ୟକ୍ତି ଆମ ସଭାକୁ ଆସେ, ତେବେ ଆମେ କିପରି ଦେଖାଇପାରିବା ଯେ ଆମେ ତାʼର ଚିନ୍ତା କରୁ ?

୧୫-୧୬. ନୂଆ ଲୋକଙ୍କ ସ୍ୱାଗତ କରିବା ପାଇଁ ଆମେ କʼଣ କରିପାରିବା ?

୧୫ କିଛି ଲୋକ କେବଳ ଏଥିପାଇଁ ସଭାକୁ ଆସନ୍ତି, କାରଣ ସେମାନେ ଜାଣିବା ପାଇଁ ଚାହାନ୍ତି ଯେ ଆମ ସଭାଗୁଡ଼ିକରେ କʼଣ ହୁଏ । ଆଉ କିଛି ଲୋକ ଏଥିପାଇଁ ଆସନ୍ତି କାରଣ ଅନ୍ୟ ଜାଗାର କେହି ସାକ୍ଷୀ ତାକୁ ସଭାରେ ଆସିବା ପାଇଁ କହିଥିଲେ । ତେଣୁ ଆମକୁ ଆଗକୁ ଆସି ଏହି ନୂଆ ଲୋକମାନଙ୍କ ସ୍ୱାଗତ କରିବା ଉଚିତ୍‌ । କିନ୍ତୁ ଆମେ ଏପରି କିଛି କରିବା ଉଚିତ୍‌ ନୁହେଁ, ଯାହା ତାକୁ ଅଜବ ଲାଗିବ । ଆପଣ ଚାହିଁଲେ ତାକୁ ନିଜ ସହ ବସିବା ପାଇଁ କହିପାରିବେ । ସଭା ସମୟରେ ଆପଣ ତାକୁ ନିଜ ବାଇବଲ କିମ୍ବା ପତ୍ରିକା ଦେଖାଇପାରିବେ କିମ୍ବା ତାକୁ ଗୋଟିଏ ବାଇବଲ କିମ୍ବା ପତ୍ରିକା ଦେଇପାରିବେ । ଏହାଛଡ଼ା ତାʼର ଭାବନାର ବି ଧ୍ୟାନ ରଖନ୍ତୁ । ଥରେ ଯେବେ ଜଣେ ଲୋକ ପ୍ରଥମ ଥର ରାଜ୍ୟଘରକୁ ଆସିଲେ, ତେବେ ଜଣେ ଭାଇ ତାଙ୍କୁ ସ୍ୱାଗତ କଲେ । ସେ ସେହି ଭାଇଙ୍କୁ କହିଲେ ଯେ ତାଙ୍କୁ ବହୁତ ଅଜବ ଲାଗୁଛି, କାରଣ ସେ ଭଲ କପଡ଼ା ପିନ୍ଧି ନାହାନ୍ତି । ଭାଇ ତାଙ୍କୁ କହିଲେ ଯେ ଚିନ୍ତା କରନ୍ତୁ ନାହିଁ । ଏହା ସତ ଯେ ଆମେ ଭଲ କପଡ଼ା ପିନ୍ଧିଛୁ, କିନ୍ତୁ ଆମେ ବି ଆପଣଙ୍କ ଭଳି ଲୋକ ଅଟୁ । ଆଗକୁ ଯାଇ ସେହି ଲୋକ ଉନ୍ନତି କଲେ ଓ ବାପ୍ତିସ୍ମ ନେଲେ ଏବଂ ସେ ସେହି ଭାଇଙ୍କ କଥାକୁ କେବେ ଭୁଲିଲେନି । କିନ୍ତୁ ସଭାର ପୂର୍ବରୁ ବା ପରେ ନୂଆ ଲୋକମାନଙ୍କୁ ଭେଟିବା ସମୟରେ ଆମେ ଗୋଟିଏ କଥା ମନେ ରଖିବା ଉଚିତ୍‌ । ଆମକୁ କେବେ ବି ତାଙ୍କ ବ୍ୟକ୍ତିଗତ ମାମଲାରେ ପ୍ରଶ୍ନ କରିବା ଉଚିତ୍‌ ନୁହେଁ ।—୧ ପିତ. ୪:୧୫.

୧୬ ନୂଆ ଲୋକଙ୍କ ସ୍ୱାଗତ କରିବା ଏବଂ ସେମାନଙ୍କୁ ଆଦର ଦେଖାଇବା ପାଇଁ ଆମେ ଆଉ କିଛି କରିପାରିବା । ଯେବେ ଆମେ ସେମାନଙ୍କ ସହ କଥା ହେଉ, ସଭାରେ କୌଣସି ଉତ୍ତର ଦେଉ କିମ୍ବା ଷ୍ଟେଜ୍‌ରୁ କୌଣସି ଭାଗ ପରିବେଷଣ କରୁ, ତେବେ ଆମେ ଧ୍ୟାନ ରଖିବା ଯେ ଆମେ କୌଣସି ପ୍ରକାରେ ସେମାନଙ୍କ ଭାବନାକୁ କଷ୍ଟ ନ ପହଞ୍ଚାଉ । ଆମେ ଏପରି କିଛି ବି କହିବାନି, ଯେଉଁଥିରୁ ସେମାନଙ୍କୁ ଲାଗିବ ଯେ ଆମେ ସେମାନଙ୍କର ଥଟ୍ଟା କରୁଛୁ କିମ୍ବା ସେମାନଙ୍କୁ ନୀଚ ଦେଖାଉଛୁ । (ତୀତ. ୨:୮; ୩:୨) ଯେପରି, ସେମାନେ ଯେଉଁ ଶିକ୍ଷାଗୁଡ଼ିକୁ ମାନନ୍ତି, ଆମେ ସେବିଷୟରେ କିଛି ବି ଓଲଟା ସିଧା କହିବାନି । (୨ କରି. ୬:୩) ଯେଉଁ ଭାଇ ଜନଭାଷଣ ଦିଅନ୍ତି, ତାଙ୍କୁ ବି ଏକଥାର ବିଶେଷ ଧ୍ୟାନ ରଖିବା ଉଚିତ୍‌ । ଏହାଛଡ଼ା, ଯେବେ ସେହି ଭାଇ ବାଇବଲରୁ କୌଣସି ଏପରି କଥା କହନ୍ତି କିମ୍ବା ଏପରି କୌଣସି ଶବ୍ଦ ବ୍ୟବହାର କରନ୍ତି ଯାହା ନୂଆ ଲୋକଙ୍କୁ ବୁଝାପଡ଼ିବନି, ତେବେ ଭଲ ହେବ ଯେ ସେହି ଭାଇ ଖୋଲିକି ଏହାର ଅର୍ଥ ବୁଝାନ୍ତୁ ।

୧୭. ଯେବେ ଆମେ ‘ଈଶ୍ୱରଙ୍କ ଅନ୍ୱଷେଣକାରୀମାନଙ୍କ’ ସହ ଦେଖା ହେଉ, ତେବେ ଆମେ କʼଣ କରିବା ?

୧୭ ବିନାଶ ପାଖେଇ ଆସିବା ସହିତ ଏହା ବହୁତ ଜରୁରୀ ଯେ ଆମେ ଆହୁରି ଅଧିକ ଶିଷ୍ୟ କରିବାର କାମ କରୁ ଏବଂ ‘ଈଶ୍ୱରଙ୍କ ଅନ୍ୱଷେଣକାରୀମାନଙ୍କୁ’ ଖୋଜିବା ପାଇଁ ପୂରା ଚେଷ୍ଟା କରୁ । (ଏବ୍ରୀ ୧୧:୬) ଯେବେ ଆମେ ଏପରି ଲୋକଙ୍କ ସହ ଦେଖା ହେଉ, ତେବେ ଆମେ ବିନା କୌଣସି ସଂକୋଚରେ ସେମାନଙ୍କୁ ବାଇବଲ ଅଧ୍ୟୟନର ବ୍ୟବସ୍ଥା ବିଷୟରେ କହିବା ଏବଂ ସଭାକୁ ଡାକିବା । ଏହିଭଳି ଆମେ ସେହି ଲୋକଙ୍କୁ ‘ଜୀବନକୁ ଘେନିଯିବା ପଥରେ’ ଚାଲିବା ପାଇଁ ସାହାଯ୍ୟ କରିପାରିବା ।—ମାଥି. ୭:୧୪.

ଆପଣ କʼଣ ଉତ୍ତର ଦେବେ ?

  • ଯେବେ ଆମେ ପ୍ରଥମ ଥର ‘ଈଶ୍ୱରଙ୍କ ଅନ୍ୱଷେଣକାରୀମାନଙ୍କ’ ସହ ଦେଖା ହେଉ, ତେବେ ଆମେ କʼଣ କରିପାରିବା ?

  • ଯେବେ ଆମେ କାହାରି ସହିତ ବାଇବଲ ଅଧ୍ୟୟନ ଆରମ୍ଭ କରୁ, ତେବେ ଆମେ କେଉଁ କଥାଗୁଡ଼ିକର ଧ୍ୟାନ ରଖିପାରିବା ?

  • ଯେବେ ନୂଆ ଲୋକମାନେ ସଭାକୁ ଆସନ୍ତି, ତେବେ ଆମେ କିପରି ସେମାନଙ୍କର ସ୍ୱାଗତ କରିପାରିବା ?

ଗୀତ ୬୭ ବାକ୍ୟର ପ୍ରଚାର କର

a ଚିତ୍ର ବିଷୟରେ: ସେନାରୁ ରିଟାୟର୍ଡ ଜଣେ ବ୍ୟକ୍ତି ନିଜ ଘର ବାହାରେ ବସିଛନ୍ତି ଏବଂ ଦୁଇଜଣ ଭାଇ ତାଙ୍କୁ ସାକ୍ଷ୍ୟ ଦେଉଛନ୍ତି; ଦୁଇଜଣ ଭଉଣୀ ଜଣେ ମାଆକୁ ସାକ୍ଷ୍ୟ ଦେଉଛନ୍ତି ଯିଏ ବହୁତ ବ୍ୟସ୍ତ ଅଛନ୍ତି । ଭଉଣୀମାନେ ଅଧିକ ସମୟ ନେଉ ନାହାନ୍ତି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ