ଅଧ୍ୟୟନ ଲେଖା ୪୬
ଗୀତ ୧୭ “ମୁଁ ଇଚ୍ଛା କରୁଅଛି”
ଯୀଶୁ ଆମକୁ ସହାନୁଭୂତି ଦେଖାଉଥିବା ମହାଯାଜକ ଅଟନ୍ତି
“ଆମ୍ଭମାନଙ୍କ ଦୁର୍ବଳତାରେ ଆମ୍ଭମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ଅସମର୍ଥ, ଆମ୍ଭମାନଙ୍କର ଏପରି ମହାଯାଜକ ନାହାନ୍ତି ।”—ଏବ୍ରୀ ୪:୧୫.
କʼଣ ଶିଖିବା ?
ଆମେ ଶିଖିବା ଯେ ଯୀଶୁ କିପରି ଲୋକମାନଙ୍କର କଷ୍ଟକୁ ବୁଝିଲେ ଏବଂ ସେମାନଙ୍କୁ ସହାନୁଭୂତି ଦେଖାଇଲେ, ଯାହାଫଳରେ ସେ ଆଗକୁ ଯାଇ ସବୁଠୁ ଭଲ ମହାଯାଜକ ହୋଇପାରିଲେ । ଆମେ ଏହା ବି ଶିଖିବା ଯେ ସେ ଆଜି କିପରି ଆମକୁ ସାହାଯ୍ୟ କରୁଛନ୍ତି ।
୧-୨. (କ) ଯିହୋବା କାହିଁକି ନିଜ ପୁତ୍ର ଯୀଶୁଙ୍କୁ ପୃଥିବୀକୁ ପଠାଇଲେ ? (ଖ) ଏହି ଲେଖାରେ ଆମେ କʼଣ ଜାଣିବା ? (ଏବ୍ରୀ ୫:୭-୯)
ପ୍ରାୟ ୨,୦୦୦ ବର୍ଷ ପୂର୍ବେ ଯିହୋବା କାହିଁକି ନିଜର ପ୍ରିୟ ପୁତ୍ର ଯୀଶୁଙ୍କୁ ପୃଥିବୀକୁ ପଠାଇଲେ ? ଏହାର କାରଣ ହେଉଛି ଯେ ସେ ମଣିଷମାନଙ୍କୁ ପାପ ଓ ମୃତ୍ୟୁରୁ ମୁକ୍ତ କରିବା ପାଇଁ ଏବଂ ଶୟତାନ ଯୋଗୁଁ ହୋଇଥିବା କ୍ଷତିଗୁଡ଼ିକୁ ଠିକ୍ କରିବା ପାଇଁ ଚାହୁଁଥିଲେ । (ଯୋହ. ୩:୧୬; ୧ ଯୋହ. ୩:୮) କିନ୍ତୁ ଯିହୋବା ଏହା ବି ଜାଣିଥିଲେ ଯେ ମଣିଷ ରୂପେ ବଞ୍ଚି, ଯୀଶୁ ଏପରି ଜଣେ ମହାଯାଜକ ହୋଇପାରିବେ ଯିଏ ଲୋକମାନଙ୍କ କଷ୍ଟକୁ ବୁଝିପାରିବ ଏବଂ ସେମାନଙ୍କୁ ସହାନୁଭୂତି ଦେଖାଇପାରିବ । ଆଉ ଯେବେ ୨୯ ଖ୍ରୀଷ୍ଟାବ୍ଦରେ ଯୀଶୁଙ୍କ ବାପ୍ତିସ୍ମ ହେଲା, ତେବେଠାରୁ ସେ ମହାଯାଜକ ଭାବେ ସେବା କରିବାକୁ ଲାଗିଲେ ।a
୨ ଏହି ଲେଖାରେ ଆମେ ଜାଣିବା ଯେ ଯୀଶୁ ପୃଥିବୀକୁ ଆସିବା ପରେ କିପରି ସହାନୁଭୂତି ଦେଖାଉଥିବା ମହାଯାଜକ ଭାବେ ସେବା କରିବା ପାଇଁ “ସିଦ୍ଧ” ଅର୍ଥାତ୍ ନିପୁଣ ହୋଇପାରିଲେ । ଯେବେ ଆମେ ଏହାକୁ ଭଲଭାବେ ବୁଝିବା, ତେବେ ଆମେ ବିନା ସଂକୋଚରେ ଯିହୋବାଙ୍କୁ ପ୍ରାର୍ଥନା କରିପାରିବା । ଏପରି ଆମେ ସେସମୟରେ ବି କରିପାରିବା, ଯେବେ ଆମେ ନିଜ ପାପ ଯୋଗୁଁ କିମ୍ବା ନିଜ ଦୁର୍ବଳତାଗୁଡ଼ିକ ଯୋଗୁଁ ନିରାଶ ହୋଇଯାଉ ।—ଏବ୍ରୀ ୫:୭-୯ ପଢ଼ନ୍ତୁ ।
ଈଶ୍ୱରଙ୍କ ପ୍ରିୟ ପୁତ୍ର ପୃଥିବୀକୁ ଆସିଲେ
୩-୪. ପୃଥିବୀକୁ ଆସିବା ପରେ ଯୀଶୁଙ୍କ ଜୀବନରେ କʼଣ କʼଣ ପରିବର୍ତ୍ତନ ହେଲା ?
୩ ଆଜି ଆମ ପରିସ୍ଥିତି କେବେ ବି ବଦଳିପାରେ । ଯେପରି ଆମକୁ ନିଜ ଘର, ପରିବାର ଓ ସାଙ୍ଗମାନଙ୍କୁ ଛାଡ଼ି ଯିବାକୁ ପଡ଼ିପାରେ । ଆଉ ଏପରି ଅନେକ ଲୋକଙ୍କ ସହିତ ହୋଇଛି । ଯେବେ ଏପରି କିଛି ହୁଏ, ତେବେ ତାହାର ସାମନା କରିବା ସହଜ ହୋଇ ନ ଥାଏ । ଯେବେ ଯୀଶୁ ପୃଥିବୀକୁ ଆସିଥିଲେ ତେବେ ତାହା ତାଙ୍କ ଜୀବନରେ ହୋଇଥିବା ବହୁତ ବଡ଼ ପରିବର୍ତ୍ତନ ଥିଲା । ଏପରି ପରିବର୍ତ୍ତନ କେବେ କାହାରି ସହିତ ହୋଇ ନାହିଁ । ସ୍ୱର୍ଗରେ ସେ ଯିହୋବାଙ୍କ ପ୍ରିୟ ପୁତ୍ର ଥିଲେ ଏବଂ ସେ ତାହାଙ୍କ “ଦକ୍ଷିଣ ପାଖରେ” ରହୁଥିଲେ । (ଗୀତ. ୧୬:୧୧) ତାଙ୍କ ପିତା ତାଙ୍କୁ ସବୁବେଳେ ପ୍ରେମ କରୁଥିଲେ ଏବଂ ସେ ନିଜ ପିତାଙ୍କ ସହିତ କାମ କରି ସବୁବେଳେ ଖୁସି ରହୁଥିଲେ । (ହିତୋ. ୮:୩୦) କିନ୍ତୁ ଯେପରି ଫିଲିପ୍ପୀୟ ୨:୭ (NWT) ପଦରେ ଲେଖାଅଛି ଯେ ସେ ଖୁସି ଖୁସି “ନିଜ ସବୁକିଛି ତ୍ୟାଗ କଲେ ।” ସେ ସ୍ୱର୍ଗରେ ଥିବା ତାଙ୍କ ଉଚ୍ଚ ପଦବୀକୁ ଛାଡ଼ି ପୃଥିବୀକୁ ଆସିଲେ ଏବଂ ପାପୀ ମଣିଷମାନଙ୍କ ସହିତ ରହିଲେ ।
୪ ଏବିଷୟରେ ଭାବନ୍ତୁ ଯେ ଯୀଶୁଙ୍କ ଜନ୍ମ ହେବାର କିଛି ସମୟ ପରେ ପରିସ୍ଥିତି କିପରି ଥିଲା । ତାଙ୍କ ବାପାମାଆ ବହୁତ ଗରିବ ଥିଲେ, ସେଥିପାଇଁ ଯୀଶୁଙ୍କ ଜନ୍ମ ପରେ ଯେବେ ସେମାନେ ମନ୍ଦିରକୁ ବଳିଦାନ ବଢ଼ାଇବା ପାଇଁ ଗଲେ, ତେବେ ସେମାନେ ବଳିଦାନରେ କେବଳ ଦୁଇଟି ପାରା ଚଢ଼ାଇପାରିଲେ । (ଲେବୀ. ୧୨:୮; ଲୂକ ୨:୨୪) ଏହାପରେ ଯେବେ ରାଜା ହେରୋଦକୁ ଖ୍ରୀଷ୍ଟଙ୍କ ଜନ୍ମ ବିଷୟରେ ସନ୍ଦେଶ ମିଳିଲା, ତେବେ ସେ ଯୀଶୁଙ୍କୁ ଜୀବନରୁ ମାରିଦେବା ପାଇଁ ଚେଷ୍ଟା କଲା । ହେରୋଦରୁ ରକ୍ଷା ପାଇବା ପାଇଁ ଯୀଶୁଙ୍କ ବାପାମାଆ ତାଙ୍କୁ ନେଇ ମିଶରକୁ ପଳାଇଗଲେ, ଯେଉଁଠି ସେମାନେ କିଛି ସମୟ ପର୍ଯ୍ୟନ୍ତ ଶରଣାର୍ଥୀ ଭାବେ ରହିଲେ । (ମାଥି. ୨:୧୩, ୧୫) ସତରେ, ଏହା ଯୀଶୁଙ୍କ ପାଇଁ କେତେ ବଡ଼ ପରିବର୍ତ୍ତନ ଥିଲା । ଦିନେ ଯୀଶୁ ସ୍ୱର୍ଗରେ ଥିଲେ, କିନ୍ତୁ ଏବେ ସେ ଶରଣାର୍ଥୀ ଭାବେ ବଞ୍ଚୁଥିଲେ ।
୫. ଯୀଶୁ ପୃଥିବୀରେ ଥିବା ସମୟରେ କʼଣ କʼଣ ଦେଖିଲେ ଏବଂ ଏହାଯୋଗୁଁ ସେ କିପରି ସହାନୁଭୂତି ଦେଖାଉଥିବା ମହାଯାଜକ ହୋଇପାରିଲେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୫ ଯୀଶୁ ପୃଥିବୀରେ ଥିବା ସମୟରେ ଲୋକମାନଙ୍କ କଷ୍ଟଗୁଡ଼ିକୁ ଦେଖିଲେ । ସେ ନିଜ ପ୍ରିୟଜନମାନଙ୍କୁ ହରାଇବାର ଦୁଃଖ ବି ସହିଲେ । ଯେପରି, ହୁଏତ ସେ ନିଜ ବାପା ଯୋଷେଫଙ୍କୁ ମୃତ୍ୟୁବରଣ କରିବାର ଦେଖିଥିଲେ । ସେ ନିଜ ସେବା ସମୟରେ ମଧ୍ୟ ଏପରି ଅନେକ ଲୋକଙ୍କୁ ଦେଖିଲେ, ଯେଉଁମାନେ ରୋଗରେ ପୀଡ଼ିତ ଥିଲେ, ଦେଖିପାରୁ ନ ଥିଲେ, ଚାଲିପାରୁ ନ ଥିଲେ ଏବଂ ଯେଉଁମାନେ ନିଜ ପିଲାମାନଙ୍କୁ ମୃତ୍ୟୁରେ ହରାଇ ଦେଇଥିଲେ । ସେମାନଙ୍କୁ ଦେଖି ସେ ଦୟାରେ ବିଗଳିତ ହୋଇଗଲେ । (ମାଥି. ୯:୨, ୬; ୧୫:୩୦; ୨୦:୩୪; ମାର୍କ ୧:୪୦, ୪୧; ଲୂକ ୭:୧୩) ଏହା ସତ ଯେ ସ୍ୱର୍ଗରେ ଥିବା ସମୟରେ ସେ ଲୋକମାନଙ୍କ କଷ୍ଟଗୁଡ଼ିକୁ ଦେଖିଥିବେ, କିନ୍ତୁ ଏବେ ସେ ଆହୁରି ସ୍ପଷ୍ଟ ଭାବେ ଲୋକମାନଙ୍କ କଷ୍ଟଗୁଡ଼ିକୁ ଦେଖିପାରିଲେ । (ଯିଶା. ୫୩:୪) ସେ ମଣିଷମାନଙ୍କ ଭାବନା, ସେମାନଙ୍କ ଚିନ୍ତା ଏବଂ କଷ୍ଟକୁ ବୁଝିପାରିଲେ । କେବଳ ଏତିକି ନୁହେଁ, ସେ ନିଜେ ବି ସେଗୁଡ଼ିକୁ ଅନୁଭବ କଲେ । ଯେପରି, ବେଳେବେଳେ ସେ ବି ଚିନ୍ତିତ ହୋଇପଡ଼ିଲେ, ଥକିଗଲେ ଏବଂ ତାଙ୍କୁ ମଧ୍ୟ ଗଭୀର ଦୁଃଖ ଲାଗିଲା ।
ଯୀଶୁ ଲୋକମାନଙ୍କୁ ସହାନୁଭୂତି ଦେଖାଉଥିଲେ ଏବଂ ଯେଉଁମାନେ କଷ୍ଟରେ ଥିଲେ, ସେମାନଙ୍କର ଚିନ୍ତା କରୁଥିଲେ (ପାରାଗ୍ରାଫ ୫)
ଯୀଶୁ ଲୋକମାନଙ୍କ କଷ୍ଟକୁ ବୁଝିଲେ
୬. ଯିଶାଇୟଙ୍କ ଭବିଷ୍ୟତବାଣୀରୁ କିପରି ଜଣାପଡ଼େ ଯେ ଯୀଶୁ ଲୋକମାନଙ୍କୁ ସହାନୁଭୂତି ଦେଖାନ୍ତି ଓ ସେମାନଙ୍କ କଷ୍ଟକୁ ବୁଝନ୍ତି ? (ଯିଶାଇୟ ୪୨:୩)
୬ ଏବ୍ରୀ ଶାସ୍ତ୍ରରେ ବେଳେବେଳେ ଧନୀ ଓ ଶକ୍ତିଶାଳୀ ଲୋକମାନଙ୍କ ତୁଳନା ଜଳସେଚିତ ବଗିଚା କିମ୍ବା ବଡ଼ ବଡ଼ ବୃକ୍ଷ ସହିତ କରାଯାଇଛି । (ଗୀତ. ୯୨:୧୨; ଯିଶା. ୬୧:୩; ଯିରି. ୩୧:୧୨) ଆଉ ଯେଉଁମାନେ ଗରିବ ଏବଂ ଯେଉଁମାନଙ୍କ ଉପରେ ଅତ୍ୟାଚାର କରାଯାଏ, ସେମାନଙ୍କୁ ଛେଚାନଳ ଓ ସଧୂମ ବଳିତା ସହିତ ତୁଳନା କରାଯାଇଛି । (ଯିଶାଇୟ ୪୨:୩ ପଢ଼ନ୍ତୁ; ମାଥି. ୧୨:୨୦) ଏପରି ତୁଳନା କରି ଭବିଷ୍ୟଦ୍ବକ୍ତା ଯିଶାଇୟ ଏହା କହିବା ପାଇଁ ଚାହୁଁଥିଲେ ଯେ ଯୀଶୁ ଲୋକମାନଙ୍କ କଷ୍ଟକୁ ବୁଝିବେ ଏବଂ ସେମାନଙ୍କୁ ସହାନୁଭୂତି ଦେଖାଇବେ ଯେଉଁମାନଙ୍କୁ ସମାଜ ନୀଚ ଦୃଷ୍ଟିରେ ଦେଖେ । ଆଉ ଯୀଶୁ ଏପରି ହିଁ କଲେ । ପୃଥିବୀରେ ନିଜ ସେବା ସମୟରେ ସେ ସେହି ଲୋକମାନଙ୍କୁ ସହାନୁଭୂତି ଦେଖାଇଲେ, ଯେଉଁମାନଙ୍କୁ ସମାଜରେ ନୀଚ ମନେ କରାଯାଉଥିଲା ଏବଂ ଅତ୍ୟାଚାର କରାଯାଉଥିଲା । ଏହିପରି ଭାବେ ସେ ଯିଶାଇୟଙ୍କ ଭବିଷ୍ୟତବାଣୀକୁ ପୂରା କଲେ ।
୭-୮. ଯୀଶୁ କିପରି ଭାବେ ଯିଶାଇୟଙ୍କ ଭବିଷ୍ୟତବାଣୀକୁ ପୂରା କଲେ ?
୭ ସୁସମାଚାରର ଲେଖକ ମାଥିଉ କହିଲେ ଯେ ଯୀଶୁ କିପରି ଭାବେ ଯିଶାଇୟଙ୍କ ଭବିଷ୍ୟତବାଣୀକୁ ପୂରା କଲେ । ସେ ଲେଖିଲେ, “ସେ ଛେଚାନଳ ଭାଙ୍ଗିବେ ନାହିଁ, ପୁଣି ସଧୂମ ବଳିତା ଲିଭାଇବେ ନାହିଁ ।” ଯୀଶୁ ସେହି ଲୋକମାନଙ୍କ ପାଇଁ ବି ଚମତ୍କାର କଲେ, ଯେଉଁମାନଙ୍କୁ ଲୋକମାନେ ତୁଚ୍ଛ ମନେ କରୁଥିଲେ ଏବଂ ଯେଉଁମାନେ ନିଜକୁ ଛେଚାନଳ ଭଳି ଅନୁଭବ କରୁଥିଲେ । ତାʼସହିତ ସେ ସେହି ଲୋକମାନଙ୍କୁ ବି ସାହାଯ୍ୟ କଲେ ଯେଉଁମାନେ ସଧୂମ ବଳିତା ଭଳି ଥିଲେ ଅର୍ଥାତ୍ ଯେଉଁମାନଙ୍କ ପାଖରେ କୌଣସି ଆଶା ନ ଥିଲା । ଯେପରି, ଥରେ ସେ ଜଣେ ଏପରି ବ୍ୟକ୍ତିକୁ ଦେଖିଲେ ଯାହାର ପୂରା ଶରୀରରେ କୁଷ୍ଠ ରୋଗ ହୋଇଯାଇଥିଲା । ସେହି ବ୍ୟକ୍ତି ପାଇଁ ଏହା ଭାବିବା ଅସମ୍ଭବ ଥିଲା ଯେ ସେ କେବେ ଠିକ୍ ହୋଇପାରିବ ଏବଂ ନିଜ ସାଙ୍ଗ ଓ ପରିବାର ଲୋକଙ୍କ ସହିତ ରହିପାରିବ । (ଲୂକ ୫:୧୨, ୧୩) ଆଉ ଏକ ସୁଯୋଗରେ ଯୀଶୁ ଜଣେ ଏପରି ବଧିର ବ୍ୟକ୍ତିକୁ ଦେଖିଲେ ଯିଏ ଠିକ୍ରେ କଥା କହିପାରୁ ନ ଥିଲା । ଟିକେ ଭାବନ୍ତୁ, ଯେବେ ସେ ଲୋକମାନଙ୍କୁ ପରସ୍ପର ସହିତ କଥା ହେବାର ଦେଖୁଥିବ ଏବଂ ସେମାନଙ୍କର କଥା ବୁଝିପାରୁ ନ ଥିବ, ତେବେ ତାକୁ କିପରି ଲାଗୁଥିବ । ନିଶ୍ଚୟ ତାକୁ ବହୁତ ଦୁଃଖ ଲାଗୁଥିବ । (ମାର୍କ ୭:୩୨, ୩୩) ଏହା କେତେ ଦୁଃଖର କଥା ଯେ ଏପରି ଲୋକମାନଙ୍କୁ ଆଉ ଏକ କଷ୍ଟ ସହିବାକୁ ପଡ଼ୁଥିଲା ।
୮ ସେହି ସମୟରେ ଅନେକ ଯିହୁଦୀ ମାନୁଥିଲେ ଯେ ଯେଉଁମାନଙ୍କୁ କୌଣସି ରୋଗ ହୋଇଛି କିମ୍ବା ଯେଉଁମାନେ ବିକଳାଙ୍ଗ ଅଟନ୍ତି ସେମାନେ ନିଜର କିମ୍ବା ନିଜ ବାପାମାଆଙ୍କର ପାପର ପରିଣାମ ଭୋଗୁଛନ୍ତି । (ଯୋହ. ୯:୨) ଏହି ଭୁଲ ଚିନ୍ତାଧାରା ଯୋଗୁଁ ଲୋକମାନେ ସେମାନଙ୍କ ସହିତ ବହୁତ ଖରାପ ବ୍ୟବହାର କରୁଥିଲେ ଏବଂ ସେମାନଙ୍କୁ ଏପରି ଅନୁଭବ କରାଉଥିଲେ ଯେ ସେମାନେ ବେକାର ଅଟନ୍ତି । କିନ୍ତୁ ଯିଶାଇୟଙ୍କ ଭବିଷ୍ୟତବାଣୀ ଅନୁସାରେ ଯୀଶୁ ସେମାନଙ୍କୁ ଠିକ୍ କଲେ ଏବଂ ସେମାନଙ୍କ କଷ୍ଟଗୁଡ଼ିକୁ ଦୂର କଲେ । ଯୀଶୁ ଅନୁଭବ କରାଇଲେ ଯେ ଯିହୋବା ସେମାନଙ୍କ ବହୁତ ଚିନ୍ତା କରନ୍ତି । ଏହାଯୋଗୁଁ ସେମାନଙ୍କୁ ବଞ୍ଚିବାର ଏକ ଆଶା ମିଳିଥିବ । ଏବେ ଆସନ୍ତୁ ଦେଖିବା ଯେ ଯୀଶୁ ଆମ ବିଷୟରେ କିପରି ଅନୁଭବ କରନ୍ତି ।
୯. ଏବ୍ରୀ ୪:୧୫, ୧୬ ପଦରୁ କିପରି ଜଣାପଡ଼େ ଯେ ଆମ ମହାଯାଜକ ଆମ ଭଳି ପାପୀ ମଣିଷମାନଙ୍କୁ ସହାନୁଭୂତି ଦେଖାନ୍ତି ?
୯ ଏବ୍ରୀ ୪:୧୫, ୧୬ ପଢ଼ନ୍ତୁ । ଆମେ ପୂରା ଭରସା କରିପାରିବା ଯେ ଯୀଶୁ ଆମକୁ ମଧ୍ୟ ସହାନୁଭୂତି ଦେଖାନ୍ତି । ଏହି ପଦରେ ଯେଉଁ ଗ୍ରୀକ୍ ଶବ୍ଦର ଅନୁବାଦ “ସହାନୁଭୂତି” କରାଯାଇଛି, ତାହାର ଅର୍ଥ ହେଉଛି କାହାରି କଷ୍ଟକୁ ଦେଖି ଦୟାରେ ବିଗଳିତ ହେବା ଏବଂ ତାଙ୍କ କଷ୍ଟକୁ ଅନୁଭବ କରିବା । ଯୀଶୁ ଯେଉଁ ଚମତ୍କାରଗୁଡ଼ିକ କରିଥିଲେ, ସେଥିରୁ ଏହା ଜଣାପଡ଼େ ଯେ ସେ ଲୋକମାନଙ୍କ କଷ୍ଟକୁ ଦେଖି କିପରି ଅନୁଭବ କରିଥିବେ । ସେ ନିଜର ଦାୟିତ୍ୱ ଭାବି ଲୋକମାନଙ୍କୁ ଠିକ୍ କଲେ ନାହିଁ, ବରଂ ତାଙ୍କୁ ସତରେ ଲୋକମାନଙ୍କର ଚିନ୍ତା ଥିଲା ଏବଂ ସେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଚାହୁଁଥିଲେ । ଯେପରି, ଯେବେ ସେ ସେହି କୁଷ୍ଠ ରୋଗୀକୁ ଠିକ୍ କଲେ ତେବେ ସେ ଚାହିଁଥିଲେ ଦୂରରୁ ମଧ୍ୟ ଠିକ୍ କରିପାରିଥାʼନ୍ତେ । କିନ୍ତୁ ସେ ତାʼର ପାଖକୁ ଗଲେ ଏବଂ ତାକୁ ସ୍ପର୍ଶ କରି ଠିକ୍ କଲେ । ହୁଏତ ଅନେକ ବର୍ଷ ପରେ କେହି ତାକୁ ସ୍ପର୍ଶ କରିଥିଲେ । କʼଣ ଆପଣ ଭାବି ପାରୁଛନ୍ତି ଯେ ଏଥିରୁ ସେହି ବ୍ୟକ୍ତିକୁ କିପରି ଅନୁଭବ ହୋଇଥିବ ? ତାʼସହିତ ଧ୍ୟାନ ଦିଅନ୍ତୁ ଯେ ଯୀଶୁ କିପରି ସେହି ବଧିର ବ୍ୟକ୍ତିକୁ ଠିକ୍ କଲେ । ସେ ତାକୁ ଭିଡ଼ରୁ ଦୂର ଏକ ଶାନ୍ତ ଜାଗାକୁ ନେଲେ ଏବଂ ଏକୁଟିଆରେ ଠିକ୍ କଲେ । ଆଉ ସେହି ସ୍ତ୍ରୀ ବିଷୟରେ ଭାବନ୍ତୁ ଯିଏ ନିଜ ପାପଗୁଡ଼ିକର ପଶ୍ଚାତାପ କରିଥିଲା । ସେ ନିଜର ଅଶ୍ରୁଜଳରେ ଯୀଶୁଙ୍କ ଗୋଡ଼କୁ ଧୋଇଲା ଏବଂ ନିଜ କେଷରୁ ତାହାକୁ ପୋଛିଲା । ଫାରୂଶୀମାନେ ତାକୁ ତୁଚ୍ଛ ମନେ କରୁଥିଲେ, କିନ୍ତୁ ଯୀଶୁ ସେହି ଫାରୂଶୀମାନଙ୍କ ଚିନ୍ତାଧାରାକୁ ସୁଧାରିଲେ ଏବଂ ସେହି ସ୍ତ୍ରୀର ପକ୍ଷ ନେଇ କହିଲେ । (ମାଥି. ୮:୩; ମାର୍କ ୭:୩୩; ଲୂକ ୭:୪୪) ଯୀଶୁ କେବେ ମଧ୍ୟ ପାପୀ ଓ ରୋଗୀମାନଙ୍କୁ ତୁଚ୍ଛ ମନେ କଲେ ନାହିଁ । ଏହା ପରିବର୍ତ୍ତେ ସେ ସେମାନଙ୍କୁ ନିଜ ପାଖକୁ ଡାକିଲେ ଏବଂ ସେମାନଙ୍କ ସହିତ ବହୁତ ପ୍ରେମର ସହ ବ୍ୟବହାର କଲେ । ତେଣୁ ଆମେ ପୂରା ଭରସା କରିପାରିବା ଯେ ଯୀଶୁ ଆମକୁ ମଧ୍ୟ ପ୍ରେମ କରନ୍ତି ଏବଂ ଆମକୁ ସହାନୁଭୂତି ଦେଖାନ୍ତି ।
ଆମେ ନିଜ ମହାଯାଜକଙ୍କ ଭଳି କʼଣ କରିପାରିବା ?
୧୦. ଯେଉଁମାନେ ଦେଖିପାରନ୍ତି ନାହିଁ କିମ୍ବା ଶୁଣିପାରନ୍ତି ନାହିଁ, ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆମେ କʼଣ କରିଥାଉ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୧୦ ଆମେ ମଧ୍ୟ ଯୀଶୁଙ୍କ ଭଳି ହେବା ପାଇଁ ଚାହୁଁ, ସେଥିପାଇଁ ଆମେ ଅନ୍ୟମାନଙ୍କୁ ପ୍ରେମ କରୁ, ସେମାନଙ୍କ କଷ୍ଟଗୁଡ଼ିକୁ ଅନୁଭବ କରୁ ଏବଂ ସେମାନଙ୍କୁ ସହାନୁଭୂତି ଦେଖାଉ । (୧ ପିତ. ୨:୨୧; ୩:୮) ଯୀଶୁଙ୍କ ଭଳି ଆମେ ଚମତ୍କାର କରି ଲୋକଙ୍କୁ ଠିକ୍ ତ କରିପାରି ନ ଥାଉ, କିନ୍ତୁ ଆମେ ସେମାନଙ୍କୁ ଯିହୋବାଙ୍କ ନିକଟବର୍ତ୍ତୀ ହେବା ପାଇଁ ନିଶ୍ଚୟ ସାହାଯ୍ୟ କରିଥାଉ । ଯେପରି, ଯିହୋବାଙ୍କ ସଂଗଠନ ୧୦୦ରୁ ବି ଅଧିକ ସାଇନ୍ ଲାଙ୍ଗୁଏଜରେ ବାଇବଲ ଆଧାରିତ ପ୍ରକାଶନ ପ୍ରସ୍ତୁତ କରେ । ଯେଉଁମାନେ ଦେଖିପାରନ୍ତି ନାହିଁ, ସେମାନଙ୍କ ପାଇଁ ସଂଗଠନ ୬୦ରୁ ବି ଅଧିକ ବ୍ରେଲ୍ ଭାଷାରେ ବହି ପ୍ରକାଶିତ କରେ । ଆଉ ଯେଉଁମାନେ ଠିକ୍ରେ ଦେଖିପାରନ୍ତି ନାହିଁ, ସେମାନଙ୍କ ପାଇଁ ୧୦୦ରୁ ବି ଅଧିକ ଭାଷାରେ ଅଡିଓ ଡେସକ୍ରିପସନ୍ ପ୍ରସ୍ତୁତ କରାଯାଏ (ଭିଡିଓରେ ଯେଉଁ ଦୃଶ୍ୟ ଚାଲୁଥାଏ, ତାହାକୁ ଅଡିଓ ଡେସକ୍ରିପସନ୍ରେ କୁହାଯାଏ) । ଏହାଯୋଗୁଁ ଯେଉଁ ଲୋକମାନେ ଦେଖିପାରନ୍ତି ନାହିଁ କିମ୍ବା ଶୁଣିପାରନ୍ତି ନାହିଁ, ସେମାନେ ମଧ୍ୟ ଯିହୋବା ଓ ତାଙ୍କ ପୁତ୍ର ଯୀଶୁଙ୍କ ନିକଟବର୍ତ୍ତୀ ହୋଇପାରନ୍ତି ।
ବାଇବଲ ଉପରେ ଆଧାରିତ ଆମ ପ୍ରକାଶନଗୁଡ଼ିକ ୧,୦୦୦ରୁ ବି ଅଧିକ ଭାଷାରେ ଉପଲବ୍ଧ ଅଛି
ବାମ ପଟେ: ୧୦୦ରୁ ବି ଅଧିକ ସାଇନ୍ ଲାଙ୍ଗୁଏଜରେ
ଡାହାଣ ପଟେ: ୬୦ରୁ ବି ଅଧିକ ବ୍ରେଲ୍ ଭାଷାରେ
(ପାରାଗ୍ରାଫ ୧୦)
୧୧. ଆମେ କାହିଁକି କହିପାରିବା ଯେ ଯୀଶୁଙ୍କ ଭଳି ଯିହୋବାଙ୍କ ସଂଗଠନ ମଧ୍ୟ ସବୁ ପ୍ରକାରର ଲୋକଙ୍କୁ ଯିହୋବାଙ୍କ ନିକଟତର ହେବା ପାଇଁ ସାହାଯ୍ୟ କରୁଛି ? (ପ୍ରେରିତ ୨:୫-୭, ୩୩) (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୧୧ ଆଜି ଯିହୋବାଙ୍କ ସଂଗଠନ ସବୁ ପ୍ରକାରର ଲୋକଙ୍କୁ ଯିହୋବାଙ୍କ ନିକଟତର ହେବା ପାଇଁ କଠିନ ପରିଶ୍ରମ କରୁଛି । ସେହି ଘଟଣାକୁ ମନେ ପକାନ୍ତୁ, ଯୀଶୁଙ୍କ ଜୀବିତ ହେବା ପରେ କʼଣ ହୋଇଥିଲା ? ସେ ପେଣ୍ଟିକଷ୍ଟ ଦିନରେ ପବିତ୍ର ଶକ୍ତି ବୃଷ୍ଟି କଲେ, ଯାହାଫଳରେ ଯେଉଁ ଲୋକମାନେ ପର୍ବ ପାଇଁ ଆସିଥିଲେ ସେମାନେ “ଆପଣା ଆପଣା ଭାଷାରେ” ସୁସମାଚାର ଶୁଣିପାରିଲେ । (ପ୍ରେରିତ ୨:୫-୭, ୩୩ ପଢ଼ନ୍ତୁ ।) ଯୀଶୁଙ୍କ ନେତୃତ୍ୱରେ ଆଜି ସଂଗଠନ ୧,୦୦୦ରୁ ବି ଅଧିକ ଭାଷାରେ ବାଇବଲ ଆଧାରିତ ପ୍ରକାଶନ ପ୍ରସ୍ତୁତି କରୁଛି, ସେହି ଭାଷାଗୁଡ଼ିକରେ ମଧ୍ୟ ଯାହାକୁ ବହୁତ କମ୍ ଲୋକ କହନ୍ତି । ଯେପରି, ଉତ୍ତର ଓ ଦକ୍ଷିଣ ଆମେରିକାରେ ଏପରି ଅନେକ ଭାଷା ରହିଛି (ଏମେରିଣ୍ଡିଆନ ଭାଷାଗୁଡ଼ିକ), ଯାହାକୁ ବହୁତ କମ୍ ଲୋକ କହନ୍ତି । ତଥାପି ଏହି ଭାଷାଗୁଡ଼ିକ ମଧ୍ୟରୁ ୧୬୦ରୁ ବି ଅଧିକ ଭାଷାରେ ଆମ ପ୍ରକାଶନ ପ୍ରସ୍ତୁତ କରାଯାଇଛି, ଯାହାଫଳରେ ଅଧିକରୁ ଅଧିକ ଲୋକ ସୁସମାଚାରକୁ ଶୁଣିପାରନ୍ତୁ । ଏହା ବ୍ୟତୀତ ୟୁରୋପରେ ରହୁଥିବା ରୋମା ସମ୍ପ୍ରଦାୟର ଲୋକମାନେ ଅନେକ ଭାଷା (ରୋମାନୀ ଭାଷାଗୁଡ଼ିକ) କହନ୍ତି । ଆମ ସଂଗଠନ ସେମାନଙ୍କ ପାଇଁ ୨୦ରୁ ବି ଅଧିକ ରୋମାନୀ ଭାଷାରେ ପ୍ରକାଶନ ପ୍ରକାଶିତ କରିଛି । ଏହି ଭାଷାଗୁଡ଼ିକୁ କହୁଥିବା ହଜାର ହଜାର ଲୋକ ସତ୍ୟକୁ ଆପଣାଇଛନ୍ତି ଏବଂ ଯିହୋବାଙ୍କ ସେବା କରୁଛନ୍ତି ।
ବାମ ପଟେ: ୧୬୦ରୁ ବି ଅଧିକ ଏମେରିଣ୍ଡିଆନ୍ ଭାଷାରେ
ଡାହାଣ ପଟେ: ୨୦ରୁ ବି ଅଧିକ ରୋମାନୀ ଭାଷାରେ
(ପାରାଗ୍ରାଫ ୧୧)
୧୨. ଯିହୋବାଙ୍କ ସଂଗଠନ ଆଉ କେଉଁ ଉପାୟରେ ଲୋକମାନଙ୍କର ସାହାଯ୍ୟ କରନ୍ତି ?
୧୨ ସୁସମାଚାରକୁ ଦୂର ଦୂରାନ୍ତ ଯାଏ ପହଞ୍ଚାଇବା ଛଡ଼ା ଯିହୋବାଙ୍କ ସଂଗଠନ ରିଲିଫ୍ କାମ ମଧ୍ୟ କରେ । ଯେବେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଘଟେ, ତେବେ ହଜାର ହଜାର ଭାଇଭଉଣୀମାନେ ସେହି ଭାଇଭଉଣୀଙ୍କ ସାହାଯ୍ୟ କରନ୍ତି ଯେଉଁମାନଙ୍କୁ ସାହାଯ୍ୟର ଆବଶ୍ୟକ ଥାଏ । ତାʼସହିତ ଆମ ସଂଗଠନ ଯେତେ ଶୀଘ୍ର ହୋଇପାରେ ଉପାସନାର ଜାଗାଗୁଡ଼ିକ ମଧ୍ୟ ପ୍ରସ୍ତୁତ କରିବା ପାଇଁ ଚେଷ୍ଟା କରେ, ଯାହାଫଳରେ ଲୋକମାନେ ସେଇଠି ଏକାଠି ହୋଇ ଯିହୋବାଙ୍କ ବିଷୟରେ ଶିଖିପାରନ୍ତୁ ଏବଂ ତାଙ୍କ ପ୍ରେମକୁ ଅନୁଭବ କରିପାରନ୍ତୁ ।
ଆମ ମହାଯାଜକ ଆପଣଙ୍କୁ ସାହାଯ୍ୟ କରିପାରିବ
୧୩. ଯୀଶୁ କେଉଁ ଉପାୟଗୁଡ଼ିକରୁ ଆମକୁ ସାହାଯ୍ୟ କରନ୍ତି ?
୧୩ ଯୀଶୁ ଜଣେ ଭଲ ମେଷପାଳକ ଅଟନ୍ତି ଏବଂ ଯିହୋବାଙ୍କ ସହ ଆମ ସମ୍ପର୍କ ସର୍ବଦା ଦୃଢ଼ ରହୁ ବୋଲି ସେ ଆମ ମଧ୍ୟରୁ ପ୍ରତ୍ୟେକଙ୍କୁ ସାହାଯ୍ୟ କରନ୍ତି । (ଯୋହ. ୧୦:୧୪; ଏଫି. ୪:୭) କିନ୍ତୁ ବେଳେବେଳେ ଆମେ ଏତେ ନିରାଶ ହୋଇଯାଉ ଯେ ଆମେ ଛେଚାନଳ ଓ ସଧୂମ ବଳିତା ଭଳି ଅନୁଭବ କରୁ । ହୁଏତ ଆମକୁ କୌଣସି ଗମ୍ଭୀର ରୋଗ ହୋଇଯାଏ, ଆମେ କୌଣସି ପାପ କରିଦେଉ କିମ୍ବା କୌଣସି ଭାଇ କିମ୍ବା ଭଉଣୀଙ୍କ ସହ ଆମ ସମ୍ପର୍କ ଖରାପ ହୋଇଯାଏ । ଏପରି ସମୟରେ ହୁଏତ ଆମେ କେବଳ ନିଜ ସମସ୍ୟା ବିଷୟରେ ଭାବିବା ଏବଂ ଭବିଷ୍ୟତ ପାଇଁ ଆମ ପାଖରେ ଯେଉଁ ଆଶା ଅଛି, ଆମେ ତାହା ଉପରେ ଧ୍ୟାନ ହିଁ ଦେଇପାରିବାନି । କିନ୍ତୁ ମନେ ରଖନ୍ତୁ, ଯୀଶୁ ଆପଣଙ୍କୁ ସହାନୁଭୂତି ଦେଖାନ୍ତି, ସେ ଆପଣଙ୍କ କଷ୍ଟକୁ ବୁଝନ୍ତି ଏବଂ ଆପଣ କିପରି ଅନୁଭବ କରୁଛନ୍ତି ତାହା ଜାଣନ୍ତି । ସେଥିପାଇଁ ସେ ନିଶ୍ଚୟ ଆପଣଙ୍କୁ ସାହାଯ୍ୟ କରିବେ । ଯେପରି, ଯେବେ ଆପଣ ଦୁର୍ବଳ ଅନୁଭବ କରନ୍ତି, ତେବେ ସେ ପବିତ୍ର ଶକ୍ତି ଦ୍ୱାରା ଆପଣଙ୍କୁ ବଳ ଦେଇପାରିବେ । (ଯୋହ. ୧୬:୭; ତୀତ. ୩:୬) ତାʼଛଡ଼ା ସେ ଆମକୁ ‘ମନୁଷ୍ୟମାନଙ୍କ ରୂପରେ ବର ଦାନ’ ଦେଇଛନ୍ତି ଅର୍ଥାତ୍ ପ୍ରାଚୀନମାନେ, ଯେଉଁମାନଙ୍କ ଜରିଆରେ ଏବଂ ଅନ୍ୟ ଭାଇଭଉଣୀମାନଙ୍କ ଜରିଆରେ ସେ ଆମର ଉତ୍ସାହ ବଢ଼ାନ୍ତି ଏବଂ ସାହାଯ୍ୟ କରନ୍ତି ।—ଏଫି. ୪:୮.
୧୪. ଯେବେ ଆମେ କୌଣସି କାରଣ ଯୋଗୁଁ ନିରାଶ ହୋଇଯାଉ, ତେବେ ଆମେ କେଉଁ କଥା ମନେ ରଖିବା ଉଚିତ୍ ?
୧୪ ଯେବେ ଆପଣ ପୂରାପୂରି ଭାଙ୍ଗିପଡ଼ନ୍ତି ଏବଂ ସାହସ ହରାଇବାକୁ ଲାଗନ୍ତି, ତେବେ ମନେ ରଖନ୍ତୁ ଯେ ଯୀଶୁ ଆମର ମହାଯାଜକ ଅଟନ୍ତି । ଯିହୋବା ତାଙ୍କୁ କେବଳ ମୁକ୍ତିର ମୂଲ୍ୟ ଦେବା ପାଇଁ ନୁହେଁ, ବରଂ ଆମ କଷ୍ଟଗୁଡ଼ିକୁ ବୁଝିବା ପାଇଁ ମଧ୍ୟ ପୃଥିବୀକୁ ପଠାଇଥିଲେ । ସେଥିପାଇଁ ଆଗକୁ ଯାଇ ଯେବେ ବି ଆପଣ ନିଜ ଦୁର୍ବଳତା କିମ୍ବା ପାପ ଯୋଗୁଁ ନିରାଶ ହୋଇଯାʼନ୍ତି, ତେବେ ମନେ ରଖନ୍ତୁ ଯେ ଯୀଶୁ ଆମକୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ଏବଂ ସେ ଏପରି “ଉପଯୁକ୍ତ ସମୟରେ” କରିବେ ।—ଏବ୍ରୀ ୪:୧୫, ୧୬.
୧୫. ମଣ୍ଡଳୀରେ ପୁଣି ଫେରି ଆସିବା ପାଇଁ ଜଣେ ଭାଇଙ୍କୁ କିପରି ସାହାଯ୍ୟ କରାଗଲା ?
୧୫ ଯିହୋବାଙ୍କ ଯେଉଁ ମେଷମାନେ ତାଙ୍କଠାରୁ ଦୂରକୁ ଚାଲିଯାʼନ୍ତି, ସେମାନଙ୍କୁ ଖୋଜିବା ପାଇଁ ଏବଂ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ବି ଯୀଶୁ ନିଜ ଲୋକଙ୍କ ମାର୍ଗଦର୍ଶନ କରନ୍ତି । (ମାଥି. ୧୮:୧୨, ୧୩) ଭାଇ ଷ୍ଟେଫାନୋଙ୍କb ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ତାଙ୍କୁ ମଣ୍ଡଳୀରୁ ବାହାର କରି ଦିଆଯାଇଥିଲା । ୧୨ ବର୍ଷ ପରେ ସେ ଭାବିଲେ ଯେ ସେ ସଭାକୁ ଯିବେ । ସେ କହନ୍ତି, “ମୁଁ ସଭାକୁ ଯିବା ପାଇଁ ଭାରି ସଂକୋଚ କରୁଥିଲି, ତଥାପି ମୁଁ ସଭାକୁ ଗଲି । ମୁଁ ପୁଣିଥରେ ଯିହୋବାଙ୍କ ପରିବାର ସହ ମିଶି ତାଙ୍କର ସେବା କରିବା ପାଇଁ ଚାହୁଁଥିଲି । ଯେଉଁ ପ୍ରାଚୀନମାନେ ମୋତେ ଭେଟିଲେ, ସେମାନେ ମୋତେ ବହୁତ ଖୁସିର ସହ ସ୍ୱାଗତ କଲେ । କିନ୍ତୁ ଏହାପରେ ବି ମୋତେ ବେଳେବେଳେ ଏପରି ଲାଗୁଥିଲା ଯେ ମୁଁ ବହୁତ ବେକାର ଲୋକ ଏବଂ ମୁଁ ନିଜ ସାହସ ହରାଇବାକୁ ଲାଗୁଥିଲି । କିନ୍ତୁ ପ୍ରାଚୀନମାନେ ମୋତେ ମନେ ପକାଇଲେ ଯେ ଯିହୋବା ଓ ଯୀଶୁ ଚାହାନ୍ତି ଯେ ମୁଁ ଚେଷ୍ଟା କରିବା ଜାରି ରଖେ । ଆଉ ଯେବେ ମୋତେ ମଣ୍ଡଳୀରେ ପୁନଃସ୍ଥାପନ କରାଗଲା, ତେବେ ପୂରା ମଣ୍ଡଳୀ ମୋତେ ଓ ମୋ ପରିବାରକୁ ଖୁସିର ସହ ସ୍ୱାଗତ କଲା । ଆଗକୁ ଯାଇ ମୋ ସ୍ତ୍ରୀ ମଧ୍ୟ ବାଇବଲ ଅଧ୍ୟୟନ କଲେ ଏବଂ ଆଜି ମୋ ପୂରା ପରିବାର ସାଙ୍ଗରେ ମିଶି ଯିହୋବାଙ୍କ ସେବା କରୁଛି ।” ଯେବେ ଆମ ମହାଯାଜକ ଯୀଶୁ ଏହା ଦେଖୁଥିବେ ଯେ ପଶ୍ଚାତାପ କରୁଥିବା ଲୋକମାନଙ୍କ କିପରି ସାହାଯ୍ୟ କରାଯାଉଛି, ତେବେ ଭାବନ୍ତୁ ତାଙ୍କୁ କେତେ ଖୁସି ଲାଗୁଥିବ ।
୧୬. ଯିହୋବା ଆମ ପାଇଁ ସହାନୁଭୂତି ଦେଖାଉଥିବା ମହାଯାଜକ ବାଛିଛନ୍ତି, ଏହା ପାଇଁ ଆପଣ କାହିଁକି ଯିହୋବାଙ୍କର କୃତଜ୍ଞ ?
୧୬ ଯେବେ ଯୀଶୁ ପୃଥିବୀରେ ଥିଲେ, ତେବେ ସେ ଲୋକମାନଙ୍କର କଷ୍ଟକୁ ଦେଖି ବହୁତ ଦୁଃଖି ହେଲେ । ସେଥିପାଇଁ ସେ ତୁରନ୍ତ ସେମାନଙ୍କର ସାହାଯ୍ୟ କଲେ । ଆଜି ଆମେ ବି ଭରସା କରିପାରିବା ଯେ ଆବଶ୍ୟକ ସମୟରେ ସେ ଆମକୁ ବି ସାହାଯ୍ୟ କରିବେ । କେବଳ ଏତିକି ନୁହେଁ, ନୂଆ ଦୁନିଆରେ ମଧ୍ୟ ସେ ବିଶ୍ୱସ୍ତ ଲୋକମାନଙ୍କ ସାହାଯ୍ୟ କରିବେ ଏବଂ ପାପ ଓ ଅପରିପୂର୍ଣ୍ଣତା ଯୋଗୁଁ ଯାହା କ୍ଷତି ହୋଇଛି, ସେସବୁକୁ ଠିକ୍ କରିଦେବେ । ଯିହୋବା ଆମକୁ ବହୁତ ପ୍ରେମ କରନ୍ତି ସେଥିପାଇଁ ସେ ନିଜ ପ୍ରିୟ ପୁତ୍ରଙ୍କୁ ଆମ ପାଇଁ ମହାଯାଜକ ବାଛିଲେ, ଯିଏ ଆମକୁ ସହାନୁଭୂତି ଦେଖାନ୍ତି । ଆଉ ଏହା ପାଇଁ ଆମେ ତାଙ୍କର ବହୁତ କୃତଜ୍ଞ ।
ଗୀତ ୧୩ ଖ୍ରୀଷ୍ଟ ଆମର ଆଦର୍ଶ
a ଯୀଶୁ କିପରି ମନ୍ଦିରରେ ସେବା କରୁଥିବା ମହାଯାଜକଙ୍କ ବଦଳରେ ସେବା କରିବାକୁ ଲାଗିଲେ । ଏବିଷୟରେ ଆହୁରି ଜାଣିବା ପାଇଁ “ଯିହୋବାଙ୍କ ମହାନ ମନ୍ଦିରରେ ସେବା କରିବା—ଗୋଟିଏ ବିଶେଷ ଆଶିଷ” ନାମକ ଲେଖାର ପୃଷ୍ଠା ୨୬, ପାରା. ୭-୯ ପଢ଼ନ୍ତୁ । ଏହି ଲେଖା ଅକ୍ଟୋବର ୨୦୨୩ ମସିହାର ପ୍ରହରୀଦୁର୍ଗରେ ଆସିଥିଲା ।
b ଏହି ନାମ ଭାଇଙ୍କ ଅସଲି ନାମ ନୁହେଁ ।