ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w25 ନଭେମ୍ବର ପୃଷ୍ଠା ୧୦-୧୫
  • ନିଜ ପ୍ରିୟଜନମାନଙ୍କର ଯତ୍ନ ନେଉଥିବା ଭାଇଭଉଣୀମାନେ, ନିଜର ଖୁସି ବଜାୟ ରଖନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ନିଜ ପ୍ରିୟଜନମାନଙ୍କର ଯତ୍ନ ନେଉଥିବା ଭାଇଭଉଣୀମାନେ, ନିଜର ଖୁସି ବଜାୟ ରଖନ୍ତୁ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • କେଉଁ କାରଣଗୁଡ଼ିକ ଯୋଗୁଁ ସେମାନେ ନିଜ ଖୁସି ହରାଇ ବସିବେ ?
  • ନିଜ ଖୁସି ବଜାୟ ରଖିବା ପାଇଁ ଆପଣ କʼଣ କରିପାରିବେ ?
  • ମଣ୍ଡଳୀର ଭାଇଭଉଣୀମାନେ କିପରି ସାହାଯ୍ୟ କରିପାରିବେ ?
  • ବୃଦ୍ଧାବସ୍ଥାରେ ବି ଖୁସି ବଜାୟ ରଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • କେବଳ ଯିହୋବା ପ୍ରକୃତ ଖୁସି ଦେଇପାରିବେ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
    ୨୦୨୫-୨୦୨୬ ସର୍କିଟ ସମ୍ମିଳନୀ ପାଇଁ କାର୍ଯ୍ୟକ୍ରମ ସର୍କିଟ ଅଧ୍ୟକ୍ଷଙ୍କ ସହିତ
  • ପ୍ରଚାର କାମରେ ଆହୁରି ଖୁସି ପାଆନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
w25 ନଭେମ୍ବର ପୃଷ୍ଠା ୧୦-୧୫

ଅଧ୍ୟୟନ ଲେଖା ୪୫

ଗୀତ ୧୧୧ ଆମ ଖୁସିର କାରଣ

ନିଜ ପ୍ରିୟଜନମାନଙ୍କର ଯତ୍ନ ନେଉଥିବା ଭାଇଭଉଣୀମାନେ, ନିଜର ଖୁସି ବଜାୟ ରଖନ୍ତୁ

“ଯେଉଁମାନେ କାନ୍ଦି କାନ୍ଦି ବିହନ ବୁଣନ୍ତି, ସେମାନେ ଆନନ୍ଦ କରୁ କରୁ ଶସ୍ୟ କାଟିବେ ।”—ଗୀତ. ୧୨୬:୫.

କʼଣ ଶିଖିବା ?

ଏହି ଲେଖାରେ ସେହି ଲୋକମାନଙ୍କ ପାଇଁ ଭଲ ପରାମର୍ଶ ଦିଆଯାଇଛି ଯେଉଁମାନେ ବୃଦ୍ଧବୃଦ୍ଧା କିମ୍ବା ରୋଗରେ ପୀଡ଼ିତ ଲୋକମାନଙ୍କର ଯତ୍ନ ନିଅନ୍ତି । ଏଥିରେ କୁହାଯାଇଛି ଯେ ସେମାନେ କିପରି ନିଜର ଖୁସି ବଜାୟ ରଖିପାରିବେ ।

୧-୨. ନିଜ ପ୍ରିୟଜନମାନଙ୍କର ଯତ୍ନ ନେଉଥିବା ଭାଇଭଉଣୀମାନଙ୍କ ପାଇଁ ଯିହୋବା କିପରି ଅନୁଭବ କରନ୍ତି ? (ହିତୋପଦେଶ ୧୯:୧୭) (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

କୋରିଆରେ ଥିବା ଭାଇ ଜିନ-ଏଲ କହନ୍ତି, “ମୋ ବିବାହକୁ ୩୨ ବର୍ଷ ହୋଇଯାଇଛି । ମୋ ସ୍ତ୍ରୀ ପାର୍କିନ୍‌ସନ୍‌ ନାମକ ସ୍ନାୟୁ ଜନିତ ରୋଗରେ ପୀଡ଼ିତ । ଗତ ୫ ବର୍ଷରୁ ମୁଁ ତାଙ୍କର ଯତ୍ନ ନେଉଛି । ସେ ବିଛଣାରେ ହିଁ ପଡ଼ି ରହନ୍ତି ଏବଂ କିଛି ବି କରିପାରନ୍ତି ନାହିଁ । ମୁଁ ନିଜ ସ୍ତ୍ରୀଙ୍କୁ ବହୁତ ପ୍ରେମ କରେ ଏବଂ ତାଙ୍କର ଯତ୍ନ ନେବା ମୋତେ ଭଲ ଲାଗେ । ମୁଁ ତାଙ୍କ ପାଇଁ ନିଜ ଘରେ ହସ୍ପିଟାଲ ବେଡ୍‌ ରଖିଛି । ମୋ ବିଛଣା, ତାଙ୍କ ବିଛଣାକୁ ଲାଗିକି ଅଛି ଏବଂ ରାତିରେ ପରସ୍ପରର ହାତ ଧରି ଶୋଉ ।”

୨ କʼଣ ଆପଣ ନିଜ ବୃଦ୍ଧ ବାପାମାଆଙ୍କ ଯତ୍ନ ନେଉଛନ୍ତି ? ନା ଆପଣ ରୋଗରେ ପୀଡ଼ିତ ନିଜ ଜୀବନସାଥୀଙ୍କ, ପିଲାମାନଙ୍କ କିମ୍ବା କୌଣସି ସାଙ୍ଗର ଯତ୍ନ ନେଉଛନ୍ତି ? ଆମେ ଜାଣୁ ଯେ ଆପଣ ସେମାନଙ୍କୁ ବହୁତ ପ୍ରେମ କରନ୍ତି, ସେଥିପାଇଁ ସେମାନଙ୍କର ଭଲଭାବେ ଯତ୍ନ ନିଅନ୍ତି ଏବଂ ଏଥିରୁ ଆପଣଙ୍କୁ ଖୁସି ମିଳେ । ନିଜ ପ୍ରିୟଜନମାନଙ୍କର ଯତ୍ନ ନେଇ ଆପଣ ଏହା ଦେଖାନ୍ତି ଯେ ଆପଣ ଯିହୋବାଙ୍କୁ ପ୍ରେମ କରନ୍ତି ଏବଂ ତାଙ୍କୁ ଖୁସି କରିବା ପାଇଁ ଚାହାନ୍ତି । (୧ ତୀମ. ୫:୪, ୮; ଯାକୁ. ୧:୨୭) କିନ୍ତୁ ସେମାନଙ୍କର ଯତ୍ନ ନେବା ସହଜ ହୋଇ ନ ଥାଏ । ଆପଣଙ୍କୁ ଏପରି ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିପାରେ, ଯାହା ବିଷୟରେ ଅନ୍ୟମାନେ ଜାଣି ନ ଥାʼନ୍ତି । ବେଳେବେଳେ ଆପଣ ବହୁତ ନିରାଶ ହୋଇପାରନ୍ତି ଏବଂ ଆପଣଙ୍କୁ ଲାଗିପାରେ ଯେ କେହି ଆପଣଙ୍କର କଷ୍ଟ ବୁଝନ୍ତି ନାହିଁ । ଲୋକମାନଙ୍କ ମଧ୍ୟରେ ଥିବା ସମୟରେ ଆପଣ ବହୁତ ଖୁସି ଥାʼନ୍ତି, କିନ୍ତୁ ଏକୁଟିଆ ଥିବା ସମୟରେ ଆପଣ ବହୁତ ଦୁଃଖି ରହନ୍ତି । (ଗୀତ. ୬:୬) ଯଦିଓ ଅନ୍ୟମାନେ ଏହା ଜାଣି ନାହାନ୍ତି ଯେ ଆପଣଙ୍କ ଉପରେ କʼଣ ବିତୁଛି, କିନ୍ତୁ ଯିହୋବା ଆପଣଙ୍କ ବିଷୟରେ ସବୁକିଛି ଜାଣନ୍ତି । (ଯାତ୍ରା ପୁସ୍ତକ ୩:୭ ପଦ ସହ ତୁଳନା କରନ୍ତୁ ।) ସେ ଆପଣଙ୍କ ପ୍ରତ୍ୟେକ ଲୁହର ହିସାବ ରଖନ୍ତି ଏବଂ ଆପଣ ଯାହା ତ୍ୟାଗ କରନ୍ତି, ତାହାକୁ ସେ ବହୁମୂଲ୍ୟ ମନେ କରନ୍ତି । (ଗୀତ. ୫୬:୮; ୧୨୬:୫) ଆପଣ ନିଜ ପ୍ରିୟଜନମାନଙ୍କ ପାଇଁ ଯାହା ବି କରୁଛନ୍ତି, ଯିହୋବା ସେସବୁକୁ ଧ୍ୟାନ ଦିଅନ୍ତି । ସେ ନିଜକୁ ଆପଣଙ୍କର ଋଣୀ ବୋଲି ଭାବନ୍ତି ଏବଂ ସେ ପ୍ରତିଜ୍ଞା କରିଛନ୍ତି ଯେ ଆପଣଙ୍କର ସବୁ ଋଣକୁ ସୁଝିଦେବେ ।—ହିତୋପଦେଶ ୧୯:୧୭ ପଢ଼ନ୍ତୁ ।

ଚିତ୍ରଗୁଡ଼ିକ: କିଛି ଭାଇଭଉଣୀ ଅନ୍ୟମାନଙ୍କର ଯତ୍ନ ନେଉଛନ୍ତି । ୧. ଜଣେ ଭଉଣୀ ବିଛଣାରେ ପଡ଼ିଥିବା ନିଜ ବୃଦ୍ଧା ମାଆଙ୍କୁ କିଛି ପିଇବା ପାଇଁ ଦେଉଛନ୍ତି । ୨. ଜଣେ ଭଉଣୀ ହ୍ୱିଲଚେୟାରରେ ଥିବା ନିଜ ସ୍ୱାମୀଙ୍କୁ ଜୋତା ପିନ୍ଧାଉଛନ୍ତି । ୩. ମାଆ ନିଜ ପୁଅକୁ ହେଲମେଟ ପିନ୍ଧାଉଛନ୍ତି, ଯାହାକୁ ବିଶେଷ ଯତ୍ନର ଆବଶ୍ୟକ ରହିଛି । ସେ ନିଜ ବାପାଙ୍କ ସହିତ ଫୁଟବଲ୍‌ ଖେଳିବା ପାଇଁ ଯାଉଛି । ୪. ଜଣେ ଭାଇ ଜଣେ ବୃଦ୍ଧ ଭାଇଙ୍କୁ ଦେଖା କରିବା ପାଇଁ ଆସିଛନ୍ତି ଏବଂ ସେମାନେ ଦୁହେଁ ମିଶି ପ୍ରାର୍ଥନା କରୁଛନ୍ତି ।

କʼଣ ଆପଣଙ୍କୁ ନିଜ ପ୍ରିୟଜନମାନଙ୍କର ଯତ୍ନ ନେବାକୁ ପଡ଼ୁଛି ? (ପାରାଗ୍ରାଫ ୨)


୩. ଅବ୍ରହାମ ଓ ସାରାଙ୍କ ପାଇଁ ତେରହଙ୍କ ଯତ୍ନ ନେବା କାହିଁକି କଠିନ ହୋଇଥିବ ?

୩ ବାଇବଲରେ ସେହି ଲୋକମାନଙ୍କ ବିଷୟରେ ମଧ୍ୟ କୁହାଯାଇଛି, ଯେଉଁମାନେ ନିଜ ପ୍ରିୟଜନମାନଙ୍କର ଯତ୍ନ ନେଲେ । ଅବ୍ରହାମ ଓ ସାରାଙ୍କ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ଯେବେ ସେମାନେ ଊର ସହର ଛାଡ଼ିଲେ, ତେବେ ତାଙ୍କର ବାପା ତେରହ ୨୦୦ ବର୍ଷ ବୟସର ଥିଲେ । ତଥାପି ତେରହ ସେମାନଙ୍କ ସହିତ ଗଲେ । ସେମାନଙ୍କୁ ହାରଣ ଯିବା ପାଇଁ ପ୍ରାୟ ୯୬୦ କିଲୋମିଟର (୬୦୦ ମାଇଲ) ପର୍ଯ୍ୟନ୍ତ ଯାତ୍ରା କରିବାକୁ ପଡ଼ିଲା । (ଆଦି. ୧୧:୩୧, ୩୨) ଅବ୍ରହାମ ଓ ସାରା, ତେରହଙ୍କୁ ବହୁତ ପ୍ରେମ କରୁଥିଲେ । କିନ୍ତୁ ଭାବି ଦେଖନ୍ତୁ, ନିଜ ବୃଦ୍ଧ ବାପାଙ୍କ ଯତ୍ନ ନେବା ସେମାନଙ୍କ ପାଇଁ କେତେ କଠିନ ହୋଇଥିବ, କାରଣ ସେହି ସମୟରେ ଯାତ୍ରା କରିବା ସହଜ ନ ଥିଲା । ଲୋକମାନେ ପ୍ରାୟ ଓଟ ଏବଂ ଗଧମାନଙ୍କ ସାହାଯ୍ୟରୁ ହିଁ ଯିବା ଆସିବା କରୁଥିଲେ, ତେଣୁ ତେରହଙ୍କ ପାଇଁ ଏହି ଯାତ୍ରା କରିବା ବହୁତ କଠିନ ହୋଇଥିବ । ନିଜ ବାପାଙ୍କ ଯତ୍ନ ନେଇ ଅବ୍ରହାମ ଓ ସାରା ବେଳେବେଳେ ବହୁତ ଥକି ଯାଉଥିବେ । କିନ୍ତୁ ଆମେ ଭରସା ରଖିପାରିବା ଯେ ଏଥିପାଇଁ ଯିହୋବା ସେମାନଙ୍କୁ ଶକ୍ତି ଦେଇଥିବେ । ଯିହୋବା ଯେପରି ଭାବେ ସେମାନଙ୍କୁ ସମ୍ଭାଳିଲେ, ସେହିପରି ଭାବେ ସେ ଆପଣଙ୍କୁ ବି ସମ୍ଭାଳିବେ ଏବଂ ନିଜ ପ୍ରିୟଜନମାନଙ୍କ ଯତ୍ନ ନେବା ପାଇଁ ଆପଣଙ୍କୁ ଶକ୍ତି ଦେବେ ।—ଗୀତ. ୫୫:୨୨.

୪. ଏହି ଲେଖାରେ ଆମେ କʼଣ ଜାଣିବା ?

୪ ଯେବେ ଜଣେ ବ୍ୟକ୍ତିର ମନ ଖୁସି ଥାଏ, ତେବେ ସେ ସହଜରେ ନିଜର ପ୍ରିୟଜନମାନଙ୍କ ଯତ୍ନ ନେଇପାରେ । (ହିତୋ. ୧୫:୧୩) ଏପରିକି ଯେକୌଣସି ପରିସ୍ଥିତିରେ ବି ସେ ନିଜ ଖୁସି ବଜାୟ ରଖିପାରେ । (ଯାକୁ. ୧:୨, ୩) କିନ୍ତୁ ପ୍ରଶ୍ନ ଉଠେ, ଆପଣ ନିଜ ଖୁସି ବଜାୟ ରଖିବା ପାଇଁ କʼଣ କରିପାରିବେ ? ଗୋଟିଏ ଉପାୟ ହେଉଛି, ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ । ତାଙ୍କୁ ପ୍ରାର୍ଥନାରେ କହନ୍ତୁ ଯେ ସେ ଆପଣଙ୍କୁ ନିଜ ଖୁସି ବଜାୟ ରଖିବା ପାଇଁ ସାହାଯ୍ୟ କରିବେ । ଏହି ଲେଖାରେ ଆମେ ଜାଣିବା ଯେ ଅନ୍ୟମାନଙ୍କ ଯତ୍ନ ନେଉଥିବା ଭାଇଭଉଣୀମାନେ ନିଜ ଖୁସି ବଜାୟ ରଖିବା ପାଇଁ ଆଉ କʼଣ କରିପାରିବେ । ଆମେ ଏହା ବି ଜାଣିବା ଯେ ଭାଇଭଉଣୀମାନେ କିପରି ସେମାନଙ୍କର ସାହାଯ୍ୟ କରିପାରିବେ । କିନ୍ତୁ ପ୍ରଥମେ ଆମେ ଏହା ଜାଣିବା ଯେ ଯେଉଁମାନେ ଅନ୍ୟମାନଙ୍କର ଯତ୍ନ ନିଅନ୍ତି, ସେମାନଙ୍କ ପାଇଁ ନିଜ ଖୁସି ବଜାୟ ରଖିବା କାହିଁକି ବହୁତ ଜରୁରୀ ଏବଂ କେଉଁ କାରଣଗୁଡ଼ିକ ଯୋଗୁଁ ସେମାନେ ନିଜ ଖୁସି ହରାଇ ବସିବେ ।

କେଉଁ କାରଣଗୁଡ଼ିକ ଯୋଗୁଁ ସେମାନେ ନିଜ ଖୁସି ହରାଇ ବସିବେ ?

୫. ଅନ୍ୟମାନଙ୍କ ଯତ୍ନ ନେଉଥିବା ଭାଇଭଉଣୀମାନଙ୍କ ପାଇଁ ନିଜ ଖୁସି ବଜାୟ ରଖିବା କାହିଁକି ବହୁତ ଜରୁରୀ ?

୫ ଯଦି ଅନ୍ୟମାନଙ୍କ ଯତ୍ନ ନେଉଥିବା ଭାଇଭଉଣୀମାନେ ନିଜ ଖୁସି ହରାଇ ବସିବେ, ତାହେଲେ ଅତି ସହଜରେ ସେମାନେ ସାହସ ହରାଇପାରନ୍ତି ଏବଂ ଥକି ଯାଇପାରନ୍ତି । (ହିତୋ. ୨୪:୧୦) ଆଉ ଯଦି ସେମାନେ ଥକିଯାʼନ୍ତି, ତାହେଲେ ସେମାନେ ନିଜ ପ୍ରିୟଜନମାନଙ୍କ ସହିତ ପ୍ରେମର ସହ ବ୍ୟବହାର କରିପାରିବେ ନାହିଁ । ତାʼସହିତ ସେମାନେ ଯେପରି ଭାବେ ତାଙ୍କର ସାହାଯ୍ୟ କରିବା ପାଇଁ ଚାହାନ୍ତି, ସେପରି ସାହାଯ୍ୟ ବି କରିପାରିବେ ନାହିଁ । ତାହେଲେ ଏପରି କେଉଁ କାରଣଗୁଡ଼ିକ ଯୋଗୁଁ ସେମାନେ ନିଜ ଖୁସି ହରାଇପାରନ୍ତି ? ଆସନ୍ତୁ ଜାଣିବା ।

୬. ନିଜ ପ୍ରିୟଜନମାନଙ୍କ ଯତ୍ନ ନେଉଥିବା ଭାଇଭଉଣୀ ହୁଏତ କାହିଁକି ପୂରାପୂରି ଥକିଯାʼନ୍ତି ?

୬ ହୁଏତ ଆପଣ ପୂରାପୂରି ଭାବେ ଥକିଯାʼନ୍ତି । ଲିୟା ନାମକ ଭଉଣୀ କହନ୍ତି, “ଯେଉଁ ଦିନ ସବୁକିଛି ଠିକ୍‌ ଥାଏ, ସେହି ଦିନ ବି ମୁଁ ପୂରାପୂରି ଥକିଯାଏ । ଦିନ ଶେଷ ହେଉ ହେଉ ମୋତେ ଲାଗେ ଯେ ମୋ ପାଖରେ ଆଉ ଶକ୍ତି ନାହିଁ । ବେଳେବେଳେ ତ କାହାରି ମେସେଜର ଉତ୍ତର ଦେବା ପାଇଁ ବି ମୋ ପାଖରେ ଶକ୍ତି ନ ଥାଏ ।” କିଛି ଭାଇଭଉଣୀଙ୍କୁ ତ ଆରାମ କରିବା ପାଇଁ ବି ସମୟ ମିଳେ ନାହିଁ ଏବଂ ଅନ୍ୟ କିଛି ଭାଇଭଉଣୀ ରାତିରେ ଠିକ୍‌ରେ ଶୋଇ ପାରନ୍ତି ନାହିଁ । ଭଉଣୀ ଇନେସ୍‌ କହନ୍ତି, “ମୁଁ ରାତିରେ ଠିକ୍‌ରେ ଶୋଇ ପାରେ ନାହିଁ । ମୋତେ ପ୍ରତି ଦୁଇ ଘଣ୍ଟାରେ ନିଜ ଶାଶୁଙ୍କୁ ଦେଖିବା ପାଇଁ ଉଠିବାକୁ ପଡ଼େ । ମୁଁ ଓ ମୋ ସ୍ୱାମୀ ଦୀର୍ଘ ସମୟରୁ ବୁଲିବା ପାଇଁ ଯାଇପାରି ନାହୁଁ ।” କିଛି ଭାଇଭଉଣୀ ନିଜ ପ୍ରିୟଜନମାନଙ୍କୁ ଛାଡ଼ି କୁଆଡ଼େ ଯାଇପାରନ୍ତି ନାହିଁ । ଏପରିକି କାହାରି ଘରକୁ ବୁଲିବା ପାଇଁ ଯାଇପାରନ୍ତି ନାହିଁ କିମ୍ବା ମଣ୍ଡଳୀର ଦାୟିତ୍ୱ ବି ନେଇପାରନ୍ତି ନାହିଁ । ଏପରି ପରିସ୍ଥିତିରେ ହୁଏତ ସେମାନେ ଦୁଃଖି ହୋଇଯାʼନ୍ତି କିମ୍ବା ନିଜକୁ ଅସହାୟ ମନେ କରନ୍ତି ।

୭. ନିଜ ପ୍ରିୟଜନମାନଙ୍କ ଯତ୍ନ ନେଉଥିବା କିଛି ଲୋକ ହୁଏତ କାହିଁକି ଦୁଃଖି ହୋଇଯାʼନ୍ତି କିମ୍ବା ଦୋଷୀ ଅନୁଭବ କରନ୍ତି ?

୭ ହୁଏତ ଆପଣ ଦୁଃଖି ହୋଇଯାʼନ୍ତି କିମ୍ବା ନିଜକୁ ଦୋଷୀ ଅନୁଭବ କରନ୍ତି । ଭଉଣୀ ଜେସିକା କହନ୍ତି, “ମୁଁ ଭାବେ ଯେ ମୋତେ ନିଜ ବାପାଙ୍କ ଆହୁରି ସାହାଯ୍ୟ କରିବା ଉଚିତ୍‌ । ସେଥିପାଇଁ ଯେବେ ମୁଁ ନିଜ ପାଇଁ ଟିକେ ସମୟ ବାହାର କରେ କିମ୍ବା ଆରାମ ବି କରେ, ତେବେ ମୋତେ ବହୁତ ଖରାପ ଲାଗେ ।” କିଛି ଲୋକଙ୍କୁ ଏହି କଥା ପାଇଁ ଦୁଃଖ ଲାଗେ ଯେ ସେମାନେ ନିଜ ପ୍ରିୟଜନମାନଙ୍କ ସେତିକି ସାହାଯ୍ୟ କରିପାରୁ ନାହାନ୍ତି, ଯେତିକି ସେମାନଙ୍କୁ କରିବା ଉଚିତ୍‌ । କିଛି ଲୋକ ଏତେ ଥକିଯାʼନ୍ତି ଯେ ସେମାନଙ୍କୁ ଲାଗେ, ସେମାନେ ଆଉ ନିଜର ପ୍ରିୟଜନମାନଙ୍କ ଯତ୍ନ ନେଇପାରିବେ ନାହିଁ । ଆଉ ଏପରି ଭାବିବା ଯୋଗୁଁ ସେମାନେ ନିଜକୁ ଦୋଷୀ ଅନୁଭବ କରନ୍ତି । କିଛି ଲୋକ ଚିଡ଼ି ଯାଇ ନିଜର ପ୍ରିୟଜନମାନଙ୍କୁ ଓଲଟା ସିଧା କଥା କହିଦିଅନ୍ତି ଏବଂ ପରେ ଏହା ପାଇଁ ସେମାନଙ୍କୁ ଅବଶୋଷ ହୁଏ । (ଯାକୁ. ୩:୨) ଆଉ କିଛିମାନଙ୍କୁ ଏହା ଦେଖି ଦୁଃଖ ଲାଗେ ଯେ ଦିନେ ତାଙ୍କର ପ୍ରିୟଜନମାନେ କେତେ ସୁସ୍ଥ ଥିଲେ, କିନ୍ତୁ ଏବେ ସେମାନଙ୍କର ଅବସ୍ଥା ବହୁତ ଖରାପ ହୋଇଯାଇଛି । ଭଉଣୀ ବାରବରା କରନ୍ତି, “ମୋତେ ଏହା ଦେଖି ଜମା ବି ଭଲ ଲାଗେନି ଯେ ମୋ ସାଙ୍ଗ କିପରି ଦିନକୁ ଦିନ ଦୁର୍ବଳ ହୋଇ ହୋଇଯାଉଛି ।”

୮. ଅନ୍ୟମାନଙ୍କ ଯତ୍ନ ନେଉଥିବା ଭାଇଭଉଣୀଙ୍କୁ ପ୍ରଶଂସା କଲେ ସେମାନଙ୍କୁ କିପରି ଲାଗେ ? ଗୋଟିଏ ଅନୁଭୂତି କହନ୍ତୁ ।

୮ ହୁଏତ ଆପଣଙ୍କୁ ଲାଗେ ଯେ ଆପଣଙ୍କ ପରିଶ୍ରମ ପାଇଁ କେହି କୃତଜ୍ଞ ନୁହଁନ୍ତି । ଆପଣଙ୍କୁ ଏପରି କାହିଁକି ଲାଗିପାରେ ? କାରଣ ଆପଣ ଯେଉଁ ପରିଶ୍ରମ ଓ ତ୍ୟାଗ କରନ୍ତି, ହୁଏତ ତାʼପାଇଁ କେହି ଆପଣଙ୍କୁ ଧନ୍ୟବାଦ ଦିଅନ୍ତି ନାହିଁ କିମ୍ବା ଆପଣଙ୍କର ପ୍ରଶଂସା କରନ୍ତି ନାହିଁ । କିନ୍ତୁ ଯଦି କେହି ଆପଣଙ୍କୁ ପ୍ରଶଂସା କରନ୍ତି, ତାହେଲେ ବହୁତ ଉତ୍ସାହ ମିଳିପାରେ । (୧ ଥେସ. ୫:୧୮) ଭଉଣୀ ମେଲିସା ଏବିଷୟରେ କହନ୍ତି, “ବେଳେବେଳେ ମୁଁ ଏତେ ଚିନ୍ତିତ ହୋଇପଡ଼େ ଯେ ମୁଁ କାନ୍ଦିବାକୁ ଲାଗେ । କିନ୍ତୁ ମୁଁ ଯାହାଙ୍କ ଯତ୍ନ ନିଏ ସେ ଯେବେ ମୋତେ କହନ୍ତି, ‘ତମେ ଆମ ପାଇଁ ଯାହା ବି କର ତାʼପାଇଁ ଧନ୍ୟବାଦ,’ ତେବେ ମୋ ଭିତରେ ଉତ୍ସାହ ଭରିଯାଏ । ତେଣୁ ସକାଳେ ଯେବେ ମୁଁ ଉଠେ, ତେବେ ମୁଁ ଖୁସିର ସହ ଆହୁରି ଭଲଭାବେ ତାଙ୍କର ଯତ୍ନ ନେଇପାରେ ।” ଭାଇ ଆମାଦୁ ବି କହନ୍ତି ଯେ ଯେବେ କେହି ତାଙ୍କର ପ୍ରଶଂସା କରନ୍ତି, ତେବେ ତାଙ୍କୁ କିପରି ଲାଗେ । ସେ ଓ ତାଙ୍କ ସ୍ତ୍ରୀ ଦୁହେଁ ମିଶି ତାଙ୍କର ଭାଣିଜୀର ଯତ୍ନ ନିଅନ୍ତି । ସେ ସେମାନଙ୍କ ସହିତ ରହେ ଏବଂ ସେ ଅପସ୍ମାର ବା ମିରଗୀ ରୋଗରେ ପୀଡ଼ିତ । ଭାଇ କହନ୍ତି, “ଆମେ ତାʼପାଇଁ ଯାହା ତ୍ୟାଗ କରୁ, ସେ ସେହି କଥାକୁ ଏତେ ବୁଝିପାରେନି । କିନ୍ତୁ ଯେବେ ବି ସେ ଆମକୁ ଧନ୍ୟବାଦ କହେ କିମ୍ବା ‘ଆଇ ଲଭ ୟୁ’ ଲେଖିକି ଦିଏ, ତେବେ ମୋତେ ଏତେ ଖୁସି ଲାଗେ ଯେ ମୁଁ ତାହା କହିପାରିବି ନାହିଁ ।”

ନିଜ ଖୁସି ବଜାୟ ରଖିବା ପାଇଁ ଆପଣ କʼଣ କରିପାରିବେ ?

୯. ଅନ୍ୟମାନଙ୍କର ଯତ୍ନ ନେଉଥିବା ଭାଇଭଉଣୀମାନେ କିପରି ଦେଖାଇପାରିବେ ଯେ ସେମାନେ ନିଜର ସୀମା ବୁଝନ୍ତି ?

୯ ନିଜ ସୀମା ବୁଝନ୍ତୁ । (ହିତୋ. ୧୧:୨) ଆମେ ବହୁତ କିଛି କରିବା ପାଇଁ ଚାହୁଁ, କିନ୍ତୁ ସବୁକିଛି କରିବା ପାଇଁ ଆମ ପାଖରେ ସମୟ ଓ ଶକ୍ତି ନ ଥାଏ । ସେଥିପାଇଁ ଆମେ କେଉଁ କାମ କରିବା ଏବଂ କେଉଁ କାମ କରିବା ନାହିଁ, ତାହା ଭାବିପାରିବା । ବେଳେବେଳେ ହୁଏତ କିଛି କାମ କରିବା ପାଇଁ ଆମେ ସିଧା ମନା କରିଦେବା । ଏପରି କରିବାରେ କିଛି ଭୁଲ ନାହିଁ । ଏଥିରୁ ଜଣାପଡ଼େ ଯେ ଆମେ ନିଜର ସୀମା ବୁଝୁ । ଯଦି କେହି ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଚାହାନ୍ତି, ତାହେଲେ ଖୁସିର ସହ ତାଙ୍କଠାରୁ ସାହାଯ୍ୟ ନିଅନ୍ତୁ । ଭାଇ ଜୟ କହନ୍ତି, “ଆମ ପାଖରେ ଯେତିକି ସମୟ ଅଛି, ଆମେ ସେତିକି ହିଁ କରିପାରିବା । ଯେବେ ଆମେ ଏହି କଥାକୁ ବୁଝିବା, ତେବେ ଆମେ ନିଜ ସୀମା ଭିତରେ ରହି କାମ କରିବା ପାଇଁ ଚେଷ୍ଟା କରିବା । ଆଉ ଏହିପରି ଭାବେ ଆମେ ନିଜର ଖୁସି ବଜାୟ ରଖିପାରିବା ।”

୧୦. ଅନ୍ୟମାନଙ୍କ ଯତ୍ନ ନେଉଥିବା ଭାଇଭଉଣୀମାନଙ୍କୁ ଭାବିଚିନ୍ତି କାମ କରିବା କାହିଁକି ଜରୁରୀ ? (ହିତୋପଦେଶ ୧୯:୧୧)

୧୦ ଭାବିଚିନ୍ତି କାମ କରନ୍ତୁ । (ହିତୋପଦେଶ ୧୯:୧୧ ପଢ଼ନ୍ତୁ ।) ଯେବେ ଆପଣ ଭାବିଚିନ୍ତି କାମ କରିବେ, ତେବେ ଆପଣ କୌଣସି କଥା ପାଇଁ ଖରାପ ଭାବିବେ ନାହିଁ ଏବଂ ଶାନ୍ତ ରହିବେ । ଆପଣ ଏହା ବୁଝିବା ପାଇଁ ଚେଷ୍ଟା କରିବେ ଯେ ସେହି ବ୍ୟକ୍ତି ଏପରି ବ୍ୟବହାର କାହିଁକି କରୁଛି । ଯେବେ ଜଣେ ବ୍ୟକ୍ତିର ଦେହ ବହୁତ ସମୟ ଧରି ଅସୁସ୍ଥ ରହେ, ତେବେ ହୁଏତ ସେ ଏପରି କିଛି କରିଦିଏ ଯାହା ସେ ସାଧାରଣତଃ କରି ନ ଥାଏ । (ଉପ. ୭:୭) ଯେପରି, ହୁଏତ ସେହି ବ୍ୟକ୍ତି ସବୁବେଳେ ପ୍ରେମର ସହିତ କଥା ହୁଏ, କିନ୍ତୁ ତାʼର ଏହି ପରିସ୍ଥିତି ଯୋଗୁଁ ସେ ହୁଏତ ଅନ୍ୟମାନଙ୍କ ସହ ଯୁକ୍ତିତର୍କ କିମ୍ବା ଝଗଡ଼ା କରେ । ଏହା ବି ହୋଇପାରେ ଯେ ସେ କଥା କଥାରେ ଅଭିଯୋଗ କରେ କିମ୍ବା ରାଗିଯାଏ । ଏପରି ସମୟରେ ଭଲ ହେବ ଯେ ଆପଣ ସେହି ବ୍ୟକ୍ତିର ରୋଗ ବିଷୟରେ ଜାଣିବା ପାଇଁ ଚେଷ୍ଟା କରନ୍ତୁ । ଏପରି କଲେ ଆପଣ ତାʼ ପରିସ୍ଥିତିକୁ ଭଲଭାବେ ବୁଝିପାରିବେ । ଆପଣ ଏହା ବୁଝିପାରିବେ ଯେ ସେ ଖରାପ ବ୍ୟକ୍ତି ନୁହଁନ୍ତି, ବରଂ ନିଜ ରୋଗ ଯୋଗୁଁ ସେ ଏପରି ବ୍ୟବହାର କରୁଛନ୍ତି ।—ହିତୋ. ୧୪:୨୯.

୧୧. ଅନ୍ୟମାନଙ୍କ ଯତ୍ନ ନେଉଥିବା ଭାଇଭଉଣୀମାନଙ୍କୁ ପ୍ରତିଦିନ କେଉଁ ଜରୁରୀ କାମଗୁଡ଼ିକ ପାଇଁ ସମୟ ବାହାର କରିବା ଉଚିତ୍‌ ? (ଗୀତସଂହିତା ୧୩୨:୪, ୫)

୧୧ ଯିହୋବାଙ୍କ ସହିତ ନିଜର ସମ୍ପର୍କକୁ ଦୃଢ଼ କରିବା ପାଇଁ ସମୟ ବାହାର କରନ୍ତୁ । ହୁଏତ ଆପଣଙ୍କୁ କିଛି କାମଗୁଡ଼ିକ କରିବା ଛାଡ଼ିବାକୁ ପଡ଼ିବ, ଯାହାଫଳରେ ଆପଣ “ଉତ୍କୃଷ୍ଟ ବିଷୟଗୁଡ଼ିକ” ପାଇଁ ସମୟ ବାହାର କରିପାରିବେ । (ଫିଲିପ୍‌. ୧:୧୦) ଉତ୍କୃଷ୍ଟ ବିଷୟଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି, ଯିହୋବାଙ୍କ ସହିତ ନିଜ ସମ୍ପର୍କକୁ ଦୃଢ଼ କରିବା । ରାଜା ଦାଉଦଙ୍କ ବିଷୟରେ ଭାବନ୍ତୁ । ତାଙ୍କ ପାଖରେ ଅନେକଗୁଡ଼ିଏ କାମ ଥିଲା, ତଥାପି ସେ ଯିହୋବାଙ୍କ ଉପାସନାକୁ ସବୁଠୁ ଅଧିକ ମହତ୍ତ୍ୱ ଦେଉଥିଲେ । (ଗୀତସଂହିତା ୧୩୨:୪, ୫ ପଢ଼ନ୍ତୁ ।) ଠିକ୍‌ ସେହିପରି ଆପଣଙ୍କୁ ବି ପ୍ରତିଦିନ ବାଇବଲ ପଢ଼ିବା ଏବଂ ପ୍ରାର୍ଥନା କରିବା ଭଳି ଜରୁରୀ କାମଗୁଡ଼ିକୁ ମହତ୍ତ୍ୱ ଦେବା ଉଚିତ୍‌ । ଭଉଣୀ ଏଲିସା କହନ୍ତି, “ମୁଁ ଯିହୋବାଙ୍କୁ ପ୍ରାର୍ଥନା କରେ, ଗୀତସଂହିତାର କିଛି ପଦଗୁଡ଼ିକୁ ପଢ଼େ ଏବଂ ସାନ୍ତ୍ୱନା ଦେଉଥିବା ସେହି ଶବ୍ଦଗୁଡ଼ିକ ବିଷୟରେ ଗଭୀର ଭାବେ ଚିନ୍ତନ କରେ । ଏହିସବୁ କରି ମୁଁ ଖୁସିରେ ରହିପାରେ । ମୋତେ ପ୍ରାର୍ଥନାରୁ ଏତେ ସାହାଯ୍ୟ ମିଳିଛି ଯେ ମୁଁ ତାହା କହିପାରିବିନି । ମୁଁ ଦିନରେ ଅନେକ ଥର ଯିହୋବାଙ୍କୁ ଶାନ୍ତ ରହିବା ପାଇଁ ପ୍ରାର୍ଥନାରେ ସାହାଯ୍ୟ ମାଗେ ।”

୧୨. ଅନ୍ୟମାନଙ୍କ ଯତ୍ନ ନେଉଥିବା ଭାଇଭଉଣୀମାନଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ପାଇଁ କାହିଁକି ସମୟ ବାହାର କରିବା ଉଚିତ୍‌ ?

୧୨ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ପାଇଁ ସମୟ ବାହାର କରନ୍ତୁ । ହୁଏତ ଅନ୍ୟମାନଙ୍କ ଯତ୍ନ ନେବାରେ ଆପଣଙ୍କର ବହୁତ ସମୟ ଚାଲିଯାଉଥିବ, ତେଣୁ ଆପଣଙ୍କୁ ଫଳମୂଳ ଓ ପନିପରିବା ଇତ୍ୟାଦି କିଣିବା ପାଇଁ ଏବଂ ପୁଷ୍ଟିକର ଖାଦ୍ୟ ତିଆରି କରିବା ପାଇଁ ସମୟ ମିଳୁ ନ ଥିବ । କିନ୍ତୁ ପୁଷ୍ଟିକର ଖାଦ୍ୟ ଖାଇବା ଏବଂ ବ୍ୟାୟାମ କରିବା ଶରୀର ଓ ମନ ପାଇଁ ବହୁତ ଜରୁରୀ । ସେଥିପାଇଁ ଭଲ ଖାଦ୍ୟ ଖାଇବା ଏବଂ ବ୍ୟାୟାମ କରିବା ପାଇଁ ଚେଷ୍ଟା କରନ୍ତୁ । (ଏଫି. ୫:୧୫, ୧୬) ତାʼସହିତ ଭଲ ନିଦ ନିଅନ୍ତୁ । (ଉପ. ୪:୬) ବିଶେଷଜ୍ଞମାନେ କହନ୍ତି ଯେ ଶୋଇବା ସମୟରେ ଆମ ମସ୍ତିଷ୍କର ମରାମତି ହୁଏ, ତେଣୁ ଆମ ମସ୍ତିଷ୍କ ଭଲଭାବେ କାମ କରିପାରେ । କିଛି ବର୍ଷ ପୂର୍ବେ ସ୍ୱାସ୍ଥ୍ୟ ବିଷୟରେ ଅଧ୍ୟୟନ କରୁଥିବା ଗୋଟିଏ ସଂସ୍ଥା ଏକ ଲେଖା ତିଆରି କଲା, ଯାହାର ବିଷୟ ଥିଲା, “ନିଦର ଚିନ୍ତା ସହିତ କʼଣ ସମ୍ପର୍କ ରହିଛି ?” ଏଥିରେ କୁହାଯାଇଥିଲା ଯେ ଯଥେଷ୍ଟ ନିଦ ନେଲେ ଆମେ ଅଧିକ ଚିନ୍ତିତ ହୋଇ ନ ଥାଉ ଏବଂ ସମସ୍ୟାଗୁଡ଼ିକ ସମୟରେ ମଧ୍ୟ ଶାନ୍ତ ରହିପାରୁ । ନିଦ ନେବା ସହିତ ମନୋରଞ୍ଜନ ପାଇଁ ବି ସମୟ ବାହାର କରନ୍ତୁ । (ଉପ. ୮:୧୫) ଜଣେ ଭଉଣୀ ଯିଏ ଅନ୍ୟମାନଙ୍କ ଯତ୍ନ ନିଅନ୍ତି, ସେ ଏବିଷୟରେ କହନ୍ତି ଯେ ସେ କିପରି ନିଜର ଖୁସି ବଜାୟ ରଖିପାରନ୍ତି: “ଯେବେ ପାଗ ଭଲ ରହେ ଏବଂ ସକାଳର କଅଁଳିଆ ଖରା ଥାଏ, ତେବେ ମୁଁ ଘରୁ ବାହାରକୁ ଯାଇ ବୁଲିବା ପାଇଁ ଚେଷ୍ଟା କରେ । ଆଉ ପ୍ରତି ମାସ କମ୍‌ରୁ କମ୍‌ ଥରେ ମୁଁ ନିଜ ସାଙ୍ଗ ସହିତ ଏପରି କିଛି କରିବା ପାଇଁ ଚେଷ୍ଟା କରେ, ଯାହା ଆମ ଦୁହିଁଙ୍କୁ ଭଲ ଲାଗେ ।”

୧୩. ହସ-ମଜା କରିବା କାହିଁକି ଭଲ ରହେ ? (ହିତୋପଦେଶ ୧୭:୨୨)

୧୩ ହସ-ମଜା କରନ୍ତୁ । (ହିତୋପଦେଶ ୧୭:୨୨ ପଢ଼ନ୍ତୁ; ଉପ. ୩:୧, ୪) ହସ-ମଜା କଲେ ସ୍ୱାସ୍ଥ୍ୟ ଭଲ ରହେ ଏବଂ ଆମେ ଅଧିକ ଚିନ୍ତା କରି ନ ଥାଉ । ଯେବେ ଆପଣ କାହାରି ଯତ୍ନ ନିଅନ୍ତି, ତେବେ ସବୁକିଛି ଆପଣଙ୍କ ଅନୁସାରେ ହୁଏନି । ଏପରି ସମୟରେ ଯଦି ଆପଣ ନିଜ ପରିସ୍ଥିତି ବିଷୟରେ ଭାବି ଟିକେ ହସ-ମଜା କରିବେ, ତାହେଲେ ଆପଣଙ୍କ ପାଇଁ ଏହି ସମସ୍ୟାର ସାମନା କରିବା ସହଜ ହୋଇପାରେ । ଆପଣ ଯାହାଙ୍କ ଯତ୍ନ ନିଅନ୍ତି ଯଦି ଆପଣ ତାଙ୍କ ସହିତ ହସ-ମଜା କରିବେ, ତାହେଲେ ଆପଣଙ୍କ ବନ୍ଧୁତା ତାଙ୍କ ସହିତ ଆହୁରି ଦୃଢ଼ ହୋଇପାରିବ ।

୧୪. ନିଜର ଜଣେ ଭଲ ସାଙ୍ଗ ସହିତ କଥା ହେଲେ ଆପଣଙ୍କୁ କିପରି ସାହାଯ୍ୟ ମିଳିପାରିବ ?

୧୪ ନିଜର ଜଣେ ଭଲ ସାଙ୍ଗ ସହିତ କଥା ହୁଅନ୍ତୁ । ଆପଣ ଖୁସି ରହିବା ପାଇଁ ଯେତେ ଚେଷ୍ଟା କଲେ ବି ବେଳେବେଳେ ଆପଣ ନିଶ୍ଚୟ ଚିନ୍ତାଗ୍ରସ୍ତ ହୋଇଯିବେ । ଏପରି ସମୟରେ ଆପଣ ନିଜର ଜଣେ ଭଲ ସାଙ୍ଗ ସହିତ ନିଜ ଚିନ୍ତାଗୁଡ଼ିକ ବିଷୟରେ କଥା ହୋଇପାରିବେ, ଯିଏ ଆପଣଙ୍କୁ ଏବଂ ଆପଣଙ୍କ କଥାକୁ ବୁଝିବା ପାଇଁ ଚେଷ୍ଟା କରିବ । (ହିତୋ. ୧୭:୧୭) ଯେବେ ସେ ଆପଣଙ୍କର ଧ୍ୟାନର ସହିତ ଶୁଣିବ ଏବଂ ଆପଣଙ୍କୁ ସାନ୍ତ୍ୱନା ଦେବ, ତେବେ ଆପଣଙ୍କ ଖୁସି ଫେରି ଆସିବ ।—ହିତୋ. ୧୨:୨୫.

୧୫. ନିଜ ଆଶା ବିଷୟରେ କଥା ହେଲେ ଆପଣଙ୍କୁ କିପରି ଖୁସି ମିଳିପାରିବ ?

୧୫ ଏବିଷୟରେ ଭାବନ୍ତୁ ଯେ ଆପଣ ଦୁହେଁ ସାଙ୍ଗରେ ନୂଆ ଦୁନିଆରେ କʼଣ କʼଣ କରିବେ । ଯିହୋବା କେବେ ବି ଏପରି ଚାହିଁ ନ ଥିଲେ ଯେ ମଣିଷମାନେ ରୋଗରେ ପୀଡ଼ିତ ହୁଅନ୍ତୁ କିମ୍ବା ବୃଦ୍ଧବୃଦ୍ଧା ହୁଅନ୍ତୁ । ସେଥିପାଇଁ ମନେ ରଖନ୍ତୁ, ଆପଣଙ୍କୁ ସବୁବେଳେ ନିଜ ପ୍ରିୟଜନମାନଙ୍କ ଯତ୍ନ ନେବାକୁ ପଡ଼ିବ ନାହିଁ । (୨ କରି. ୪:୧୬-୧୮) ଆମେ ଯେପରି ଜୀବନ ବଞ୍ଚୁଛୁ, ତାହା “ପ୍ରକୃତ ଜୀବନ” ନୁହେଁ, ବରଂ ପ୍ରକୃତ ଜୀବନ ଆମକୁ ଭବିଷ୍ୟତରେ ମିଳିବ । (୧ ତୀମ. ୬:୧୯) ସେଥିପାଇଁ ଆପଣ ଯାହାଙ୍କ ଯତ୍ନ ନିଅନ୍ତି, ତାଙ୍କ ସହିତ ଏବିଷୟରେ କଥା ହୁଅନ୍ତୁ ଯେ ଆପଣ ଦୁହେଁ ନୂଆ ଦୁନିଆରେ କʼଣ କʼଣ କରିବେ । ଏପରି କଥା ହୋଇ ଆପଣଙ୍କୁ ବହୁତ ଖୁସି ମିଳିବ । (ଯିଶା. ୩୩:୨୪; ୬୫:୨୧) ହେଦର ନାମକ ଭଉଣୀ କହନ୍ତି, “ମୁଁ ଯାହାଙ୍କ ଯତ୍ନ ନିଏ, ତାଙ୍କୁ ପ୍ରାୟ ଏବିଷୟରେ କହେ ଯେ ଖୁବ୍‌ ଶୀଘ୍ର ଆମେ ସାଙ୍ଗରେ ମିଶି କପଡ଼ା ସିଲେଇ କରିବା, ଦୌଡ଼ିବା ଏବଂ ସାଇକେଲ ଚଳାଇବା । ଆଉ ଯେବେ ଆମ ପ୍ରିୟଜନମାନଙ୍କୁ ଜୀବିତ କରାଯିବ, ତେବେ ଆମେ ସେମାନଙ୍କ ସହିତ ମିଶି ବ୍ରେଡ୍‌ ବନାଇବା ଏବଂ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ବନାଇବା । ଆମେ ସାଙ୍ଗରେ ମିଶି ଯିହୋବାଙ୍କୁ ବି ଧନ୍ୟବାଦ ଦେଉ ଯେ ସେ ଆମକୁ ଭବିଷ୍ୟତ ପାଇଁ ଏତେ ବଢ଼ିଆ ଆଶା ଦେଇଛନ୍ତି ।”

ମଣ୍ଡଳୀର ଭାଇଭଉଣୀମାନେ କିପରି ସାହାଯ୍ୟ କରିପାରିବେ ?

୧୬. ଆମେ କିପରି ଅନ୍ୟମାନଙ୍କ ଯତ୍ନ ନେଉଥିବା ଭାଇଭଉଣୀମାନଙ୍କର ସାହାଯ୍ୟ କରିପାରିବା ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୬ ଅନ୍ୟମାନଙ୍କ ଯତ୍ନ ନେଉଥିବା ଭାଇଭଉଣୀଙ୍କୁ ସାହାଯ୍ୟ କରନ୍ତୁ, ଯାହାଫଳରେ ସେମାନେ ନିଜ ପାଇଁ ସମୟ ବାହାର କରିପାରିବେ । ମଣ୍ଡଳୀର ଭାଇଭଉଣୀମାନେ ବୃଦ୍ଧବୃଦ୍ଧାମାନଙ୍କୁ କିମ୍ବା ଅସୁସ୍ଥ ଲୋକମାନଙ୍କର ଯତ୍ନ ନେବା ପାଇଁ ସାହାଯ୍ୟ କରିପାରିବେ । ଏପରି କଲେ ଯତ୍ନ ନେଉଥିବା ଭାଇଭଉଣୀମାନଙ୍କୁ ଟିକିଏ ଆରାମ ମିଳିପାରିବ ଏବଂ ସେମାନେ ନିଜର ଅନ୍ୟ କାମଗୁଡ଼ିକୁ କରିପାରିବେ । (ଗାଲା. ୬:୨) ମଣ୍ଡଳୀର ଭାଇଭଉଣୀମାନେ ସେମାନଙ୍କୁ ଏହି କାମରେ ସାହାଯ୍ୟ କରିପାରିବେ ବୋଲି କିଛି ପ୍ରଚାରକ ଗୋଟିଏ ସେଡ୍ୟୁଲ ତିଆରି କରିଛନ୍ତି । ଭଉଣୀ ନେଟାଲିଆ ଯାହାଙ୍କ ସ୍ୱାମୀଙ୍କୁ ପକ୍ଷାଘାତ ବା ପାରାଲିସିସ୍‌ ହୋଇଯାଇଛି, ସେ କହନ୍ତି, “ଆମ ମଣ୍ଡଳୀର ଜଣେ ଭାଇ ସପ୍ତାହରେ ଥରେ ବା ଦୁଇଥର ଆମ ଘରକୁ ଆସି ମୋ ସ୍ୱାମୀଙ୍କ ସହିତ ସମୟ ବିତାନ୍ତି । ସେମାନେ ସାଙ୍ଗରେ ମିଶି ପ୍ରଚାର କରନ୍ତି, କଥା ହୁଅନ୍ତି ଓ ବେଳେବେଳେ ଫିଲ୍ମ ମଧ୍ୟ ଦେଖନ୍ତି । ମୋ ସ୍ୱାମୀ ପ୍ରତି ସପ୍ତାହ ସେହି ଭାଇଙ୍କ ଅପେକ୍ଷା କରନ୍ତି । ସେହି ଭାଇଙ୍କ ଆସିବା ଯୋଗୁଁ ମୁଁ ନିଜ ପାଇଁ ଟିକେ ସମୟ ବାହାର କରିପାରେ । ଯେପରି, ମୁଁ ଘରୁ ବାହାରକୁ ବୁଲିବା ପାଇଁ ଯାଇପାରେ ।” ଆପଣ ଚାହିଁଲେ ଯତ୍ନ ନେଉଥିବା ଭାଇଭଉଣୀଙ୍କୁ ପଚାରିପାରିବେ ଯେ କʼଣ କୌଣସି ଦିନ ରାତିରେ ଆମେ ତାଙ୍କ ପ୍ରିୟଜନମାନଙ୍କ ଯତ୍ନ ନେଇପାରିବା । ଏପରି କଲେ ଯତ୍ନ ନେଉଥିବା ଭାଇଭଉଣୀମାନେ ଭଲରେ ଶୋଇପାରିବେ ।

ଦୁଇଜଣ ଭଉଣୀ ବୃଦ୍ଧା ଭଉଣୀଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଆସିଛନ୍ତି । ତାଙ୍କର ଯତ୍ନ ନେଉଥିବା ଭଉଣୀ ବାହାରକୁ ଯାଉଛନ୍ତି ।

ଅନ୍ୟମାନଙ୍କର ଯତ୍ନ ନେଉଥିବା ଭାଇଭଉଣୀମାନଙ୍କୁ ଆପଣ କିପରି ସାହାଯ୍ୟ କରିପାରିବେ ? (ପାରାଗ୍ରାଫ ୧୬)a


୧୭. ଅନ୍ୟମାନଙ୍କ ଯତ୍ନ ନେଉଥିବା ଭାଇଭଉଣୀମାନଙ୍କୁ ସଭାରୁ ଲାଭ ମିଳୁ, ତାʼପାଇଁ ଆମେ କʼଣ କରିପାରିବା ?

୧୭ ଅନ୍ୟମାନଙ୍କ ଯତ୍ନ ନେଉଥିବା ଭାଇଭଉଣୀଙ୍କୁ ସାହାଯ୍ୟ କରନ୍ତୁ, ଯାହାଫଳରେ ସେମାନଙ୍କୁ ସଭାରୁ ଲାଭ ମିଳିପାରୁ । ନିଜ ପ୍ରିୟଜନମାନଙ୍କର ଯତ୍ନ ନେବା ଯୋଗୁଁ ଏହି ଭାଇଭଉଣୀମାନେ ପ୍ରାୟ ସଭାଗୁଡ଼ିକର, ସର୍କିଟ ସମ୍ମିଳନୀର ଓ ଅଧିବେଶନର କାର୍ଯ୍ୟକ୍ରମଗୁଡ଼ିକୁ ଭଲଭାବେ ଶୁଣିପାରନ୍ତି ନାହିଁ । ତାହେଲେ ଆପଣ ସେମାନଙ୍କୁ କିପରି ସାହାଯ୍ୟ କରିପାରିବେ ? ଆପଣ ପୂରା ସଭା ସମୟରେ କିମ୍ବା ସଭାରେ କିଛି ସମୟ ପାଇଁ ତାଙ୍କ ପ୍ରିୟଜନମାନଙ୍କ ସହିତ ବସିପାରିବେ । କିନ୍ତୁ ଯଦି ରୋଗରେ ପୀଡ଼ିତ କିମ୍ବା ବୃଦ୍ଧବୃଦ୍ଧା ଭାଇଭଉଣୀମାନେ ଘରୁ କୁଆଡ଼େ ଯାଇପାରନ୍ତି ନାହିଁ, ତାହେଲେ ଆପଣ ତାଙ୍କ ଘରକୁ ଯାଇ ତାଙ୍କ ସହିତ ଅନଲାଇନ୍‌ରେ ସଭାରେ ଯୋଗ ଦେଇପାରିବେ । ଏପରି କଲେ ଅନ୍ୟମାନଙ୍କର ଯତ୍ନ ନେଉଥିବା ଭାଇଭଉଣୀମାନେ ସଭାକୁ ଯାଇପାରିବେ ।

୧୮. ଅନ୍ୟମାନଙ୍କର ଯତ୍ନ ନେଉଥିବା ଭାଇଭଉଣୀମାନଙ୍କ ସାହାଯ୍ୟ କରିବା ପାଇଁ ଆମେ କʼଣ କରିପାରିବା ?

୧୮ ଅନ୍ୟମାନଙ୍କର ଯତ୍ନ ନେଉଥିବା ଭାଇଭଉଣୀମାନଙ୍କର ପ୍ରଶଂସା କରନ୍ତୁ ଏବଂ ସେମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ । ପ୍ରାଚୀନମାନେ ଏହି କଥାର ଧ୍ୟାନ ରଖିପାରିବେ ଯେ ସେମାନେ ଯତ୍ନ ନେଉଥିବା ଭାଇଭଉଣୀମାନଙ୍କର ଲଗାତାର ପ୍ରତିପାଳକ ସାକ୍ଷାତ କରନ୍ତୁ । (ହିତୋ. ୨୭:୨୩) ମଣ୍ଡଳୀର ଭାଇଭଉଣୀମାନେ ମଧ୍ୟ ସେମାନଙ୍କର ଉତ୍ସାହ ବଢ଼ାଇପାରିବେ । ପରିସ୍ଥିତି ଯାହା ବି ହେଉ ନା କାହିଁକି, ଆମେ ମଝି ମଝିରେ ହୃଦୟରୁ ସେମାନଙ୍କର ପ୍ରଶଂସା କରିପାରିବା । ଆମେ ସେମାନଙ୍କ ପାଇଁ ପ୍ରାର୍ଥନା ବି କରିପାରିବା ଏବଂ ପ୍ରାର୍ଥନାରେ ଏହା କହିପାରିବା ଯେ ଯିହୋବା ସେମାନଙ୍କୁ ଲଗାତାର ଶକ୍ତି ଦିଅନ୍ତୁ ଏବଂ ସେମାନଙ୍କୁ ନିଜ ଖୁସି ବଜାୟ ରଖିବା ପାଇଁ ସାହାଯ୍ୟ କରନ୍ତୁ ।—୨ କରି. ୧:୧୧.

୧୯. ଆମ ପାଇଁ କʼଣ ଆଶା ରହିଛି ?

୧୯ ଖୁବ୍‌ ଶୀଘ୍ର ଯିହୋବା ସମସ୍ତ ଦୁଃଖକଷ୍ଟଗୁଡ଼ିକୁ ଦୂର କରିଦେବେ ଏବଂ ଆମେ ପୁଣି କେବେ ବି ଦୁଃଖରେ କାନ୍ଦିବା ନାହିଁ । କେହି ବି ରୋଗୀ ନ ଥିବେ ଏବଂ ମୃତ୍ୟୁ ଆଉ ହେବ ନାହିଁ । (ପ୍ରକା. ୨୧:୩, ୪) “ନେଙ୍ଗଡ଼ା ଲୋକ ହରିଣ ପରି ଡିଆଁ ମାରିବ ।” (ଯିଶା. ୩୫:୫, ୬) ସେହି ସମୟରେ କେହି ବି ବୃଦ୍ଧବୃଦ୍ଧା ହେବେ ନାହିଁ ଏବଂ ଆମକୁ ନିଜ ପ୍ରିୟଜନମାନଙ୍କୁ କଷ୍ଟରେ ଦେଖିବାକୁ ପଡ଼ିବ ନାହିଁ । ଏହି ସମସ୍ତ କଥାଗୁଡ଼ିକ ‘ପୂର୍ବ କାଳର ବିଷୟ’ ହୋଇଯିବ ଏବଂ ଏଗୁଡ଼ିକୁ “ସ୍ମରଣ କରାଯିବ ନାହିଁ ।” (ଯିଶା. ୬୫:୧୭) କିନ୍ତୁ ଯେବେ ପର୍ଯ୍ୟନ୍ତ ଆମ ଆଶା ପୂରା ହେବ ନାହିଁ, ଯିହୋବା ସେପର୍ଯ୍ୟନ୍ତ ଆମକୁ ଛାଡ଼ିବେ ନାହିଁ । ଯଦି ଆମେ ତାଙ୍କ ଉପରେ ନିର୍ଭର ରହିବା, ତାହେଲେ ଆମେ “ଧୈର୍ଯ୍ୟଶୀଳ ଓ ସହିଷ୍ଣୁ ହେବା” ଏବଂ ‘ଆନନ୍ଦରେ’ ରହିପାରିବା ।—କଲ. ୧:୧୧, ୧୨.

ଆପଣ କʼଣ ଉତ୍ତର ଦେବେ ?

  • ଅନ୍ୟମାନଙ୍କର ଯତ୍ନ ନେଉଥିବା ଭାଇଭଉଣୀମାନେ ହୁଏତ କେଉଁ କାରଣଗୁଡ଼ିକ ଯୋଗୁଁ ନିଜ ଖୁସି ହରାଇ ବସନ୍ତି ?

  • ଅନ୍ୟମାନଙ୍କର ଯତ୍ନ ନେଉଥିବା ଭାଇଭଉଣୀମାନେ କିପରି ନିଜ ଖୁସି ବଜାୟ ରଖିପାରିବେ ?

  • ମଣ୍ଡଳୀର ଭାଇଭଉଣୀମାନେ କିପରି ଯତ୍ନ ନେଉଥିବା ଭାଇଭଉଣୀମାନଙ୍କର ସାହାଯ୍ୟ କରିପାରିବେ ?

ଗୀତ ୧୫୫ ସର୍ବଦା ଆନନ୍ଦ

a ଚିତ୍ର ବିଷୟରେ: ଦୁଇଜଣ ଯୁବା ଭଉଣୀ ଜଣେ ବୃଦ୍ଧା ଭଉଣୀଙ୍କୁ ଭେଟିବା ପାଇଁ ଆସିଛନ୍ତି, ତେଣୁ ତାଙ୍କର ଯତ୍ନ ନେଉଥିବା ଭଉଣୀ ବାହାରକୁ ଯାଇ ପାରୁଛନ୍ତି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ