ପ୍ରଶାସନ ଦଳଠାରୁ ଚିଠି
ପ୍ରିୟ ଭାଇ ଓ ଭଉଣୀମାନେ:
ଆମେ ଯିହୋବାଙ୍କ ଉପାସନା କରୁ । ତେଣୁ ଆମେ ତାଙ୍କ ବାକ୍ୟ ବାଇବଲକୁ ବି ପ୍ରେମ କରୁ । ଆମକୁ ପୂରା ଭରସା ଅଛି ଯେ ଏଥିରେ ଦିଆଯାଇଥିବା ଇତିହାସ ପୂରାପୂରି ସତ, ଏହା ଜୀବନ ପାଇଁ ସଠିକ୍ ମାର୍ଗଦର୍ଶନ ଦିଏ ଆଉ ଏକଥାର ବି ପ୍ରମାଣ ଦିଏ ଯେ ଯିହୋବା ସମସ୍ତ ଲୋକଙ୍କୁ ବହୁତ ପ୍ରେମ କରନ୍ତି । (ଗୀତସଂହିତା ୧୧୯:୧୦୫; ଲୂକ ୧:୩; ୧ ଯୋହନ ୪:୧୯) ଆମ ଇଚ୍ଛା ଏହା ଯେ ଆମେ ଅନ୍ୟମାନଙ୍କୁ ବି ବାଇବଲରୁ ବହୁମୂଲ୍ୟ ସତ୍ୟଗୁଡ଼ିକୁ ଜାଣିବା ପାଇଁ ସାହାଯ୍ୟ କରୁ । ତେଣୁ ଏହି ବହି, “ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା” ଉପଲବ୍ଧ କରାଇ ଆମକୁ ବହୁତ ଖୁସି ଲାଗୁଛି । ଆସନ୍ତୁ ଦେଖିବା ଏହି ବହିରେ କʼଣ କʼଣ ଅଛି ।
ଏହି ବହିକୁ ବିଶେଷ କରି ପିଲାମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । କିନ୍ତୁ ଯେଉଁମାନେ ବୟସରେ ବଡ଼ ଆଉ ବାଇବଲ ବିଷୟରେ ଜାଣିବା ପାଇଁ ଚାହାନ୍ତି, ସେମାନେ ବି ଏହି ବହିରୁ ଶିଖିପାରିବେ । ବାଇବଲ ସମସ୍ତଙ୍କ ପାଇଁ ଅଟେ । ତେଣୁ ଏହି ବହିରେ ଦିଆଯାଇଥିବା ଶିକ୍ଷା ଉପରେ ଧ୍ୟାନ ଦେଲେ ଆମ ସମସ୍ତଙ୍କୁ ଲାଭ ହୋଇପାରିବ । ଆମେ ଶିଖିପାରିବା ଯେ ପ୍ରକୃତ ଖୁସି କିପରି ମିଳିବ ।
ଏହି ବହିରେ ମଣିଷ ସୃଷ୍ଟିର ସମୟଠାରୁ ହୋଇଥିବା ଘଟଣାଗୁଡ଼ିକ ବିଷୟରେ ଦିଆଯାଇଛି । ବାଇବଲର ଏହି ଘଟଣାଗୁଡ଼ିକୁ ସରଳ ଓ ସ୍ପଷ୍ଟ ଭାବେ ଲେଖିବା ପାଇଁ ଚେଷ୍ଟା କରାଯାଇଛି । ଏହାଛଡ଼ା, ଏ ଘଟଣାଗୁଡ଼ିକ ଯେଉଁ କ୍ରମରେ ଘଟିଥିଲା ସେହି କ୍ରମରେ ଲେଖିବା ପାଇଁ ପୂରା ଚେଷ୍ଟା କରାଯାଇଛି ।
କିନ୍ତୁ ଏହି ବହି କେବଳ ବାଇବଲର ଘଟଣାଗୁଡ଼ିକ ବିଷୟରେ କହେନି । ଏହା ଏପରି ଭାବରେ ଲେଖାଯାଇଛି ଏବଂ ଏଥିରେ ଏପରି ଚିତ୍ର ଅଛି, ଯେଉଁଥିରୁ ଏହି ଘଟଣାଗୁଡ଼ିକର ଜୀବନ୍ତ ଚିତ୍ର ଆମ ସାମନାକୁ ଆସିଯାଏ ଏବଂ ଆମେ ସେହି ଘଟଣାରେ କୁହାଯାଇଥିବା ଲୋକମାନଙ୍କର ଭାବନାଗୁଡ଼ିକୁ ଅନୁଭବ କରିପାରୁ ।
ଏହି ବହିରୁ ଆମେ ବୁଝିପାରିବା ଯେ ବାଇବଲ ଏପରି ଲୋକମାନଙ୍କ ବିଷୟରେ କହେ ଯେଉଁମାନଙ୍କଠାରୁ ଆମେ ଅନେକ କଥା ଶିଖିପାରିବା । ଏଥିରେ ଆମେ ଦୁଇ ପ୍ରକାରର ଲୋକମାନଙ୍କ ବିଷୟରେ ପଢ଼ିବା, ଅର୍ଥାତ୍ ଯେଉଁମାନେ ଯିହୋବାଙ୍କ ଆଜ୍ଞା ମାନିଥିଲେ ଏବଂ ଯେଉଁମାନେ ଆଜ୍ଞା ମାନି ନ ଥିଲେ । (ରୋମୀୟ ୧୫:୪; ୧ କରିନ୍ଥୀୟ ୧୦:୬) ଏହି ବହିରେ ୧୪ଟି ଭାଗ ଅଛି । ପ୍ରତ୍ୟେକ ଭାଗର ଆରମ୍ଭରେ କମ୍ ଶବ୍ଦରେ କୁହାଯାଇଛି ଯେ ସେଥିରୁ ଆମେ କʼଣ କʼଣ ଶିକ୍ଷା ପାଇବା ।
ଯଦି ଆପଣଙ୍କ ପିଲା ଅଛନ୍ତି ତେବେ ଆପଣ ସେମାନଙ୍କୁ ଏଥିରେ ଦିଆଯାଇଥିବା ପାଠ ପଢ଼ି ଶୁଣାଇପାରିବେ ଏବଂ ଚିତ୍ରଗୁଡ଼ିକ ଉପରେ ଚର୍ଚ୍ଚା କରିପାରିବେ । ତାʼପରେ ଆପଣ ସେମାନଙ୍କ ସହ ମିଶି ବାଇବଲର ସେହି ପଦଗୁଡ଼ିକୁ ପଢ଼ିପାରିବେ ଯେଉଁଥିରୁ ଏହି କାହାଣୀ ନିଆଯାଇଛି । ନିଜ ପିଲାମାନଙ୍କୁ ଏହା ବୁଝିବା ପାଇଁ ସାହାଯ୍ୟ କରନ୍ତୁ ଯେ ଏହି ବହିରେ ଦିଆଯାଇଥିବା ପ୍ରତ୍ୟେକ ଶିକ୍ଷା ବାଇବଲରୁ ଅଟେ । ବୟସରେ ବଡ଼ ବ୍ୟକ୍ତିଙ୍କୁ ବୁଝାଇବା ସମୟରେ ବି ଏହି ଉପାୟ ଆପଣାଇବା ଠିକ୍ ହେବ ।
ଆମେ ଆଶା କରୁ ଯେ ଏହି ବହିରୁ ସମସ୍ତ ନମ୍ର ଲୋକଙ୍କୁ, ଯଦିଓ ସେମାନେ ବୟସରେ ଛୋଟ ଥାʼନ୍ତୁ କିମ୍ବା ବଡ଼, ଈଶ୍ୱରଙ୍କ ବାକ୍ୟରୁ ଶିଖିବା ଓ ଶିଖିଥିବା କଥାଗୁଡ଼ିକୁ ଜୀବନରେ ଲାଗୁ କରିବା ପାଇଁ ସାହାଯ୍ୟ ମିଳିବ । ଆଉ ତେବେ ସେମାନେ ବି ଈଶ୍ୱରଙ୍କ ପରିବାରର ସଦସ୍ୟ ହୋଇ ତାଙ୍କ ଉପାସନା କରିପାରିବେ ।
ଆପଣଙ୍କ ଭାଇ,
ଯିହୋବାଙ୍କ ସାକ୍ଷୀମାନଙ୍କର ପ୍ରଶାସନ ଦଳ