ପାଠ ୫୬
ମଣ୍ଡଳୀରେ ସମସ୍ତଙ୍କ ସହ ଏକତାରେ ରହନ୍ତୁ
ଯେତେବେଳେ ଆମେ ନିଜ ଖ୍ରୀଷ୍ଟିୟାନ ଭାଇଭଉଣୀମାନଙ୍କ ସାଙ୍ଗରେ ଥାଉ, ସେତେବେଳେ ଆମେ ଠିକ୍ ସେହିପରି ଅନୁଭବ କରୁ, ଯେପରି ରାଜା ଦାଉଦ ଅନୁଭବ କରିଥିଲେ । ସେ ଲେଖିଲେ, “ଭାଇମାନେ ମିଳନରେ ଏକତ୍ର ବାସ କରିବା କିପରି ଉତ୍ତମ ଓ ମନୋହର !” (ଗୀତସଂହିତା ୧୩୩:୧) ଆମ ମଧ୍ୟରେ ଯେଉଁ ଏକତା ଅଛି, ତାହା ଆପେ ଆପେ ଆସିନି । ଏହାକୁ ବଜାୟ ରଖିବାରେ ଆମ ସମସ୍ତଙ୍କର ହାତ ରହିଛି ।
୧. ଈଶ୍ୱରଙ୍କ ଲୋକମାନଙ୍କ ମଧ୍ୟରେ କେଉଁ ବିଶେଷ କଥା ଦେଖିବାକୁ ମିଳେ ?
ଭାବନ୍ତୁ ଆପଣ ଅନ୍ୟ କୌଣସି ଦେଶର ମଣ୍ଡଳୀର ଗୋଟିଏ ସଭାରେ ଯାଇଛନ୍ତି । ଆପଣଙ୍କୁ ସେଠାର ଭାଷା ଆସେନି । ତଥାପି ଆପଣଙ୍କୁ ଏପରି ଲାଗିବ, ସତେ ଯେପରି ଆପଣ ସେହି ଭାଇଭଉଣୀମାନଙ୍କୁ ଅନେକ ବର୍ଷରୁ ଜାଣିଛନ୍ତି । ଆପଣଙ୍କୁ ଏପରି କାହିଁକି ଲାଗିବ ? କାରଣ ଆପଣ ଈଶ୍ୱରଙ୍କ ଲୋକମାନଙ୍କ ମଧ୍ୟରେ ଅଛନ୍ତି, ଯେଉଁମାନେ ପ୍ରକୃତରେ ପରସ୍ପରକୁ ପ୍ରେମ କରନ୍ତି । ତାʼଛଡ଼ା, ସବୁ ମଣ୍ଡଳୀରେ ଏକାଭଳି ପ୍ରକାଶନରୁ ବାଇବଲର ଅଧ୍ୟୟନ କରାଯାଏ । ଆମେ ଯେକୌଣସି ଅଞ୍ଚଳରେ ରହୁ ନା କାହିଁକି, ଆମେ ସମସ୍ତେ ‘ଯିହୋବାଙ୍କୁ ପ୍ରାର୍ଥନା କରୁ ଓ ଏକମନରେ ତାଙ୍କର ସେବା କରୁ ।’—ସିଫନୀୟ ୩:୯.
୨. ମଣ୍ଡଳୀରେ ଏକତାରେ ରହିବା ପାଇଁ ଆମେ ପ୍ରତ୍ୟେକ ଜଣ କʼଣ କରିପାରିବା ?
ବାଇବଲରେ ଲେଖାଅଛି, “ଅନ୍ତରର ସହ ଓ ଏକାଗ୍ର ଭାବେ ପରସ୍ପରକୁ ପ୍ରେମ କର ।” (୧ ପିତର ୧:୨୨) ଏହି ପରାମର୍ଶକୁ ମାନିବା ପାଇଁ ଆମେ କʼଣ କରିପାରିବା ? ଭାଇଭଉଣୀମାନଙ୍କର ଦୋଷଗୁଡ଼ିକୁ ଧ୍ୟାନ ଦେବା ପରିବର୍ତ୍ତେ ଆମେ ସେମାନଙ୍କର ଭଲ ଗୁଣଗୁଡ଼ିକ ପ୍ରତି ଧ୍ୟାନ ଦେଇପାରିବା । ସାଧାରଣତଃ ଆମେ ଏପରି ଲୋକମାନଙ୍କ ସହ ସାଙ୍ଗ ହୋଇଥାଉ ଯେଉଁମାନଙ୍କର ପସନ୍ଦ ନାପସନ୍ଦ ଆମ ଭଳି ଥାଏ । କିନ୍ତୁ ଆମେ ସେମାନଙ୍କୁ ମଧ୍ୟ ଜାଣିବା ପାଇଁ ଚେଷ୍ଟା କରିପାରିବା ଯେଉଁମାନେ ଆମଠାରୁ ପୂରାପୂରି ଅଲଗା ଅଟନ୍ତି । କେବଳ ଏତିକି ନୁହେଁ, ଯଦି କୌଣସି ସମାଜ, ଭାଷା ବା ସଂସ୍କୃତିର ଲୋକମାନଙ୍କ ବିଷୟରେ ଆମ ମନରେ କିଛି ବି ଭୁଲ ଚିନ୍ତାଧାରା ଅଛି, ତାହେଲେ ଆମେ ଏପରି ଚିନ୍ତାଧାରା ଓ ଭାବନାକୁ ନିଜ ମନରୁ କାଢ଼ିବା ପାଇଁ ପରିଶ୍ରମ କରିପାରିବା ।—୧ ପିତର ୨:୧୭ ପଢ଼ନ୍ତୁ ।a
୩. ଯଦି କିଛି କଥାକୁ ନେଇ କୌଣସି ଭାଇ କିମ୍ବା ଭଉଣୀଙ୍କ ସହ ଆମ ସମ୍ପର୍କ ଖରାପ ହୋଇଯାଏ, ତାହେଲେ ଆମେ କʼଣ କରିବା ଉଚିତ୍ ?
ଆମ ମଧ୍ୟରେ ଏକତା ଅଛି, କିନ୍ତୁ ଆମେ ସମସ୍ତେ ଅପରିପୂର୍ଣ୍ଣ ମଧ୍ୟ ଅଟୁ । ବେଳେ ବେଳେ ଆମେ ଏପରି କିଛି କହିଦେଉ କିମ୍ବା କରିଦେଉ, ଯାହାଫଳରେ ଆମ ଭାଇଭଉଣୀମାନଙ୍କୁ ଦୁଃଖ ଲାଗେ କିମ୍ବା ସେମାନଙ୍କୁ ବହୁତ ଖରାପ ଲାଗେ । ତେଣୁ ଈଶ୍ୱରଙ୍କ ବାକ୍ୟରେ କୁହାଯାଇଛି, “ଏକକୁଆରେକ କ୍ଷମା କର ।” ଏଥିରେ ଏହା ମଧ୍ୟ କୁହାଯାଇଛି ଯେ “ପ୍ରଭୁ ଯେପରି ତୁମ୍ଭମାନଙ୍କୁ କ୍ଷମା କରିଅଛନ୍ତି, ତୁମ୍ଭେମାନେ ମଧ୍ୟ ସେହିପରି କର ।” (କଲସୀୟ ୩:୧୩ ପଢ଼ନ୍ତୁ ।) ଆମେ ଅନେକ ଥର ଯିହୋବାଙ୍କ ହୃଦୟକୁ ଦୁଃଖ ପହଞ୍ଚାଉ, ତଥାପି ସେ ଆମକୁ କ୍ଷମା କରନ୍ତି । ତେଣୁ ସେ ଆମଠାରୁ ଆଶା କରନ୍ତି ଯେ ଆମେ ମଧ୍ୟ ନିଜ ଭାଇଭଉଣୀମାନଙ୍କୁ କ୍ଷମା କରୁ । ଯଦି ଆପଣଙ୍କୁ ଲାଗେ ଯେ ଆପଣ କାହାରିକୁ ଦୁଃଖ ପହଞ୍ଚାଇଛନ୍ତି, ତାହେଲେ ତାଙ୍କ ପାଖକୁ ଯାଇ କଥା ହୁଅନ୍ତୁ ଓ ଶାନ୍ତି ବଜାୟ ରଖନ୍ତୁ ।—ମାଥିଉ ୫:୨୩, ୨୪ ପଢ଼ନ୍ତୁ ।b
ଭାବନ୍ତୁ ଓ ଶିଖନ୍ତୁ
ଜାଣନ୍ତୁ ଯେ ମଣ୍ଡଳୀର ଶାନ୍ତି ଓ ଏକତା ପାଇଁ ଆପଣ କʼଣ କରିପାରିବେ ।
ଶାନ୍ତି ବଜାୟ ରଖିବା ପାଇଁ ଆପଣ କʼଣ କରିବେ ?
୪. ଭେଦଭାବ କରନ୍ତୁ ନାହିଁ, ସମସ୍ତଙ୍କୁ ଏକାଭଳି ମନେ କରନ୍ତୁ
ଆମେ ସବୁ ଭାଇଭଉଣୀଙ୍କୁ ପ୍ରେମ କରିବା ପାଇଁ ଚାହୁଁ, କିନ୍ତୁ କିଛି ଭାଇଭଉଣୀମାନେ ଆମଠାରୁ ଏତେ ଅଲଗା ଯେ ସେମାନଙ୍କୁ ନିଜର ବୋଲି ମନେକରିବା ଆମକୁ କଠିନ ଲାଗିପାରେ । ଏପରି ସମୟରେ କେଉଁ କଥା ଆମକୁ ସାହାଯ୍ୟ କରିପାରିବ ? ପ୍ରେରିତ ୧୦:୩୪, ୩୫ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:
ଯିହୋବା ସବୁ ପ୍ରକାରର ଲୋକମାନଙ୍କୁ ଆପଣାନ୍ତି ଓ ସେମାନଙ୍କୁ ନିଜର ସାକ୍ଷୀ ବୋଲି ମନେ କରନ୍ତି । ତାହେଲେ ଆପଣଙ୍କୁ ସେହି ଲୋକମାନଙ୍କ ବିଷୟରେ କିପରି ଚିନ୍ତାଧାରା ରଖିବା ଉଚିତ୍, ଯେଉଁମାନେ ଆପଣଙ୍କଠାରୁ ପୂରା ଅଲଗା ?
ଆପଣ ଯେଉଁଠାରେ ରହନ୍ତି ସେଠାରେ କେଉଁ ସମାଜ, ଭାଷା କିମ୍ବା ସଂସ୍କୃତିର ଲୋକମାନଙ୍କୁ ପସନ୍ଦ କରାଯାଏ ନାହିଁ ? ଆପଣଙ୍କୁ ଏପରି ଚିନ୍ତାଧାରାଠୁ କାହିଁକି ଦୂରେଇ ରହିବା ଉଚିତ୍ ?
୨ କରିନ୍ଥୀୟ ୬:୧୧-୧୩ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:
ଆପଣ କିପରି ସେହି ଭାଇଭଉଣୀମାନଙ୍କୁ ଆହୁରି ଅଧିକ ପ୍ରେମ କରିପାରିବେ, ଯେଉଁମାନେ ଆପଣଙ୍କଠାରୁ ପୂରା ଅଲଗା ?
୫. ହୃଦୟରୁ କ୍ଷମା କରନ୍ତୁ ଓ ଶାନ୍ତି ବଜାୟ ରଖନ୍ତୁ
ଯିହୋବା କେବେ ବି କୌଣସି ଭୁଲ କରନ୍ତି ନାହିଁ । ତେଣୁ ତାଙ୍କୁ କ୍ଷମା ମାଗିବାକୁ ପଡ଼େ ନାହିଁ । ତଥାପି ଯେତେବେଳେ ଆମେ ଭୁଲ କରୁ, ସେତେବେଳେ ସେ ଆମକୁ ହୃଦୟରୁ କ୍ଷମା କରନ୍ତି । ଗୀତସଂହିତା ୮୬:୫ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:
ଯେପରି ଏହି ପଦରେ କୁହାଯାଇଛି, ଯିହୋବା କିପରି କ୍ଷମା କରନ୍ତି ?
ଯିହୋବା ସବୁବେଳେ କ୍ଷମା କରିବା ପାଇଁ ପ୍ରସ୍ତୁତ ଥାʼନ୍ତି । ଏକଥା ପାଇଁ ଆପଣ କାହିଁକି ତାଙ୍କ କୃତଜ୍ଞ ?
ଅନ୍ୟମାନଙ୍କ ସହ ଶାନ୍ତି ବଜାୟ ରଖିବା କେତେବେଳେ କଷ୍ଟକର ହୋଇପାରେ ?
ଆମେ ଯିହୋବାଙ୍କ ଭଳି ହେବାକୁ ଚାହୁଁ ଏବଂ ନିଜ ଭାଇଭଉଣୀମାନଙ୍କ ସହ ଏକତାରେ ରହିବାକୁ ଚାହୁଁ । ତାʼପାଇଁ ଆମକୁ କʼଣ କରିବାକୁ ହେବ ? ହିତୋପଦେଶ ୧୯:୧୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:
ଯଦି କେହି ଆମକୁ ଚିଡ଼ାନ୍ତି କିମ୍ବା ଆମକୁ ଦୁଃଖ ପହଞ୍ଚାନ୍ତି, ତାହେଲେ ଆମେ କʼଣ କରିପାରିବା ?
ବେଳେ ବେଳେ ଆମେ ମଧ୍ୟ ଅନ୍ୟମାନଙ୍କୁ ଦୁଃଖ ପହଞ୍ଚାଉ । ସେତେବେଳେ ଆମେ କʼଣ କରିବା ଉଚିତ୍ ? ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।
ଭିଡିଓରେ ଥିବା ଭଉଣୀ ଜଣକ ଶାନ୍ତି ବଜାୟ ରଖିବା ପାଇଁ କʼଣ କଲେ ?
୬. ଭାଇଭଉଣୀମାନଙ୍କର ଭଲ ଗୁଣଗୁଡ଼ିକୁ ଦେଖିବା ପାଇଁ ଚେଷ୍ଟା କରନ୍ତୁ
ଯେତେବେଳେ ଆମେ ନିଜ ଭାଇଭଉଣୀମାନଙ୍କୁ ଜାଣିବାକୁ ଲାଗୁ, ସେତେବେଳେ ଆମକୁ ସେମାନଙ୍କର ଭଲ ଗୁଣଗୁଡ଼ିକ ସହିତ ସେମାନଙ୍କର ଖରାପ ଗୁଣଗୁଡ଼ିକ ମଧ୍ୟ ଦେଖାଯାଏ । କିନ୍ତୁ ଆମେ କିପରି ସେମାନଙ୍କର ଭଲ ଗୁଣଗୁଡ଼ିକୁ ଧ୍ୟାନ ଦେଇପାରିବା ? ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।
ଭାଇଭଉଣୀମାନଙ୍କର ଭଲ ଗୁଣଗୁଡ଼ିକ ପ୍ରତି ଧ୍ୟାନ ଦେବା ପାଇଁ କେଉଁ କଥା ଆପଣଙ୍କୁ ସାହାଯ୍ୟ କରିପାରେ ?
ଯିହୋବା ଆମର ଭଲ ଗୁଣଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତି । ୨ ବଂଶାବଳୀ ୧୬:୯କ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:
ଯିହୋବା ଆମର ଭଲ ଗୁଣଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତି । ଏହା ଜାଣି ଆପଣଙ୍କୁ କିପରି ଲାଗେ ?
ଗୋଟିଏ ସୁନ୍ଦର ହୀରାରେ ମଧ୍ୟ ଅନେକ ସ୍କ୍ରାଚ୍ ଥାଏ, ତଥାପି ତାହା ବହୁତ ମୂଲ୍ୟବାନ ହୋଇଥାଏ । ଠିକ୍ ସେହିପରି, ସବୁ ଭାଇଭଉଣୀଙ୍କ ଭିତରେ ବି ଅନେକ ଖରାପ ଗୁଣ ଥାଏ, ତଥାପି ସେମାନେ ଯିହୋବାଙ୍କ ପାଇଁ ବହୁମୂଲ୍ୟ ଅଟନ୍ତି
କିଛି ଲୋକ କହନ୍ତି: “ଯଦି ମୁଁ ତୁରନ୍ତ ତାକୁ କ୍ଷମା କରିଦେବି, ତାହେଲେ ସେ ନିଜ ଭୁଲ ବୁଝିପାରିବନି ।”
ଆମେ କାହିଁକି ଅନ୍ୟମାନଙ୍କୁ କ୍ଷମା କରିବା ପାଇଁ ପ୍ରସ୍ତୁତ ରହିବା ଉଚିତ୍ ?
ଆମେ କʼଣ ଶିଖିଲୁ ?
ଆମେ ନିଜ ସବୁ ଭାଇଭଉଣୀଙ୍କୁ ପ୍ରେମ କରିବା ଉଚିତ୍ ଓ ସେମାନଙ୍କୁ କ୍ଷମା କରିବା ଉଚିତ୍ । ଏପରି କଲେ ଆମେ ମଣ୍ଡଳୀର ଏକତା ବଜାୟ ରଖିପାରିବା ।
ଆପଣ କʼଣ କହିବେ ?
ଅନ୍ୟମାନଙ୍କୁ ଭେଦଭାବ ନ କରିବା ପାଇଁ ଓ ସମସ୍ତଙ୍କୁ ଏକାଭଳି ମନେ କରିବା ପାଇଁ ଆପଣ କʼଣ କରିପାରିବେ ?
ଯଦି କୌଣସି କଥାକୁ ନେଇ କୌଣସି ଭାଇ କିମ୍ବା ଭଉଣୀଙ୍କ ସହ ଆପଣଙ୍କ ସମ୍ପର୍କ ଖରାପ ହୋଇଯାଏ, ତାହେଲେ ଆପଣ କʼଣ କରିବେ ?
ଆପଣ କାହିଁକି ଯିହୋବାଙ୍କ ଭଳି ଅନ୍ୟମାନଙ୍କୁ କ୍ଷମା କରିବାକୁ ଚାହିଁବେ ?
ଅଧିକ ଜାଣନ୍ତୁ
ଜାଣନ୍ତୁ ଯେ ଅନ୍ୟମାନଙ୍କର ଖରାପ ଗୁଣ ନ ଦେଖିବା ପାଇଁ ଯୀଶୁଙ୍କର ଗୋଟିଏ ଉଦାହରଣରୁ କିପରି ଆମକୁ ସାହାଯ୍ୟ ମିଳେ ।
ଯଦି ଆମକୁ ଲାଗେ ଯେ ଆମେ କୌଣସି ଭୁଲ କରିନୁ, ତାହେଲେ ବି କʼଣ ଆମକୁ କ୍ଷମା ମାଗିବା ଉଚିତ୍ ?
“କ୍ଷମା ମାଗିବା—ଶାନ୍ତି ବଜାୟ ରଖିବାର ଗୋଟିଏ ବଢ଼ିଆ ରାସ୍ତା” (ପ୍ରହରୀଦୁର୍ଗ-ହି, ୧ ନଭେମ୍ବର, ୨୦୦୨)
ଜାଣନ୍ତୁ ଯେ କିଛି ଲୋକ କିପରି ଭେଦଭାବ ନ କରି ସମସ୍ତଙ୍କ ସହ ଏକାଭଳି ବ୍ୟବହାର କରିବା ଶିଖିଲେ ।
ଯଦି ଆମେ ପରସ୍ପର ମଧ୍ୟରେ ହେଉଥିବା ଝଗଡ଼ାଗୁଡ଼ିକୁ ସମାଧାନ କରିବା ନାହିଁ, ତାହେଲେ ଏଥିରୁ ମଣ୍ଡଳୀର ଶାନ୍ତି ଭଙ୍ଗ ହୋଇପାରେ । ଏପରି ନ ହେବା ପାଇଁ ଆମେ କʼଣ କରିପାରିବା ? ଆସନ୍ତୁ ଜାଣିବା ।
“ପ୍ରେମର ସହ ପରସ୍ପର ଭିତରେ ହେଉଥିବା ସମସ୍ୟାର ସମାଧାନ କରନ୍ତୁ” (ପ୍ରହରୀଦୁର୍ଗ-ହି, ମେ ୨୦୧୬)
a ଯଦି ଜଣେ ଖ୍ରୀଷ୍ଟିୟାନକୁ କୌଣସି ସଂକ୍ରାମକ ରୋଗ ଅଛି, ତାହେଲେ ଭାଇଭଉଣୀଙ୍କ ପ୍ରତି ପ୍ରେମ ଥିଲେ ସେ କʼଣ କରିବ, ତାହା ଜାଣିବା ପାଇଁ ଅଧିକ ବିବରଣୀ ୬ ଦେଖନ୍ତୁ ।
b ଆମେ ବିଜନେସ୍ ଓ ଆଇନ କାନୁନ ସହିତ ଜଡ଼ିତ ମାମଲାକୁ କିପରି ସମାଧାନ କରିପାରିବା, ତାହା ଜାଣିବା ପାଇଁ ଅଧିକ ବିବରଣୀ ୭ ଦେଖନ୍ତୁ ।