ଭାଗ ୧
ବୈବାହିକ ଜୀବନକୁ ସୁଖମୟ କରିବା ପାଇଁ ଈଶ୍ୱରଙ୍କୁ ସାହାଯ୍ୟ ମାଗନ୍ତୁ
‘ସୃଷ୍ଟିକର୍ତ୍ତା ଆରମ୍ଭରୁ ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ ।’—ମାଥିଉ ୧୯:୪
ଯିହୋବାa ଈଶ୍ୱର ବିବାହ ବନ୍ଧନର ଆରମ୍ଭ କରିଥିଲେ । ବାଇବଲ କହେ ଯେ ଈଶ୍ୱର ପୃଥିବୀର ପ୍ରଥମ ସ୍ତ୍ରୀକୁ ସୃଷ୍ଟି କଲେ ଏବଂ ତାକୁ ପ୍ରଥମ ପୁରୁଷ “ଆଦମଙ୍କ ନିକଟକୁ ଆଣିଲେ ।” ତାକୁ ଦେଖି ଆଦମ ଏତେ ଖୁସି ହେଲା ଯେ ସେ କହିଲା, “ଏ ମୋହର ଅସ୍ଥିର ଅସ୍ଥି ଓ ମାଂସର ମାଂସ ।” (ଆଦି ପୁସ୍ତକ ୨:୨୨, ୨୩) ଯିହୋବା ଆଜି ମଧ୍ୟ ଚାହାନ୍ତି ଯେ ବିବାହିତ ଦମ୍ପତି ଖୁସିରେ ରହନ୍ତୁ ।
ଯେତେବେଳେ ଆପଣ ବିବାହ କରନ୍ତି, ଆପଣ ଆଶା କରନ୍ତି ଯେ ଆପଣଙ୍କ ବୈବାହିକ ଜୀବନ ଫୁଲର ଶେଯ ହେବ । କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ, ଏପରିକି ଯେଉଁ ପତି-ପତ୍ନୀ ପରସ୍ପରକୁ ବହୁତ ପ୍ରେମ କରନ୍ତି, ସେମାନଙ୍କ ଜୀବନରେ ମଧ୍ୟ କିଛି ନା କିଛି ସମସ୍ୟା ଆସିଥାଏ । (୧ କରିନ୍ଥୀୟ ୭:୨୮) ଏହି ପୁସ୍ତିକାରେ ଆପଣ ଏପରି ବାଇବଲ ସିଦ୍ଧାନ୍ତ ପାଇବେ, ଯେଉଁଗୁଡ଼ିକୁ ଲାଗୁ କରିବା ଦ୍ୱାରା ଆପଣଙ୍କ ବୈବାହିକ ଜୀବନରେ ଏବଂ ପରିବାରରେ ଆପଣ ଖୁସି ଓ ଆନନ୍ଦ ଭରିପାରିବେ ।—ଗୀତସଂହିତା ୧୯:୮-୧୧.
୧ ଯିହୋବା ଆପଣଙ୍କୁ ଯେଉଁ ଭୂମିକା ଦେଇଛନ୍ତି, ତାହା ସ୍ୱୀକାର କରନ୍ତୁ
ବାଇବଲ କʼଣ କହେ: ପତି ପରିବାରର ମୁଖିଆ ଅଟନ୍ତି ।—ଏଫିସୀୟ ୫:୨୩.
ଯଦି ଆପଣ ଜଣେ ପତି ଅଟନ୍ତି, ତେବେ ଯିହୋବା ଆପଣଙ୍କଠାରୁ ଆଶା କରନ୍ତି ଯେ ଆପଣ ନିଜ ପତ୍ନୀଙ୍କ ସହ କୋମଳତାର ସହିତ ବ୍ୟବହାର କରନ୍ତୁ । (୧ ପିତର ୩:୭) ସେ ଆପଣଙ୍କ ପତ୍ନୀଙ୍କୁ ଆପଣଙ୍କର ଅନୁରୂପ ସହକାରିଣୀ ଭାବେ ସୃଷ୍ଟି କରିଛନ୍ତି ଏବଂ ସେ ଚାହାନ୍ତି ଯେ ଆପଣ ତାହାଙ୍କ ସହ ପ୍ରେମ ଓ ମର୍ଯ୍ୟାଦାର ସହିତ ବ୍ୟବହାର କରନ୍ତୁ । (ଆଦି ପୁସ୍ତକ ୨:୧୮) ଆପଣ ନିଜ ପତ୍ନୀଙ୍କୁ ଏତେ ପ୍ରେମ କରିବା ଉଚିତ୍ ଯେ ଆପଣ ତାଙ୍କ ପସନ୍ଦ-ନାପସନ୍ଦକୁ ନିଜର ଅପେକ୍ଷା ଅଧିକ ଗୁରୁତ୍ୱ ଦେବା ପାଇଁ ସର୍ବଦା ପ୍ରସ୍ତୁତ ରହିବା ଉଚିତ୍ ।—ଏଫିସୀୟ ୫:୨୫-୨୯.
ଯଦି ଆପଣ ଜଣେ ପତ୍ନୀ ଅଟନ୍ତି, ତେବେ ଯିହୋବା ଆପଣଙ୍କଠାରୁ ଆଶା କରନ୍ତି ଯେ ଆପଣ ନିଜ ପତିଙ୍କୁ ଗଭୀର ଆଦର କରନ୍ତୁ ଏବଂ ତାଙ୍କୁ ନିଜ ଭୂମିକା ତୁଲାଇବାରେ ସାହାଯ୍ୟ କରନ୍ତୁ । (୧ କରିନ୍ଥୀୟ ୧୧:୩; ଏଫିସୀୟ ୫:୩୩) ପତିଙ୍କ ନିଷ୍ପତ୍ତିଗୁଡ଼ିକରେ ତାଙ୍କୁ ସମର୍ଥନ କରନ୍ତୁ ଏବଂ ସେହି ନିଷ୍ପତ୍ତିଗୁଡ଼ିକୁ ସଫଳ କରିବାରେ ହୃଦୟର ସହିତ ତାଙ୍କୁ ସହଯୋଗ କରନ୍ତୁ । (କଲସୀୟ ୩:୧୮) ଯଦି ଆପଣ ଏପରି କରିବେ, ତେବେ ଆପଣ ନିଜ ପତି ଏବଂ ଯିହୋବାଙ୍କ ଦୃଷ୍ଟିରେ ବହୁମୂଲ୍ୟ ହୋଇପାରିବେ ।—୧ ପିତର ୩:୧-୬.
ଆପଣ କʼଣ କରିପାରିବେ:
ଆପଣଙ୍କ ଜୀବନସାଥୀଙ୍କୁ ପଚାରନ୍ତୁ ଯେ ଆପଣ କିପରି ଜଣେ ଆହୁରି ଭଲ ପତି କିମ୍ବା ପତ୍ନୀ ହୋଇପାରିବେ । ତାʼପରେ ଧ୍ୟାନର ସହିତ ତାଙ୍କ କଥା ଶୁଣନ୍ତୁ ଏବଂ ନିଜ ଭିତରେ ଉନ୍ନତି ଆଣିବା ପାଇଁ ସର୍ବଦା ଚେଷ୍ଟା କରନ୍ତୁ
ଧୈର୍ଯ୍ୟ ଧରନ୍ତୁ । ଆପଣ ଦୁହେଁ ପରସ୍ପରକୁ କିପରି ଖୁସି ଦେଇପାରିବେ, ତାହା ଶିଖିବାରେ ଆପଣ ଦୁହିଙ୍କୁ ସମୟ ଲାଗିବ
୨ ଆପଣଙ୍କ ଜୀବନସାଥୀଙ୍କର ଭାବନାଗୁଡ଼ିକ ପ୍ରତି ପ୍ରକୃତ ସହାନୁଭୂତି ଦେଖାନ୍ତୁ
ବାଇବଲ କʼଣ କହେ: ଆପଣ ନିଜ ଜୀବନସାଥୀଙ୍କ ପସନ୍ଦ-ନାପସନ୍ଦ ପ୍ରତି ଧ୍ୟାନ ଦେବା ଜରୁରୀ ଅଟେ । (ଫିଲିପ୍ପୀୟ ୨:୩, ୪) ନିଜ ଜୀବନସାଥୀଙ୍କୁ ବହୁମୂଲ୍ୟ ଭାବି ତାହାଙ୍କ ସହିତ ଉତ୍ତମ ବ୍ୟବହାର କରନ୍ତୁ । ମନେରଖନ୍ତୁ, ଯିହୋବା ଚାହାନ୍ତି ଯେ ତାହାଙ୍କ ସେବକମାନେ ‘ସମସ୍ତଙ୍କ ପ୍ରତି କୋମଳତାର’ ସହିତ ବ୍ୟବହାର କରନ୍ତୁ । (୨ ତୀମଥି ୨:୨୪) ‘ଯେଉଁ ଲୋକମାନେ କୌଣସି ଚିନ୍ତା ନ କରି କହନ୍ତି, ସେମାନଙ୍କର ଶବ୍ଦଗୁଡ଼ିକ ଖଡ଼୍ଗ ପରି ଆଘାତ କରେ । ମାତ୍ର ଜ୍ଞାନୀ ଲୋକର କଥା ଆରୋଗ୍ୟ କରେ ।’ ତେଣୁ ଭାବିଚିନ୍ତି କଥା କୁହନ୍ତୁ । (ହିତୋପଦେଶ ୧୨:୧୮, ଇଜି-ଟୁ-ରିଡ୍ ଭର୍ସନ) ଯିହୋବାଙ୍କ ପବିତ୍ର ଆତ୍ମା ଅର୍ଥାତ୍ ତାହାଙ୍କ ସକ୍ରିୟ ଶକ୍ତି ଆପଣଙ୍କୁ ନିଜ ଜୀବନସାଥୀଙ୍କ ସହ ପ୍ରେମ ଓ କୋମଳତାର ସହିତ କଥାବାର୍ତ୍ତା ହେବାକୁ ସାହାଯ୍ୟ କରିବ ।—ଗାଲାତୀୟ ୫:୨୨, ୨୩; କଲସୀୟ ୪:୬.
ଆପଣ କʼଣ କରିପାରିବେ:
ନିଜ ଜୀବନସାଥୀଙ୍କ ସହିତ କୌଣସି ଗମ୍ଭୀର ବିଷୟରେ କଥାବାର୍ତ୍ତା କରିବା ପୂର୍ବରୁ ଶାନ୍ତ ରହିବା ଏବଂ ଖୋଲାମନ ଆପଣାଇବା ପାଇଁ ଯିହୋବାଙ୍କୁ ପ୍ରାର୍ଥନାରେ ସାହାଯ୍ୟ ମାଗନ୍ତୁ
ଜୀବନସାଥୀଙ୍କୁ ଆପଣ କʼଣ କହିବେ ଏବଂ କିପରି କହିବେ ତାʼ ଉପରେ ଗଭୀର ଭାବେ ଚିନ୍ତା କରନ୍ତୁ
୩ ଦୁହେଁ ମିଶି ଚିନ୍ତା କରନ୍ତୁ
ବାଇବଲ କʼଣ କହେ: ଯେତେବେଳେ ଆପଣ ବିବାହ କରନ୍ତି, ଆପଣ ଓ ଆପଣଙ୍କ ଜୀବନସାଥୀ ଦୁହେଁ “ଏକାଙ୍ଗ” ହୋଇଯାʼନ୍ତି । (ମାଥିଉ ୧୯:୫) ତଥାପି ଆପଣ ଦୁଇଜଣ ଭିନ୍ନ ଭିନ୍ନ ବ୍ୟକ୍ତି ଅଟନ୍ତି, ତେଣୁ ଆପଣ ଦୁହିଙ୍କ ମତାମତ ମଧ୍ୟ ପରସ୍ପରଠାରୁ ଭିନ୍ନ ହୋଇପାରେ । ସେଥିପାଇଁ ଦୁହିଙ୍କୁ ନିଜ ଭାବନା ଓ ବିଚାରଗୁଡ଼ିକରେ ଏକ ହେବା ପାଇଁ ଶିଖିବାକୁ ହେବ । (ଫିଲିପ୍ପୀୟ ୨:୨) ନିଷ୍ପତ୍ତିଗୁଡ଼ିକ ନେବା ସମୟରେ ଭାବନା ଓ ବିଚାରଗୁଡ଼ିକରେ ଏକମତ ହେବା ଖୁବ୍ ଜରୁରୀ ଅଟେ । ବାଇବଲ କହେ: “ମନ୍ତ୍ରଣା ଦ୍ୱାରା ପ୍ରତ୍ୟେକ ସଂକଳ୍ପ ସ୍ଥିର ହୁଏ” ଅର୍ଥାତ୍ ସୁପରାମର୍ଶ ଦ୍ୱାରା ପ୍ରତ୍ୟେକ ଯୋଜନା ସ୍ଥିର ହୋଇଥାଏ । (ହିତୋପଦେଶ ୨୦:୧୮) ସେଥିପାଇଁ ଦୁହେଁ ମିଶି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସମୟରେ ବାଇବଲ ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖନ୍ତୁ ।—ହିତୋପଦେଶ ୮:୩୨, ୩୩.
ଆପଣ କʼଣ କରିପାରିବେ:
ଆପଣଙ୍କ ଜୀବନସାଥୀଙ୍କୁ କେବଳ ତଥ୍ୟ କିମ୍ବା ମତାମତ ନୁହଁ, ବରଂ ନିଜ ଭାବନାଗୁଡ଼ିକ ବିଷୟରେ ମଧ୍ୟ ମନଖୋଲି କୁହନ୍ତୁ
ଯେକୌଣସି ନିଷ୍ପତ୍ତି ନେବା ପୂର୍ବରୁ ନିଜ ଜୀବନସାଥୀଙ୍କ ପରାମର୍ଶ ନିଅନ୍ତୁ
a ବାଇବଲ କହେ ଯେ ଈଶ୍ୱରଙ୍କ ନାମ ଯିହୋବା ଅଟେ ।