ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w23 ଜୁନ୍‌ ପୃଷ୍ଠା ୧୪-୧୯
  • ଯିହୋବାଙ୍କୁ କାହିଁକି ଭୟ କରିବା ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କୁ କାହିଁକି ଭୟ କରିବା ?
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଈଶ୍ୱରଙ୍କୁ ଭୟ କରିବାର ଅର୍ଥ କʼଣ ?
  • ଆମେ ଈଶ୍ୱରଙ୍କୁ ଭୟ କରିବା ଶିଖିପାରିବା
  • ଓବଦୀୟଙ୍କ ଭଳି ସାହସୀ ହୁଅନ୍ତୁ
  • ମହାଯାଜକ ଯିହୋୟାଦାଙ୍କ ଭଳି ବିଶ୍ୱସ୍ତ ରହନ୍ତୁ
  • ରାଜା ଯୋୟାଶ୍‌ ଭଳି ହୁଅନ୍ତୁ ନାହିଁ
  • ଯିହୋୟାଦାଙ୍କ ସାହସ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ସାହସର ସହ କାମ କରୁଥିବା ବ୍ୟକ୍ତିଙ୍କୁ ଯିହୋବା ଆଶିଷ ଦିଅନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଯୁବାମାନେ, ତମ ଜୀବନ କିପରି ହେବ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଯିହୋବାଙ୍କୁ ପ୍ରେମ କରୁଥିବା ଲୋକଙ୍କ ସହ ସମୟ ବିତାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
w23 ଜୁନ୍‌ ପୃଷ୍ଠା ୧୪-୧୯

ଅଧ୍ୟୟନ ଲେଖା ୨୭

ଯିହୋବାଙ୍କୁ କାହିଁକି ଭୟ କରିବା ?

‘ଯିହୋବାଙ୍କ ସାଙ୍ଗ ତାହାଙ୍କ ଭୟକାରୀମାନେ ହେବେ ।’—ଗୀତ. ୨୫:୧୪.

ଗୀତ ୮ ୟହୋୱା ହମାରା ଗଢ଼ ହୈ

ଲେଖାର ଝଲକa

୧-୨. ଗୀତସଂହିତା ୨୫:୧୪ ପଦ ଅନୁସାରେ ଯଦି ଆମେ ଯିହୋବାଙ୍କ ସହ ନିଜ ବନ୍ଧୁତାକୁ ଦୃଢ଼ କରିବାକୁ ଚାହୁଁ, ତେବେ ଆମକୁ କʼଣ କରିବାକୁ ପଡ଼ିବ ?

ଯଦି ଆପଣ କାହାରି ସହିତ ନିଜ ବନ୍ଧୁତା ବଜାୟ ରଖିବା ପାଇଁ ଚାହାନ୍ତି ତାହେଲେ ଆପଣଙ୍କୁ କʼଣ ଲାଗେ, ଆପଣଙ୍କୁ କʼଣ କରିବାକୁ ପଡ଼ିବ ? ଆପଣ ହୁଏତ କହିବେ, ସାଙ୍ଗମାନଙ୍କ ମଧ୍ୟରେ ପ୍ରେମ ହେବା ଉଚିତ୍‌ ଓ ପରସ୍ପରର ସହଯୋଗ କରିବା ଉଚିତ୍‌, ତେବେ ଯାଇ ସେମାନଙ୍କ ବନ୍ଧୁତା ବଜାୟ ରହିବ । କିନ୍ତୁ କʼଣ ଆମକୁ ନିଜ ସାଙ୍ଗକୁ ଡରିବା ଉଚିତ୍‌ ? ଆପଣ ହୁଏତ ଭାବିବେ, ‘ନା, ସାଙ୍ଗକୁ କିଏ ଡରେ ?’ କିନ୍ତୁ ଯେପରି ଏହି ଲେଖାର ମୁଖ୍ୟ ପଦରେ ଲେଖାଅଛି, ଯଦି କେହି ଯିହୋବାଙ୍କ ସହ ନିଜ ବନ୍ଧୁତାକୁ ଦୃଢ଼ କରିବାକୁ ଚାହେଁ, ତେବେ ଏହା ବହୁତ ଜରୁରୀ ଯେ ସେ ତାଙ୍କୁ ‘ଭୟ କରୁ ।’—ଗୀତସଂହିତା ୨୫:୧୪ ପଢ଼ନ୍ତୁ ।

୨ ଯଦି ଆମେ ଅନେକ ବର୍ଷରୁ ଯିହୋବାଙ୍କ ସେବା କରୁଛୁ, ତେବେ ବି ଆମେ ସମସ୍ତେ ତାଙ୍କୁ ଭୟ କରିବା ଉଚିତ୍‌ । କିନ୍ତୁ ଈଶ୍ୱରଙ୍କୁ ଭୟ କରିବାର ଅର୍ଥ କʼଣ ? ଆମେ ଈଶ୍ୱରଙ୍କୁ ଭୟ କରିବା ବିଷୟରେ କିପରି ଶିଖିପାରିବା ? ଆଉ ଈଶ୍ୱରଙ୍କୁ ଭୟ କରିବା ବିଷୟରେ ଆମେ ପ୍ରାଚୀନ ସମୟର ଜଣେ ଅଧିକାରୀ ଓବଦୀୟ, ମହାଯାଜକ ଯିହୋୟାଦା ଓ ରାଜା ଯୋୟାଶ୍‌ଠାରୁ କʼଣ ଶିଖିପାରିବା ?

ଈଶ୍ୱରଙ୍କୁ ଭୟ କରିବାର ଅର୍ଥ କʼଣ ?

୩. ଅନେକଥର ଆମକୁ କାହିଁକି ଡର ଲାଗିପାରେ ଓ ଏପରି ଡର ହେବା କାହିଁକି ଭଲ ଅଟେ ?

୩ ଅନେକଥର ଭୟ ଯୋଗୁଁ ଆମେ ଏପରି କାମ କରି ନ ଥାଉ, ଯାହାଯୋଗୁଁ ଆମକୁ କ୍ଷତି କିମ୍ବା ଆଘାତ ପହଞ୍ଚିପାରେ । ଏପରି ଡର ହେବା ଭଲ ଅଟେ । ଯେପରି, ଯଦି ଆମେ ପାହାଡ଼ରେ ଚାଲୁଛୁ, ତେବେ ଆମେ ତାʼକଡ଼ରେ ଚାଲି ନ ଥାଉ, କାରଣ ଆମକୁ ତଳକୁ ପଡ଼ିଯିବାର ଡର ଥାଏ । କିମ୍ବା ଯଦି ଆମକୁ ଲାଗେ ଯେ କୌଣସି ବିପଦ ଅଛି, ତେବେ ଆମେ ତୁରନ୍ତ ସେଠାରୁ ପଳାଇ ଯାଉ, କାରଣ ଆମକୁ ଡର ଥାଏ ଯେ ଆମକୁ କୌଣସି ଆଘାତ ପହଞ୍ଚି ନ ଯାଉ । ଆଉ ଆମର ଏହା ଚେଷ୍ଟା ଥାଏ ଯେ ଆମେ ନିଜ ସାଙ୍ଗମାନଙ୍କ ସହିତ ଖରାପ ବ୍ୟବହାର ନ କରୁ କିମ୍ବା ଓଲଟା ସିଧା କଥା ନ କହୁ, କାରଣ ଆମକୁ ଡର ଥାଏ ଯେ ଆମ ବନ୍ଧୁତା ଭାଙ୍ଗି ନ ଯାଉ ।

୪. ଶୟତାନ କʼଣ ଚାହେଁ ?

୪ ଶୟତାନ ଚାହେଁ ଯେ ଆମେ ଯିହୋବାଙ୍କୁ ଡରୁ । ସେ ଆମ ମନରେ ସେହି କଥା ପୂରାଇବା ପାଇଁ ଚାହେଁ ଯାହା ଅନେକ ବର୍ଷ ପୂର୍ବେ ଇଲୀଫସ୍‌ ଆୟୁବଙ୍କୁ କହିଥିଲା । ତାହା ହେଉଛି ଯେ ଯିହୋବା ସବୁବେଳେ ରାଗରେ ଥାନ୍ତି, ସେ ଏହା ସୁଯୋଗ ଖୋଜୁଥାନ୍ତି ଯେ ସେ କେବେ ଓ କାହାକୁ ଦଣ୍ଡ ଦେବେ ଏବଂ ତାଙ୍କୁ ଖୁସି କରିବା ଅସମ୍ଭବ । (ଆୟୁ. ୪:୧୮, ୧୯) ଶୟତାନ ଚାହେଁ ଯେ ଆମେ ଯିହୋବାଙ୍କ ବିଷୟରେ ଏସବୁ କଥା ଭାବୁ ଓ ଏତେ ଡରିଯାଉ ଯେ ତାଙ୍କ ସେବା କରିବା ହିଁ ଛାଡ଼ି ଦେଉ । ଯଦି ଆମେ ଶୟତାନର ଏହି ଫାନ୍ଦରୁ ବଞ୍ଚିବା ପାଇଁ ଚାହୁଁ, ତେବେ ଆମକୁ ନିଜଠାରେ ଯିହୋବାଙ୍କ ପାଇଁ ସଠିକ୍‌ ଭୟ ବଢ଼ାଇବା ଦରକାର ।

୫. ଈଶ୍ୱରଙ୍କୁ ଭୟ କରିବାର ଅର୍ଥ କʼଣ ?

୫ ଯେଉଁ ବ୍ୟକ୍ତିର ମନରେ ଈଶ୍ୱରଙ୍କ ପ୍ରତି ସଠିକ୍‌ ଭୟ ଥାଏ, ସେ ତାଙ୍କୁ ପ୍ରେମ କରେ ଓ ଏପରି କାମ କରିବା ପାଇଁ ଚାହେଁନି, ଯାହାଯୋଗୁଁ ଯିହୋବାଙ୍କ ସହ ତାʼସମ୍ପର୍କ ଖରାପ ହୋଇଯିବ । ଯୀଶୁଙ୍କ ମନରେ ବି ଯିହୋବାଙ୍କ ପାଇଁ ଏପରି ହିଁ ଭୟ ଥିଲା । (ଏବ୍ରୀ ୫:୭) ଯୀଶୁ ଯିହୋବାଙ୍କୁ ଡରୁ ନ ଥିଲେ । (ଯିଶା. ୧୧:୨, ୩) ତାʼପରିବର୍ତ୍ତେ ସେ ତାଙ୍କୁ ପ୍ରେମ କରୁଥିଲେ ଓ ସବୁବେଳେ ତାଙ୍କ କଥା ମାନିବା ପାଇଁ ଚାହୁଁଥିଲେ । (ଯୋହ. ୧୪:୨୧, ୩୧) ଯୀଶୁଙ୍କ ଭଳି ଆମ ମନରେ ବି ଯିହୋବାଙ୍କ ପାଇଁ ଶ୍ରଦ୍ଧା ଅଛି ଓ ଆମେ ତାଙ୍କୁ ବହୁତ ଆଦର କରୁ । କାରଣ ଯିହୋବା ପ୍ରେମମୟୀ ଈଶ୍ୱର ଅଟନ୍ତି, ସେ ବହୁତ ବୁଦ୍ଧିମାନ ଓ ଶକ୍ତିଶାଳୀ ଅଟନ୍ତି ଆଉ ସେ ସବୁବେଳେ ନ୍ୟାୟ କରନ୍ତି । ଆଉ ଯେବେ ଆମେ ଏହା ମନେରଖୁ ଯେ ସେ କିପରି ଈଶ୍ୱର ଅଟନ୍ତି, ଆମକୁ କେତେ ପ୍ରେମ କରନ୍ତି, ତେବେ ଆମେ ସବୁ କାମ ବୁଝିବିଚାରି କରୁ । ଆମେ ସବୁବେଳେ ମନେରଖୁ ଯେ ଆମେ ଯାହା ବି କରୁ, ସେଥିରୁ ଯିହୋବାଙ୍କୁ ଫରକ ପଡ଼େ । ଯଦି ଆମେ ତାଙ୍କ ଆଜ୍ଞା ପାଳନ କରୁ, ତେବେ ତାଙ୍କ ହୃଦୟ ଖୁସି ହେବ । କିନ୍ତୁ ଯଦି ଆମେ ତାଙ୍କ ଆଜ୍ଞା ଭାଙ୍ଗି ଦେଉ, ତେବେ ତାଙ୍କୁ ବହୁତ ଦୁଃଖ ଲାଗିବ ।—ଗୀତ. ୭୮:୪୧; ହିତୋ. ୨୭:୧୧.

ଆମେ ଈଶ୍ୱରଙ୍କୁ ଭୟ କରିବା ଶିଖିପାରିବା

୬. ନିଜ ମନରେ ଯିହୋବାଙ୍କ ପାଇଁ ଭୟ ବଢ଼ାଇବାର ଗୋଟିଏ ଉପାୟ କʼଣ ଅଟେ ? (ଗୀତସଂହିତା ୩୪:୧୧)

୬ ଯିହୋବାଙ୍କ ପାଇଁ ଭୟ ଆମ ମଣିଷମାନଙ୍କ ଭିତରେ ଜନ୍ମରୁ ନ ଥାଏ, ତେଣୁ ଆମକୁ ଶିଖିବାକୁ ପଡ଼ିବ ଯେ ଆମେ କିପରି ଯିହୋବାଙ୍କୁ ଭୟ କରିବା । (ଗୀତସଂହିତା ୩୪:୧୧ ପଢ଼ନ୍ତୁ ।) ଏପରି କରିବାର ଗୋଟିଏ ଉପାୟ ହେଉଛି, ଯିହୋବାଙ୍କ ସୃଷ୍ଟିକୁ ଧ୍ୟାନ ଦେବା । ଯେବେ ଆମେ ‘ଯିହୋବାଙ୍କ ସୃଷ୍ଟ ବସ୍ତୁଗୁଡ଼ିକୁ’ ଧ୍ୟାନ ଦେଉ, ତେବେ ବୁଝିପାରୁ ଯେ ସେ କେତେ ବୁଦ୍ଧିମାନ ଓ ଶକ୍ତିଶାଳୀ ଅଟନ୍ତି ଏବଂ ଆମକୁ କେତେ ପ୍ରେମ କରନ୍ତି । ଯେତେ ଅଧିକ ଆମେ ଏବିଷୟରେ ଭାବୁ, ସେତେ ଅଧିକ ଆମ ମନରେ ତାଙ୍କ ପାଇଁ ଶ୍ରଦ୍ଧା ଭରିଯାଏ ଓ ଆମେ ତାଙ୍କୁ ଆହୁରି ଆଦର କରିବାକୁ ଲାଗୁ । (ରୋମୀ. ୧:୨୦) ଏଡ୍ରିଏନ୍‌ ନାମକ ଭଉଣୀ କହନ୍ତି, “ଯିହୋବାଙ୍କ ସୃଷ୍ଟିରୁ ସ୍ପଷ୍ଟ ଜଣାପଡ଼େ ଯେ ସେ କେତେ ବୁଦ୍ଧିମାନ ଅଟନ୍ତି । ତେଣୁ ଯେବେ ବି ମୁଁ ସୃଷ୍ଟିକୁ ଦେଖେ, ତେବେ ମୋତେ ଭରସା ହୋଇଯାଏ ଯେ ସେ ଯାହା ବି କହନ୍ତି, ତାହା ମୋ ଭଲ ପାଇଁ ଥାଏ ।” ଭଉଣୀ ଏବିଷୟରେ ଅନେକଥର ଭାବିଲେ, ତେଣୁ ସେ କହିପାରିଲେ, “ମୁଁ ଏପରି କିଛି ବି କାମ କରିବା ପାଇଁ ଚାହେଁନି, ଯେଉଁଥିରୁ ଯିହୋବାଙ୍କ ସହ ମୋ ସମ୍ପର୍କ ଖରାପ ହୋଇଯିବ ।” କʼଣ ଆପଣ ଏସପ୍ତାହ କିଛି ସମୟ ବାହାର କରି ଯିହୋବାଙ୍କ କୌଣସି ସୃଷ୍ଟି ବିଷୟରେ ଭାବିପାରିବେ ? ଏପରି କରିଲେ ଆପଣ ଯିହୋବାଙ୍କୁ ଆହୁରି ପ୍ରେମ କରିବାକୁ ଲାଗିବେ ଓ ତାଙ୍କର ଆହୁରି ଆଦର କରିବାକୁ ଲାଗିବେ ।—ଗୀତ. ୧୧୧:୨, ୩.

୭. ପ୍ରାର୍ଥନା କରିବା ଦ୍ୱାରା ଆମେ ନିଜ ମନରେ ଯିହୋବାଙ୍କ ପାଇଁ ଭୟ କିପରି ବଢ଼ାଇପାରିବା ?

୭ ଯିହୋବାଙ୍କ ପାଇଁ ନିଜ ମନରେ ଭୟ ବଢ଼ାଇବାର ଆଉ ଗୋଟିଏ ଉପାୟ ହେଉଛି, ତାଙ୍କୁ ଲଗାତାର ପ୍ରାର୍ଥନା କରିବା । ପ୍ରତିଥର ଯେବେ ଆମେ ଯିହୋବାଙ୍କୁ ପ୍ରାର୍ଥନା କରୁ, ତେବେ ସେ ଆମ ପାଇଁ ଆହୁରି ଅସଲ ହୋଇଯାନ୍ତି ଓ ଆମେ ତାଙ୍କୁ ଆହୁରି ଭଲଭାବେ ଜାଣିପାରୁ । ତାହା କିପରି ? ଯେବେ ବି ଆମେ କୌଣସି ସମସ୍ୟାକୁ ସହିବା ପାଇଁ ତାଙ୍କୁ ଶକ୍ତି ମାଗୁ, ତେବେ ଆମେ ନିଜକୁ ମନେପକାଉ ଯେ ସେ କେତେ ଶକ୍ତିଶାଳୀ ଅଟନ୍ତି । ଯେବେ ଆମେ ଯିହୋବାଙ୍କୁ ଧନ୍ୟବାଦ ଦେଉ ଯେ ସେ ଯୀଶୁଙ୍କ ମୁକ୍ତିର ମୂଲ୍ୟ ଆମ ପାଇଁ ଦେଲେ, ତେବେ ଆମକୁ ମନେପଡ଼େ ଯେ ସେ ଆମକୁ କେତେ ପ୍ରେମ କରନ୍ତି । ଆଉ ଯେବେ ଆମେ କୌଣସି ସମସ୍ୟାର ସାମନା କରିବା ପାଇଁ ତାଙ୍କୁ ସାହାଯ୍ୟ ମାଗୁ, ତେବେ ଆମକୁ ଆହୁରି ଭରସା ହୋଇଯାଏ ଯେ ସେ କେତେ ବୁଦ୍ଧିମାନ ଅଟନ୍ତି । ଏପରି ପ୍ରାର୍ଥନା କରିବା ଯୋଗୁଁ ଆମେ ତାଙ୍କୁ ଆହୁରି ଆଦର କରିବାକୁ ଲାଗୁ ଓ ଆମର ଏହି ଉଦ୍ଦେଶ୍ୟ ଆହୁରି ଦୃଢ଼ ହୋଇଯାଏ ଯେ ଆମେ ଏପରି କିଛି ବି କାମ କରିବାନି, ଯାହାଦ୍ୱାରା ଯିହୋବାଙ୍କ ସହ ଆମ ବନ୍ଧୁତା ଭାଙ୍ଗିଯିବ ।

୮. ଯଦି ଆମେ ଚାହୁଁ ଯେ ଆମେ ସବୁବେଳେ ଯିହୋବାଙ୍କୁ ଭୟ କରୁ, ତେବେ ଆମକୁ କʼଣ କରିବାକୁ ପଡ଼ିବ ?

୮ ଆମେ ସମସ୍ତେ ସବୁବେଳେ ଯିହୋବାଙ୍କୁ ଭୟ କରିବା ପାଇଁ ଚାହୁଁ । ତାʼପାଇଁ ଏହା ବହୁତ ଜରୁରୀ ଯେ ଆମେ ବାଇବଲରେ ଥିବା ଭଲ ଓ ଖରାପ ଉଦାହରଣଗୁଡ଼ିକରୁ ଶିଖୁ । ତେବେ ଆସନ୍ତୁ ଆମେ ଯିହୋବାଙ୍କ ଦୁଇଜଣ ବିଶ୍ୱସ୍ତ ସେବକମାନଙ୍କ ଉପରେ ଧ୍ୟାନ ଦେବା ଆଉ ଦେଖିବା ଯେ ଆମେ ତାଙ୍କଠାରୁ କʼଣ ଶିଖିପାରିବା । ସବୁଠୁ ପ୍ରଥମେ ରାଜା ଆହାବଙ୍କ ରାଜମହଲ ଦେଖାରେଖା କରୁଥିବା ଅଧିକାରୀ, ଓବଦୀୟଙ୍କଠାରୁ ଶିଖିବା । ତାʼପରେ ଆମେ ମହାଯାଜକ ଯିହୋୟାଦାଙ୍କ ଉଦାହରଣ ଉପରେ ଧ୍ୟାନ ଦେବା । ତାʼପରେ ଆମେ ଜାଣିବା ଯେ ଯିହୁଦାର ରାଜା ଯୋୟାଶ୍‌ଠାରୁ ଆମେ କʼଣ ଶିଖିପାରିବା ଯିଏ ପୂର୍ବେ ଯିହୋବାଙ୍କ ସେବା କରୁଥିଲା, କିନ୍ତୁ ପରେ ସେ ତାଙ୍କ ସେବା କରିବା ଛାଡ଼ିଦେଲା ।

ଓବଦୀୟଙ୍କ ଭଳି ସାହସୀ ହୁଅନ୍ତୁ

୯. ଯିହୋବାଙ୍କ ପାଇଁ ଭୟ ଥିବା ଯୋଗୁଁ ଓବଦୀୟ କିପରି ବ୍ୟକ୍ତି ହୋଇପାରିଲେ ? (୧ ରାଜାବଳୀ ୧୮:୩, ୧୨)

୯ ବାଇବଲରେ ସବୁଠୁ ପ୍ରଥମେ ଯେଉଁଠି ଓବଦୀୟଙ୍କb ବିଷୟରେ କୁହାଯାଇଛି, ସେଇଠି ଲେଖାଅଛି, “ଓବଦୀୟ ସଦାପ୍ରଭୁଙ୍କୁ ଅତିଶୟ ଭୟ କରିଥିଲା ।” (୧ ରାଜାବଳୀ ୧୮:୩, ୧୨ ପଢ଼ନ୍ତୁ ।) ଈଶ୍ୱରଙ୍କୁ ଭୟ କରିବା ଯୋଗୁଁ ସେ ସଚ୍ଚୋଟ ଓ ଭରସାଯୋଗ୍ୟ ରହିପାରିଲେ । ତେଣୁ ରାଜା ତାଙ୍କୁ ରାଜମହଲର ଦେଖାରେଖା କରିବାର ଅଧିକାରୀ ନିଯୁକ୍ତ କଲେ । (ନିହିମୀୟା ୭:୨ ପଦ ସହ ତୁଳନା କରନ୍ତୁ ।) ଈଶ୍ୱରଙ୍କୁ ଭୟ କରିବା ଯୋଗୁଁ ଓବଦୀୟ ସାହସର ସହ କାମ କରିପାରିଲେ । ଆଉ ସତରେ ତାଙ୍କୁ ସାହସର ଆବଶ୍ୟକ ଥିଲା । କାରଣ ସେସମୟରେ ଆହାବ ଶାସନ କରୁଥିଲା, ଯାହା ବିଷୟରେ ଲେଖାଅଛି ଯେ “ଆପଣା ପୂର୍ବବର୍ତ୍ତୀ ସମସ୍ତଙ୍କ ଅପେକ୍ଷା ସଦାପ୍ରଭୁଙ୍କ ଦୃଷ୍ଟିରେ ଅଧିକ କୁକର୍ମ କଲେ ।” (୧ ରାଜା. ୧୬:୩୦) ତାʼଛଡ଼ା ଆହାବର ସ୍ତ୍ରୀ ଈଷେବଲ୍‌ ବାଲ୍‌ ଦେବତାର ଉପାସନା କରୁଥିଲା ଓ ଯିହୋବାଙ୍କୁ ଏତେ ଘୃଣା କରୁଥିଲା ଯେ ସେ ଇସ୍ରାଏଲ ଦେଶର ଦଶ ଗୋତ୍ରର ରାଜ୍ୟରୁ ଯିହୋବାଙ୍କ ସମସ୍ତ ସେବକମାନଙ୍କୁ ବିନାଶ କରିବା ପାଇଁ ଚେଷ୍ଟା କଲା । ସେ ଯିହୋବାଙ୍କ ଅନେକ ଭବିଷ୍ୟଦ୍‌ବକ୍ତାମାନଙ୍କୁ ମଧ୍ୟ ମାରି ଦେଇଥିଲା । (୧ ରାଜା. ୧୮:୪) ସତରେ, ଓବଦୀୟ ବହୁତ କଠିନ ସମୟରେ ଯିହୋବାଙ୍କ ସେବା କଲେ ।

୧୦. ଆମେ କାହିଁକି କହିପାରିବା ଯେ ଓବଦୀୟ ବହୁତ ସାହସୀ ଥିଲେ ?

୧୦ ଓବଦୀୟ ସତରେ ବହୁତ ସାହସୀ ଥିଲେ । ଏପରି ଆମେ କାହିଁକି କହିପାରିବା ? ଯେବେ ଈଷେବଲ୍‌ ଭବିଷ୍ୟଦ୍‌ବକ୍ତାମାନଙ୍କୁ ମାରିବା ପାଇଁ ଚେଷ୍ଟା କରୁଥିଲା, ତେବେ ଓବଦୀୟ ‘ଏକ ଶତ ଭବିଷ୍ୟଦ୍‌ବକ୍ତାଙ୍କୁ ପଚାଶ ପଚାଶ ଜଣ କରି ଗହ୍ୱରରେ ଲୁଚାଇ ରଖି ଅନ୍ନ ଜଳ ଦେଇ ସେମାନଙ୍କୁ ପ୍ରତିପାଳନ କରୁଥିଲେ ।’ (୧ ରାଜା. ୧୮:୧୩, ୧୪) ଯଦି ସେ ଧରା ପଡ଼ିଯାନ୍ତେ, ତାହେଲେ ଈଷେବଲ୍‌ ତାଙ୍କୁ ବି ଛାଡ଼ନ୍ତାନି । ତାଙ୍କୁ ଡର ତ ନିଶ୍ଚୟ ଲାଗିଥିବ ଆଉ ସେ ମରିବା ପାଇଁ ବି ଚାହୁଁ ନ ଥିଲେ । କିନ୍ତୁ ସେ ସାହସର ସହ କାମ କଲେ, କାରଣ ସେ ଯିହୋବା ଓ ତାଙ୍କ ସେବକମାନଙ୍କୁ ନିଜ ଜୀବନଠାରୁ ବି ଅଧିକ ପ୍ରେମ କରୁଥିଲେ ।

ଜଣେ ଭାଇ ଜଣେ ସ୍ୱାମୀ ସ୍ତ୍ରୀଙ୍କ ଘରେ ଆସିଛନ୍ତି, ଯେଉଁମାନେ ଯିହୋବାଙ୍କ ସାକ୍ଷୀ ଅଟନ୍ତି । ସେ ସ୍ୱାମୀଙ୍କୁ ଗୋଟିଏ ପ୍ରକାଶନ ଦେଉଛନ୍ତି ଓ ସ୍ତ୍ରୀ ଘରର କବାଟ ପାଖରେ ଛିଡ଼ା ହୋଇ ବାହାରେ ନଜର ରଖୁଛନ୍ତି ।

ଜଣେ ଭାଇ ସାହସର କାମ କରୁଛନ୍ତି ଓ ଏପରି ଅଞ୍ଚଳରେ ଭାଇଭଉଣୀମାନଙ୍କ ପାଇଁ ବହି ପତ୍ରିକାଗୁଡ଼ିକ ପହଞ୍ଚାଉଛନ୍ତି, ଯେଉଁଠାରେ ଆମ କାମ ଉପରେ ରୋକ ଲାଗିଛି (ପାରାଗ୍ରାଫ ୧୧)c

୧୧. ଆଜି ଯିହୋବାଙ୍କ ସେବକମାନେ କିପରି ଓବଦୀୟଙ୍କ ଭଳି ସାହସର ସହ କାମ କରନ୍ତି ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୧ ଆଜି ଆମ ଅନେକ ଭାଇଭଉଣୀ ଏପରି ଅଞ୍ଚଳଗୁଡ଼ିକରେ ରହନ୍ତି ଯେଉଁଠି ଆମ କାମ ଉପରେ ରୋକ ଲାଗିଛି । ସେମାନେ ଅଧିକାରୀମାନଙ୍କ ଆଦର କରନ୍ତି, କିନ୍ତୁ ଓବଦୀୟଙ୍କ ଭଳି ଯେକୌଣସି ପରିସ୍ଥିତିରେ ବି ଯିହୋବାଙ୍କ ସେବା କରିବା ଛାଡନ୍ତିନି । (ମାଥି. ୨୨:୨୧) ଈଶ୍ୱରଙ୍କ ପ୍ରତି ଭୟ ଥିବା ଯୋଗୁଁ ସେମାନେ ମନୁଷ୍ୟମାନଙ୍କ ଆଜ୍ଞା ଅପେକ୍ଷା ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି । (ପ୍ରେରି. ୫:୨୯) ସେମାନେ ଯିହୋବାଙ୍କ ଉପାସନା କରିବା ପାଇଁ ଲୁଚିଲୁଚି ଭେଟନ୍ତି ଓ ପ୍ରଚାରରେ ବି ଲାଗି ରହନ୍ତି । (ମାଥି. ୧୦:୧୬, ୨୮) ସେମାନେ ଏକଥାର ବି ଧ୍ୟାନ ରଖନ୍ତି ଯେ ଭାଇଭଉଣୀମାନଙ୍କୁ ବାଇବଲ ଆଧାରିତ ପ୍ରକାଶନ ଲଗାତାର ମିଳୁଥାଉ, ଯାହାଦ୍ୱାରା ସେମାନେ ଯିହୋବାଙ୍କ ନିକଟତର ହୋଇରହନ୍ତୁ । ଟିକେ ଭାଇ ହେନ୍‌ରିଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ସେ ଆଫ୍ରିକାର ଏପରି ଜାଗାରେ ରହୁଥିଲେ, ଯେଉଁଠି କିଛି ସମୟ ପାଇଁ ଆମ କାମ ଉପରେ ରୋକ ଲାଗିଥିଲା । ସେସମୟରେ ଭାଇ ହେନ୍‌ରି ନିଜେ ଆଗକୁ ଆସି କହିଲେ ଯେ ସେ ଭାଇଭଉଣୀମାନଙ୍କ ପାଇଁ ପ୍ରକାଶନ ପହଞ୍ଚାଇବେ । ସେ ଲେଖିଲେ, “ମୁଁ ବହୁତ ଲାଜ କରୁଥିଲି । କିନ୍ତୁ ମୋତେ ଜଣାଅଛି ଯେ ମୁଁ ଏଥିପାଇଁ ସାହସ ଦେଖାଇପାରିଲି, କାରଣ ମୁଁ ଯିହୋବାଙ୍କ ବହୁତ ଆଦର କରେ ।” କʼଣ ଆପଣଙ୍କୁ ଲାଗେ ଯେ ଆପଣ ବି ସାହସର ସହ କାମ କରିପାରିବେ ? ଯଦି ଆପଣ ଈଶ୍ୱରଙ୍କୁ ଭୟ କରିବେ, ତେବେ ଆପଣ ବି ସାହସୀ ହୋଇପାରିବେ !

ମହାଯାଜକ ଯିହୋୟାଦାଙ୍କ ଭଳି ବିଶ୍ୱସ୍ତ ରହନ୍ତୁ

୧୨. ମହାଯାଜକ ଯିହୋୟାଦା ଓ ତାଙ୍କ ସ୍ତ୍ରୀ କିପରି ଦେଖାଇଲେ ଯେ ସେମାନେ ଯିହୋବାଙ୍କ ବିଶ୍ୱସ୍ତ ଅଛନ୍ତି ?

୧୨ ମହାଯାଜକ ଯିହୋୟାଦା ଯିହୋବାଙ୍କୁ ଭୟ କରୁଥିଲେ, ତେଣୁ ସେ ତାଙ୍କ ବିଶ୍ୱସ୍ତ ରହିଲେ ଓ ସେ ଅନ୍ୟମାନଙ୍କୁ ବି ତାଙ୍କ ଉପାସନା କରିବା ପାଇଁ ପ୍ରୋତ୍ସାହନ ଦେଉଥିଲେ । ଆମେ ଏପରି କାହିଁକି କହିପାରିବା ? ଏହା ସେସମୟର କଥା, ଯେବେ ଈଷେବଲ୍‌ର ଝିଅ ଅଥଲୀୟା ଯିହୁଦାର ରାଜଗାଦି ହଡ଼ପ କରିନେଇଥିଲା ଓ ରାଣୀ ହୋଇଯାଇଥିଲା । ଅଥଲୀୟାକୁ ସମସ୍ତେ ବହୁତ ଡରୁଥିଲେ, କାରଣ ସେ ବହୁତ କ୍ରୁର ସ୍ୱଭାବର ଥିଲା । ତାକୁ ରାଣୀ ହେବାର ଏତେ ଇଚ୍ଛା ଥିଲା ଯେ ସେ ରାଜବଂଶର ସମସ୍ତ ଉତ୍ତରାଧିକାରୀମାନଙ୍କୁ ମାରିବା ପାଇଁ ଚେଷ୍ଟା କଲା । ସେ ନିଜ ନାତିମାନଙ୍କୁ ବି ଛାଡ଼ିଲାନି । (୨ ବଂଶା. ୨୨:୧୦, ୧୧) କିନ୍ତୁ ଜଣେ ନାତି ଯୋୟାଶ୍‌ ବଞ୍ଚିଗଲା, କାରଣ ଯିହୋୟାଦା ଓ ତାଙ୍କ ସ୍ତ୍ରୀ ଯିହୋଶାବତ୍‌ ତାକୁ ଅଥଲୀୟାଠାରୁ ଲୁଚାଇ ରଖିଲେ ଓ ତାʼର ଦେଖାରେଖା କଲେ । ଏପରି ଭାବେ ସେମାନେ ଏକଥାର ଧ୍ୟାନ ରଖିଲେ ଯେ ଦାଉଦଙ୍କ ବଂଶରୁ ହିଁ କେହି ଜଣେ ରାଜା ହୁଅନ୍ତୁ । ସେସମୟରେ ଯିହୋୟାଦା ବହୁତ ବୟସ୍କ ହୋଇଯାଇଥିଲେ, କିନ୍ତୁ ସେ ଅଥଲୀୟାକୁ ଡରିଲେନି, ବରଂ ଯିହୋବାଙ୍କ ବିଶ୍ୱସ୍ତ ରହିଲେ ।—ହିତୋ. ୨୯:୨୫.

୧୩. ଯିହୋୟାଦା ପୁଣିଥରେ କିପରି ପ୍ରମାଣିତ କଲେ ଯେ ସେ ଯିହୋବାଙ୍କ ବିଶ୍ୱସ୍ତ ଅଛନ୍ତି ?

୧୩ ଯେବେ ଯୋୟାଶ୍‌ ସାତ ବର୍ଷର ହେଲା, ତେବେ ଯିହୋୟାଦା ପୁଣିଥରେ ପ୍ରମାଣିତ କଲେ ଯେ ସେ ଯିହୋବାଙ୍କ ବିଶ୍ୱସ୍ତ ଅଛନ୍ତି । ସେ ଗୋଟେ ଯୋଜନା କଲେ । ଯଦି ସେ ସଫଳ ହୁଅନ୍ତେ, ତେବେ ଯୋୟାଶ୍‌ ରାଜା ହୁଅନ୍ତା ଯେ ଦାଉଦଙ୍କ ବଂଶରୁ ଥିଲା । ଯଦି ସେ ସଫଳ ହୁଅନ୍ତେନି, ତାହେଲେ ତାଙ୍କ ଜୀବନକୁ ବି ବିପଦ ଥିଲା । ଅଧିକାରୀ ଓ ଲେବୀୟମାନେ ତାଙ୍କୁ ପୂରା ସହଯୋଗ କଲେ ଓ ଯିହୋବାଙ୍କ ଆଶିଷରୁ ସେ ସଫଳ ହେଲେ । ଯୋୟାଶ୍‌କୁ ରାଜା କରାଗଲା ଓ ଅଥଲୀୟାକୁ ମାରିଦିଆଗଲା । (୨ ବଂଶା. ୨୩:୧-୫, ୧୧, ୧୨, ୧୫; ୨୪:୧) “ଅନନ୍ତର ସମସ୍ତେ ଯେପରି ସଦାପ୍ରଭୁଙ୍କର ଲୋକ ହେବେ, ଏଥିପାଇଁ ଯିହୋୟାଦା ସଦାପ୍ରଭୁଙ୍କର ଏବଂ ରାଜା ଓ ଲୋକମାନଙ୍କ ମଧ୍ୟରେ ଏକ ନିୟମ କଲା ।” (୨ ରାଜା. ୧୧:୧୭) “ଆଉ, କୌଣସି ବିଷୟରେ ଅଶୁଚି କୌଣସି ଲୋକ ଯେପରି ପ୍ରବେଶ କରି ନ ପାରେ, ଏଥିପାଇଁ ସେ ସଦାପ୍ରଭୁଙ୍କ ଗୃହର ଦ୍ୱାରସବୁରେ ଦ୍ୱାରପାଳମାନଙ୍କୁ ନିଯୁକ୍ତ କଲା ।”—୨ ବଂଶା. ୨୩:୧୯.

୧୪. ଯିହୋୟାଦା ଯିହୋବାଙ୍କର ଆଦର କରୁଥିଲେ, ତେଣୁ ଯିହୋବା ମଧ୍ୟ କେଉଁ ଉପାୟଗୁଡ଼ିକରୁ ତାଙ୍କର ଆଦର କଲେ ?

୧୪ ଯିହୋୟାଦା ଯିହୋବାଙ୍କ ପାଇଁ ଯାହା କଲେ, ଯିହୋବା ତାହା ଭୁଲିଲେନି । ପୂର୍ବେ ହିଁ ଥରେ ଯିହୋବା କହିଥିଲେ, “ଯେଉଁମାନେ ଆମ୍ଭର ଗୌରବ କରନ୍ତି, ଆମ୍ଭେ ସେମାନଙ୍କର ଗୌରବ କରିବା ।” ଆଉ ଯିହୋବା ଏପରି ହିଁ କଲେ । (୧ ଶାମୁ. ୨:୩୦) ମହାଯାଜକ ଯିହୋୟାଦାଙ୍କ ଭଲ କାମଗୁଡ଼ିକୁ ଯିହୋବା ଶାସ୍ତ୍ରରେ ଲେଖାଇଲେ, ଯାହାଦ୍ୱାରା ଆମେ ସେଥିରୁ ଶିଖିପାରୁ । (ରୋମୀ. ୧୫:୪) ଆଉ ଯେବେ ଯିହୋୟାଦାଙ୍କ ମୃତ୍ୟୁ ହେଲା, ତେବେ “ଲୋକମାନେ ଦାଉଦ-ନଗରରେ ରାଜାମାନଙ୍କ ମଧ୍ୟରେ ତାହାକୁ କବର ଦେଲେ, କାରଣ ସେ ଇସ୍ରାଏଲ ମଧ୍ୟରେ, ଆଉ ପରମେଶ୍ୱର ଓ ତାହାଙ୍କ ଗୃହ ବିଷୟରେ ଉତ୍ତମ କର୍ମ କରିଥିଲା ।” ଏହା ବହୁତ ବଡ଼ ସମ୍ମାନର କଥା ଥିଲା !—୨ ବଂଶା. ୨୪:୧୫, ୧୬.

ମହାଯାଜକ ଯିହୋୟାଦାଙ୍କ ଭଳି ଯଦି ଆମେ ବି ଈଶ୍ୱରଙ୍କୁ ଭୟ କରିବା, ତେବେ ଆମେ ବିଶ୍ୱସ୍ତ ରହିବା ଓ ଭାଇଭଉଣୀମାନଙ୍କ ସହଯୋଗ କରିବା (ପାରାଗ୍ରାଫ ୧୫)d

୧୫. ଯିହୋୟାଦାଙ୍କ ଘଟଣାରୁ ଆମେ କʼଣ ଶିଖିପାରିବା ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୫ ଯିହୋୟାଦାଙ୍କ ଘଟଣାରୁ ଆମେ ଯିହୋବାଙ୍କୁ ଭୟ କରିବା ବିଷୟରେ ଶିଖିପାରିବା । ଯିହୋୟାଦାଙ୍କ ଭଳି ପ୍ରାଚୀନମାନେ ସବୁବେଳେ ସତର୍କ ରହିପାରିବେ ଓ ଈଶ୍ୱରଙ୍କ ମେଷମାନଙ୍କ ଦେଖାଶୁଣା କରିପାରିବେ । ଏପରି କରି ସେମାନେ ଦେଖାଇବେ ଯେ ସେମାନେ ଯିହୋବାଙ୍କ ବିଶ୍ୱସ୍ତ ଅଛନ୍ତି । (ପ୍ରେରି. ୨୦:୨୮) ବୃଦ୍ଧ ଭାଇଭଉଣୀମାନେ ବି ଯିହୋୟାଦାଙ୍କଠାରୁ ଅନେକ କଥା ଶିଖିପାରିବେ । ଯେବେ ସେମାନେ ଈଶ୍ୱରଙ୍କୁ ଭୟ କରନ୍ତି ଓ ତାଙ୍କ ବିଶ୍ୱସ୍ତ ରହନ୍ତି, ତେବେ ଯିହୋବା ନିଜ ଉଦ୍ଦେଶ୍ୟ ପୂରା କରିବା ପାଇଁ ସେମାନଙ୍କଠାରୁ ବି ବହୁତ କିଛି କରାଇପାରିବେ । ସେ ବୃଦ୍ଧ ଭାଇଭଉଣୀମାନଙ୍କୁ କେବେ ବି ଅଣଦେଖା କରନ୍ତି ନାହିଁ । ଯୁବାମାନେ ଏକଥାର ଧ୍ୟାନ ରଖିପାରିବେ ଯେ ଯିହୋବା କିପରି ଯିହୋୟାଦାଙ୍କ ଆଦର କଲେ । ତାଙ୍କ ଭଳି ସେମାନେ ବି ବୃଦ୍ଧ ଭାଇଭଉଣୀମାନଙ୍କୁ ଆଦର କରିପାରିବେ, ବିଶେଷ କରି ସେମାନଙ୍କ ଯେଉଁମାନେ ଲମ୍ବା ସମୟରୁ ଯିହୋବାଙ୍କ ସେବା କରୁଛନ୍ତି । (ହିତୋ. ୧୬:୩୧) ଆଉ ଆମେ ସେହି ଅଧିକାରୀ ଓ ଲେବୀୟମାନଙ୍କଠାରୁ ବି ଶିଖିପାରିବା, ଯେଉଁମାନେ ଯିହୋୟାଦାଙ୍କ ସହଯୋଗ କଲେ । ତାଙ୍କ ଭଳି ଆସନ୍ତୁ ଆମେ ବି ସେହି ଭାଇମାନଙ୍କ ଆଜ୍ଞା ପାଳନ କରିବା ‘ଯେଉଁମାନେ ଆମ୍ଭମାନଙ୍କ ମଧ୍ୟରେ ପରିଶ୍ରମ କରନ୍ତି ଓ ଆମ୍ଭମାନଙ୍କ ନେତୃତ୍ୱ ନିଅନ୍ତି ।’ ଆଉ ଏପରି ଭାବେ ଆମେ ସେମାନଙ୍କୁ ସହଯୋଗ କରିବା ।—୧ ଥେସ. ୫:୧୨.

ରାଜା ଯୋୟାଶ୍‌ ଭଳି ହୁଅନ୍ତୁ ନାହିଁ

୧୬. କେଉଁ କଥାରୁ ଜଣାପଡ଼େ ଯେ ରାଜା ଯୋୟାଶ୍‌ର ବିଶ୍ୱାସ ଦୁର୍ବଳ ଥିଲା ?

୧୬ ଯିହୋୟାଦା ରାଜା ଯୋୟାଶ୍‌କୁ ଯାହା ଶିଖାଇଲେ, ତାʼଯୋଗୁଁ ସେ ଜଣେ ଭଲ ବ୍ୟକ୍ତି ହୋଇପାରିଲା । (୨ ରାଜା. ୧୨:୨) ଛୋଟ ଥିବା ବେଳେ ସେ ଏପରି କାମଗୁଡ଼ିକୁ କରିବା ପାଇଁ ଚାହୁଁଥିଲା ଯେଉଁଥିରୁ ଯିହୋବା ଖୁସି ହୁଅନ୍ତେ । କିନ୍ତୁ ଯିହୋୟାଦାଙ୍କ ମୃତ୍ୟୁ ପରେ ଯୋୟାଶ୍‌ ସେହି ଅଧିପତିମାନଙ୍କ କଥା ଶୁଣିଲା ଯେଉଁମାନେ ମିଛ ଦେବାଦେବୀମାନଙ୍କୁ ଉପାସନା କରୁଥିଲେ । ତେଣୁ ସେ ଓ ତାଙ୍କ ପ୍ରଜା “ମୂର୍ତ୍ତି ଓ ପ୍ରତିମାଗଣର ସେବା କଲେ ।” (୨ ବଂଶା. ୨୪:୪, ୧୭, ୧୮) ଏହା ଦେଖି ଯିହୋବାଙ୍କୁ ବହୁତ ଦୁଃଖ ଲାଗିଲା ଓ ‘ତାଙ୍କ ନିକଟକୁ ପୁନର୍ବାର ସେମାନଙ୍କୁ ଆଣିବା ପାଇଁ ସେ ଭବିଷ୍ୟଦ୍‌ବକ୍ତାମାନଙ୍କୁ ପଠାଇଲେ; . . . ମାତ୍ର ସେମାନେ ଶୁଣିଲେନି ।’ ସେମାନେ ଯିହୋୟାଦାଙ୍କ ପୁଅ ଯିଖିରିୟଙ୍କ ବି କଥା ଶୁଣିଲେନି, ଯିଏ ଭବିଷ୍ୟଦ୍‌ବକ୍ତା ଓ ଯାଜକ ତ ଥିଲେ, ତାʼସହ ଯୋୟାଶ୍‌ର ଭାଇ ବି ଥିଲେ (ପିଉସୀଙ୍କ ପୁଅ) । ଯେଉଁ ପରିବାର ତାʼପାଇଁ ଏତେ କିଛି କଲା, ତାʼର ଜୀବନ ବଞ୍ଚାଇଲା, ସେହି ପରିବାରର ସେ କୃତଜ୍ଞ ମନେକରିଲାନି, ବରଂ ତାଙ୍କ ପୁଅ ଯିଖିରିୟଙ୍କ ହତ୍ୟା କରାଇଦେଲା ।—୨ ବଂଶା. ୨୨:୧୧; ୨୪:୧୯-୨୨.

୧୭. ଯୋୟାଶ୍‌ର କʼଣ ପରିଣାମ ହେଲା ?

୧୭ ଯୋୟାଶ୍‌ ଯିହୋବାଙ୍କୁ ଭୟ କରୁ ନ ଥିଲା, ତେଣୁ ତାକୁ ଏହାର ଖରାପ ପରିଣାମ ଭୋଗିବାକୁ ପଡ଼ିଲା । ଯିହୋବା କହିଥିଲେ, ‘ଯେଉଁମାନେ ମୋତେ ତୁଚ୍ଛଜ୍ଞାନ କରନ୍ତି, ସେମାନେ ଲଘୁଜ୍ଞାନ [ନୀଚ] କରାଯିବେ ।’ (୧ ଶାମୁ. ୨:୩୦) ଆଉ ଯୋୟାଶ୍‌ ସହ ଏପରି ହିଁ ହେଲା । ଆଗକୁ ଅରାମୀୟର ଅଳ୍ପ ଲୋକଦଳ ଯୋୟାଶ୍‌ର “ମହାସୈନ୍ୟଦଳକୁ” ହରାଇଦେଲା ଓ ତାʼର “ମହାପୀଡ଼ିତାବସ୍ଥା” ହୋଇଗଲା । ଯେବେ ସେହି ସେନା ଫେରିଗଲା, ତେବେ ତାʼର ନିଜ ସେବକମାନେ ତାʼବିରୁଦ୍ଧରେ ଷଡ଼ଯନ୍ତ୍ର କଲେ ଓ ତାକୁ ମାରିଦେଲେ, କାରଣ ସେ ଯିଖିରିୟଙ୍କ ହତ୍ୟା କରାଇଥିଲା । ସେହି ଦୁଷ୍ଟ ରାଜାକୁ ଏତେ ବି ଯୋଗ୍ୟ ବୁଝାଗଲାନି ଯେ ତାକୁ “ରାଜାମାନଙ୍କ କବରରେ କବର” ଦିଆଯାଉ ।—୨ ବଂଶା. ୨୪:୨୩-୨୫; ମାଥି. ୨୩:୩୫ ପଦରେ “ବେରିଖୀୟଙ୍କ ପୁତ୍ର” ବିଷୟରେ ଦିଆଯାଇଥିବା ଅଧ୍ୟୟନ ନୋଟ୍‌ ଦେଖନ୍ତୁ ।

୧୮. ଯଦି ଆମେ ଯୋୟାଶ୍‌ ଭଳି ହେବା ପାଇଁ ଚାହୁଁନୁ, ତାହେଲେ ଯିରିମୀୟ ୧୭:୭, ୮ ପଦ ଅନୁସାରେ ଆମକୁ କʼଣ କରିବାକୁ ପଡ଼ିବ ?

୧୮ ଆମେ ଯୋୟାଶ୍‌ର ଉଦାହରଣରୁ କʼଣ ଶିଖିପାରୁ ? ଯୋୟାଶ୍‌ ଗୋଟେ ଏପରି ଗଛ ଭଳି ଥିଲା ଯାହାର ଚେର ଦୁର୍ବଳ ଥାଏ ଓ ଯାହାକୁ ସାହାଯ୍ୟ ଦରକାର ପଡ଼େ । ଯିହୋୟାଦା ରାଜା ଯୋୟାଶ୍‌ ପାଇଁ ସାହାଯ୍ୟକାରୀ ଭାବେ ଥିଲେ । ଯେବେ ତାʼର ସାହାଯ୍ୟକାରୀ କେହି ନ ଥିଲେ ଅର୍ଥାତ୍‌ ଯେବେ ଯିହୋୟାଦାଙ୍କ ମୃତ୍ୟୁ ହୋଇଗଲା ଏବଂ ଯେବେ ଝଡ଼ ତୋଫାନ ଆସିଲା ଅର୍ଥାତ୍‌ ଅଧିପତିମାନେ ତାକୁ ଭ୍ରାନ୍ତ କରିବା ପାଇଁ ଚେଷ୍ଟା କଲେ, ତେବେ ସେ ଯେପରି ପଡ଼ିଗଲା । ସେ ମିଛ ଦେବାଦେବୀମାନଙ୍କ ଉପାସନା କରିବାକୁ ଲାଗିଲା ଓ ଯିହୋବାଙ୍କ ବିଶ୍ୱସ୍ତ ରହିଲାନି । ଏଥିରୁ ଆମକୁ ଗୋଟିଏ ଶିକ୍ଷା ମିଳେ । ଆମକୁ କେବଳ ଏଥିପାଇଁ ଈଶ୍ୱରଙ୍କୁ ଭୟ କରିବା ଉଚିତ୍‌ ନୁହେଁ ଯେ ଆମ ପରିବାର ଲୋକେ କିମ୍ବା ଆମ ମଣ୍ଡଳୀର ଅନ୍ୟ ଭାଇଭଉଣୀମାନେ ଏପରି କରୁଛନ୍ତି, ବରଂ ଆମକୁ ନିଜେ ଈଶ୍ୱରଙ୍କ ସହ ନିଜ ସମ୍ପର୍କକୁ ଦୃଢ଼ କରିବା ଉଚିତ୍‌ ଓ ତାଙ୍କୁ ଭୟ କରିବା ଉଚିତ୍‌ । ଏପରି ଆମେ ତେବେ କରିପାରିବା ଯେବେ ଆମେ ଲଗାତାର ଈଶ୍ୱରଙ୍କ ବାକ୍ୟକୁ ଅଧ୍ୟୟନ କରିବା, ତାʼଉପରେ ଚିନ୍ତନ କରିବା ଓ ପ୍ରାର୍ଥନା କରିବା ।—ଯିରିମୀୟ ୧୭:୭, ୮ ପଢ଼ନ୍ତୁ; କଲ. ୨:୬, ୭.

୧୯. ଯିହୋବା ଆମଠାରୁ କʼଣ ଚାହାନ୍ତି ?

୧୯ ଯିହୋବା ଆମଠାରୁ ଅଧିକ ଆଶା କରନ୍ତିନି । ସେ ଆମଠାରୁ ଯାହା ଚାହାନ୍ତି ତାହା ଉପଦେଶକ ୧୨:୧୩ ପଦରେ ଦିଆଯାଇଛି । ସେଠି ଲେଖାଅଛି, “ପରମେଶ୍ୱରଙ୍କୁ ଭୟ କର ଓ ତାହାଙ୍କର ଆଜ୍ଞାସବୁ ପାଳନ କର; କାରଣ ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ କର୍ମ ।” ଯଦି ଆମେ ଈଶ୍ୱରଙ୍କୁ ଭୟ କରିବା, ତେବେ ଆଗକୁ ଯାଇ ଯେକୌଣସି ପରିସ୍ଥିତିରେ ମଧ୍ୟ ଆମେ ଓବଦୀୟ ଓ ଯିହୋୟାଦାଙ୍କ ଭଳି ଈଶ୍ୱରଙ୍କ ବିଶ୍ୱସ୍ତ ରହିପାରିବା ଓ କୌଣସି ବି କଥାକୁ ଯିହୋବା ଓ ଆମ ବନ୍ଧୁତା ମଝିରେ ଆସିବା ପାଇଁ ଦେବାନି ।

କʼଣ ଆପଣଙ୍କୁ ମନେଅଛି ?

  • ଈଶ୍ୱରଙ୍କୁ ଭୟ କରିବାର ଅର୍ଥ କʼଣ ?

  • ଆମେ ଓବଦୀୟ ଓ ମହାଯାଜକ ଯିହୋୟାଦାଙ୍କଠାରୁ କʼଣ ଶିଖିପାରିବା ?

  • ଆମେ କʼଣ କରିପାରିବା, ଯାହାଦ୍ୱାରା ଆମେ ରାଜା ଯୋୟାଶ୍‌ ଭଳି ହେବାନି ?

ଗୀତ ୩ ହମାରି ତାକତ୍‌, ଆଶା ଔର ଭରୋସା

a ବାଇବଲରେ ଅନେକଥର “ଭୟ” ଶବ୍ଦର ବ୍ୟବହାର କରାଯାଇଛି । ଗୋଟେ ଜାଗାରେ ତାʼର ଅର୍ଥ ହେଉଛି, କାହାରିକୁ ଡରିବା । ଆଉ ଗୋଟେ ଜାଗାରେ ତାʼର ଅର୍ଥ ହେଉଛି, କାହାରି ପାଇଁ ଶ୍ରଦ୍ଧା ହେବା କିମ୍ବା କାହାରିକୁ ଆଦର କରିବା । ଏହି ଲେଖାରେ ଜାଣିବା ଯେ ଆମେ କିପରି ଈଶ୍ୱରଙ୍କୁ ଭୟ କରିପାରିବା, ଯାହାଦ୍ୱାରା ଆମେ ତାଙ୍କ ସେବା କରିବା ସମୟରେ ସାହସର ସହ କାମ କରିବା ଓ ତାଙ୍କ ବିଶ୍ୱସ୍ତ ରହିବା ।

b ଏଠାରେ ଯାହା ବିଷୟରେ କୁହାଯାଇଛି ସେ ଭବିଷ୍ୟଦ୍‌ବକ୍ତା ଓବଦୀୟ ନୁହନ୍ତି ଯିଏ ବାଇବଲରେ ଓବଦୀୟ ନାମକ ବହି ଲେଖିଥିଲେ । କାରଣ ସେ ଅନେକ ବର୍ଷ ପରେ ଜନ୍ମ ହୋଇଥିଲେ ।

c ଚିତ୍ର ବିଷୟରେ ପୃଷ୍ଠା: ଜଣେ ଭାଇ ଏପରି ଅଞ୍ଚଳରେ ଭାଇଭଉଣୀମାନଙ୍କ ପାଇଁ ବହି ପତ୍ରିକାଗୁଡ଼ିକୁ ପହଞ୍ଚାଉଛନ୍ତି, ଯେଉଁଠାରେ ଆମ କାମ ଉପରେ ରୋକ ଲାଗିଛି ।

d ଚିତ୍ର ବିଷୟରେ ପୃଷ୍ଠା: ଜଣେ ଯୁବା ଭଉଣୀ ଜଣେ ବୃଦ୍ଧା ଭଉଣୀଙ୍କଠାରୁ ଫୋନ୍‌ରେ ସାକ୍ଷ୍ୟ ଦେବା ପାଇଁ ଶିଖୁଛନ୍ତି; ଜଣେ ବୃଦ୍ଧ ଭାଇ ସାହସର ସହ ସର୍ବସାଧାରଣ ପ୍ରଚାର କରୁଛନ୍ତି; ଜଣେ ଭାଇଙ୍କୁ ରାଜ୍ୟଘର ଦେଖାରେଖା କରିବାରେ ବହୁତ ଅନୁଭୂତି ଅଛି, ସେ ଅନ୍ୟମାନଙ୍କୁ ଏହି କାମ ଶିଖାଉଛନ୍ତି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ