ପାଠ ୫୩
ଯିହୋୟାଦାଙ୍କ ସାହସ
ଈଷେବଲ୍ର ଜଣେ ଝିଅ ଥିଲା ତାʼର ନାମ ଅଥଲୀୟା । ସେ ପୂରା ନିଜ ମାଆ ଭଳି ଦୁଷ୍ଟ ଥିଲା । ଅଥଲୀୟାର ବିବାହ ଯିହୁଦାର ରାଜା ସହ ହୋଇଥିଲା । ଯେବେ ତାʼ ସ୍ୱାମୀର ମୃତ୍ୟୁ ହେଲା ତାʼ ପୁଅ ଶାସନ କରିବାକୁ ଲାଗିଲା । କିନ୍ତୁ ତାʼ ପୁଅର ମୃତ୍ୟୁ ପରେ ସେ ନିଜେ ଯିହୁଦାର ରାଣୀ ହୋଇଗଲା । ସେ ଏପରି ପ୍ରତ୍ୟେକ ପୁରୁଷ ଓ ପିଲାମାନଙ୍କୁ ହତ୍ୟା କରାଇଲା ଯେଉଁମାନେ ତାʼ ଜାଗାରେ ରାଜା ହୋଇପାରିଥାʼନ୍ତେ । ଏପରିକି ସେ ନିଜ ନାତିମାନଙ୍କୁ ମଧ୍ୟ ହତ୍ୟା କରାଇଲା । ଏପରି ଭାବେ ସେ ନିଜ ରାଜବଂଶକୁ ଶେଷ କରିଦେବା ପାଇଁ ଚେଷ୍ଟା କଲା । ସମସ୍ତ ଲୋକ ତାକୁ ଡରୁଥିଲେ ।
ମହାଯାଜକ ଯିହୋୟାଦା ଓ ତାଙ୍କ ସ୍ତ୍ରୀ ଯିହୋଶେବା ଜାଣିଥିଲେ ଯେ ଅଥଲୀୟା ଯାହା କରୁଛି ତାହା ଭୁଲ ଅଟେ । ସେମାନେ ନିଜ ଜୀବନକୁ ବିପଦରେ ପକାଇ ଅଥଲୀୟାର ଜଣେ ନାତିକୁ ରକ୍ଷା କଲେ । ସେ କ୍ଷୀର ପିଉଥିବା ଶିଶୁ ଥିଲା ଏବଂ ତାʼର ନାମ ଯୋୟାଶ୍ ଥିଲା । ସେମାନେ ତାକୁ ମନ୍ଦିରରେ ଲୁଚାଇ ତାʼର ଲାଳନପାଳନ କଲେ ।
ଯୋୟାଶ୍ ସାତ ବର୍ଷର ହେବା ପରେ ଯିହୋୟାଦା ସମସ୍ତ ଅଧିକାରୀ ଏବଂ ଲେବୀୟଙ୍କୁ ଏକାଠି କଲେ । ସେ ସେମାନଙ୍କୁ କହିଲେ, ‘ମନ୍ଦିରର କବାଟଗୁଡ଼ିକରେ ଜଗି ରହି କାହାରିକୁ ମଧ୍ୟ ଭିତରକୁ ଆସିବାକୁ ଦିଅ ନାହିଁ ।’ ତାʼପରେ ସେ ଯୋୟାଶ୍କୁ ଯିହୁଦାର ରାଜା କଲେ ଏବଂ ତାʼର ମୁଣ୍ଡରେ ମୁକୁଟ ପିନ୍ଧାଇଲେ । ଯିହୁଦାର ଲୋକମାନେ ଜୋର୍ ଜୋର୍ ପାଟି କରି କହିବାକୁ ଲାଗିଲେ, ‘ରାଜାଙ୍କର ଜୟ ହେଉ !’
ଏହି ଶବ୍ଦ ଶୁଣି ରାଣୀ ଅଥଲୀୟା ଦୌଡ଼ି ମନ୍ଦିରକୁ ଗଲା । ସେ ନୂଆ ରାଜାକୁ ଦେଖି ପାଟି କରି କହିଲା, ‘ଏହା ଷଡ଼ଯନ୍ତ୍ର ଅଟେ ! ଷଡ଼ଯନ୍ତ୍ର !’ ସେସମୟରେ ଅଧିକାରୀ ସେହି ଦୁଷ୍ଟ ରାଣୀକୁ ଧରି ମନ୍ଦିରରୁ ବାହାରକୁ ନେଇଗଲେ ଏବଂ ତାʼର ହତ୍ୟା କରିଦେଲେ । କିନ୍ତୁ ତାʼଯୋଗୁଁ ଦେଶରେ ଯେଉଁ ଖରାପ ପ୍ରଭାବ ପଡ଼ିଥିଲା ତାର କʼଣ ହେଲା ?
ଯିହୋୟାଦା ଦେଶର ଲୋକମାନଙ୍କୁ ଯିହୋବାଙ୍କ ସହ ଗୋଟିଏ ଚୁକ୍ତି କରିବା ପାଇଁ ସାହାଯ୍ୟ କଲେ । ସେହି ଚୁକ୍ତିରେ ପ୍ରତିଜ୍ଞା କଲେ ଯେ ସେମାନେ କେବଳ ଯିହୋବାଙ୍କ ଉପାସନା କରିବେ । ଯିହୋୟାଦାଙ୍କ କହିବା ଅନୁସାରେ ଲୋକମାନେ ବାଲ୍ର ମନ୍ଦିରକୁ ଧ୍ୱଂସ କରି ମୂର୍ତ୍ତିଗୁଡ଼ିକୁ ଭାଙ୍ଗିଦେଲେ । ଯିହୋୟାଦା ଯିହୋବାଙ୍କ ମନ୍ଦିରରେ କାମ କରିବା ପାଇଁ ଯାଜକ ଓ ଲେବୀୟମାନଙ୍କୁ ନିଯୁକ୍ତ କଲେ, ଯାହାଦ୍ୱାରା ଲୋକମାନେ ପୁଣିଥରେ ସେଠାରେ ଉପାସନା କରିପାରିବେ । ସେ ମନ୍ଦିରର ଫାଟକରେ ଜଗୁଆଳି ନିଯୁକ୍ତ କଲେ, ଯାହାଦ୍ୱାରା କେହି ଅଶୁଦ୍ଧ ବ୍ୟକ୍ତି ଭିତରକୁ ନ ଆସୁ । ତାʼପରେ ଯିହୋୟାଦା ଓ ଅଧିକାରୀମାନେ ଯୋୟାଶ୍କୁ ରାଜମହଲକୁ ନେଇ ତାକୁ ରାଜଗାଦୀରେ ବସାଇଲେ । ଯିହୁଦାର ଲୋକମାନେ ବହୁତ ଖୁସି ହେଲେ । ଏତେ ଲମ୍ବା ସମୟ ପରେ ସେମାନେ ଦୁଷ୍ଟ ରାଣୀ ଅଥଲୀୟାରୁ ଓ ବାଲ୍ର ଉପାସନାରୁ ମୁକ୍ତ ହୋଇଗଲେ । ଏବେ ସେମାନେ ଯିହୋବାଙ୍କ ଉପାସନା କରିପାରନ୍ତେ । ଦେଖିଲେ ଆପଣ, ଯିହୋୟାଦାଙ୍କ ସାହସ ଯୋଗୁଁ କିପରି ଅନେକ ଲୋକଙ୍କୁ ଲାଭ ହେଲା ?
‘ଯେଉଁମାନେ ଶରୀରକୁ ବଧ କରନ୍ତି, ମାତ୍ର ତାହା ପରେ ଆଉ କିଛି କରି ପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ । କିନ୍ତୁ କାହାକୁ ଭୟ କରିବ, ତାହା ମୁଁ ତୁମ୍ଭମାନଙ୍କୁ ଜଣାଇବି; ବଧ କଲା ଉତ୍ତାରେ ଜେହିନ୍ନାରେ ନିକ୍ଷେପ କରିବା ନିମନ୍ତେ ଯାହାଙ୍କର ଅଧିକାର ଅଛି, ତାହାଙ୍କୁ ଭୟ କର ।’—ଲୂକ ୧୨:୪, ୫