ଅଧ୍ୟୟନ ଲେଖା ୩୬
ଗୀତ ୮୯ ସୁନକେ ଅମଲ୍ କାରେଁ
“ବାକ୍ୟର କର୍ମକାରୀ ହୁଅ”
‘ଶ୍ରୋତାମାତ୍ର ନ ହୋଇ, ବାକ୍ୟର କର୍ମକାରୀ ହୁଅ ।’—ଯାକୁ. ୧:୨୨.
କʼଣ ଶିଖିବା ?
ଏହି ଲେଖାରେ ଆମକୁ ପ୍ରତିଦିନ ବାଇବଲ ପଢ଼ିବା ସହିତ ଗଭୀର ଭାବେ ଚିନ୍ତନ କରିବା ଓ ସେହି ଅନୁସାରେ ଚାଲିବା ପାଇଁ ବି ପ୍ରୋତ୍ସାହନ ଦିଆଯାଇଛି ।
୧-୨. ଯିହୋବାଙ୍କ ସେବକମାନେ କାହିଁକି ଖୁସିରେ ରହନ୍ତି ? (ଯାକୁବ ୧:୨୨-୨୫)
ଯିହୋବା ଓ ଯୀଶୁ ଚାହାନ୍ତି ଯେ ଆମେ ଖୁସିରେ ରହୁ । କିନ୍ତୁ ଆମେ କିପରି ଖୁସିରେ ରହିପାରିବା ? ଗୀତସଂହିତା ୧୧୯ର ଲେଖକ କହିଲେ, “ଯେଉଁମାନେ ତାହାଙ୍କ ପ୍ରମାଣ-ବାକ୍ୟସବୁ ପାଳନ କରନ୍ତି, ଯେଉଁମାନେ ସର୍ବାନ୍ତଃକରଣରେ ତାହାଙ୍କୁ ଖୋଜନ୍ତି, ସେମାନେ ଧନ୍ୟ ।” (ଗୀତସଂହିତା ୧୧୯:୨) ଯୀଶୁ ମଧ୍ୟ କହିଲେ, “ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ବରଞ୍ଚ ସେହିମାନେ ଧନ୍ୟ ।”—ଲୂକ ୧୧:୨୮.
୨ ଯିହୋବାଙ୍କ ସାକ୍ଷୀମାନଙ୍କ ଖୁସି ରହିବାର ଅନେକ କାରଣ ରହିଛି । କିନ୍ତୁ ଗୋଟିଏ ବଡ଼ କାରଣ ହେଉଛି ଯେ ଆମେ ପ୍ରତିଦିନ ଈଶ୍ୱରଙ୍କ ବାକ୍ୟ ପଢ଼ୁ ଓ ଯାହା ଶିଖୁ, ତାʼ ଅନୁସାରେ ଚାଲିବା ପାଇଁ ପୂରା ଚେଷ୍ଟା କରୁ ।—ଯାକୁବ ୧:୨୨-୨୫ ପଢ଼ନ୍ତୁ ।
୩. ଯେବେ ଆମେ ଈଶ୍ୱରଙ୍କ ବାକ୍ୟ ପଢ଼ୁ ଓ ସେ ଅନୁସାରେ ଚାଲୁ, ତେବେ ଆମକୁ କେଉଁ କେଉଁ ଆଶିଷ ମିଳେ ?
୩ ଯେବେ ଆମେ “ବାକ୍ୟର କର୍ମକାରୀ” ହେଉ, ତେବେ ଆମକୁ ବହୁତ ଆଶିଷ ମିଳେ । ପ୍ରଥମେ, ଆମେ ବାଇବଲର କଥା ମାନି ଯିହୋବାଙ୍କୁ ଖୁସି କରିଥାଉ ତେଣୁ ଆମକୁ ବହୁତ ଖୁସି ମିଳେ । (ଉପ. ୧୨:୧୩) କେବଳ ଏତିକି ନୁହେଁ, ବାଇବଲର ପରାମର୍ଶ ମାନିଲେ ଆମ ପରିବାର ଖୁସିରେ ରହେ ଓ ମଣ୍ଡଳୀର ଭାଇଭଉଣୀମାନଙ୍କ ସହ ଆମ ସମ୍ପର୍କ ଭଲ ରହେ । ଆଉ ଆପଣ ମଧ୍ୟ ଏସବୁ ନିଶ୍ଚୟ ଦେଖିଥିବେ ! ତାʼଛଡ଼ା ଈଶ୍ୱରଙ୍କ ଆଜ୍ଞା ନ ମାନିଲେ ଯେଉଁ କଷ୍ଟ ସହିବାକୁ ପଡ଼େ, ତାʼଠାରୁ ବି ଆମର ରକ୍ଷା ହୁଏ । ଦାଉଦ ବିଲକୁଲ୍ ଠିକ୍ କହିଥିଲେ ଯେ ଯିହୋବାଙ୍କ ବ୍ୟବସ୍ଥା, ତାଙ୍କ ବିଧି ଓ ନିଷ୍ପତ୍ତି “ପ୍ରତିପାଳନରେ ମହାଫଳ ଥାଏ ।”—ଗୀତ. ୧୯:୭-୧୧.
୪. ଈଶ୍ୱରଙ୍କ ବାକ୍ୟ ଅନୁସାରେ ଚାଲିବା କାହିଁକି ସବୁବେଳେ ସହଜ ହୋଇ ନ ଥାଏ ?
୪ କିନ୍ତୁ ଏହା ସତ ଯେ ଈଶ୍ୱରଙ୍କ ବାକ୍ୟ ପଢ଼ିବା ଓ ତାʼ ଅନୁସାରେ ଚାଲିବା ସବୁବେଳେ ସହଜ ହୋଇ ନ ଥାଏ । ଆମକୁ ଦିନସାରା ବହୁତଗୁଡ଼ିଏ କାମ କରିବାକୁ ପଡ଼େ, ତଥାପି ବାଇବଲ ପଢ଼ିବା ଓ ତାʼର ଅଧ୍ୟୟନ କରିବା ପାଇଁ ସମୟ ବାହାର କରିବା ଉଚିତ୍ । ଏପରି କରିବା ଦ୍ୱାରା ଆମେ ବୁଝିପାରିବା ଯେ ଈଶ୍ୱର ଆମଠାରୁ କʼଣ ଚାହାନ୍ତି । ଏହି ଲେଖାରେ ଆମେ ଏପରି କିଛି ପରାମର୍ଶ ଉପରେ ଧ୍ୟାନ ଦେବା ଯାହାକୁ ମାନିଲେ ଆମେ ପ୍ରତିଦିନ ବାଇବଲ ପଢ଼ିପାରିବା । ଆଉ ଏହା ବି ଦେଖିପାରିବା ଯେ ଆମେ ଯାହା ପଢ଼ୁ, ତାʼ ଉପରେ କିପରି ଚିନ୍ତନ କରିପାରିବା ଓ ତାʼ ଅନୁସାରେ ଚାଲିପାରିବା ।
ବାଇବଲ ପଢ଼ିବା ପାଇଁ ସମୟ ସ୍ଥିର କରନ୍ତୁ
୫. କେଉଁ କାମଗୁଡ଼ିକ କରିବା ପାଇଁ ଆମକୁ ବହୁତ ସମୟ ଲାଗେ ?
୫ ଆମ ଯିହୋବାଙ୍କ ସେବକମାନଙ୍କ ପାଖରେ ବହୁତ କାମ ଥାଏ, ତେଣୁ ଆମେ ବହୁତ ବ୍ୟସ୍ତ ରହୁ । ଯେପରି, ଆମ ମଧ୍ୟରୁ କିଛି ଭାଇଭଉଣୀଙ୍କୁ ନିଜ ଓ ନିଜ ପରିବାରର ଆବଶ୍ୟକତା ପୂରା କରିବା ପାଇଁ ଚାକିରି କରିବାକୁ ପଡ଼ିଥାଏ । (୧ ତୀମ. ୫:୮) ଆଉ କିଛି ଭାଇଭଉଣୀଙ୍କୁ ରୋଗରେ ପଡ଼ିଥିବା କିମ୍ବା ବୃଦ୍ଧ ବାପାମାଆଙ୍କ ଓ ସମ୍ପର୍କୀୟମାନଙ୍କର ଦେଖାଶୁଣା କରିବାକୁ ପଡ଼ିଥାଏ । ତାʼ ସହିତ ନିଜ ସ୍ୱାସ୍ଥ୍ୟର ବି ଯତ୍ନ ନେବାକୁ ପଡ଼େ । ଆଉ ମଣ୍ଡଳୀରେ ବି ଅନେକ କାମ ଥାଏ । ଆଉ ଗୋଟିଏ ଜରୁରୀ କାମ ଯାହା ଆମେ ବହୁତ ଉତ୍ସାହର ସହ କରିଥାଉ ତାହା ହେଉଛି, ପ୍ରଚାର କାମ । ଏସବୁ କାମ ଓ ଦାୟିତ୍ୱକୁ ପୂରା କରିବା ପାଇଁ ଆମକୁ ବହୁତ ସମୟ ଲାଗେ । ତଥାପି ଆମେ କିପରି ପ୍ରତିଦିନ ବାଇବଲ ପଢ଼ିବା ଓ ଚିନ୍ତନ କରିବା ପାଇଁ ସମୟ ବାହାର କରିପାରିବା ଏବଂ ତାʼ ଅନୁସାରେ ଚାଲିପାରିବା ।
୬. ପ୍ରତିଦିନ ବାଇବଲ ପଢ଼ିବା ପାଇଁ ଆପଣ କʼଣ କରିପାରିବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୬ ଆମ ଖ୍ରୀଷ୍ଟିୟାନମାନଙ୍କ ପାଇଁ ପ୍ରତିଦିନ ବାଇବଲ ପଢ଼ିବା ବହୁତ ଜରୁରୀ । ଏହା “ଉତ୍କୃଷ୍ଟ” ଅର୍ଥାତ୍ ଅଧିକ ମହତ୍ତ୍ୱ ରଖୁଥିବା ବିଷୟଗୁଡ଼ିକ ମଧ୍ୟରୁ ଗୋଟିଏ । (ଫିଲିପ୍. ୧:୧୦) ଗୀତସଂହିତାର ଜଣେ ଲେଖକ କହିଲେ ଯେ “ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଯାହାର ଆମୋଦ ଥାଏ ଓ ଯେ ଦିବାରାତ୍ର ତାହାଙ୍କର ବ୍ୟବସ୍ଥା ଧ୍ୟାନ କରେ, ସେ ଧନ୍ୟ ।” (ଗୀତ. ୧:୧, ୨) ଏଥିରୁ ଜଣାପଡ଼େ ଯେ ଆମ ସମସ୍ତଙ୍କୁ ବାଇବଲ ପଢ଼ିବା ପାଇଁ ସମୟ ବାହାର କରିବା ଉଚିତ୍ । କିନ୍ତୁ କେଉଁ ସମୟରେ ବାଇବଲ ପଢ଼ିବା ଭଲ ହେବ ? ହୁଏତ ସମସ୍ତଙ୍କୁ ଅଲଗା ଅଲଗା ସମୟରେ ପଢ଼ିବା ଭଲ ଲାଗେ । ଆପଣଙ୍କ ପାଇଁ କେଉଁ ସମୟରେ ବାଇବଲ ପଢ଼ିବା ଭଲ ହେବ, ତାହା ଭାବିପାରିବେ । ଭାଇ ୱିକ୍ଟର କହନ୍ତି, “ମୋତେ ସକାଳେ ଶୀଘ୍ର ଉଠିବା ଏତେ ଭଲ ଲାଗେନି । ତଥାପି ମୁଁ ସକାଳେ ଶୀଘ୍ର ଉଠି ବାଇବଲ ପଢ଼େ । କାରଣ ସେସମୟରେ ଚାରିଆଡ଼େ ଶାନ୍ତ ରହେ, ତେଣୁ ମୁଁ ମନ ଧ୍ୟାନ ଦେଇ ପଢ଼ିପାରେ ।” କʼଣ ଆପଣଙ୍କ ପାଇଁ ବି ସକାଳେ ବାଇବଲ ପଢ଼ିବା ଠିକ୍ ରହିବ ? ଯଦି ନୁହଁ, ତାହେଲେ ନିଜକୁ ପଚାରନ୍ତୁ,‘ମୋ ପାଇଁ ବାଇବଲ ପଢ଼ିବାର କେଉଁ ସମୟ ଠିକ୍ ରହିବ ?’
ଭାବନ୍ତୁ କେଉଁ ସମୟରେ ବାଇବଲ ପଢ଼ିବା ଠିକ୍ ରହିବ, ଆଉ ସେହି ସମୟରେ ପଢ଼ିବା ପାଇଁ ଚେଷ୍ଟା କରନ୍ତୁ (ପାରାଗ୍ରାଫ ୬)
ଯାହା ପଢ଼ନ୍ତି, ତାʼ ଉପରେ ଚିନ୍ତନ କରନ୍ତୁ
୭-୮. ଯଦି ଆମେ ବାଇବଲରୁ ପୂରା ଲାଭ ପାଇବା ପାଇଁ ଚାହୁଁଛୁ, ତାହେଲେ ଆମକୁ କʼଣ କରିବା ଉଚିତ୍ ନୁହେଁ ? ବୁଝାନ୍ତୁ ।
୭ ହୋଇପାରେ ଆପଣ ବାଇବଲ ପଢ଼ିବା ପାଇଁ ଗୋଟିଏ ସମୟ ସ୍ଥିର କରିଥିବେ । କିନ୍ତୁ ଆପଣ ଯାହା ପଢ଼ନ୍ତି, ତାହା ବୁଝିବା ଓ ମନେ ରଖିବା ବି ଜରୁରୀ । ବେଳେବେଳେ ହୋଇପାରେ ଯେ ଆମେ ବହୁତ କିଛି ପଢ଼ିବା, କିନ୍ତୁ କିଛି ସମୟ ପରେ ଆମକୁ ମନେ ହିଁ ରହିବନି । କʼଣ ଆପଣଙ୍କ ସହ ବି ଏପରି ହୋଇଛି ? ଚିନ୍ତା କରନ୍ତୁ ନାହିଁ, ଆମ ସମସ୍ତଙ୍କ ସହିତ ଏପରି ହୋଇଥାଏ । ବେଳେବେଳେ ବାଇବଲ ପଢ଼ିବା ପରେ ବି ଏପରି ହୋଇପାରେ । ହୁଏତ ଆମେ ପ୍ରତିଦିନ ବାଇବଲର କିଛି ଅଧ୍ୟାୟ ପଢ଼ିବା ପାଇଁ ଭାବିଥିବା । ଆଉ ଏହା ଭଲ ବି ଅଟେ । କିନ୍ତୁ ଆମକୁ ଲକ୍ଷ୍ୟ ରଖିବା ଉଚିତ୍ ଆଉ ତାକୁ ପୂରା କରିବା ପାଇଁ ଚେଷ୍ଟା ବି କରିବା ଉଚିତ୍ । (୧ କରି. ୯:୨୬) କିନ୍ତୁ ବାଇବଲ ପଢ଼ିବା କେବଳ ଆରମ୍ଭ ମାତ୍ର । ଯଦି ଆମେ ଈଶ୍ୱରଙ୍କ ବାକ୍ୟରୁ ଲାଭ ପାଇବା ପାଇଁ ଚାହୁଁ, ତାହେଲେ ଆମକୁ ଆହୁରି ବି କିଛି କରିବାକୁ ପଡ଼ିବ ।
୮ ଭାବନ୍ତୁ, ଆମ ପାଇଁ ଓ ଗଛଲତା ପାଇଁ ବର୍ଷା କେତେ ଜରୁରୀ ଅଟେ । କିନ୍ତୁ ଯଦି କମ୍ ସମୟ ମଧ୍ୟରେ ହିଁ ବହୁତ ମାତ୍ରାରେ ବର୍ଷା ହୁଏ, ତାହେଲେ ମାଟି ବହୁତ ଓଦା ହୋଇଯିବ ଓ ଚାରିଆଡ଼େ କାଦୁଅ ହୋଇଯିବ । ଯଦି ଏପରି ହୁଏ ତାହେଲେ ବର୍ଷା ହେବାର କୌଣସି ଲାଭ ହେବ ନାହିଁ । କିନ୍ତୁ ଅଳ୍ପ ଅଳ୍ପ ବର୍ଷା ହେଲେ ମାଟିକୁ ପାଣି ଶୋଷିବା ପାଇଁ ସମୟ ମିଳେ ଓ ତାʼଯୋଗୁଁ ଗଛଲତା ବଢ଼ିପାରେ । ସେହିପରି ବାଇବଲରୁ ଲାଭ ପାଇବା ପାଇଁ ଶୀଘ୍ର ଶୀଘ୍ର ପଢ଼ିବା ଉଚିତ୍ ନୁହେଁ, ନହେଲେ ସେହି କଥାଗୁଡ଼ିକୁ ଆମେ ଶୋଷିପାରିବା ନାହିଁ । ଅର୍ଥାତ୍ ଯାହା ପଢ଼ୁଛୁ ତାକୁ ବୁଝିପାରିବାନି ଓ ମନେ ବି ରଖିପାରିବାନି ।—ଯାକୁ. ୧:୨୪.
ବର୍ଷା ପାଣି ଶୋଷିବା ପାଇଁ ମାଟିକୁ ସମୟ ଲାଗେ, ତେବେ ହିଁ ଗଛଲତା ବଢ଼ିପାରେ; ଠିକ୍ ସେହିଭଳି ବାଇବଲରୁ ପୂରା ଲାଭ ପାଇବା ପାଇଁ ଆମକୁ ସମୟ ବାହାର କରି ତାʼ ଉପରେ ଚିନ୍ତନ କରିବାକୁ ପଡ଼ିବ ଓ ତାହା ଅନୁସାରେ କାମ କରିବାକୁ ପଡ଼ିବ (ପାରାଗ୍ରାଫ ୮)
୯. ଯଦି ଆପଣ ବି ଶୀଘ୍ର ଶୀଘ୍ର ବାଇବଲ ପଢ଼ନ୍ତି, ତାହେଲେ ଆପଣ କʼଣ କରିପାରିବେ ?
୯ କʼଣ ଆପଣ ବି ଶୀଘ୍ର ଶୀଘ୍ର ବାଇବଲ ପଢ଼ନ୍ତି ? ଯଦି ହଁ, ତାହେଲେ ଆପଣ କʼଣ କରିପାରିବେ ? ଆପଣ ଚାହିଁଲେ ଧିରେ ଧିରେ ପଢ଼ିପାରିବେ ଯାହାଫଳରେ ଆପଣ ଯାହା ପଢ଼ୁଛନ୍ତି, ତାʼ ଉପରେ ଚିନ୍ତନ କରିପାରିବେ । କିମ୍ବା ପଢ଼ିଲା ପରେ କିଛି ସମୟ ରହି ସେବିଷୟରେ ଚିନ୍ତନ କରିପାରିବେ । କିନ୍ତୁ ଯଦି ଆପଣଙ୍କୁ ଏପରି କରିବା କଠିନ ଲାଗେ, ତେବେ ଚିନ୍ତା କରନ୍ତୁ ନାହିଁ । ଚିନ୍ତନ କରିବା ଏତେ ବି କଠିନ ନୁହେଁ । ଆପଣଙ୍କୁ କେବଳ ସେବିଷୟରେ ଗଭୀର ଭାବେ ଭାବିବାର ଅଛି, ଯାହା ଆପଣ ପଢ଼ନ୍ତି । ତେଣୁ ଅଧ୍ୟୟନ କରିବା ଓ ଚିନ୍ତନ କରିବା ପାଇଁ ଅଧିକ ସମୟ ବାହାର କରନ୍ତୁ । ଆପଣ ଚାହିଁଲେ କମ୍ ପଦ ପଢ଼ିପାରିବେ ଆଉ ବାକି ସମୟ ସେବିଷୟରେ ଚିନ୍ତନ କରିପାରିବେ । ଭାଇ ୱିକ୍ଟର କହନ୍ତି, “ମୁଁ ବାଇବଲର ପ୍ରାୟ ଗୋଟିଏ ଅଧ୍ୟାୟ ହିଁ ପଢ଼େ । ମୁଁ ସକାଳେ ଶୀଘ୍ର ଉଠି ବାଇବଲ ପଢ଼େ, ଏପରି କରିବା ଦ୍ୱାରା ମୁଁ ଯାହା ପଢ଼େ ସେହି କଥା ଉପରେ ଦିନ ସାରା ଚିନ୍ତନ କରିପାରେ ।” ଆପଣ ଉପରେ ଦିଆଯାଇଥିବା ଯେକୌଣସି ଉପାୟରେ ବି ପଢ଼ିପାରିବେ । କିନ୍ତୁ ଧ୍ୟାନ ରଖନ୍ତୁ ଯେ ଆପଣ ଶୀଘ୍ର ଶୀଘ୍ର ନ ପଢ଼ି ଆରାମରେ ପଢ଼ନ୍ତୁ, ଯାହାଦ୍ୱାରା ଆପଣ ସେହି କଥାଗୁଡ଼ିକୁ ଭଲଭାବେ ବୁଝିପାରିବେ ।—ଗୀତ. ୧୧୯:୯୭; “ନିଜକୁ ପଚାରନ୍ତୁ” ନାମକ ବକ୍ସ ଦେଖନ୍ତୁ ।
୧୦. ଆପଣ ଯାହା ପଢ଼ନ୍ତି ସେ ଅନୁସାରେ ଚାଲିବା ପାଇଁ ଆପଣ କʼଣ କରିପାରିବେ ? ଗୋଟିଏ ଉଦାହରଣ ଦିଅନ୍ତୁ । (୧ ଥେସଲନୀକୀୟ ୫:୧୭, ୧୮)
୧୦ ଆପଣ ଯେତେବେଳେ ବି ବାଇବଲ ପଢ଼ନ୍ତୁ କିମ୍ବା ଯେତେ ଡେରି ବି ପଢ଼ନ୍ତୁ ନା କାହିଁକି, ସବୁଠୁ ଜରୁରୀ କଥା ଏହା ଯେ ଆପଣ ସେ ଅନୁସାରେ କାମ ବି କରନ୍ତୁ । ବାଇବଲର ଗୋଟିଏ ଭାଗ ପଢ଼ିବା ପରେ ନିଜକୁ ପଚାରନ୍ତୁ, ‘ଏହି କଥା ଉପରେ ମୁଁ ଆଜି ଓ ଭବିଷ୍ୟତରେ କିପରି ଚାଲିପାରିବି ?’ ଆସନ୍ତୁ ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦେବା ଏବଂ ଜାଣିବା ଯେ ଆମେ ଏହା କିପରି କରିପାରିବା । ଭାବନ୍ତୁ ଆପଣ ୧ ଥେସଲନୀକୀୟ ୫:୧୭, ୧୮ ପଦ ପଢ଼ୁଛନ୍ତି । (ପଢ଼ନ୍ତୁ ।) ପଢ଼ିବା ପରେ ଆପଣ ଟିକେ ରହି ଏବିଷୟରେ ଭାବନ୍ତୁ, ‘ମୁଁ କେତେଥର ପ୍ରାର୍ଥନା କରେ ? କʼଣ ମୁଁ ପୂରା ହୃଦୟରୁ ପ୍ରାର୍ଥନା କରେ ?’ ଆପଣ ସେହି କଥାଗୁଡ଼ିକ ବିଷୟରେ ବି ଭାବିପାରିବେ ଯାହା ପାଇଁ ଆପଣ ଯିହୋବାଙ୍କର କୃତଜ୍ଞ ଅଟନ୍ତି । ଆପଣ ଚାହିଁଲେ ଅତିକମ୍ରେ ତିନୋଟି କଥା ବିଷୟରେ ଭାବିପାରିବେ ଏବଂ ତାʼପାଇଁ ଯିହୋବାଙ୍କୁ ଧନ୍ୟବାଦ ଦେଇପାରିବେ । ଯଦି ଆପଣ ଏପରି ଧ୍ୟାନ ଦେଇ ପଢ଼ିବେ ଓ ସେବିଷୟରେ ଭାବିବେ, ତେବେ ଆପଣ ଶ୍ରୋତାମାତ୍ର ନ ହୋଇ ବାକ୍ୟର କର୍ମକାରୀ ହେବେ । ଆଉ ଯଦି ଆପଣ ପ୍ରତିଦିନ ଏପରି କରିବେ ତାହେଲେ ଭାବନ୍ତୁ ଆପଣଙ୍କୁ କେତେ ଲାଭ ହେବ ! ଆପଣ ଆହୁରି ଭଲଭାବେ ବାଇବଲରେ ଲେଖାଥିବା କଥାଗୁଡ଼ିକୁ ମାନିପାରିବେ । କିନ୍ତୁ ଯଦି ଆପଣଙ୍କୁ ଲାଗେ ଯେ ଆପଣଙ୍କୁ ଅନେକ ବିଷୟରେ ସୁଧାର କରିବାର ଅଛି, ତେବେ ଆପଣ କʼଣ କରିପାରିବେ ?
ସୁଧାର କରନ୍ତୁ
୧୧. ବାଇବଲ ପଢ଼ିବା ପରେ ଆମେ କେଉଁ ବିଷୟରେ ଭାବି ଚିନ୍ତିତ ହୋଇଯିବା ? ଗୋଟିଏ ଉଦାହରଣ ଦିଅନ୍ତୁ ।
୧୧ ଯେବେ ଆପଣ ବାଇବଲ ପଢ଼ନ୍ତି ଓ ତାʼ ଉପରେ ଚିନ୍ତନ କରନ୍ତି, ତେବେ ହୁଏତ ଆପଣଙ୍କୁ ଅନୁଭବ ହେବ ଯେ ଆପଣଙ୍କୁ ଅନେକ ବିଷୟରେ ସୁଧାର କରିବାର ଅଛି । ଏପରି ଭାବିବା ଦ୍ୱାରା କʼଣ ହୋଇପାରେ ? ଆପଣ ହୁଏତ ଟିକେ ଚିନ୍ତିତ ହୋଇଯିବେ । ଏ କଥାକୁ ବୁଝିବା ପାଇଁ ଆସନ୍ତୁ ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦେବା । ଭାବନ୍ତୁ ଆପଣ ଯାକୁବ ବହି ପଢ଼ୁଛନ୍ତି । ପ୍ରଥମ ଦିନ ଆପଣ ପଢ଼ନ୍ତି ଯେ ଖ୍ରୀଷ୍ଟିୟାନମାନଙ୍କୁ ଭେଦଭାବ କରିବା ଉଚିତ୍ ନୁହେଁ । (ଯାକୁ. ୨:୧-୮) ଆପଣ ଭାବିବାକୁ ଲାଗନ୍ତି, ‘ମୋତେ ଏହି ବିଷୟରେ ସୁଧାର କରିବାର ଅଛି, କାରଣ ମୁଁ ବେଳେବେଳେ ଅନ୍ୟମାନଙ୍କ ସହିତ ଭଲ ବ୍ୟବହାର କରେନି ।’ ଏପରି ଭାବିବା ଠିକ୍ ବି ଅଟେ । ତାʼପରେ ଦ୍ୱିତୀୟ ଦିନ ଆପଣ ପଢ଼ନ୍ତି ଯେ ଆପଣଙ୍କୁ ଭାବିଚିନ୍ତି କଥା ହେବା ଦରକାର । (ଯାକୁ. ୩:୧-୧୨) ଆପଣ ଭାବନ୍ତି, ‘ବେଳେବେଳେ ମୁଁ ଏପରି କିଛି କହିଦିଏ ଯେଉଁଥିରୁ ଅନ୍ୟମାନଙ୍କୁ ଖରାପ ଲାଗେ । ଏବେଠାରୁ ମୁଁ କେବଳ ଉତ୍ସାହ ବଢ଼ାଉଥିବା କଥାଗୁଡ଼ିକ କହିବି ।’ ତୃତୀୟ ଦିନ ଆପଣ ପଢ଼ନ୍ତି ଯେ ଈଶ୍ୱରଙ୍କ ସେବକମାନଙ୍କୁ ଜଗତ ସହ ମିତ୍ରତା କରିବା ଉଚିତ୍ ନୁହେଁ । (ଯାକୁ. ୪:୪-୧୨) ତାʼପରେ ଆପଣ ଭାବନ୍ତି, ‘ମୁଁ କିପରି ମନୋରଞ୍ଜନ କରେ ତାʼ ଉପରେ ମୋତେ ଆହୁରି ଧ୍ୟାନ ଦେବା ଉଚିତ୍ ।’ ଚତୁର୍ଥ ଦିନ ହେବା ଯାଏ ଆପଣ ହୁଏତ ବହୁତ ଚିନ୍ତିତ ହୋଇଯିବେ ଏବଂ ଭାବିବେ, ‘ମୋତେ ଅନେକ ବିଷୟରେ ସୁଧାର କରିବାର ଅଛି, ମୁଁ ଏହା କିପରି କରିବି ?’
୧୨. ଯଦି ଆପଣଙ୍କୁ ଏହା ଅନୁଭବ ହୁଏ ଯେ ଆପଣଙ୍କୁ ଅନେକ ବିଷୟରେ ସୁଧାର କରିବାର ଅଛି, ତେବେ ଆପଣଙ୍କୁ କାହିଁକି ନିରାଶ ହେବା ଉଚିତ୍ ନୁହେଁ ? (ଫୁଟନୋଟ୍ ମଧ୍ୟ ଦେଖନ୍ତୁ ।)
୧୨ ଯଦି ଆପଣଙ୍କୁ ଏହା ଅନୁଭବ ହୁଏ ଯେ ଆପଣଙ୍କୁ ଅନେକ ବିଷୟରେ ସୁଧାର କରିବାର ଅଛି, ତେବେ ନିରାଶ ହୁଅନ୍ତୁ ନାହିଁ । ଏପରି ଅନୁଭବ ହେବା ଦେଖାଏ ଯେ ଆପଣ ନମ୍ର ଅଟନ୍ତି ଏବଂ ଭଲ ମନ ରଖନ୍ତି । ଜଣେ ନମ୍ର ବ୍ୟକ୍ତି ବାଇବଲ ପଢ଼ିବା ସମୟରେ ଭାବେ ଯେ ତାକୁ କେଉଁଠି ସୁଧାର କରିବାର ଅଛି ।a ଆପଣ ଏହା ବି ମନେ ରଖିପାରିବେ ଯେ “ନୂତନ ସ୍ୱଭାବ” ପରିଧାନ କରିବା ପାଇଁ ଆମକୁ ଲଗାତାର ସୁଧାର କରିବାକୁ ପଡ଼େ । (କଲ. ୩:୧୦) ଈଶ୍ୱରଙ୍କ ବାକ୍ୟର କର୍ମକାରୀ ହେବା ପାଇଁ କେଉଁ କଥା ଆପଣଙ୍କୁ ସାହାଯ୍ୟ କରିପାରେ ?
୧୩. ଯେବେ ଆପଣଙ୍କୁ ଏହା ଜଣାପଡ଼େ ଯେ ଆପଣଙ୍କୁ କେଉଁ କେଉଁ ବିଷୟରେ ସୁଧାର କରିବାର ଅଛି, ତେବେ ଆପଣ କʼଣ କରିପାରିବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୩ ଯେବେ ଆପଣଙ୍କୁ ଏହା ଜଣାପଡ଼େ ଯେ ଆପଣଙ୍କୁ କେଉଁ କେଉଁ ବିଷୟରେ ସୁଧାର କରିବାର ଅଛି, ତେବେ ଆପଣ କʼଣ କରିପାରିବେ ? ଆପଣ ଥରକରେ ହିଁ ସବୁ ବିଷୟରେ ସୁଧାର କରିବା ପାଇଁ ଭାବନ୍ତୁ ନାହିଁ । (ହିତୋ. ୧୧:୨) ତାʼ ପରିବର୍ତ୍ତେ ଆପଣଙ୍କୁ କେଉଁ କେଉଁ ବିଷୟରେ ସୁଧାର କରିବାର ଅଛି, ତାହା ଲେଖି ରଖନ୍ତୁ । ପ୍ରଥମେ ଗୋଟିଏ କିମ୍ବା ଦୁଇଟି ବିଷୟରେ ସୁଧାର କରନ୍ତୁ ତାʼପରେ ଅନ୍ୟ ବିଷୟଗୁଡ଼ିକରେ ପରେ ସୁଧାର କରିପାରିବେ । କିନ୍ତୁ ପ୍ରଶ୍ନ ଉଠେ ଯେ ଆପଣ ସବୁଠୁ ଆଗ କେଉଁ ବିଷୟରେ ସୁଧାର କରିବେ ?
ଥରକରେ ସବୁ ବିଷୟଗୁଡ଼ିକରେ ସୁଧାର କରିବା ପରିବର୍ତ୍ତେ, ଗୋଟିଏ କିମ୍ବା ଦୁଇଟି ବିଷୟରେ ସୁଧାର କରନ୍ତୁ (ପାରାଗ୍ରାଫ ୧୩-୧୪)
୧୪. ଆପଣ ପ୍ରଥମେ କେଉଁ ବିଷୟରେ ସୁଧାର କରିପାରିବେ ?
୧୪ ପ୍ରଥମେ ଆପଣଙ୍କ ପାଇଁ ଯାହା ସହଜ ହେବ ସେହି ବିଷୟରେ ସୁଧାର କରିବା ପାଇଁ ଭାବନ୍ତୁ । କିମ୍ବା ପ୍ରଥମେ ସେହି ବିଷୟରେ ସୁଧାର କରିପାରିବେ ଯେଉଁଥିରେ ସୁଧାର କରିବା ଆପଣଙ୍କ ପାଇଁ ସବୁଠୁ ଜରୁରୀ । ଆପଣ କେଉଁ ବିଷୟରେ ସୁଧାର କରିବେ ଏହା ସ୍ଥିର କଲା ପରେ, ସେବିଷୟରେ ଆମ ପ୍ରକାଶନଗୁଡ଼ିକରେ ଅନୁସନ୍ଧାନ କରିପାରିବେ । ଆପଣ ଚାହିଁଲେ ଯିହୋବାଙ୍କ ସାକ୍ଷୀମାନଙ୍କ ପାଇଁ ଗବେଷଣା ଗାଇଡ୍ କିମ୍ବା ୱାଚଟାୱର ଓନଲାଇନ୍ ଲାଇବ୍ରେରୀରେ ଏହି ବିଷୟରେ ଅନୁସନ୍ଧାନ କରିପାରିବେ । ଆପଣ ଯିହୋବାଙ୍କୁ ପ୍ରାର୍ଥନା କରିପାରିବେ ଯେ ସେ ଆପଣଙ୍କୁ ସେହି ବିଷୟଗୁଡ଼ିକରେ ସୁଧାର କରିବା ପାଇଁ “ଇଚ୍ଛା” ଦିଅନ୍ତୁ ଏବଂ ତାହାକୁ “ସାଧନ” କରିବାକୁ ଶକ୍ତି ଦିଅନ୍ତୁ । (ଫିଲିପ୍. ୨:୧୩) ତାʼପରେ ଆପଣଙ୍କୁ ଯାହା ସୁଧାର କରିବାର ଅଛି, ତାହା କରନ୍ତୁ । ଯେବେ ଆପଣ ଗୋଟିଏ ବିଷୟରେ ସୁଧାର କରିନେବେ, ତେବେ ଆପଣଙ୍କୁ ଅନ୍ୟ ବିଷୟଗୁଡ଼ିକରେ ବି ସୁଧାର କରିବା ପାଇଁ ଇଚ୍ଛା ହେବ । ଏହା ସତ ଯେ ଯେବେ ଆମେ ଗୋଟିଏ ବିଷୟରେ ସୁଧାର କରୁ କିମ୍ବା କୌଣସି ଗୁଣ ନିଜଠାରେ ବଢ଼ାଉ, ତେବେ ଆମ ପାଇଁ ଅନ୍ୟ ବିଷୟଗୁଡ଼ିକରେ ବି ସୁଧାର କରିବା ସହଜ ହୋଇଯାଏ ।
ଈଶ୍ୱରଙ୍କ ବାକ୍ୟକୁ ନିଜ ଉପରେ “କାର୍ଯ୍ୟ ସାଧନ” କରିବାକୁ ଦିଅନ୍ତୁ
୧୫. ବାଇବଲ ପଢ଼ିବା ବିଷୟରେ ଯିହୋବାଙ୍କ ଲୋକମାନେ ଦୁନିଆର ଲୋକମାନଙ୍କଠାରୁ କିପରି ଅଲଗା ? (୧ ଥେସଲନୀକୀୟ ୨:୧୩)
୧୫ କିଛି ଲୋକ କହନ୍ତି ଯେ ସେମାନେ ଅନେକଥର ବାଇବଲ ପଢ଼ିଛନ୍ତି । କିନ୍ତୁ କʼଣ ସତରେ ସେମାନେ ବାଇବଲରେ ଲେଖାଥିବା କଥାଗୁଡ଼ିକ ଉପରେ ବିଶ୍ୱାସ କରନ୍ତି ଏବଂ ସେ ଅନୁସାରେ ଚାଲନ୍ତି ? ଦୁଃଖର କଥା, ଅଧିକାଂଶ ଲୋକ ଏପରି କରନ୍ତି ନାହିଁ । କିନ୍ତୁ ଯିହୋବାଙ୍କ ଲୋକମାନେ ଦୁନିଆର ଲୋକମାନଙ୍କଠାରୁ ବହୁତ ଅଲଗା । ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କ ଭଳି ସେମାନେ ବାଇବଲକୁ ‘ଈଶ୍ୱରଙ୍କ ବାକ୍ୟସ୍ୱରୂପେ ଗ୍ରହଣ କରନ୍ତି, ଆଉ ବାସ୍ତବରେ ତାହା ଈଶ୍ୱରଙ୍କ ବାକ୍ୟ ଅଟେ ।’ ଆଉ ସେମାନେ ସେଥିରେ ଲେଖାଥିବା କଥାଗୁଡ଼ିକ ଅନୁସାରେ ଚାଲିବା ପାଇଁ ପୂରା ଚେଷ୍ଟା ବି କରନ୍ତି ।—୧ ଥେସଲନୀକୀୟ ୨:୧୩ ପଢ଼ନ୍ତୁ ।
୧୬. ଆମେ କିପରି ଈଶ୍ୱରଙ୍କ ବାକ୍ୟର କର୍ମକାରୀ ହୋଇପାରିବା ?
୧୬ ଈଶ୍ୱରଙ୍କ ବାକ୍ୟ ପଢ଼ିବା ଆଉ ସେ ଅନୁସାରେ ଚାଲିବା ସବୁବେଳେ ଆମ ପାଇଁ ସହଜ ହୋଇ ନ ଥାଏ । ପ୍ରତିଦିନ ବାଇବଲ ପଢ଼ିବା ପାଇଁ ସମୟ ବାହାର କରିବା ବି କଷ୍ଟ ହୋଇପାରେ । ତେଣୁ ହୁଏତ ଆମେ ଶୀଘ୍ର ଶୀଘ୍ର ବାଇବଲ ପଢ଼ିବା ଆଉ ଚିନ୍ତନ ହିଁ କରିବାନି । ହୁଏତ ଏହା ଭାବି ଆମକୁ ଚିନ୍ତା ହେବ ଯେ ଆମକୁ ବହୁତଗୁଡ଼ିଏ ବିଷୟରେ ସୁଧାର କରିବାକୁ ପଡ଼ିବ । ଆଉ ଏହି ସମସ୍ୟାଗୁଡ଼ିକ ହୁଏତ ଆମକୁ ବହୁତ ବଡ଼ ଲାଗିବ, କିନ୍ତୁ ଯିହୋବାଙ୍କ ସାହାଯ୍ୟରୁ ଆମେ ଏଗୁଡ଼ିକର ସାମନା କରିପାରିବା । ତେବେ ଆସନ୍ତୁ ଆମେ ଈଶ୍ୱରଙ୍କ ପରାମର୍ଶ ମାନିବା ଓ ଶ୍ରୋତାମାତ୍ର ନ ହୋଇ ବାକ୍ୟର କର୍ମକାରୀ ହେବା । ମନେ ରଖନ୍ତୁ, ଆମେ ଯେତେ ଅଧିକ ବାଇବଲ ପଢ଼ିବା, ଆଉ ସେ ଅନୁସାରେ ଚାଲିବା ଆମେ ସେତେ ଅଧିକ ଖୁସିରେ ରହିବା !—ଯାକୁ. ୧:୨୫.
ଗୀତ ୯୪ ୟହୋୱା କେ ୱଚନ କେ ଲିଏ ଏହସାନମନ୍ଦ
a jw.org ୱେବସାଇଟ୍ରେ ଦିଆଯାଇଥିବା ଭିଡିଓ ଯୁବକଯୁବତୀମାନେ କʼଣ କହନ୍ତି ?—ବାଇବଲ ପଢ଼ିବାର ଲାଭ ଦେଖନ୍ତୁ ।