ଅଧ୍ୟୟନ ଲେଖା ୧୧
ଗୀତ ୫୭ ହର୍ କିସ୍ମ କେ ଲୋଗୋଁ କୋ ସଚ୍ଚାଇ ବାତାଏଁ
ଯୀଶୁଙ୍କ ଭଳି ଉତ୍ସାହର ସହ ପ୍ରଚାର କରନ୍ତୁ
‘ପ୍ରଭୁ ନିଜେ ଯେଉଁ ଯେଉଁ ନଗର ଓ ସ୍ଥାନକୁ ଯିବା ପାଇଁ ଉଦ୍ୟତ ଥିଲେ, ସେହି ସେହି ସ୍ଥାନକୁ ଦୁଇ ଦୁଇ ଜଣ କରି ସେମାନଙ୍କୁ ଆପଣା ଆଗେ ପ୍ରେରଣ କଲେ ।’—ଲୂକ ୧୦:୧.
କʼଣ ଶିଖିବା ?
ଆମେ ଏପରି ଚାରୋଟି ଉପାୟ ବିଷୟରେ ଶିଖିବା ଯାହାକୁ ଆପଣାଇଲେ ଆମେ ଯୀଶୁଙ୍କ ଭଳି ଉତ୍ସାହର ସହ ପ୍ରଚାର କରିପାରିବା ।
୧. କେଉଁ କଥା ଯିହୋବାଙ୍କ ସେବକମାନଙ୍କୁ ଦୁନିଆର ଖ୍ରୀଷ୍ଟିୟାନମାନଙ୍କଠାରୁ ପୃଥକ୍ କରେ ?
ଯିହୋବାଙ୍କ ସେବକମାନେ ଉତ୍ସାହର ସହ ପ୍ରଚାର କରିବା ପାଇଁ ବହୁତ ପରିଶ୍ରମ କରନ୍ତି । ଏହି କଥା ସେମାନଙ୍କୁ ଦୁନିଆର ସେହି ଖ୍ରୀଷ୍ଟିୟାନମାନଙ୍କଠାରୁ ପୃଥକ୍ କରିଥାଏ, ଯେଉଁମାନେ ନିଜକୁ ଯୀଶୁଙ୍କ ଶିଷ୍ୟ ବୋଲି ଦାବି କରନ୍ତି । (ତୀତ. ୨:୧୪) କିନ୍ତୁ ବେଳେବେଳେ ହୁଏତ ଆପଣଙ୍କୁ ପ୍ରଚାର କରିବା ପାଇଁ ଇଚ୍ଛା ହୁଏନି କିମ୍ବା ଆପଣଙ୍କ ଉତ୍ସାହ କମ୍ ହୋଇଯାଏ । ଆପଣ ହୁଏତ ସେହି ପରିଶ୍ରମୀ ପ୍ରାଚୀନଙ୍କ ଭଳି ଭାବିବେ, ଯିଏ କହନ୍ତି, “ବେଳେବେଳେ ମୋତେ ପ୍ରଚାର କରିବା ପାଇଁ ଇଚ୍ଛା ହିଁ ହୁଏ ନାହିଁ ।”
୨. ବେଳେବେଳେ ଆମେ କେଉଁ କାରଣ ଯୋଗୁଁ ଉତ୍ସାହର ସହ ପ୍ରଚାର କରିପାରି ନ ଥାଉ ?
୨ ହୁଏତ ଆମକୁ ପ୍ରଚାର କରିବା ପାଇଁ ଏତେ ଭଲ ଲାଗେ ନାହିଁ । କିନ୍ତୁ ଈଶ୍ୱରଙ୍କ ସେବା ସହ ଜଡ଼ିତ ଅନ୍ୟ କାମ କରିବା ଭଲ ଲାଗେ । ଯେପରି—ନିର୍ମାଣ କାମ କିମ୍ବା ରିଲିଫ୍ କାମ କିମ୍ବା ଭାଇଭଉଣୀଙ୍କର ଉତ୍ସାହ ବଢ଼ାଇବା । କାରଣ ହୁଏତ ଏଥିରେ ଆମେ ଯେଉଁ ପରିଶ୍ରମ କରୁ ତାହାର ଭଲ ପରିଣାମ ଶୀଘ୍ର ଦେଖାଯାଏ ଓ ଆମକୁ ଖୁସି ବି ମିଳେ । ଏହା ବ୍ୟତୀତ ଯେବେ ଆମେ ଭାଇଭଉଣୀଙ୍କ ସହ ମିଶି କାମ କରୁ, ତେବେ ଆମକୁ କୌଣସି କଥା ପାଇଁ ଚିନ୍ତା ନ ଥାଏ ଓ ଆମେ ସବୁ କାମ ପ୍ରେମର ସହ କରୁ । ତାʼସହ ଭାଇଭଉଣୀମାନେ ଆମ ପରିଶ୍ରମରୁ ଖୁସି ହୁଅନ୍ତି । ଅନ୍ୟ ପକ୍ଷରେ ହୋଇପାରେ, ଆମେ ଯେଉଁ ଅଞ୍ଚଳରେ ବର୍ଷ ବର୍ଷ ଧରି ପ୍ରଚାର କରୁଛୁ ସେଠାରେ ଆମକୁ ବଢ଼ିଆ ପରିଣାମ ଦେଖିବାକୁ ମିଳେନି କିମ୍ବା ଲୋକମାନେ ଆମ ସନ୍ଦେଶ ଶୁଣିବା ପାଇଁ ସିଧାସଳଖ ମନା କରିଦିଅନ୍ତି । ଅନ୍ତିମ ସମୟ ଯେପରି ପାଖେଇ ଆସୁଛି, ଲୋକମାନେ ଆମର ଆହୁରି ବିରୋଧ କରୁଛନ୍ତି । (ମାଥି. ୧୦:୨୨) ଏପରି ସମୟରେ ଆମେ କିପରି ଉତ୍ସାହର ସହ ପ୍ରଚାର କରିପାରିବା ?
୩. ଲୂକ ୧୩:୬-୯ ପଦରେ ଦିଆଯାଇଥିବା ଉଦାହରଣରୁ ଆମେ ଯୀଶୁଙ୍କ ବିଷୟରେ କʼଣ ଶିଖୁ ?
୩ ଉତ୍ସାହର ସହ ପ୍ରଚାର କରିବା ବିଷୟରେ ଯୀଶୁ ଆମ ପାଇଁ ଭଲ ଉଦାହରଣ । ପୃଥିବୀରେ ଥିବା ସମୟରେ ଯୀଶୁ ପ୍ରଚାର ପାଇଁ ନିଜ ଉତ୍ସାହ କମ୍ ହେବା ପାଇଁ ଦେଲେ ନାହିଁ । ଏହା ପରିବର୍ତ୍ତେ, ସମୟ ଗଡ଼ିବା ସହିତ ସେ ଜୋରସୋର୍ରେ ପ୍ରଚାର କରିବାକୁ ଲାଗିଲେ । (ଲୂକ ୧୩:୬-୯ ପଢ଼ନ୍ତୁ ।) ଗୋଟିଏ ଉଦାହରଣରେ ଯୀଶୁ ନିଜ ତୁଳନା ଜଣେ ଦ୍ରାକ୍ଷାକ୍ଷେତ୍ରର ମାଳୀ ସହ କଲେ । ସେହି ମାଳୀ ଡିମିରି ଗଛ ପଛରେ ତିନି ବର୍ଷ ପରିଶ୍ରମ କରିଥିଲେ । କିନ୍ତୁ ସେହି ଗଛରେ ଫଳ ହେଲା ନାହିଁ । ସେହି ମାଲିକ ଭଳି ଯୀଶୁ ବି ତିନି ବର୍ଷ ଯାଏ ଯିହୁଦୀମାନଙ୍କୁ ପ୍ରଚାର କଲେ, କିନ୍ତୁ ବହୁତ କମ୍ ଲୋକମାନେ ତାଙ୍କ ଶିଷ୍ୟ ହେଲେ । ତଥାପି ଯୀଶୁ ହାର୍ ମାନିଲେ ନାହିଁ । ସେହି ଦ୍ରାକ୍ଷାକ୍ଷେତ୍ରର ମାଳୀଙ୍କ ଭଳି ଯୀଶୁ ଆଶା ହରାଇଲେ ନାହିଁ ଓ ପ୍ରଚାର କାମରେ ନିଜ ଉତ୍ସାହ କମ୍ ହେବା ପାଇଁ ଦେଲେ ନାହିଁ । ସେ ଖୁସିର ଖବର ପ୍ରତି ଅନ୍ୟମାନଙ୍କ ବିଶ୍ୱାସ ବଢ଼ାଇ ପାଇଁ କଠିନ ପରିଶ୍ରମ କଲେ ।
୪. ଯୀଶୁ ଉତ୍ସାହର ସହ ପ୍ରଚାର କରିବା ପାଇଁ କେଉଁ ଚାରୋଟି ଉପାୟ ଆପଣାଇଲେ ?
୪ ଏହି ଲେଖାରେ ଆମେ ବିଶେଷ କରି ଯୀଶୁ ନିଜ ସେବାର ଶେଷ ଛଅ ମାସରେ କିପରି ଉତ୍ସାହର ସହ ପ୍ରଚାର କଲେ ସେବିଷୟରେ ଜାଣିବା । ଏହି ସମୟ ମଧ୍ୟରେ ଯୀଶୁ ବହୁତ କିଛି କଲେ ଓ ଅନେକ କଥା ଶିଖାଇଲେ । ଯଦି ଆମେ ସେହି କଥାଗୁଡ଼ିକୁ ଧ୍ୟାନ ଦେବା ତାହେଲେ ଆମେ ବି ଉତ୍ସାହର ସହ ପ୍ରଚାର କରିପାରିବା । ଏହି ଲେଖାରେ ଆମେ ଚାରୋଟି ଉପାୟ ବିଷୟରେ ଧ୍ୟାନ ଦେବା ଯାହାକୁ ଆପଣାଇ ଯୀଶୁ ଉତ୍ସାହର ସହ ପ୍ରଚାର କଲେ: (୧) ଯୀଶୁ ଯିହୋବାଙ୍କର ଇଚ୍ଛା ପୂରା କରିବା ପାଇଁ ଧ୍ୟାନ ଦେଲେ, (୨) ସେ ବାଇବଲର ଭବିଷ୍ୟତବାଣୀଗୁଡ଼ିକୁ ଭଲଭାବରେ ବୁଝିଲେ, (୩) ସେ ଯିହୋବାଙ୍କ ଉପରେ ଭରସା ରଖିଲେ ଓ (୪) ତାଙ୍କୁ ବିଶ୍ୱାସ ଥିଲା ଯେ କିଛି ଲୋକ ଖୁସିର ଖବର ନିଶ୍ଚୟ ଶୁଣିବେ ।
ଯୀଶୁ ଯିହୋବାଙ୍କ ଇଚ୍ଛା ପୂରା କରିବା ପାଇଁ ଧ୍ୟାନ ଦେଲେ
୫. ଯୀଶୁ ଏହା କିପରି ଦେଖାଇଲେ ଯେ ଯିହୋବାଙ୍କ ଇଚ୍ଛା ପୂରା କରିବା ତାଙ୍କ ଜୀବନରେ ସବୁଠୁ ଜରୁରୀ ?
୫ ଯୀଶୁ ପୂରା ଉତ୍ସାହର ସହିତ ଲୋକମାନଙ୍କୁ “ଈଶ୍ୱରଙ୍କ ରାଜ୍ୟର ସୁସମାଚାର” ଶୁଣାଇଲେ । କାରଣ ସେ ଜାଣିଥିଲେ ଯେ ଯିହୋବା ତାଙ୍କୁ ପ୍ରଚାର କରିବା ପାଇଁ ଏହି ପୃଥିବୀକୁ ପଠାଇଛନ୍ତି । (ଲୂକ ୪:୪୩) ସେ ପ୍ରଚାର କାମକୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେଲେ । ଏପରିକି ନିଜ ଜୀବନର ଶେଷ ମାସଗୁଡ଼ିକରେ ମଧ୍ୟ “ସେ ନଗରେ ନଗରେ ଓ ଗ୍ରାମେ ଗ୍ରାମେ ଭ୍ରମଣ କରି” ଲୋକମାନଙ୍କୁ ଶିଖାଇବା ଜାରି ରଖିଲେ । (ଲୂକ ୧୩:୨୨) ପ୍ରଚାର କାମ ତାଙ୍କ ପାଇଁ ବହୁତ ଜରୁରୀ ଥିଲା, ତେଣୁ ସେ ଆହୁରି ଅନେକ ଶିଷ୍ୟମାନଙ୍କୁ ଏହି କାମ ପାଇଁ ପ୍ରଶିକ୍ଷଣ ଦେଲେ ।—ଲୂକ ୧୦:୧.
୬. ଆମେ ଈଶ୍ୱରଙ୍କ ସେବା ସହ ଜଡ଼ିତ ଯାହା ବି କାମ କରୁ, ସେଗୁଡ଼ିକ କିପରି ପ୍ରଚାର କାମ ସହ ଜଡ଼ିତ ଅଛି ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୬ ଆଜି ବି ଖୁସିର ଖବର ପ୍ରଚାର କରିବା ବହୁତ ଜରୁରୀ । ଯିହୋବା ଓ ଯୀଶୁ ଚାହାନ୍ତି ଯେ ଆମେ ନିଜ ଜୀବନରେ ପ୍ରଚାର କାମକୁ ଅଧିକ ମହତ୍ତ୍ୱ ଦେଉ । (ମାଥି. ୨୪:୧୪; ୨୮:୧୯, ୨୦) ଆମେ ଈଶ୍ୱରଙ୍କ ସେବା ସହ ଜଡ଼ିତ ଯାହା ବି କାମ କରୁ ସେଗୁଡ଼ିକ ପ୍ରଚାର କାମ ସହ ଜଡ଼ିତ ଅଛି । ଯେପରି, ଆମେ ରାଜ୍ୟଘରର ନିର୍ମାଣ କାର୍ଯ୍ୟ କରି କିମ୍ବା ବୈଥେଲରେ ସେବା କରି ପ୍ରଚାର କାମକୁ ହିଁ ସହଯୋଗ ଦେଇଥାଉ । ଆମେ ରିଲିଫ୍ କାମରେ ସହଯୋଗ କରି କେବଳ ଭାଇଭଉଣୀମାନଙ୍କୁ ସାହାଯ୍ୟ କରି ନ ଥାଉ, ବରଂ ଆମେ ଚାହୁଁ ଯେ ସେମାନେ ଯେତେ ଶୀଘ୍ର ହୋଇପାରେ ଈଶ୍ୱରଙ୍କ ସେବା କରିବା ଆରମ୍ଭ କରନ୍ତୁ ଓ ପ୍ରଚାରରେ ଯାଇପାରନ୍ତୁ । ପ୍ରଚାର କରିବା ବହୁତ ଜରୁରୀ ଓ ଯିହୋବା ବି ଚାହାନ୍ତି ଯେ ଆମେ ଏହି କାମକୁ ଜୀବନରେ ପ୍ରଥମ ସ୍ଥାନ ଦେଉ । ଯଦି ଆମେ ଏହି କଥାକୁ ମନେ ରଖିବା ତାହେଲେ ଆମେ ପ୍ରଚାର କରିବା ଜାରି ରଖିପାରିବା । ହଙ୍ଗେରୀରେ ପ୍ରଚାର କରୁଥିବା ଜଣେ ପ୍ରାଚୀନ ଭାଇ ୟାନୋସ କହନ୍ତି, “ମୁଁ ମନେ ରଖେ ଯେ ଈଶ୍ୱରଙ୍କ ସେବା ସହ ଜଡ଼ିତ ଅନ୍ୟ କୌଣସି କାମ କରିବାଠାରୁ ଅଧିକ ଜରୁରୀ ହେଉଛି ପ୍ରଚାର କାମ କରିବା ।”
ଆଜି ପ୍ରଚାର କାମ କରିବା ସବୁଠୁ ଜରୁରୀ ଏବଂ ଯିହୋବା ଓ ଯୀଶୁ ଚାହାନ୍ତି ଯେ ଆମେ ଏହାକୁ ଅଧିକ ଗୁରୁତ୍ୱ ଦେଉ (ପାରାଗ୍ରାଫ ୬)
୭. ଯିହୋବା କାହିଁକି ଚାହାନ୍ତି ଯେ ଆମେ ପ୍ରଚାର କାମରେ ଲାଗିରହୁ ? (୧ ତୀମଥି ୨:୩, ୪)
୭ ପ୍ରଚାର କାମ ପାଇଁ ନିଜ ଉତ୍ସାହ ବଢ଼ାଇବାର ଗୋଟିଏ ଉପାୟ ହେଉଛି, ଲୋକମାନଙ୍କ ପାଇଁ ଯିହୋବାଙ୍କ ଭଳି ଦୃଷ୍ଟିକୋଣ ଆପଣାଇବା । ଯିହୋବା ଚାହାନ୍ତି ଯେ ଅଧିକରୁ ଅଧିକ ଲୋକ ଖୁସିର ଖବର ଶୁଣି ସତ୍ୟ ଆପଣାନ୍ତୁ । (୧ ତୀମଥି ୨:୩, ୪ ପଢ଼ନ୍ତୁ ।) ସେଥିପାଇଁ ଯିହୋବା ଆମକୁ ପ୍ରଶିକ୍ଷଣ ଦେଉଛନ୍ତି, ଯାହାଫଳରେ ଆମେ ଲୋକମାନଙ୍କୁ ଭଲଭାବରେ ଖୁସିର ଖବର ଶୁଣାଇପାରିବା ଓ ସେମାନଙ୍କର ଜୀବନ ରକ୍ଷା ହୋଇପାରିବ । ଯେପରି, ଯିହୋବା ଆମ ପାଇଁ ଲୋକଙ୍କୁ ପ୍ରେମ କର—ଶିଷ୍ୟ କର ନାମକ ପୁସ୍ତିକା ଉପଲବ୍ଧ କରାଇଛନ୍ତି । ଏଥିରେ ବଢ଼ିଆ ପରାମର୍ଶ ଦିଆଯାଇଛି, ଯାହା ସାହାଯ୍ୟରେ ଆମେ ସହଜରେ ଲୋକମାନଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରିପାରିବା ଏବଂ ସେମାନଙ୍କୁ ଯୀଶୁଙ୍କ ଶିଷ୍ୟ ହେବା ପାଇଁ ସାହାଯ୍ୟ କରିପାରିବା । ହୋଇପାରେ ଲୋକମାନେ ଖୁସିର ଖବର ଶୁଣିବା ପରେ ମଧ୍ୟ କୌଣସି ପଦକ୍ଷେପ ନେବେ ନାହିଁ, କିନ୍ତୁ ହୁଏତ ଆଗକୁ ଯାଇ ସେମାନଙ୍କୁ ସେହି କଥାଗୁଡ଼ିକ ମନେପଡ଼ିବ ଏବଂ ମହାକ୍ଳେଶ ଶେଷ ହେବା ପୂର୍ବରୁ ସେମାନେ ଯିହୋବାଙ୍କର ସେବା କରିବାକୁ ଲାଗିବେ । ସେଥିପାଇଁ ଆଜି ପ୍ରଚାର କରିବା ନିହାତି ଜରୁରୀ ।
ସେ ବାଇବଲର ଭବିଷ୍ୟତବାଣୀଗୁଡ଼ିକୁ ଭଲଭାବରେ ବୁଝିଲେ
୮. ଯୀଶୁ ବାଇବଲର ଭବିଷ୍ୟତବାଣୀଗୁଡ଼ିକୁ ଭଲଭାବେ ଜାଣିଥିଲେ, ତେଣୁ ସେ କିପରି ସମୟର ସଠିକ୍ ବ୍ୟବହାର କଲେ ?
୮ ଯୀଶୁଙ୍କୁ ଜଣାଥିଲା ଯେ ବାଇବଲର ଭବିଷ୍ୟତବାଣୀଗୁଡ଼ିକ କିପରି ପୂରା ହେବ । ଯେପରି, ତାଙ୍କୁ ଜଣାଥିଲା ଯେ ସେ ମାତ୍ର ସାଢ଼େ ତିନି ବର୍ଷ ଏହି ପୃଥିବୀରେ ସେବା କରିବେ । (ଦାନି. ୯:୨୬, ୨୭) ତାଙ୍କୁ ଏହା ବି ଜଣାଥିଲା ଯେ ତାଙ୍କ ମୃତ୍ୟୁ କେବେ ଓ କିପରି ହେବ । (ଲୂକ ୧୮:୩୧-୩୪) ଯୀଶୁ ଏହି ଭବିଷ୍ୟତବାଣୀ ଓ ଅନ୍ୟ ଭବିଷ୍ୟତବାଣୀଗୁଡ଼ିକୁ ଭଲଭାବେ ଜାଣିଥିଲେ, ତେଣୁ ସେ ସମୟର ସଠିକ୍ ବ୍ୟବହାର କଲେ ଓ ଉତ୍ସାହର ସହ ପ୍ରଚାର କରି ଯିହୋବା ଦେଇଥିବା କାମକୁ ପୂରା କଲେ ।
୯. ଆମେ ବାଇବଲରେ ଥିବା ଭବିଷ୍ୟତବାଣୀଗୁଡ଼ିକୁ ଭଲଭାବେ ବୁଝିଥିବା ଯୋଗୁଁ କିପରି ଉତ୍ସାହର ସହ ପ୍ରଚାର କରୁ ?
୯ ଆମେ ବାଇବଲରେ ଥିବା ଭବିଷ୍ୟତବାଣୀଗୁଡ଼ିକୁ ଭଲଭାବେ ବୁଝିପାରିଛୁ, ତେଣୁ ଆମେ ଉତ୍ସାହର ସହ ପ୍ରଚାର କରୁ । ଆମେ ଜାଣିଛୁ ଯେ ଏହି ଦୁନିଆର ବିନାଶ ଖୁବ୍ ଶୀଘ୍ର ହେବ । ଆଜି ଆମେ ଦୁନିଆରେ ଯେଉଁ ଘଟଣାଗୁଡ଼ିକ ଦେଖୁଛୁ ଓ ଲୋକମାନେ ଯେପରି ବ୍ୟବହାର କରୁଛନ୍ତି, ସେଥିରୁ ଏହା ସ୍ପଷ୍ଟ ଜଣାପଡ଼ୁଛି ଯେ ଶେଷକାଳ ବିଷୟରେ ଯେଉଁ ଭବିଷ୍ୟତବାଣୀ କରାଯାଇଥିଲା ତାହା ପୂରା ହେଉଛି । ଏହା ବ୍ୟତୀତ ଭବିଷ୍ୟତବାଣୀରେ କୁହାଯାଇଥିଲା, “ଅନ୍ତିମ କାଳରେ” ଉତ୍ତର ଦେଶର ରାଜା ଓ ଦକ୍ଷିଣ ଦେଶର ରାଜା ପରସ୍ପର ସହ ଲଢ଼ିବେ । ଆଜି ଆମେ ଏପରି ହିଁ ହେବାର ଦେଖୁଛୁ । ଯେପରି, ବ୍ରିଟେନ୍-ଆମେରିକା ବିଶ୍ୱଶକ୍ତି ଓ ରୁଷ ଏବଂ ତାହାର ମିତ୍ର ରାଷ୍ଟ୍ର ପରସ୍ପର ସହ ଲଢ଼ୁଛନ୍ତି । (ଦାନି. ୧୧:୪୦) ତାʼସହ ଆମେ ଜାଣିଛୁ ଯେ ଦାନିୟେଲ ୨:୪୩-୪୫ ପଦରେ ଯେଉଁ ମୂର୍ତ୍ତି ବିଷୟରେ କୁହାଯାଇଥିଲା, ତାହାର ପାଦ ବ୍ରିଟେନ୍-ଆମେରିକା ବିଶ୍ୱଶକ୍ତିକୁ ଦର୍ଶାଏ । ଆମକୁ ପୂରା ଭରସା ଅଛି ଯେ ଯେପରି ଭବିଷ୍ୟତବାଣୀରେ କୁହାଯାଇଛି ଖୁବ୍ ଶୀଘ୍ର ଈଶ୍ୱରଙ୍କ ରାଜ୍ୟ ମଣିଷ ସରକାରକୁ ବିନାଶ କରିଦେବ । ଏହି ଭବିଷ୍ୟତବାଣୀଗୁଡ଼ିକରୁ ଜଣାପଡ଼େ ଯେ ଏହି ଦୁନିଆର ବିନାଶ ପାଖେଇ ଆସିଛି । ତେଣୁ ଆମକୁ ସମୟର ସଠିକ୍ ବ୍ୟବହାର କରିବା ଓ ଉତ୍ସାହର ସହ ଖୁସିର ଖବର ଶୁଣାଇବା ବହୁତ ଜରୁରୀ ।
୧୦. ବାଇବଲରେ ଥିବା ଭବିଷ୍ୟତବାଣୀଗୁଡ଼ିକ କିପରି ଆମକୁ ପ୍ରଚାର କରିବା ପାଇଁ ପ୍ରୋତ୍ସାହନ ଦିଏ ?
୧୦ ବାଇବଲରେ ଥିବା ଭବିଷ୍ୟତବାଣୀଗୁଡ଼ିକ ଉପରେ ଧ୍ୟାନ ଦେଲେ ଆମକୁ ଗୋଟିଏ ଭଲ ଭବିଷ୍ୟତର ଆଶା ମିଳେ, ଏହି ଆଶା ବିଷୟରେ ଆମେ ସମସ୍ତଙ୍କୁ କହିବା ପାଇଁ ଚାହୁଁ । ଡୋମିନିକା ଗଣତନ୍ତ୍ରରେ ରହୁଥିବା କ୍ୟାରି ନାମକ ଭଉଣୀ କହନ୍ତି, “ଯେବେ ମୁଁ ଏବିଷୟରେ ଭାବେ ଯେ ଯିହୋବା ଆମକୁ କେତେ ବଢ଼ିଆ ଭବିଷ୍ୟତ ଦେବା ପାଇଁ ପ୍ରତିଜ୍ଞା କରିଛନ୍ତି, ତେବେ ମୋତେ ଅନ୍ୟମାନଙ୍କୁ ଏବିଷୟରେ କହିବା ପାଇଁ ଇଚ୍ଛା ହୁଏ । ଯେବେ ମୁଁ ଲୋକମାନଙ୍କୁ ଦେଖେ ଯେ ସେମାନେ କେତେ ସମସ୍ୟାର ସାମନା କରୁଛନ୍ତି, ତେବେ ମୁଁ ବୁଝିପାରେ ଯେ ଯିହୋବା ଯେଉଁ ପ୍ରତିଜ୍ଞା କରିଛନ୍ତି ତାହା କେବଳ ମୋ ପାଇଁ କରି ନାହାନ୍ତି ବରଂ ସେମାନଙ୍କ ପାଇଁ ବି କରିଛନ୍ତି ।” ବାଇବଲର ଭବିଷ୍ୟତବାଣୀଗୁଡ଼ିକରୁ ଏହା ବି ଜଣାପଡ଼େ ଯେ ଯିହୋବା ଏହି କାମରେ ଆମକୁ ସାହାଯ୍ୟ କରୁଛନ୍ତି, ସେଥିପାଇଁ ଆମେ ପ୍ରଚାର କରିବା ପାଇଁ ପଛଘୁଞ୍ଚା ଦେଇ ନ ଥାଉ । ହଙ୍ଗେରୀରେ ରହୁଥିବା ଲେଲା କହନ୍ତି, “ଯିଶାଇୟ ୧୧:୬-୯ ପଦରୁ ମୁଁ ବୁଝିପାରିଲି ଯେ ଯିହୋବାଙ୍କ ସାହାଯ୍ୟରୁ କେହି ବି ନିଜକୁ ବଦଳାଇପାରିବେ । ଏଥିରୁ ମୋତେ ପ୍ରୋତ୍ସାହନ ମିଳିଲା ଯେ ମୁଁ ସମସ୍ତଙ୍କୁ ଖୁସିର ଖବର ଶୁଣାଇବି, ସେମାନଙ୍କୁ ବି ଯେଉଁମାନଙ୍କ ବିଷୟରେ ଲାଗେ ଯେ ସେମାନେ ଶୁଣିବେ ନାହିଁ ।” ଜାମ୍ବିଆରେ ରହୁଥିବା ଖ୍ରୀଷ୍ଟୋଫର କହନ୍ତି, “ଯେପରି ମାର୍କ ୧୩:୧୦ ପଦରେ କୁହାଯାଇଛି, ଆଜି ସାରା ଦୁନିଆରେ ଖୁସିର ଖବର ପ୍ରଚାର କରାଯାଉଛି । ଆଉ ମୋତେ ବହୁତ ଖୁସି ଲାଗେ ଯେ ମୁଁ ବି ଏହି ଭବିଷ୍ୟତବାଣୀ ପୂରା କରୁଛି ।” ଆପଣଙ୍କୁ ବାଇବଲରୁ କେଉଁ ଭବିଷ୍ୟତବାଣୀ ପଢ଼ି ପ୍ରଚାର କରିବା ପାଇଁ ପ୍ରୋତ୍ସାହନ ମିଳେ ?
ସେ ଯିହୋବାଙ୍କ ଉପରେ ଭରସା ରଖିଲେ
୧୧. ଉତ୍ସାହର ସହ ପ୍ରଚାର କରିବା ପାଇଁ ଯୀଶୁଙ୍କୁ କାହିଁକି ଯିହୋବାଙ୍କ ଉପରେ ଭରସା କରିବାର ଥିଲା ? (ଲୂକ ୧୨:୪୯, ୫୩)
୧୧ ଯୀଶୁ ଯିହୋବାଙ୍କ ଉପରେ ପୂରା ଭରସା କରୁଥିଲେ, ତେଣୁ ସେ ଉତ୍ସାହର ସହ ପ୍ରଚାର କଲେ । ସେ ଜାଣିଥିଲେ ଯେ କିଛି ଲୋକ ଖୁସିର ଖବର ଶୁଣି ରାଗିଯିବେ ଓ ତାଙ୍କର ବିରୋଧ କରିବେ, ତେଣୁ ସେ ଲୋକମାନଙ୍କ ସହ ଭାବିଚିନ୍ତି କଥା ହେଉଥିଲେ । (ଲୂକ ୧୨:୪୯, ୫୩ ପଢ଼ନ୍ତୁ ।) ପ୍ରଚାର କରିବା ଯୋଗୁଁ ଧର୍ମଗୁରୁମାନେ ଅନେକ ଥର ଯୀଶୁଙ୍କୁ ଜୀବନରୁ ମାରିଦେବା ପାଇଁ ଚେଷ୍ଟା କଲେ । (ଯୋହ. ୮:୫୯; ୧୦:୩୧, ୩୯) ତଥାପି ଯୀଶୁ ପ୍ରଚାର କରିବା ଜାରି ରଖିଲେ, କାରଣ ସେ ଜାଣିଥିଲେ ଯେ ଯିହୋବା ତାଙ୍କର ସାଙ୍ଗରେ ଅଛନ୍ତି । ସେ କହିଲେ, “ମୁଁ ଏକାକୀ ନୁହେଁ, କିନ୍ତୁ ମୋହର ପ୍ରେରଣକର୍ତ୍ତା ମୋʼ ସାଙ୍ଗରେ ଅଛନ୍ତି । . . . ସେ ମୋତେ ଏକାକୀ ପରିତ୍ୟାଗ କଲେ ନାହିଁ, କାରଣ ମୁଁ ସର୍ବଦା ତାହାଙ୍କର ସନ୍ତୋଷଜନକ କାର୍ଯ୍ୟ କରେ ।”—ଯୋହ. ୮:୧୬, ୨୯.
୧୨. ଯୀଶୁ କିପରି ନିଜ ଶିଷ୍ୟମାନଙ୍କୁ ଅତ୍ୟାଚାର ସମୟରେ ବି ପ୍ରଚାର କରିବା ଜାରି ରଖିବା ପାଇଁ ଶିଖାଇଲେ ?
୧୨ ଯୀଶୁ ନିଜ ଶିଷ୍ୟମାନଙ୍କୁ ବି ଯିହୋବାଙ୍କ ଉପରେ ଭରସା ରଖିବା ପାଇଁ ଶିଖାଇଲେ । ସେ ବାରମ୍ବାର ନିଜ ଶିଷ୍ୟମାନଙ୍କୁ ଏହା ଭରସା ଦେଲେ ଯେ ଯେବେ ସେମାନଙ୍କୁ ଅତ୍ୟାଚାର କରାଯିବ, ଯିହୋବା ସେସମୟରେ ମଧ୍ୟ ସେମାନଙ୍କୁ ସାହାଯ୍ୟ କରିବେ । (ମାଥି. ୧୦:୧୮-୨୦; ଲୂକ ୧୨:୧୧, ୧୨) କିନ୍ତୁ ଯୀଶୁ ନିଜ ଶିଷ୍ୟମାନଙ୍କୁ ସତର୍କ ରହି ଖୁସିର ଖବର ଶୁଣାଇବା ପାଇଁ କହିଲେ । (ମାଥି. ୧୦:୧୬; ଲୂକ ୧୦:୩) ତାʼସହ ଯଦି କେହି ତାଙ୍କ ସନ୍ଦେଶ ଶୁଣିବା ପାଇଁ ଚାହାନ୍ତି ନାହିଁ, ତେବେ ସେମାନଙ୍କୁ ଶୁଣିବା ପାଇଁ ବାଧ୍ୟ ନ କରିବା ଏବଂ ସେମାନଙ୍କୁ ଅତ୍ୟାଚାର କରାଗଲେ ସେଠାରୁ ପଳାଇ ଯିବା ପାଇଁ ବି କହିଲେ । (ମାଥି. ୧୦:୨୩; ଲୂକ ୧୦:୧୦, ୧୧) ଯୀଶୁ ଉତ୍ସାହର ସହ ପ୍ରଚାର କଲେ ଓ ଯିହୋବାଙ୍କ ଉପରେ ଭରସା ରଖିଲେ, କିନ୍ତୁ ସେ ଅଯଥା ନିଜକୁ ବିପଦରେ ପକାଇଲେ ନାହିଁ ।—ଯୋହ. ୧୧:୫୩, ୫୪.
୧୩. ଆପଣ କାହିଁକି ଯିହୋବାଙ୍କ ଉପରେ ଭରସା ରଖିପାରିବେ ଯେ ସେ ଆପଣଙ୍କୁ ସାହାଯ୍ୟ କରିବେ ?
୧୩ ଆଜି ବି ଆମ କାମର ବିରୋଧ କରାଯାଏ, ତେଣୁ ଉତ୍ସାହର ସହ ଖୁସିର ଖବର ଶୁଣାଇବା ପାଇଁ ଆମକୁ ଯିହୋବାଙ୍କର ସାହାଯ୍ୟ ଦରକାର ପଡ଼େ । (ପ୍ରକା. ୧୨:୧୭) କିନ୍ତୁ ଆପଣ କାହିଁକି ଯିହୋବାଙ୍କ ଉପରେ ଭରସା ରଖିପାରିବେ ଯେ ସେ ଆପଣଙ୍କୁ ସାହାଯ୍ୟ କରିବେ ? ଯୋହନ ୧୭ ଅଧ୍ୟାୟରେ ଦିଆଯାଇଥିବା ଯୀଶୁଙ୍କ ପ୍ରାର୍ଥନା ଉପରେ ଧ୍ୟାନ ଦିଅନ୍ତୁ । ଯୀଶୁ ନିଜ ପ୍ରେରିତମାନଙ୍କ ପାଇଁ ଯିହୋବାଙ୍କୁ ପ୍ରାର୍ଥନା କଲେ ଯେ ସେ ସେମାନଙ୍କୁ ସାହାଯ୍ୟ କରନ୍ତୁ ଓ ଯିହୋବା ତାଙ୍କର ପ୍ରାର୍ଥନା ଶୁଣିଲେ । ଆମେ ପ୍ରେରିତ ବହିରେ ପଢ଼ୁ ଯେ ଯେବେ ସେମାନଙ୍କ ଉପରେ ଅତ୍ୟାଚାର କରାଗଲା, ତେବେ ଯିହୋବା ଉତ୍ସାହର ସହ ପ୍ରଚାର କରିବା ପାଇଁ ସେମାନଙ୍କୁ ସାହାଯ୍ୟ କଲେ । ଯୀଶୁ ନିଜ ପିତାଙ୍କୁ ସେହି ଲୋକମାନଙ୍କ ପାଇଁ ବି ସାହାଯ୍ୟ ମାଗିଲେ ଯେଉଁମାନେ ପ୍ରେରିତମାନଙ୍କଠାରୁ ଖୁସିର ଖବର ଶୁଣି ଯୀଶୁଙ୍କ ଉପରେ ବିଶ୍ୱାସ କରନ୍ତେ ଏବଂ ଆଗକୁ ଯାଇ ଯୀଶୁଙ୍କ ଶିଷ୍ୟ ହୁଅନ୍ତେ । ସେମଧ୍ୟରୁ ଆପଣ ବି ଜଣେ । ଯିହୋବା ଆଜି ବି ଯୀଶୁଙ୍କ ପ୍ରାର୍ଥନାର ଉତ୍ତର ଦେଉଛନ୍ତି । ସେଥିପାଇଁ ଆପଣ ପୂରା ଭରସା ରଖିପାରିବେ ଯେ ଯେପରି ସେ ନିଜ ପ୍ରେରିତମାନଙ୍କୁ ସାହାଯ୍ୟ କଲେ, ଠିକ୍ ସେହିପରି ସେ ଆପଣଙ୍କୁ ବି ସାହାଯ୍ୟ କରିବେ ।—ଯୋହ. ୧୭:୧୧, ୧୫, ୨୦.
୧୪. ଆମେ କାହିଁକି ଭରସା ରଖିପାରିବା ଯେ କଠିନ ପରିସ୍ଥିତିରେ ବି ଆମେ ଉତ୍ସାହର ସହ ପ୍ରଚାର କରିପାରିବା ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୪ ଦୁନିଆର ବିନାଶ ଯେପରି ପାଖେଇ ଆସୁଛି, ଖୁସିର ଖବର ପ୍ରଚାର କରିବା ହୁଏତ ଆମମାନଙ୍କ ପାଇଁ ଆହୁରି କଠିନ ହୋଇଯିବ । କିନ୍ତୁ ଯୀଶୁ ଆମକୁ ଭରସା ଦେଇଛନ୍ତି ଯେ ଉତ୍ସାହର ସହ ପ୍ରଚାର କରିବା ପାଇଁ ସେ ଆମକୁ ସାହାଯ୍ୟ କରିବେ । (ଲୂକ ୨୧:୧୨-୧୫) ଆମେ ଯୀଶୁ ଓ ତାଙ୍କ ଶିଷ୍ୟମାନଙ୍କ ଭଳି ସେମାନଙ୍କୁ ପ୍ରଚାର କରୁ, ଯେଉଁମାନେ ଖୁସିର ଖବର ଶୁଣିବା ପାଇଁ ଚାହାନ୍ତି ଓ ଆମେ କାହାରି ସହ ଯୁକ୍ତିତର୍କ କରି ନ ଥାଉ । ଯେଉଁ ଦେଶଗୁଡ଼ିକରେ ଆମ କାମ ଉପରେ ରୋକ ଲଗାଇ ଦିଆଯାଇଛି, ସେଠାରେ ବି ଭାଇଭଉଣୀମାନେ ଖୁସିର ଖବର ପ୍ରଚାର କରୁଛନ୍ତି କାରଣ ସେମାନେ ଯିହୋବାଙ୍କ ଉପରେ ଭରସା ରଖନ୍ତି, ନିଜ ଉପରେ ନୁହେଁ । ଯିହୋବା ଯେପରି ଭାବେ ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କୁ ବଳ ଦେଇଥିଲେ, ସେ ଆଜି ଆମକୁ ବି ବଳ ଦିଅନ୍ତି, ଯାହାଫଳରେ ଆମେ ସେସମୟ ଯାଏ “ସମ୍ପୂର୍ଣ୍ଣ ରୂପେ” ପ୍ରଚାର କରିପାରିବା, ଯେବେ ଯାଏ ସେ ଚାହାନ୍ତି । (୨ ତୀମ. ୪:୧୭) ସେଥିପାଇଁ ଯଦି ଆମେ ଯିହୋବାଙ୍କ ଉପରେ ଭରସା ରଖିବା, ତାହେଲେ ଉତ୍ସାହର ସହ ପ୍ରଚାର କରିପାରିବା ।
ଯେଉଁ ଦେଶରେ ଆମ କାମ ଉପରେ ରୋକ ଲାଗିଛି, ସେଠାରେ ବି ଭାଇଭଉଣୀମାନେ ସତର୍କ ରହି ଖୁସିର ଖବର ଶୁଣାନ୍ତି (ପାରାଗ୍ରାଫ ୧୪) a
ତାଙ୍କୁ ବିଶ୍ୱାସ ଥିଲା ଯେ କିଛି ଲୋକ ଖୁସିର ଖବର ନିଶ୍ଚୟ ଶୁଣିବେ
୧୫. ଆମେ କାହିଁକି କହିପାରିବା ଯେ ଯୀଶୁଙ୍କୁ ପୂରା ଭରସା ଥିଲା ଯେ କିଛି ଲୋକ ଖୁସିର ଖବର ନିଶ୍ଚୟ ଶୁଣିବେ ?
୧୫ ଯୀଶୁଙ୍କୁ ପୂରା ଭରସା ଥିଲା ଯେ କିଛି ଲୋକ ଖୁସିର ଖବର ନିଶ୍ଚୟ ଶୁଣିବେ । ସେଥିପାଇଁ ସେ ଉତ୍ସାହର ସହ ପ୍ରଚାର କଲେ । ଉଦାହରଣ ପାଇଁ, ୩୦ ଖ୍ରୀଷ୍ଟାବ୍ଦର ଶେଷରେ ସେ ଦେଖିଲେ ଯେ ଅନେକ ଲୋକ ଖୁସିର ଖବର ଶୁଣିବା ପାଇଁ ପ୍ରସ୍ତୁତ ଅଛନ୍ତି, ତେଣୁ ସେ ସେମାନଙ୍କ ତୁଳନା ଏପରି ଶସ୍ୟକ୍ଷେତ୍ର ସହିତ କଲେ ଯାହା କଟାଯିବା ନିମନ୍ତେ ପାଚିଯାଇଛି । (ଯୋହ. ୪:୩୫) ଯୀଶୁ ପ୍ରାୟ ବର୍ଷେ ପରେ ନିଜ ଶିଷ୍ୟମାନଙ୍କୁ କହିଲେ ଯେ କଟାଯିବା ପାଇଁ “ଶସ୍ୟ ସିନା ପ୍ରଚୁର” ଅଛି । (ମାଥି. ୯:୩୭, ୩୮) ଏହାର କିଛି ସମୟ ପରେ ଯୀଶୁ ପୁଣିଥରେ କହିଲେ, “ଶସ୍ୟ ସିନା ପ୍ରଚୁର, ମାତ୍ର କାର୍ଯ୍ୟକାରୀମାନେ ଅଳ୍ପ; ଏଣୁ ଆପଣା ଶସ୍ୟକ୍ଷେତ୍ରକୁ କାର୍ଯ୍ୟକାରୀମାନଙ୍କୁ ପଠାଇଦେବା ନିମନ୍ତେ ଶସ୍ୟକ୍ଷେତ୍ରର କର୍ତ୍ତାଙ୍କ ନିକଟରେ ନିବେଦନ କର ।” (ଲୂକ ୧୦:୨) ଯୀଶୁଙ୍କୁ ପୂରା ଭରସା ଥିଲା ଯେ କିଛି ଲୋକ ନିଶ୍ଚୟ ଖୁସିର ଖବର ସ୍ୱୀକାର କରିବେ ଆଉ ଯେବେ ଲୋକମାନେ ଖୁସିର ଖବର ସ୍ୱୀକାର କଲେ, ତେବେ ଯୀଶୁ ଏହା ଦେଖି ବହୁତ ଖୁସି ହେଲେ ।—ଲୂକ ୧୦:୨୧.
୧୬. ଯୀଶୁ ଯେଉଁ ଉଦାହରଣଗୁଡ଼ିକ ଦେଲେ, ସେଥିରୁ କିପରି ଜଣାପଡ଼େ ଯେ ଲୋକମାନେ ନିଶ୍ଚୟ ଖୁସିର ଖବର ସ୍ୱୀକାର କରିବେ ? (ଲୂକ ୧୩:୧୮-୨୧) (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୬ ପ୍ରଚାର କଲେ କେତେ ବଢ଼ିଆ ପରିଣାମ ମିଳେ, ଏହି କଥା ଉପରେ ଧ୍ୟାନ ଦେବା ପାଇଁ ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଲେ । କାରଣ ଯୀଶୁ ଚାହୁଁଥିଲେ ଯେ ସେମାନେ ଉତ୍ସାହର ସହ ପ୍ରଚାର କରନ୍ତୁ । ଏହାକୁ ବୁଝାଇବା ପାଇଁ ଯୀଶୁ ଦୁଇଟି ଉଦାହରଣ ଦେଲେ । (ଲୂକ ୧୩:୧୮-୨୧ ପଢ଼ନ୍ତୁ ।) ସେ କହିଲେ ଯେ ରାଜ୍ୟର ସନ୍ଦେଶ ସୋରିଷ ଦାନା ପରି । ଏହି ଉଦାହରଣ ଦେଇ ଯୀଶୁ ବୁଝାଇବା ପାଇଁ ଚାହୁଁଥିଲେ ଯେ ଅନେକ ଲୋକ ଖୁସିର ଖବର ସ୍ୱୀକାର କରିବେ ଏବଂ ଏହି କାମକୁ କେହି ବି ରୋକିପାରିବେ ନାହିଁ । ଯୀଶୁ ଏହା ବି କହିଲେ ଯେ ରାଜ୍ୟର ସନ୍ଦେଶ ଖମୀର ସଦୃଶ । ସେ ଏହା ଏଥିପାଇଁ କହିଲେ କାରଣ ଏହି ସନ୍ଦେଶ ଦୁନିଆର ଚାରିଆଡ଼େ ବ୍ୟାପିବ ଏବଂ ଏହି ସନ୍ଦେଶ ଶୁଣି ଲୋକମାନେ ନିଜ ଭିତରେ ବଡ଼ ବଡ଼ ପରିବର୍ତ୍ତନ କରିବେ । ହୁଏତ ଆମକୁ ଏସବୁ ତୁରନ୍ତ ଜଣାପଡ଼ିବ ନାହିଁ । ଏହିପରି ଭାବେ ଯୀଶୁ ନିଜ ଶିଷ୍ୟମାନଙ୍କୁ ଭରସା ଦେଲେ ଯେ ଅନେକ ଲୋକ ଖୁସିର ଖବର ସ୍ୱୀକାର କରିବେ ।
ଯୀଶୁଙ୍କ ଭଳି ଆମକୁ ବି ପୂରା ଭରସା ଅଛି ଯେ କିଛି ଲୋକ ଖୁସିର ଖବର ନିଶ୍ଚୟ ଶୁଣିବେ (ପାରାଗ୍ରାଫ ୧୬)
୧୭. ଆମକୁ କାହିଁକି ଉତ୍ସାହର ସହିତ ପ୍ରଚାର କରିବା ଜାରି ରଖିବା ଉଚିତ୍ ?
୧୭ ଆଜି ଦୁନିଆରେ ଅନେକ ଲୋକ ଖୁସିର ଖବର ଶୁଣୁଛନ୍ତି, ଯାହା ଦେଖି ଆମେ ଉତ୍ସାହର ସହ ପ୍ରଚାର କରିଥାଉ । ପ୍ରତିବର୍ଷ କୋଟି କୋଟି ଲୋକ ସ୍ମାରକ ସଭାରେ ଉପସ୍ଥିତ ହୁଅନ୍ତି ଏବଂ ଆମ ସହିତ ବାଇବଲ ଅଧ୍ୟୟନ କରନ୍ତି । ଲକ୍ଷ ଲକ୍ଷ ଲୋକ ବାପ୍ତିସ୍ମ ନେଇ ଆମ ସହିତ ପ୍ରଚାର କରନ୍ତି । ଆଗକୁ ଯାଇ ଆହୁରି କେତେ ଲୋକ ଖୁସିର ଖବର ସ୍ୱୀକାର କରିବେ, ସେହି କଥା ଆମେ ଜାଣିନୁ । କିନ୍ତୁ ଆମେ ଏହା ନିଶ୍ଚୟ ଜାଣିଛୁ ଯେ ଯିହୋବା ମହା ଜନତାକୁ ଏକାଠି କରୁଛନ୍ତି, ଯେଉଁମାନେ ମହାକ୍ଳେଶରୁ ରକ୍ଷା ପାଇବେ । (ପ୍ରକା. ୭:୯, ୧୪) ଶସ୍ୟକ୍ଷେତ୍ରର ମାଲିକଙ୍କୁ ଏହି କଥାର ପୂରା ଭରସା ଅଛି ଯେ ଏବେ ବି ଆହୁରି ଅନେକ ଲୋକ ଖୁସିର ଖବର ସ୍ୱୀକାର କରିବେ । ତେଣୁ ଆସନ୍ତୁ ଆମେ ଉତ୍ସାହର ସହିତ ପ୍ରଚାର କରିବା ଜାରି ରଖିବା ।
୧୮. ଆମକୁ ଦେଖି ଲୋକମାନେ କʼଣ କହନ୍ତୁ ବୋଲି ଆମେ ଚାହୁଁ ?
୧୮ ଯୀଶୁଙ୍କ ଶିଷ୍ୟମାନେ ସବୁବେଳେ ଉତ୍ସାହର ସହିତ ପ୍ରଚାର କଲେ । ପ୍ରଥମ ଶତାବ୍ଦୀରେ ଯେବେ ଲୋକମାନେ ଦେଖିଲେ ଯେ ପ୍ରେରିତମାନେ ବିନା ଡରି ପ୍ରଚାର କରୁଛନ୍ତି, ତେବେ ‘ସେମାନଙ୍କୁ ଯୀଶୁଙ୍କ ସାଙ୍ଗରେ ଥିଲେ ବୋଲି ଲୋକମାନେ ଚିହ୍ନିଲେ ।’ (ପ୍ରେରି. ୪:୧୩) ଯଦି ଆମେ ବି ସେମାନଙ୍କ ଭଳି ସାହସ ଓ ଉତ୍ସାହର ସହ ପ୍ରଚାର କରିବା, ତେବେ ଲୋକମାନେ ଆମକୁ ବି ଦେଖି ଯୀଶୁଙ୍କ ଶିଷ୍ୟ କହିବେ ।
ଗୀତ ୫୮ ନମ୍ର ଲୋକଙ୍କୁ ଖୋଜନ୍ତୁ !
a ଚିତ୍ର ବିଷୟରେ: ଜଣେ ଭାଇ ପେଟ୍ରୋଲ ପମ୍ପରେ ଛିଡ଼ା ହୋଇଛନ୍ତି ଏବଂ ସତର୍କ ରହି ଜଣେ ବ୍ୟକ୍ତିଙ୍କୁ ସାକ୍ଷ୍ୟ ଦେଉଛନ୍ତି ।