ଅଧ୍ୟୟନ ଲେଖା ୪୧
ଗୀତ ୧୩ ମସୀହ୍, ହମାରା ଆଦର୍ଶ୍
ଯୀଶୁ ୪୦ ଦିନ ମଧ୍ୟରେ ଯାହା କଲେ, ସେଥିରୁ ଆମେ କʼଣ ଶିଖୁ ?
‘ସେ ଚାଳିଶ ଦିନ ପର୍ଯ୍ୟନ୍ତ ବାରମ୍ବାର ସେମାନଙ୍କୁ ଦର୍ଶନ ଦେଇ ଈଶ୍ୱରଙ୍କ ରାଜ୍ୟ ସମ୍ବନ୍ଧୀୟ ବିଷୟଗୁଡ଼ିକ କହିଲେ ।’—ପ୍ରେରି. ୧:୩.
କʼଣ ଶିଖିବା ?
ଆମେ ଜାଣିବା ଯେ ଯୀଶୁ ପୃଥିବୀରେ ନିଜ ୪୦ ଦିନ ମଧ୍ୟରେ ଯାହା ଯାହା କଲେ, ସେଥିରୁ ଆମେ କʼଣ ଶିଖିପାରିବା ।
୧-୨. ଯେବେ ଯୀଶୁଙ୍କ ଦୁଇଜଣ ଶିଷ୍ୟ ଇମ୍ମାୟୁ ଯାଉଥିଲେ, ତେବେ କʼଣ ହେଲା ?
୩୩ ଖ୍ରୀଷ୍ଟାବ୍ଦ, ନୀସନ୍ ୧୬ର କଥା । ଯୀଶୁଙ୍କ ଦୁଇଜଣ ଶିଷ୍ୟ ଯିରୂଶାଲମରୁ ଇମ୍ମାୟୁ ଆଡ଼କୁ ଯାଉଛନ୍ତି, ଯାହା ଯିରୂଶାଲମରୁ ପ୍ରାୟ ୧୧ କିଲୋମିଟର (୭ ମିଲ୍) ଦୂରରେ ଅଛି । ଏହି ଦୁଇଜଣ ଶିଷ୍ୟ ଯୀଶୁଙ୍କ ଅନ୍ୟ ଶିଷ୍ୟମାନଙ୍କ ଭଳି ବହୁତ ଦୁଃଖି ଅଛନ୍ତି ଏବଂ ଡରି ଯାଇଛନ୍ତି । ଏପରି କାହିଁକି ? କାରଣ କିଛି ସମୟ ପୂର୍ବେ ତାଙ୍କ ଗୁରୁଙ୍କୁ ମାରି ଦିଆଗଲା । ସେମାନେ ଭାବିଥିଲେ ଯେ ସେମାନଙ୍କ ଏହି ମସୀହ ସେମାନଙ୍କ ପାଇଁ ବହୁତ କିଛି କରିବ, କିନ୍ତୁ ସେମାନଙ୍କ ଆଶା ଆଶାରେ ହିଁ ରହିଗଲା । କିନ୍ତୁ ଏବେ ଏପରି କିଛି ହେବାକୁ ଯାଉଛି ଯାହାଦ୍ୱାରା ସେମାନେ ନିଜ ଦୁଃଖ ଭୁଲିଯିବେ ।
୨ ରାସ୍ତାରେ ଜଣେ ଅଜଣା ବ୍ୟକ୍ତି ସେମାନଙ୍କ ସାଙ୍ଗରେ ଯାʼନ୍ତି । ଶିଷ୍ୟମାନେ ତାଙ୍କୁ କହିଲେ ଯେ ସେମାନଙ୍କ ଗୁରୁଙ୍କ ସହିତ ଯାହା ହେଲା ତାʼପାଇଁ ସେମାନେ ବହୁତ ଦୁଃଖିତ ଅଛନ୍ତି । ସେମାନଙ୍କ କଥା ଶୁଣିବା ପରେ ସେ ଏପରି କିଛି କହିଲେ ଯେଉଁଥିରୁ ସେମାନଙ୍କ ଦୃଷ୍ଟିକୋଣ ବଦଳିଗଲା । ସେ ‘ମୋଶା ଓ ସମସ୍ତ ଭବିଷ୍ୟଦ୍ବକ୍ତାମାନଙ୍କ’ ବହିଗୁଡ଼ିକରୁ ବୁଝାନ୍ତି ଯେ ମସୀହଙ୍କୁ ଦୁଃଖ ଭୋଗ କରିବା ଓ ତାଙ୍କ ମୃତ୍ୟୁ ହେବା ଜରୁରୀ ଥିଲା । ଇମ୍ମାୟୁ ପହଞ୍ଚିବା ପରେ ସେହି ଦୁଇଜଣ ଶିଷ୍ୟ ଜାଣିପାରିଲେ ଯେ ସେହି ଅଜଣା ବ୍ୟକ୍ତି ସେମାନଙ୍କ ଗୁରୁ ଯୀଶୁ ଥିଲେ, ଯାହାଙ୍କୁ ପରମେଶ୍ୱର ଜୀବିତ କରିଦେଇଛନ୍ତି । ଭାବନ୍ତୁ, ଯେବେ ସେମାନେ ଏବିଷୟରେ ଜାଣିଲେ ଯେ ମସୀହ ଜୀବିତ ହୋଇଯାଇଛନ୍ତି, ତେବେ ସେମାନଙ୍କୁ କେତେ ଖୁସି ଲାଗିଥିବ !—ଲୂକ ୨୪:୧୩-୩୫.
୩-୪. (କ) ଯେବେ ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ଭେଟିଲେ, ତେବେ ତାଙ୍କ ଉପରେ ଏହାର କʼଣ ପ୍ରଭାବ ପଡ଼ିଲା ? (ପ୍ରେରିତ ୧:୩) (ଖ) ଏହି ଲେଖାରେ ଆମେ କʼଣ ଜାଣିବା ?
୩ ପୃଥିବୀରେ ଥିବା ସମୟରେ ନିଜ ଶେଷ ୪୦ ଦିନ ମଧ୍ୟରେ ଯୀଶୁ ଅନେକଥର ତାଙ୍କ ଶିଷ୍ୟମାନଙ୍କୁ ଭେଟିଲେ ।a (ପ୍ରେରିତ ୧:୩ ପଢ଼ନ୍ତୁ ।) ତାଙ୍କ ଶିଷ୍ୟମାନେ ବହୁତ ନିରାଶ ଏବଂ ଚିନ୍ତିତ ଥିଲେ, କିନ୍ତୁ ଯୀଶୁ ସେମାନଙ୍କର ଉତ୍ସାହ ବଢ଼ାଇଲେ । ଏହି କାରଣ ଯୋଗୁଁ ସେମାନଙ୍କୁ ସାହସ ମିଳିଲା ଓ ସେମାନେ ଉତ୍ସାହର ସହିତ ଈଶ୍ୱରଙ୍କ ରାଜ୍ୟ ବିଷୟରେ ପ୍ରଚାର କଲେ ଏବଂ ଅନ୍ୟମାନଙ୍କୁ ଶିଖାଇଲେ ।
୪ ଏହି ୪୦ ଦିନ ମଧ୍ୟରେ ଯୀଶୁ ଯାହା ବି କଲେ, ତାʼ ଉପରେ ଧ୍ୟାନ ଦେଲେ ଆମେ ବହୁତ କିଛି ଶିଖିପାରିବା । ଏହି ଲେଖାରେ ଆମେ ଚର୍ଚ୍ଚା କରିବା ଯେ ଯୀଶୁ ନିଜ ଶେଷ ସମୟ ମଧ୍ୟରେ କିପରି (୧) ନିଜ ଶିଷ୍ୟମାନଙ୍କର ସାହସ ବଢ଼ାଇଲେ, (୨) ସେମାନଙ୍କୁ ଶାସ୍ତ୍ରର ଗଭୀର କଥାଗୁଡ଼ିକୁ ଭଲଭାବେ ବୁଝିବା ପାଇଁ ସାହାଯ୍ୟ କଲେ ଏବଂ (୩) ସେମାନଙ୍କୁ ଟ୍ରେନିଙ୍ଗ ଦେଲେ ଯାହାଦ୍ୱାରା ସେମାନେ ଆହୁରି ଦାୟିତ୍ୱ ତୁଲାଇପାରନ୍ତେ । ଆମେ ଏହା ବି ଜାଣିବା ଯେ ଆମେ କିପରି ଯୀଶୁଙ୍କ ଭଳି ହୋଇପାରିବା ।
ଅନ୍ୟମାନଙ୍କର ସାହସ ବଢ଼ାନ୍ତୁ
୫. ଯୀଶୁଙ୍କ ଶିଷ୍ୟମାନଙ୍କୁ କାହିଁକି ସାହସର ଦରକାର ଥିଲା ?
୫ ଯୀଶୁଙ୍କ ଶିଷ୍ୟମାନଙ୍କୁ ସାହସର ଦରକାର ଥିଲା । ତାହା କାହିଁକି ? କାରଣ ଯୀଶୁଙ୍କ କିଛି ଶିଷ୍ୟ ନିଜର ଘର, ପରିବାର ଏବଂ ବ୍ୟବସାୟ ଛାଡ଼ି ଯୀଶୁଙ୍କ ଅନୁକରଣ କରୁଥିଲେ । (ମାଥି. ୧୯:୨୭) ତାʼ ସହିତ କିଛି ଲୋକ ଯୀଶୁଙ୍କ ଶିଷ୍ୟ ହୋଇଯାଇଥିଲେ, ତେଣୁ ଲୋକମାନେ ସେମାନଙ୍କୁ ନୀଚ ଦୃଷ୍ଟିରେ ଦେଖୁଥିଲେ । (ଯୋହ. ୯:୨୨) ସେମାନେ ଏହି ତ୍ୟାଗ ଏଥିପାଇଁ କରିପାରିଲେ, କାରଣ ସେମାନଙ୍କୁ ପୂରା ଭରସା ଥିଲା ଯେ ଯୀଶୁ ହିଁ ପ୍ରତିଜ୍ଞା କରାଯାଇଥିବା ମସୀହ ଅଟନ୍ତି । (ମାଥି. ୧୬:୧୬) କିନ୍ତୁ ଯେବେ ଯୀଶୁଙ୍କ ମୃତ୍ୟୁ ହୋଇଗଲା, ତେବେ ସେମାନଙ୍କ ସବୁ ଆଶା ଭାଙ୍ଗିଗଲା ଏବଂ ସେମାନେ ବହୁତ ନିରାଶ ହୋଇଗଲେ ।
୬. ଜୀବିତ ହେବା ପରେ ଯୀଶୁ କʼଣ କଲେ ?
୬ ଯୀଶୁ ଜାଣିଥିଲେ ଯେ ତାଙ୍କ ଶିଷ୍ୟମାନେ ବହୁତ ଦୁଃଖି ଅଛନ୍ତି, କିନ୍ତୁ ଏଥିପାଇଁ ନୁହେଁ ଯେ ସେମାନଙ୍କ ବିଶ୍ୱାସ କମ୍ ଅଛି ବରଂ ନିଜ ଗୁରୁଙ୍କୁ ମୃତ୍ୟୁରେ ହରାଇଥିବା ଯୋଗୁଁ ସେମାନେ ଦୁଃଖି ଅଛନ୍ତି । ତେଣୁ ଯେଉଁ ଦିନ ଯୀଶୁ ଜୀବିତ ହେଲେ, ସେହି ଦିନ ସେ ନିଜ ସାଙ୍ଗମାନଙ୍କ ସାହସ ବଢ଼ାଇଲେ । ଯେପରି, ଯେବେ ସେ ମଗ୍ଦଲୀନୀ ମରୀୟମଙ୍କୁ ନିଜ କବର ବାହାରେ ଛିଡ଼ା ହୋଇ କାନ୍ଦିବାର ଦେଖିଲେ, ତେବେ ଯୀଶୁ ତାଙ୍କ ଆଗରେ ପ୍ରକଟ ହେଲେ । (ଯୋହ. ୨୦:୧୧, ୧୬) ଆଉ ସେ ନିଜର ସେହି ଦୁଇଜଣ ଶିଷ୍ୟଙ୍କ ଆଗରେ ବି ପ୍ରକଟ ହେଲେ, ଯେଉଁମାନଙ୍କ ବିଷୟରେ ଏହି ଲେଖାର ଆରମ୍ଭରେ କୁହାଯାଇଥିଲା । ତାʼଛଡ଼ା, ସେ ପ୍ରେରିତ ପିତରଙ୍କୁ ବି ଭେଟିଲେ । (ଲୂକ ୨୪:୩୪) ଆସନ୍ତୁ ପ୍ରଥମେ ଜାଣିବା ଯେ ଯେବେ ଯୀଶୁ ମଗ୍ଦଲୀନୀ ମରୀୟମଙ୍କୁ ଭେଟିଲେ, ସେସମୟରେ କʼଣ ହେଲା ଏବଂ ତାଙ୍କଠାରୁ ଆମେ କʼଣ ଶିଖିପାରିବା ।
୭. ଯୀଶୁ ମରୀୟମଙ୍କ ବିଷୟରେ କʼଣ ଧ୍ୟାନ ଦିଅନ୍ତି ଏବଂ ତାଙ୍କ ପାଇଁ ସେ କʼଣ କରନ୍ତି ? (ଯୋହନ ୨୦:୧୧-୧୬) (ଚିତ୍ର ମଧ୍ୟ ଦେଖନ୍ତୁ ।)
୭ ଯୋହନ ୨୦:୧୧-୧୬ ପଢ଼ନ୍ତୁ । ନୀସନ୍ ୧୬ର ସକାଳେ କିଛି ବିଶ୍ୱସ୍ତ ସ୍ତ୍ରୀ ଯୀଶୁଙ୍କ କବର ପାଖକୁ ଆସନ୍ତି । (ଲୂକ ୨୪:୧, ୧୦) ସେମାନଙ୍କ ମଧ୍ୟରୁ ଜଣେ ମଗ୍ଦଲୀନୀ ମରୀୟମ ଅଟନ୍ତି । ଆସନ୍ତୁ ସେହି ଘଟଣା ଉପରେ ଟିକେ ଧ୍ୟାନ ଦେବା । ମରୀୟମ କବରରେ ଆସିବା ମାତ୍ରେ ଦେଖନ୍ତି ଯେ କବର ଖାଲି ଅଛି । ସେ ଦୌଡ଼ି ଯାଇ ପିତର ଏବଂ ଯୋହନଙ୍କୁ ଏବିଷୟରେ କହନ୍ତି । ତେବେ ପିତର ଓ ଯୋହନ ଦୌଡ଼ି ଦୌଡ଼ି କବର ଆଡ଼କୁ ଆସନ୍ତି ଏବଂ ମରୀୟମ ବି ସେମାନଙ୍କ ପଛେ ପଛେ ଆସନ୍ତି । ଯେବେ ସେମାନେ ଦେଖନ୍ତି ଯେ କବର ସତରେ ଖାଲି ଅଛି, ତେବେ ସେମାନେ ଦୁଃଖି ହୋଇଯାʼନ୍ତି ଏବଂ ଘରକୁ ଫେରିଯାʼନ୍ତି । କିନ୍ତୁ ମରୀୟମ ସେଇଠି ଛିଡ଼ା ହୋଇ କାନ୍ଦୁଛନ୍ତି । ଆଉ ତାଙ୍କୁ ଜଣା ନାହିଁ ଯେ ଯୀଶୁ ସବୁକିଛି ଦେଖୁଛନ୍ତି । ମରୀୟମଙ୍କ ଦୁଃଖ ଓ ତାଙ୍କ କାନ୍ଦିବା ଦେଖି ଯୀଶୁ ନିଜକୁ ରୋକିପାରନ୍ତି ନାହିଁ ଏବଂ ତାଙ୍କ ଆଗରେ ପ୍ରକଟ ହୁଅନ୍ତି । ସେ ତାଙ୍କ ସହ ପ୍ରେମର ସହିତ କଥା ହେଲେ ଏବଂ ତାଙ୍କର ସାହସ ବଢ଼ାଇଲେ । ତାʼପରେ ସେ ମରୀୟମଙ୍କୁ ଗୋଟିଏ ଜରୁରୀ କାମ ଦେଲେ । ଯୀଶୁ କହିଲେ ଯେ ସେ ଯାଇ ଅନ୍ୟ ଶିଷ୍ୟମାନଙ୍କୁ ଏବିଷୟରେ କହନ୍ତୁ ଯେ ଯୀଶୁଙ୍କୁ ଜୀବିତ କରିଦିଆଯାଇଛି ।—ଯୋହ. ୨୦:୧୭, ୧୮.
ଯୀଶୁଙ୍କ ଭଳି ଧ୍ୟାନ ଦିଅନ୍ତୁ ଯେ ଲୋକମାନେ କେଉଁ ସମସ୍ୟାର ସାମନା କରୁଛନ୍ତି ଓ ସେମାନଙ୍କ କଷ୍ଟ ବୁଝିବା ପାଇଁ ଚେଷ୍ଟା କରନ୍ତୁ ଏବଂ ପ୍ରେମର ସହ କଥା ହୁଅନ୍ତୁ (ପାରାଗ୍ରାଫ ୭)
୮. ଆମେ ଯୀଶୁଙ୍କ ଭଳି କʼଣ କରିପାରିବା ?
୮ ଆମେ ଯୀଶୁଙ୍କ ଭଳି କିପରି ହୋଇପାରିବା ? ଯଦି ଆମେ ନିଜ ଭାଇଭଉଣୀଙ୍କର ଉତ୍ସାହ ବଢ଼ାଇବା ତାହେଲେ ସେମାନେ ଯିହୋବାଙ୍କ ସେବା କରିବା ଜାରି ରଖିବେ । କିନ୍ତୁ ଏହା ପାଇଁ ଆମେ କʼଣ କରିପାରିବା ? ଯୀଶୁଙ୍କ ଭଳି ଆମକୁ ବି ଏହା ବୁଝିବା ପାଇଁ ଚେଷ୍ଟା କରିବା ଉଚିତ୍ ଯେ ଆମ ଭାଇଭଉଣୀମାନେ କେଉଁ ସମସ୍ୟାଗୁଡ଼ିକର ସାମନା କରୁଛନ୍ତି, ସେମାନଙ୍କୁ କିପରି ଲାଗୁଛି ଏବଂ ସେମାନଙ୍କୁ ନିଜ କଥାରୁ ସାନ୍ତ୍ୱନା ଦେବା ଉଚିତ୍ । ଭଉଣୀ ଜୋସଲିନ୍ଙ୍କ ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ । ଗୋଟିଏ ଦୁର୍ଘଟଣାରେ ତାଙ୍କ ସାନ ଭଉଣୀଙ୍କ ମୃତ୍ୟୁ ହୋଇଯାଇଥିଲା । ସେ କହନ୍ତି, “ମୁଁ ଅନେକ ମାସ ଯାଏ ବହୁତ ଦୁଃଖି ଥିଲି ଆଉ ମୋ ଭଉଣୀ କଥା ମୋତେ ଭାରି ମନେ ପଡ଼ୁଥିଲା ।” ସେସମୟରେ ଜଣେ ଭାଇ ଓ ତାଙ୍କ ସ୍ତ୍ରୀ ଜୋସଲିନ୍ଙ୍କୁ ନିଜ ଘରକୁ ଡାକିଲେ । ସେମାନେ ଧ୍ୟାନର ସହିତ ତାଙ୍କ କଥା ଶୁଣିଲେ ଏବଂ ତାଙ୍କୁ ଭରସା ଦେଲେ ଯେ ଯିହୋବା ତାଙ୍କୁ ବହୁତ ପ୍ରେମ କରନ୍ତି । ଜୋସଲିନ୍ କହନ୍ତି, “ପୂର୍ବରୁ ମୋତେ ଏପରି ଲାଗୁଥିଲା ଯେପରି ମୁଁ ସମୁଦ୍ରର ବଡ଼ ବଡ଼ ଲହଡ଼ିରେ ବୁଡ଼ି ଯାଉଛି । କିନ୍ତୁ ଯିହୋବା ଠିକ୍ ସମୟରେ ଗୋଟିଏ ନୌକା ପଠାଇ ମୋର ଜୀବନ ବଞ୍ଚାଇଲେ । ସେହି ଭାଇ ଓ ଭଉଣୀଙ୍କ ସହ କଥା ହେବା ପରେ ମୋ ଭିତରେ ପୁଣିଥରେ ଯିହୋବାଙ୍କର ସେବା କରିବା ପାଇଁ ଉତ୍ସାହ ଭରିଗଲା ।” ଆମେ ବି ଭାଇଭଉଣୀମାନଙ୍କୁ ଏହିପରି ଭାବରେ ସାହାଯ୍ୟ କରିପାରିବା । ଯେବେ କେହି ଆମକୁ ନିଜ ମନ କଥା କହନ୍ତି, ତେବେ ଆମେ ଧ୍ୟାନର ସହ ତାଙ୍କ କଥା ଶୁଣିବା, ତାଙ୍କ କଷ୍ଟକୁ ବୁଝିବା ପାଇଁ ଚେଷ୍ଟା କରିବା ଏବଂ ତାଙ୍କ ସହ ପ୍ରେମର ସହିତ କଥା ହେବା । ଏପରି କଲେ ତାଙ୍କର ଉତ୍ସାହ ବଢ଼ିବ ଏବଂ ସେ ଯିହୋବାଙ୍କ ସେବା କରିବା ଜାରି ରଖିବେ ।—ରୋମୀ. ୧୨:୧୫.
ଈଶ୍ୱରଙ୍କ ବାକ୍ୟକୁ ବୁଝିବା ପାଇଁ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ
୯. ଯୀଶୁଙ୍କ ଶିଷ୍ୟମାନେ କେଉଁ କଥାକୁ ବୁଝିପାରିଲେ ନାହିଁ ଏବଂ ଯୀଶୁ ସେମାନଙ୍କୁ କିପରି ସାହାଯ୍ୟ କଲେ ?
୯ ଯୀଶୁଙ୍କ ଶିଷ୍ୟମାନେ ଶାସ୍ତ୍ରକୁ ଈଶ୍ୱରଙ୍କ ବାକ୍ୟ ବୋଲି ବିଶ୍ୱାସ କରୁଥିଲେ ଏବଂ ସେ ଅନୁସାରେ ଚାଲିବା ପାଇଁ ଚେଷ୍ଟା କରୁଥିଲେ । (ଯୋହ. ୧୭:୬) କିନ୍ତୁ ଯେବେ ଯୀଶୁଙ୍କୁ ଜଣେ ଅପରାଧୀ ଭଳି କାଠରେ ମାରି ଦିଆଗଲା, ତେବେ ଏପରି କାହିଁକି ହେଲା ସେମାନେ ଏହା ବୁଝିପାରିଲେ ନାହିଁ ଏବଂ ତାଙ୍କ ମନରେ ଅନେକ ପ୍ରଶ୍ନ ଉଠିଲା । କିନ୍ତୁ ଯୀଶୁଙ୍କୁ ଏହି କଥା ଜଣା ଥିଲା ଯେ ସେମାନଙ୍କ ବିଶ୍ୱାସ କମ୍ ହୋଇନି, ବରଂ ସେମାନେ ଈଶ୍ୱରଙ୍କ ବାକ୍ୟକୁ ଠିକ୍ ଭାବରେ ବୁଝି ନାହାନ୍ତି । (ଲୂକ ୯:୪୪, ୪୫; ଯୋହ. ୨୦:୯) ତେଣୁ ଯୀଶୁ ସେମାନଙ୍କୁ ଏବିଷୟରେ ବୁଝିବା ପାଇଁ ସାହାଯ୍ୟ କଲେ । ଆସନ୍ତୁ ସେହି ଘଟଣା ଉପରେ ଧ୍ୟାନ ଦେବା ଯେବେ ଯୀଶୁ ସେହି ଦୁଇଜଣ ଶିଷ୍ୟମାନଙ୍କ ସହ କଥା ହୁଅନ୍ତି ଯେଉଁମାନେ ଇମ୍ମାୟୁ ଯାଉଥିଲେ ।
୧୦. ଯୀଶୁ କିପରି ନିଜ ଶିଷ୍ୟମାନଙ୍କୁ ଭରସା ଦେଲେ ଯେ ସେ ହିଁ ମସୀହ ଅଟନ୍ତି ? (ଲୂକ ୨୪:୧୮-୨୭)
୧୦ ଲୂକ ୨୪:୧୮-୨୭ ପଢ଼ନ୍ତୁ । ଧ୍ୟାନ ଦିଅନ୍ତୁ ଯେ ଯୀଶୁ ତୁରନ୍ତ ସେହି ଦୁଇଜଣ ଶିଷ୍ୟଙ୍କୁ ନିଜ ପରିଚୟ ଦେଲେ ନାହିଁ, ବରଂ ସେମାନଙ୍କୁ କିଛି ପ୍ରଶ୍ନ ପଚାରିଲେ । ସେ ଏପରି କାହିଁକି କଲେ ? କାରଣ ହୁଏତ ସେ ଚାହୁଁଥିଲେ ଯେ ଶିଷ୍ୟମାନେ ଖୋଲିକି ନିଜ ମନ କଥା କହନ୍ତୁ । ସେମାନେ ଯୀଶୁଙ୍କୁ କହନ୍ତି ଯେ ସେମାନେ ଭାବୁଥିଲେ, ଯୀଶୁ ସେମାନଙ୍କୁ ରୋମୀୟ ଶାସନରୁ ମୁକ୍ତ କରିବେ । ଯୀଶୁ ସେମାନଙ୍କ କଥା ଧ୍ୟାନ ଦେଇ ଶୁଣିବା ପରେ ସେମାନଙ୍କୁ ଶାସ୍ତ୍ରରୁ ବୁଝାନ୍ତି ଯେ ଏସବୁ କାହିଁକି ହେଲା ।b ତାʼପରେ ସେହି ଦିନ ସନ୍ଧ୍ୟାରେ ସେ ନିଜ ଅନ୍ୟ ଶିଷ୍ୟମାନଙ୍କୁ ମଧ୍ୟ ଭେଟନ୍ତି ଏବଂ ସେମାନଙ୍କୁ ମଧ୍ୟ ଏହି କଥା ବୁଝାନ୍ତି । (ଲୂକ ୨୪:୩୩-୪୮) ଏହି ଘଟଣାରୁ ଆମେ କʼଣ ଶିଖୁ ?
୧୧-୧୨. (କ) ଯୀଶୁ ଯେଉଁଭଳି ଭାବେ ଲୋକମାନଙ୍କୁ ଶାସ୍ତ୍ରରୁ ଶିଖାଇଲେ, ସେଥିରୁ ଆମେ କʼଣ ଶିଖୁ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।) (ଖ) ନର୍ଟେଙ୍କୁ ଯେଉଁ ଭାଇ ବାଇବଲ ଅଧ୍ୟୟନ କରାଉଥିଲେ ସେ କିପରି ତାଙ୍କୁ ସାହାଯ୍ୟ କଲେ ?
୧୧ ଆମେ ଯୀଶୁଙ୍କ ଭଳି କିପରି ହୋଇପାରିବା ? ନିଜ ବାଇବଲ ବିଦ୍ୟାର୍ଥୀମାନଙ୍କୁ ଶିଖାଇବା ସମୟରେ ଭାବିଚିନ୍ତି ଏପରି ପ୍ରଶ୍ନ ପଚାରନ୍ତୁ, ଯାହାଦ୍ୱାରା ସେମାନେ ନିଜ ମନ କଥା ଖୋଲିକି କହିପାରିବେ । (ହିତୋ. ୨୦:୫) ତାʼପରେ ଏପରି ପଦଗୁଡ଼ିକୁ ଖୋଜିବା ପାଇଁ ସାହାଯ୍ୟ କରନ୍ତୁ ଯାହା ସେମାନଙ୍କ କାମରେ ଆସିବ । କିନ୍ତୁ ସେମାନଙ୍କୁ କʼଣ କରିବା ଉଚିତ୍ ଓ କʼଣ କରିବା ଉଚିତ୍ ନୁହଁ, ଏହା କହନ୍ତୁ ନାହିଁ । ତାʼ ପରିବର୍ତ୍ତେ ସେହି ପଦଗୁଡ଼ିକ ଉପରେ ପ୍ରଶ୍ନ କରନ୍ତୁ । ସେମାନଙ୍କୁ ଏହା ବୁଝିବା ପାଇଁ ସାହାଯ୍ୟ କରନ୍ତୁ ଯେ ସେହି ପଦଗୁଡ଼ିକୁ କିପରି ସେମାନେ ନିଜ ଜୀବନରେ ଲାଗୁ କରିପାରିବେ । ଘାନାରେ ରହୁଥିବା ଭାଇ ନର୍ଟେଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ ।
୧୨ ନର୍ଟେ ୧୬ ବର୍ଷ ବୟସର ଥିବା ବେଳେ ବାଇବଲ ଅଧ୍ୟୟନ ଆରମ୍ଭ କଲେ । କିନ୍ତୁ ତାଙ୍କ ପରିବାର ଲୋକେ ତାଙ୍କୁ ବିରୋଧ କଲେ । କିନ୍ତୁ ସେ ଅଧ୍ୟୟନ କରିବା ଛାଡ଼ିଲେ ନାହିଁ । ସେ ଏପରି କାହିଁକି କରିପାରିଲେ ? କାରଣ ଯେଉଁ ଭାଇ ତାଙ୍କର ଅଧ୍ୟୟନ କରାଉଥିଲେ, ସେ ନର୍ଟେଙ୍କ ସହ ମିଶି ମାଥିଉ ୧୦ ଅଧ୍ୟାୟ ଉପରେ ଚର୍ଚ୍ଚା କରି ତାଙ୍କୁ ବୁଝିବା ପାଇଁ ସାହାଯ୍ୟ କରିଥିଲେ ଯେ ଯେବେ ଜଣେ ବ୍ୟକ୍ତି ଯୀଶୁଙ୍କ ପଛରେ ଚାଲିବାକୁ ଲାଗେ, ତେବେ ତାʼର ବିରୋଧ ହୁଏ । ନର୍ଟେ କହନ୍ତି, “ସେଥିପାଇଁ ମୋର ଯେବେ ବିରୋଧ ହେଲା, ମୁଁ ବୁଝିପାରିଲି ଯେ ମୋତେ ସତ୍ୟ ମିଳି ଯାଇଛି ।” ସେହି ଭାଇ ନର୍ଟେଙ୍କ ସହ ମାଥିଉ ୧୦:୧୬ ଉପରେ ବି ଚର୍ଚ୍ଚା କରିଥିଲେ । ଏଥିରୁ ନର୍ଟେ ବୁଝିପାରିଲେ ଯେ ପରିବାର ଲୋକଙ୍କ ସହ ଧର୍ମ ବିଷୟରେ କଥା ହେବା ସମୟରେ ତାଙ୍କୁ ଭାବିଚିନ୍ତି ଓ ଆଦରର ସହ କଥା ହେବା ଉଚିତ୍ । ବାପ୍ତିସ୍ମ ନେବା ପରେ ସେ ଅଗ୍ରଦୂତ ଭାବେ ସେବା କରିବା ପାଇଁ ଚାହୁଁଥିଲେ । କିନ୍ତୁ ତାଙ୍କ ବାପା ଚାହୁଁଥିଲେ ଯେ ସେ ସ୍କୁଲ ପରେ ବିଶ୍ୱ ବିଦ୍ୟାଳୟରେ ପାଠ ପଢ଼ୁ । ଭାଇ ନର୍ଟେ ତାଙ୍କୁ ଅଧ୍ୟୟନ କରାଉଥିବା ଭାଇଙ୍କୁ ଏବିଷୟରେ କହିଲେ । ସେହି ଭାଇ ଏହା କହିଲେ ନାହିଁ ଯେ ନର୍ଟେଙ୍କୁ କʼଣ କରିବା ଉଚିତ୍ । ଏହା ପରିବର୍ତ୍ତେ ସେ ନର୍ଟେଙ୍କୁ କିଛି ପ୍ରଶ୍ନ ପଚାରିଲେ ଆଉ ବାଇବଲର କିଛି ସିଦ୍ଧାନ୍ତଗୁଡ଼ିକ ଉପରେ ଭାବିବା ପାଇଁ ସାହାଯ୍ୟ କଲେ । ଏହାର ପରିଣାମ କʼଣ ହେଲା ? ନର୍ଟେ ପୂର୍ଣ୍ଣ ସମୟର ସେବା କରିବା ପାଇଁ ନିଷ୍ପତ୍ତି ନେଲେ । ତେଣୁ ତାଙ୍କ ବାପା ତାଙ୍କୁ ଘରରୁ ବାହାର କରିଦେଲେ । କିନ୍ତୁ ନର୍ଟେଙ୍କୁ ନିଜ ନିଷ୍ପତ୍ତି ପାଇଁ କୌଣସି ଅବଶୋଷ ନାହିଁ । ସେ କହନ୍ତି, “ମୋତେ ପୂରା ଭରସା ଅଛି ଯେ ମୁଁ ସଠିକ୍ ନିଷ୍ପତ୍ତି ନେଇଛି ।” ଆମେ ବି ବାଇବଲର ପଦଗୁଡ଼ିକୁ ଗଭୀର ଭାବରେ ବୁଝିବା ପାଇଁ ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବା । ଏପରି କଲେ ସେମାନଙ୍କ ବିଶ୍ୱାସ ଦୃଢ଼ ହେବ ଆଉ ସମସ୍ୟା ସମୟରେ ବି ସେମାନେ ଯିହୋବାଙ୍କ ସେବା କରିବା ଜାରି ରଖିବେ ।—ଏଫି. ୩:୧୬-୧୯.
ଯୀଶୁଙ୍କ ଭଳି ଅନ୍ୟମାନଙ୍କୁ ଈଶ୍ୱରଙ୍କ ବାକ୍ୟ ବୁଝିବା ପାଇଁ ସାହାଯ୍ୟ କରନ୍ତୁ (ପାରାଗ୍ରାଫ ୧୧)e
ଭାଇମାନଙ୍କୁ ଟ୍ରେନିଙ୍ଗ ଦିଅନ୍ତୁ ଯାହାଦ୍ୱାରା ସେମାନେ ‘ମନୁଷ୍ୟମାନଙ୍କ ରୂପରେ ଉପହାର’ ହୋଇପାରିବେ
୧୩. ଯୀଶୁଙ୍କ ସ୍ୱର୍ଗ ଯିବା ପରେ ବି ପ୍ରଚାର କାମ ଜାରି ରଖିବା ପାଇଁ ସେ କʼଣ କଲେ ? (ଏଫିସୀୟ ୪:୮)
୧୩ ଯିହୋବା ପୃଥିବୀରେ ଯୀଶୁଙ୍କୁ ଯେଉଁ କାମ ଦେଇଥିଲେ, ତାହାକୁ ସେ ଭଲଭାବେ ପୂରା କଲେ । (ଯୋହ. ୧୭:୪) କିନ୍ତୁ ସେ କେବେ ବି ଏପରି ଭାବିଲେ ନାହିଁ, ‘କୌଣସି କାମ ଭଲଭାବେ କରିବାକୁ ହେଲେ ନିଜକୁ ହିଁ କରିବାକୁ ହେବ ।’ ଏହା ପରିବର୍ତ୍ତେ ଯୀଶୁ ନିଜ ଶିଷ୍ୟମାନଙ୍କ ଉପରେ ପୂରା ଭରସା କରୁଥିଲେ । ତେଣୁ ନିଜର ସାଢ଼େ ତିନି ବର୍ଷର ସେବା ସମୟରେ ସେ ସେମାନଙ୍କୁ ଟ୍ରେନିଙ୍ଗ ଦେଲେ । ତାʼସହ ସେ ପୃଥିବୀରେ ନିଜ ଶେଷ ୪୦ ଦିନ ମଧ୍ୟରେ ବି ସେମାନଙ୍କୁ ଶିଖାଇଲେ ଓ ଯିହୋବାଙ୍କ ବହୁମୂଲ୍ୟ ମେଷମାନଙ୍କ ଯତ୍ନ ନେବା, ପ୍ରଚାର କରିବା ଏବଂ ଶିଖାଇବା କାମରେ ନେତୃତ୍ୱ ନେବା ପାଇଁ ଦାୟିତ୍ୱ ଦେଲେ । (ଏଫିସୀୟ ୪:୮ ପଢ଼ନ୍ତୁ ।) ଯେବେ ଯୀଶୁ ସେମାନଙ୍କୁ ଏହି ବଡ଼ ଦାୟିତ୍ୱ ଦେଲେ ତେବେ ହୁଏତ କିଛି ଶିଷ୍ୟମାନଙ୍କ ବୟସ ୩୦ ବର୍ଷରୁ ବି କମ୍ ଥିବ । ଏମାନେ ବହୁତ ପରିଶ୍ରମୀ ଥିଲେ ଓ ଯୀଶୁଙ୍କ ବିଶ୍ୱସ୍ତ ବି ଥିଲେ । ତେଣୁ ଯୀଶୁ ସେମାନଙ୍କୁ ଟ୍ରେନିଙ୍ଗ ଦେଲେ ଯାହାଫଳରେ ସେମାନେ ‘ମନୁଷ୍ୟମାନଙ୍କ ରୂପରେ ଉପହାର’ ହୋଇପାରିବେ । ଯୀଶୁ ଏହା କିପରି କଲେ ?
୧୪. ପୃଥିବୀରେ ନିଜ ଶେଷ ୪୦ ଦିନ ମଧ୍ୟରେ ଯୀଶୁ କିପରି ନିଜ ଶିଷ୍ୟମାନଙ୍କୁ ଟ୍ରେନିଙ୍ଗ ଦେଲେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୪ ଯୀଶୁ ନିଜ ଶିଷ୍ୟମାନଙ୍କୁ ସିଧାସଳଖ କିନ୍ତୁ ପ୍ରେମର ସହ ପରାମର୍ଶ ଦେଲେ । ଯେପରି, ଯେବେ ସେ ଦେଖିଲେ ଯେ ତାଙ୍କର କିଛି ଶିଷ୍ୟ ଏହି କଥା ଉପରେ ବିଶ୍ୱାସ କରୁ ନାହାନ୍ତି ଯେ ତାଙ୍କୁ ଜୀବିତ କରାଯାଇଛି, ତେବେ ସେ ସେମାନଙ୍କୁ ପରାମର୍ଶ ଦେଲେ ଏବଂ ସେମାନଙ୍କ ଚିନ୍ତାଧାରା ସୁଧାରିଲେ । (ଲୂକ ୨୪:୨୫-୨୭; ଯୋହ. ୨୦:୨୭) ଯୀଶୁ ସେମାନଙ୍କୁ ଏହା ବି ବୁଝାଇଲେ ଯେ ସେମାନେ ବ୍ୟବସାୟ ବା ଅଧିକ ପଇସା ରୋଜଗାର କରିବା ପଛରେ ଲାଗି ରହନ୍ତୁ ନାହିଁ, ବରଂ ଯିହୋବାଙ୍କ ମେଷମାନଙ୍କ ଯତ୍ନ ନେବାରେ ଅଧିକ ଧ୍ୟାନ ଦିଅନ୍ତୁ । (ଯୋହ. ୨୧:୧୫) ସେ ସେମାନଙ୍କୁ ଏହା ବି ମନେ ପକାଇ ଦେଲେ ଯେ ଅନ୍ୟମାନଙ୍କୁ କʼଣ ଦାୟିତ୍ୱ ମିଳୁଛି ଏବିଷୟରେ ସେମାନଙ୍କୁ ଅଧିକ ଚିନ୍ତା କରିବା ଉଚିତ୍ ନୁହେଁ । (ଯୋହ. ୨୧:୨୦-୨୨) ଏହା ବ୍ୟତୀତ ସେ ଈଶ୍ୱରଙ୍କ ରାଜ୍ୟ ବିଷୟରେ ସେମାନଙ୍କର ଭୁଲ ଚିନ୍ତାଧାରାକୁ ସୁଧାରିଲେ ଓ ସେମାନଙ୍କୁ ପ୍ରୋତ୍ସାହନ ଦେଲେ ଯେ ସେମାନେ ଲୋକମାନଙ୍କୁ ଖୁସିଖବର ଶୁଣାଇବା ଉପରେ ଧ୍ୟାନ ଦିଅନ୍ତୁ । (ପ୍ରେରି. ୧:୬-୮) ପ୍ରାଚୀନମାନେ ଯୀଶୁଙ୍କଠାରୁ କʼଣ ଶିଖିପାରିବେ ?
ଯୀଶୁଙ୍କ ଭଳି ଭାଇମାନଙ୍କୁ ଟ୍ରେନିଙ୍ଗ ଦିଅନ୍ତୁ, ଯାହାଦ୍ୱାରା ସେମାନେ ଆହୁରି ଦାୟିତ୍ୱ ସମ୍ଭାଳିବା ପାଇଁ ଦକ୍ଷ ହୋଇପାରିବେ (ପାରାଗ୍ରାଫ ୧୪)
୧୫-୧୬. (କ) ପ୍ରାଚୀନମାନେ ଯୀଶୁଙ୍କ ଭଳି କʼଣ କରିପାରିବେ ? ବୁଝାନ୍ତୁ । (ଖ) ଯେବେ ଭାଇ ପେଟ୍ରିକ୍ଙ୍କୁ ପରାମର୍ଶ ଦିଆଗଲା, ତେବେ ଏଥିରୁ ତାଙ୍କୁ କʼଣ ଲାଭ ହେଲା ?
୧୫ ପ୍ରାଚୀନମାନେ ଯୀଶୁଙ୍କ ଭଳି କିପରି ହୋଇପାରିବେ ? ସେମାନଙ୍କୁ ମଣ୍ଡଳୀରେ ଥିବା କମ୍ ବୟସର ଭାଇମାନଙ୍କୁ ମଧ୍ୟ ଟ୍ରେନିଙ୍ଗ ଦେବା ଉଚିତ୍, ଯାହାଦ୍ୱାରା ସେମାନେ ଆହୁରି ଦାୟିତ୍ୱ ତୁଲାଇବା ପାଇଁ ଦକ୍ଷ ହୋଇପାରିବେ ।c ସେମାନଙ୍କୁ ଏହା ଆଶା କରିବା ଉଚିତ୍ ନୁହେଁ ଯେ ଭାଇମାନେ ଏକାଥରକେ ସବୁକିଛି ଶିଖି ଯିବେ ଆଉ କୌଣସି ଭୁଲ ମଧ୍ୟ କରିବେ ନାହିଁ । କିନ୍ତୁ ଯେବେ ଜରୁରୀ, ତେବେ ସେମାନଙ୍କୁ ଯୁବା ଭାଇମାନଙ୍କୁ ପ୍ରେମର ସହ ପରାମର୍ଶ ଦେବା ଉଚିତ୍, ଯାହାଦ୍ୱାରା ସେମାନେ ନମ୍ର ହେବା, ଭରସାଯୋଗ୍ୟ ହେବା ଏବଂ ଖୁସିର ସହ ଅନ୍ୟମାନଙ୍କ ସେବା କରିବା ଶିଖିପାରିବେ ।—୧ ତୀମ. ୩:୧; ୨ ତୀମ. ୨:୨; ୧ ପିତ. ୫:୫.
୧୬ ଧ୍ୟାନ ଦିଅନ୍ତୁ, ଯେବେ ଭାଇ ପେଟ୍ରିକ୍ଙ୍କୁ ପରାମର୍ଶ ଦିଆଗଲା ତେବେ ଏଥିରୁ ତାଙ୍କୁ କʼଣ ଲାଭ ହେଲା । ସେ ଅନ୍ୟମାନଙ୍କ ସହିତ ଭଲଭାବେ କଥା ହେଉ ନ ଥିଲେ ଓ ଭଲଭାବେ ବ୍ୟବହାର ବି କରୁ ନ ଥିଲେ, ଏପରିକି ଭଉଣୀମାନଙ୍କ ସହିତ ମଧ୍ୟ । ଜଣେ ପ୍ରାଚୀନ ଦେଖିଲେ ଯେ ଭାଇ ପେଟ୍ରିକ୍ଙ୍କଠାରେ କିଛି ଦୁର୍ବଳତା ଅଛି । ତେଣୁ ସେ ତାଙ୍କୁ ପ୍ରେମର ସହ କିନ୍ତୁ ସିଧାସଳଖ ପରାମର୍ଶ ଦେଲେ । ଭାଇ ପେଟ୍ରିକ୍ କହନ୍ତି, “ମୁଁ ବହୁତ ଖୁସି ଯେ ଭାଇ ମୋତେ ସୁଧାର କରିବା ପାଇଁ କହିଲେ । ମୁଁ ମଣ୍ଡଳୀରେ ଦାୟିତ୍ୱ ପାଇବା ପାଇଁ ଚାହୁଁଥିଲି । କିନ୍ତୁ ଯେବେ ମୁଁ ଦେଖୁଥିଲି ଯେ ମୁଁ ଯେଉଁ ଦାୟିତ୍ୱ ପାଇବା ପାଇଁ ଚାହେଁ ତାହା ଅନ୍ୟମାନଙ୍କୁ ମିଳୁଛି, ତେବେ ମୋତେ ବହୁତ ଖରାପ ଲାଗୁଥିଲା । କିନ୍ତୁ ଭାଇଙ୍କ ପରାମର୍ଶ ମାନିବା ଯୋଗୁଁ ମୋତେ ବହୁତ ଲାଭ ହେଲା । ମୁଁ ବୁଝିପାରିଲି ଯେ ମଣ୍ଡଳୀରେ କୌଣସି ଦାୟିତ୍ୱ ପାଇବା ପଛରେ ନ ପଡ଼ି ନମ୍ର ହୋଇ ଭାଇଭଉଣୀମାନଙ୍କୁ ସାହାଯ୍ୟ କରିବା ଓ ପ୍ରେମର ସହ ବ୍ୟବହାର କରିବା ଉଚିତ୍ ।” ଆଉ ଏହାର ବହୁତ ଭଲ ପରିଣାମ ହେଲା, ଭାଇ ପେଟ୍ରିକ୍ଙ୍କୁ ୨୩ ବର୍ଷ ବୟସରେ ପ୍ରାଚୀନ ଭାବେ ନିଯୁକ୍ତ କରାଗଲା ।—ହିତୋ. ୨୭:୯.
୧୭. ଯୀଶୁ କିପରି ଦେଖାଇଲେ ଯେ ତାଙ୍କୁ ନିଜ ଶିଷ୍ୟମାନଙ୍କ ଉପରେ ପୂରା ଭରସା ଅଛି ?
୧୭ ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ କେବଳ ପ୍ରଚାର କରିବା ପାଇଁ କହିଲେ ନାହିଁ, ବରଂ ସେମାନଙ୍କୁ ଲୋକମାନଙ୍କୁ ଶିଖାଇବାର ଦାୟିତ୍ୱ ମଧ୍ୟ ଦେଲେ । (ମାଥି. ୨୮:୨୦) ଶିଷ୍ୟମାନେ ହୁଏତ ଭାବିଥିବେ ଯେ ତାଙ୍କ ଦ୍ୱାରା ଏହା ହୋଇପାରିବ ନାହିଁ । କିନ୍ତୁ ଯୀଶୁଙ୍କୁ ପୂରା ଭରସା ଥିଲା ଯେ ସେମାନେ ଏହି ଦାୟିତ୍ୱ ଭଲଭାବେ ତୁଲାଇପାରିବେ । ସେଥିପାଇଁ ସେ ସେମାନଙ୍କୁ କହିଲେ, ‘ପିତା ଯେପ୍ରକାରେ ମୋତେ ପ୍ରେରଣ କରୁଅଛନ୍ତି, ମୁଁ ମଧ୍ୟ ସେପ୍ରକାରେ ତୁମ୍ଭମାନଙ୍କୁ ପ୍ରେରଣ କରୁଅଛି ।’—ଯୋହ. ୨୦:୨୧.
୧୮. ଯୀଶୁଙ୍କ ଭଳି ପ୍ରାଚୀନମାନେ କʼଣ କରିପାରିବେ ?
୧୮ ପ୍ରାଚୀନମାନେ ଯୀଶୁଙ୍କ ଭଳି କିପରି ହୋଇପାରିବେ ? ଅନୁଭବୀ ପ୍ରାଚୀନମାନେ ଅନ୍ୟମାନଙ୍କୁ ଦାୟିତ୍ୱ ଦିଅନ୍ତି । (ଫିଲିପ୍. ୨:୧୯-୨୨) ଯେପରି ସେମାନେ ଯୁବା ଭାଇମାନଙ୍କ ସହ ମିଶି ରାଜ୍ୟଘରର ସଫାସୁତୁରା ଏବଂ ତାʼର ଦେଖାରେଖା କାମ କରନ୍ତି । ଯେବେ ପ୍ରାଚୀନମାନେ ସେହି ଭାଇମାନଙ୍କୁ କୌଣସି କାମ ଦିଅନ୍ତି, ତେବେ ସେମାନଙ୍କୁ ଟ୍ରେନିଙ୍ଗ ମଧ୍ୟ ଦିଅନ୍ତି । ଆଉ ଏହା ଭରସା ଦିଅନ୍ତି ଯେ ସେମାନେ ଏହି କାମ ଭଲଭାବେ ପୂରା କରିବେ । ଭାଇ ମ୍ୟାଥ୍ୟୁଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ତାଙ୍କୁ କିଛି ସମୟ ପୂର୍ବେ ପ୍ରାଚୀନ ଭାବେ ନିଯୁକ୍ତ କରାଯାଇଛି । ସେ କହନ୍ତି ଯେ ସେ ସେହି ଅନୁଭବୀ ପ୍ରାଚୀନମାନଙ୍କର ବହୁତ କୃତଜ୍ଞ ଯେଉଁମାନେ ତାଙ୍କୁ ଦାୟିତ୍ୱ ଦେବା ସହିତ ଟ୍ରେନିଙ୍ଗ ମଧ୍ୟ ଦେଲେ ଏବଂ ତାଙ୍କୁ ଭରସା ଦେଲେ ଯେ ସେ ସେହି କାମ ଭଲଭାବେ ପୂରା କରିବେ । ଭାଇ ମ୍ୟାଥ୍ୟୁ କହନ୍ତି, “ମୋ ଦ୍ୱାରା ଅନେକ ଭୁଲ ହେଲା, କିନ୍ତୁ ପ୍ରାଚୀନମାନେ ସବୁବେଳେ ମୋର ସାହାଯ୍ୟ କଲେ । ଆଉ ଏହି କାରଣ ଯୋଗୁଁ ମୁଁ ନିଜ ଭୁଲଗୁଡ଼ିକରୁ ଶିଖିଲି ଏବଂ ନିଜ ଦାୟିତ୍ୱ ଭଲଭାବେ ପୂରା କରିପାରିଲି ।”d
୧୯. ଆମକୁ କʼଣ ଦୃଢ଼ ନିଷ୍ପତ୍ତି ନେବା ଉଚିତ୍ ?
୧୯ ପୃଥିବୀରେ ନିଜ ଶେଷ ୪୦ ଦିନ ମଧ୍ୟରେ ଯୀଶୁ ନିଜ ଶିଷ୍ୟମାନଙ୍କ ସାହସ ବଢ଼ାଇଲେ, ସେମାନଙ୍କୁ ଶିଖାଇଲେ ଏବଂ ଟ୍ରେନିଙ୍ଗ ଦେଲେ । ଆସନ୍ତୁ ଆମେ ବି ଯୀଶୁଙ୍କ ଭଳି ହେବା ଏବଂ ତାଙ୍କୁ ଅନୁକରଣ କରିବା ପାଇଁ ଦୃଢ଼ ନିଷ୍ପତ୍ତି ନେବା । (୧ ପିତ. ୨:୨୧) ଆଉ ଏପରି କରିବା ପାଇଁ ସେ ଆମର ସାହାଯ୍ୟ କରିବେ । କାରଣ ସେ ପ୍ରତିଜ୍ଞା କରିଛନ୍ତି, “ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି ।”—ମାଥି. ୨୮:୨୦.
ଗୀତ ୧୫ ୟହୋୱା କେ ପେହ୍ଲୌଠେ କି ତାରିଫ୍ କରେଁ !
a ସୁସମାଚାର ବହି ଓ ବାଇବଲର ଅନ୍ୟ ବହିଗୁଡ଼ିକରେ କୁହାଯାଇଛି ଯେ ଜୀବିତ ହେବା ପରେ ଯୀଶୁ କେଉଁ ଲୋକମାନଙ୍କ ଆଗରେ ପ୍ରକଟ ହେଲେ । ସେମାନେ ହେଉଛନ୍ତି: ମଗ୍ଦଲୀନୀ ମରୀୟମ (ଯୋହ. ୨୦:୧୧-୧୮); ଅନ୍ୟ କିଛି ସ୍ତ୍ରୀମାନେ (ମାଥି. ୨୮:୮-୧୦; ଲୂକ ୨୪:୮-୧୧); ୨ ଜଣ ଶିଷ୍ୟ (ଲୂକ ୨୪:୧୩-୧୫); ପିତର (ଲୂକ ୨୪:୩୪); ପ୍ରେରିତମାନଙ୍କ ଆଗରେ, ଯେବେ ଥୋମା ନ ଥିଲେ (ଯୋହ. ୨୦:୧୯-୨୪); ପ୍ରେରିତମାନଙ୍କ ଆଗରେ, ଯେବେ ଥୋମା ଥିଲେ (ଯୋହ. ୨୦:୨୬); ୭ ଜଣ ଶିଷ୍ୟ (ଯୋହ. ୨୧:୧, ୨); ୫୦୦ରୁ ବି ଅଧିକ ଶିଷ୍ୟ (ମାଥି. ୨୮:୧୬; ୧ କରି. ୧୫:୬); ନିଜ ଭାଇ ଯାକୁବଙ୍କ ଆଗରେ (୧ କରି. ୧୫:୭); ସମସ୍ତ ପ୍ରେରିତମାନଙ୍କ ଆଗରେ (ପ୍ରେରି. ୧:୪); ଏବଂ ବେଥନୀଆରେ ପ୍ରେରିତମାନଙ୍କ ଆଗରେ । (ଲୂକ ୨୪:୫୦-୫୨) ହୁଏତ, ଯୀଶୁ ଅନ୍ୟ ସମୟରେ ମଧ୍ୟ ନିଜ ଶିଷ୍ୟମାନଙ୍କୁ ଭେଟି ଥିବେ ଯାହା ବିଷୟରେ ବାଇବଲରେ କୁହାଯାଇ ନାହିଁ ।—ଯୋହ. ୨୧:୨୫.
b ମସୀହଙ୍କ ବିଷୟରେ ଦିଆଯାଇଥିବା ଭବିଷ୍ୟତବାଣୀଗୁଡ଼ିକ ବିଷୟରେ ଜାଣିବା ପାଇଁ jw.org ୱେବସାଇଟ୍ରେ ଦିଆଯାଇଥିବା ଏହି ଲେଖା ପଢ଼ନ୍ତୁ, “କ୍ୟା ମସୀହା ସେ ଜୁଡ଼ି ଭବିଷ୍ୟବାଣୀଓ ସେ ସାବିତ୍ ହୋତା ହେ କି ୟୀଶୁ ହି ମସୀହା ଥା ?”
c କିଛି ଦକ୍ଷ ଭାଇମାନଙ୍କୁ ୨୫-୩୦ ବର୍ଷ ବୟସରେ ବି ସର୍କିଟ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇପାରିବ । କିନ୍ତୁ ତାʼ ପୂର୍ବରୁ ସେମାନଙ୍କୁ କିଛି ସମୟ ପାଇଁ ପ୍ରାଚୀନ ଭାବେ ସେବା କରିବାର ଅନୁଭୂତି ହେବା ଦରକାର ।
d ଆମେ କିପରି ଯୁବା ଭାଇମାନଙ୍କ ସାହାଯ୍ୟ କରିପାରିବା, ଯାହାଦ୍ୱାରା ସେମାନେ ଦାୟିତ୍ୱଗୁଡ଼ିକୁ ତୁଲାଇବା ପାଇଁ ଦକ୍ଷ ହୋଇପାରିବେ ? ଏବିଷୟରେ କିଛି ପରାମର୍ଶ ଜାଣିବା ପାଇଁ ଅଗଷ୍ଟ ୨୦୧୮ ମସିହାର ପ୍ରହରୀଦୁର୍ଗ, ପୃଷ୍ଠା ୧୧-୧୨, ପାରା ୧୫-୧୭ ଏବଂ ୧୫ ଏପ୍ରିଲ୍, ୨୦୧୫ ସଂଖ୍ୟାର ପୃଷ୍ଠା ୩-୧୩ ପଢ଼ନ୍ତୁ ।
e ଚିତ୍ର ବିଷୟରେ: ଜଣେ ବାଇବଲ ଶିକ୍ଷକ ନିଜ ବିଦ୍ୟାର୍ଥୀକୁ ଈଶ୍ୱରଙ୍କ ବାକ୍ୟକୁ ବୁଝିବା ପାଇଁ ସାହାଯ୍ୟ କଲେ । ଏବେ ସେହି ବିଦ୍ୟାର୍ଥୀ କ୍ରିସ୍ମାସରେ ସଜାଯାଉଥିବା ଜିନିଷଗୁଡ଼ିକୁ ଫିଙ୍ଗୁଛନ୍ତି ।