ଅଧ୍ୟୟନ ଲେଖା ୨୧
ଗୀତ ୨୧ ପ୍ରଭୁଙ୍କ ରାଜ୍ୟକୁ ପ୍ରାଥମିକତା
ସେହି ନଗରର ଅପେକ୍ଷା କରନ୍ତୁ, ଯାହା ସବୁଦିନ ଯାଏ ରହିବ
“ଆମ୍ଭେମାନେ ଆଗାମୀ ନଗରର ଅନ୍ୱଷେଣ କରୁଅଛୁ ।”—ଏବ୍ରୀ ୧୩:୧୪.
କʼଣ ଶିଖିବା ?
ଏବ୍ରୀ ୧୩ ଅଧ୍ୟାୟରେ ଲେଖାଥିବା କଥାଗୁଡ଼ିକୁ ମାନିଲେ ଆମକୁ କିପରି ଆଜି ଓ ଆଗାମୀ ସମୟରେ ଲାଭ ହୋଇପାରିବ ?
୧. ଯୀଶୁ ଯିରୂଶାଲମ ନଗର ବିଷୟରେ କʼଣ ଭବିଷ୍ୟତବାଣୀ କରିଥିଲେ ?
ନିଜ ମୃତ୍ୟୁର କିଛି ଦିନ ପୂର୍ବେ ଯୀଶୁ ଯିରୂଶାଲମ ନଗର ଓ ତାହାର ମନ୍ଦିର ବିଷୟରେ ଗୋଟିଏ ଭବିଷ୍ୟତବାଣୀ କରିଥିଲେ । ସେ ନିଜର ଶିଷ୍ୟମାନଙ୍କୁ କହିଥିଲେ, ‘ଯିରୂଶାଲମ ସୈନ୍ୟସାମନ୍ତଙ୍କ ଦ୍ୱାରା ପରିବେଷ୍ଟିତ’ ହେବ । (ଲୂକ ୨୧:୨୦) ପ୍ରଥମ ଶତାବ୍ଦୀରେ ଯେବେ ରୋମୀୟ ସେନା ଆସି ଯିରୂଶାଲମକୁ ଘେରି ନେଲା, ସେସମୟରେ ଏହି ଭବିଷ୍ୟତବାଣୀ ପୂରା ହେଲା । ଯୀଶୁ ପୂର୍ବରୁ ହିଁ ନିଜ ଶିଷ୍ୟମାନଙ୍କୁ କହିଥିଲେ ଯେ ଯେବେ ସେମାନେ ଯିରୂଶାଲମ ନଗରକୁ ସୈନ୍ୟସାମନ୍ତଙ୍କ ଦ୍ୱାରା ପରିବେଷ୍ଟିତ ଦେଖନ୍ତି, ତେବେ ସେମାନେ ତୁରନ୍ତ ସେହି ଅଞ୍ଚଳରୁ ପଳାଇ ଯାଆନ୍ତୁ ।—ଲୂକ ୨୧:୨୧, ୨୨.
୨. ପାଉଲ ଯିହୁଦା ଓ ଯିରୂଶାଲମର ଖ୍ରୀଷ୍ଟିୟାନମାନଙ୍କୁ କʼଣ ପରାମର୍ଶ ଦେଲେ ?
୨ ରୋମୀୟ ସେନା ଆସିବାର କିଛି ବର୍ଷ ପୂର୍ବେ ପ୍ରେରିତ ପାଉଲ ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କୁ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଚିଠି ଲେଖିଲେ । ସେହି ଚିଠିକୁ ଆମେ ଏବ୍ରୀ ବହି ନାମରେ ଜାଣୁ । ପାଉଲ ସେହି ଚିଠିରେ ଯିହୁଦା ଏବଂ ଯିରୂଶାଲମର ଖ୍ରୀଷ୍ଟିୟାନମାନଙ୍କୁ ଜରୁରୀ ପରାମର୍ଶ ଦେଲେ । ସେହି ପରାମର୍ଶ ଦ୍ୱାରା ସେମାନେ ଆଗକୁ ଯେଉଁ ସମସ୍ୟା ଆସନ୍ତା ତାʼପାଇଁ ନିଜକୁ ପ୍ରସ୍ତୁତ କରିପାରିଥାʼନ୍ତେ । ଆଗକୁ କʼଣ ହୁଅନ୍ତା ? ଯିରୂଶାଲମ ନଗରର ବିନାଶ ପାଖେଇ ଆସିଥିଲା । ପାଉଲ ଲେଖିଲେ, “ଏଠାରେ ଆମ୍ଭମାନଙ୍କର ଚିରସ୍ଥାୟୀ ନଗର ନାହିଁ, କିନ୍ତୁ ଆମ୍ଭେମାନେ ଆଗାମୀ ନଗରର ଅନ୍ୱଷେଣ କରୁଅଛୁ ।” (ଏବ୍ରୀ ୧୩:୧୪) ସେହି ଖ୍ରୀଷ୍ଟିୟାନମାନଙ୍କୁ ନିଜର ଜୀବନ ରକ୍ଷା କରିବା ପାଇଁ ନିଜର ଘର ଓ ବ୍ୟବସାୟ ଛାଡ଼ିବା ପାଇଁ ପ୍ରସ୍ତୁତ ରହିବାର ଥିଲା ।
୩. ସେହି “ନଗର” କʼଣ ଯାହା “ଆଗାମୀ” ସମୟରେ ଆସିବ ଏବଂ ଆମେ କାହିଁକି ସେହି ନଗରର ଅପେକ୍ଷା କରୁଛୁ ?
୩ ଯିହୁଦା ଓ ଯିରୂଶାଲମର ଖ୍ରୀଷ୍ଟିୟାନମାନେ ନିଷ୍ପତ୍ତି ନେଲେ ଯେ ସେମାନେ ସବୁକିଛି ଛାଡ଼ି ପଳାଇଯିବେ । ଏହି ନିଷ୍ପତ୍ତି ଯୋଗୁଁ ହୁଏତ ଲୋକମାନେ ସେମାନଙ୍କୁ ଓଲଟା ସିଧା କଥା କହିଥିବେ ଓ ସେମାନଙ୍କର ଥଟ୍ଟା କରିଥିବେ । କିନ୍ତୁ ସେମାନଙ୍କର ଏହି ନିଷ୍ପତ୍ତି ଯୋଗୁଁ ସେମାନଙ୍କର ଜୀବନ ରକ୍ଷା ହେଲା । ଆଜି ଲୋକମାନେ ଆମର ବି ଥଟ୍ଟା କରନ୍ତି, କାରଣ ଆମେ ଆରାମଦାୟକ ଜୀବନ ପଛରେ ଗୋଡ଼ାଇ ନ ଥାଉ ଓ ଆମେ ଏହି କଥା ଉପରେ ବିଶ୍ୱାସ କରି ନ ଥାଉ ଯେ ଲୋକମାନେ ଆମ ସମସ୍ୟାଗୁଡ଼ିକୁ ଦୂର କରିବେ । ଆମେ ଜାଣିଛୁ ଯେ ଏହି ଦୁନିଆର ବିନାଶ ପାଖେଇ ଆସିଛି । ସେଥିପାଇଁ ଆମେ ସେହି ‘ନଗରର’ ଅପେକ୍ଷା କରୁଛୁ, ଯାହା “ଭିତ୍ତିମୂଳବିଶିଷ୍ଟ,” ଅର୍ଥାତ୍ ଈଶ୍ୱରଙ୍କର ରାଜ୍ୟ ଯାହା “ଆଗାମୀ” ଭବିଷ୍ୟତରେ ଆସିବ । ଏହି ରାଜ୍ୟ ଜରିଆରେ ମଣିଷମାନଙ୍କର ସବୁ ସମସ୍ୟା ଦୂର ହୋଇଯିବ । (ଏବ୍ରୀ ୧୧:୧୦; ମାଥି. ୬:୩୩) ଏହି ଲେଖାର ପ୍ରତ୍ୟେକ ଉପଶୀର୍ଷକରେ ଆମେ ତିନୋଟି ପ୍ରଶ୍ନର ଉତ୍ତର ଜାଣିବା: (୧) ଈଶ୍ୱରଙ୍କ ପ୍ରେରଣାରୁ ପାଉଲ ଖ୍ରୀଷ୍ଟିୟାନମାନଙ୍କୁ ଯେଉଁ ପରାମର୍ଶ ଦେଲେ, ସେହି ପରାମର୍ଶରୁ ସେମାନେ କିପରି ଆଗାମୀ ନଗରର ଅପେକ୍ଷା କରିପାରିଲେ ? (୨) ପାଉଲ କିପରି ସେମାନଙ୍କୁ ସେହି ଘଟଣା ପାଇଁ ପ୍ରସ୍ତୁତ କଲେ, ଯାହା ଆଗାମୀ ସମୟରେ ଘଟନ୍ତା ? ଏବଂ (୩) ସେହି ପରାମର୍ଶରୁ ଆଜି ଆମକୁ କିପରି ଲାଭ ହୋଇପାରିବ ?
ଭରସା ରଖନ୍ତୁ ଯେ ଯିହୋବା ଆପଣଙ୍କୁ କେବେ ଛାଡ଼ିବେ ନାହିଁ !
୪. ଯିରୂଶାଲମ ନଗର ଖ୍ରୀଷ୍ଟିୟାନମାନଙ୍କ ପାଇଁ କାହିଁକି ବହୁତ ମହତ୍ତ୍ୱ ରଖୁଥିଲା ?
୪ ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କ ପାଇଁ ଯିରୂଶାଲମ ନଗର ବହୁତ ମହତ୍ତ୍ୱ ରଖୁଥିଲା । କାରଣ ୩୩ ଖ୍ରୀଷ୍ଟାବ୍ଦରେ ସେଠାରେ ଖ୍ରୀଷ୍ଟିୟାନ ମଣ୍ଡଳୀର ଆରମ୍ଭ ହୋଇଥିଲା ଏବଂ ପ୍ରଶାସନ ଦଳ ମଧ୍ୟ ସେହି ନଗରରେ ହିଁ ରହୁଥିଲା । ତାʼସହ ସେଠାରେ ଅନେକ ଖ୍ରୀଷ୍ଟିୟାନମାନଙ୍କର ନିଜର ଘର ଥିଲା ଏବଂ ସେଠାରେ ସେମାନେ ନିଜ ପାଇଁ ଅନେକ ଜିନିଷ ଏକାଠି କରି ରଖିଥିଲେ । କିନ୍ତୁ ଯୀଶୁ ନିଜର ଶିଷ୍ୟମାନଙ୍କୁ ପୂର୍ବରୁ କହିଥିଲେ ଯେ ସେମାନଙ୍କୁ କେବଳ ଯିରୂଶାଲମ ନୁହଁ, ବରଂ ପୂରା ଯିହୁଦା ଅଞ୍ଚଳ ଛାଡ଼ି ପଳାଇବାକୁ ପଡ଼ିବ ।—ମାଥି. ୨୪:୧୬.
୫. ପାଉଲ ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କୁ ଆଗାମୀ ସମୟ ପାଇଁ କିପରି ପ୍ରସ୍ତୁତ କଲେ ?
୫ ପାଉଲ ଖ୍ରୀଷ୍ଟିୟାନମାନଙ୍କୁ ପୂର୍ବରୁ ପ୍ରସ୍ତୁତି କରାଇବାକୁ ଚାହୁଁଥିଲେ । କାରଣ ସେ ଚାହୁଁଥିଲେ ଯେ ସେମାନେ ଠିକ୍ ସମୟରେ ଯିରୂଶାଲମ ଛାଡ଼ି ପଳାଇବା ପାଇଁ ପ୍ରସ୍ତୁତ ରହନ୍ତୁ । ସେଥିପାଇଁ ସେ ସେମାନଙ୍କୁ ବୁଝାଇଲେ ଯେ ଯିରୂଶାଲମ ନଗର ପ୍ରତି ଯିହୋବାଙ୍କ କʼଣ ଦୃଷ୍ଟିକୋଣ ରହିଛି । ସେ ଖ୍ରୀଷ୍ଟିୟାନମାନଙ୍କୁ କହିଲେ ଯେ ଯିରୂଶାଲମ ମନ୍ଦିର ଏବଂ ସେଠାରେ ଯେଉଁ ବଳିଦାନ ଚଢ଼ାଯାଏ, ତାହା ଏବେ ଯିହୋବାଙ୍କ ଦୃଷ୍ଟିରେ ପବିତ୍ର ନୁହେଁ । ଆଉ ସେଠାରେ ସେବା କରୁଥିବା ଯାଜକମାନଙ୍କ ଉପରେ ବି ଯିହୋବାଙ୍କର ମଞ୍ଜୁରି ନାହିଁ । (ଏବ୍ରୀ ୮:୧୩) ତାʼ ସହିତ ସେହି ନଗରର ଅଧିକାଂଶ ଲୋକ ଖ୍ରୀଷ୍ଟଙ୍କୁ ଅସ୍ୱୀକାର କରିଦେଇଥିଲେ । ସେଥିପାଇଁ ଏବେ ଯିରୂଶାଲମ ମନ୍ଦିର ଯିହୋବାଙ୍କର ଉପାସନା ପାଇଁ ବିଶେଷ ସ୍ଥାନ ନ ଥିଲା ଏବଂ ଖୁବ୍ ଶୀଘ୍ର ଏହି ନଗରର ବିନାଶ ହେବାର ଥିଲା ।—ଲୂକ ୧୩:୩୪, ୩୫.
୬. ଏବ୍ରୀ ୧୩:୫, ୬ ପଦରେ ପାଉଲଙ୍କର ଯେଉଁ ପରାମର୍ଶ ବିଷୟରେ କୁହାଯାଇଛି, ତାହା ସେହି ସମୟର ଖ୍ରୀଷ୍ଟିୟାନମାନଙ୍କ ପାଇଁ କାହିଁକି ଜରୁରୀ ଥିଲା ?
୬ ଯେବେ ପାଉଲ ଏବ୍ରୀ ଖ୍ରୀଷ୍ଟିୟାନମାନଙ୍କୁ ଚିଠି ଲେଖିଲେ, ସେସମୟରେ ଯିରୂଶାଲମ ଗୋଟିଏ ସମୃଦ୍ଧ ନଗର ଥିଲା । ସେହି ସମୟର ଜଣେ ରୋମୀ ଲେଖକ କହିଲେ, “ଯିରୂଶାଲମ ପୂର୍ବ ଦିଗରେ ଥିବା ଦେଶଗୁଡ଼ିକରୁ ଅଧିକ ଜଣାଶୁଣା ନଗର ଥିଲା ।” ଭିନ୍ନ ଭିନ୍ନ ଦେଶରେ ରହୁଥିବା ଯିହୁଦୀମାନେ ବର୍ଷରେ ତିନିଥର ଯିରୂଶାଲମ ନଗରକୁ ପର୍ବ ପାଳନ କରିବା ପାଇଁ ଆସୁଥିଲେ ଓ ସେହି ନଗରରେ ବହୁତ ପଇସା ଖର୍ଚ୍ଚ କରୁଥିଲେ । ଏହି କାରଣ ଯୋଗୁଁ ହୁଏତ ସେଠାର କିଛି ଖ୍ରୀଷ୍ଟିୟାନମାନେ ବହୁତ ମାତ୍ରାରେ ପଇସା ରୋଜଗାର କରୁଥିଲେ । ଆଉ ହୁଏତ ଏହି କାରଣ ଯୋଗୁଁ ପାଉଲ ସେଠାର ଖ୍ରୀଷ୍ଟିୟାନମାନଙ୍କୁ କହିଲେ, “ଆଚାରବ୍ୟବହାରରେ ଧନଲୋଭଶୂନ୍ୟ ହୁଅ, ତୁମ୍ଭମାନଙ୍କର ଯାହା କିଛି ଅଛି, ସେଥିରେ ସନ୍ତୁଷ୍ଟ ଥାଅ ।” ଏହି କଥା କହିବା ପରେ ସେ ସେମାନଙ୍କୁ ଯିହୋବାଙ୍କର ଏହି ପ୍ରତିଜ୍ଞା ମନେ ପକାଇ ଦେଲେ, “ଆମ୍ଭେ ତୁମ୍ଭକୁ କେବେ ହେଁ ଛାଡ଼ିବା ନାହିଁ, ଆମ୍ଭେ ତୁମ୍ଭକୁ କେବେ ହେଁ ପରିତ୍ୟାଗ କରିବା ନାହିଁ ।” (ଏବ୍ରୀ ୧୩:୫, ୬ ପଢ଼ନ୍ତୁ; ଦ୍ୱିବି. ୩୧:୬; ଗୀତ. ୧୧୮:୬) ଯିରୂଶାଲମ ଓ ଯିହୁଦାରେ ରହୁଥିବା ଖ୍ରୀଷ୍ଟିୟାନମାନଙ୍କୁ ଏହି କଥା ମନେ ପକାଇ ଦେବା ବହୁତ ଜରୁରୀ ଥିଲା । କାରଣ ସେମାନଙ୍କୁ ଏହି ଚିଠି ମିଳିବାର କିଛି ସମୟ ପରେ ନିଜର ଘର, ବ୍ୟବସାୟ ଓ ନିଜର ଜିନିଷଗୁଡ଼ିକୁ ଛାଡ଼ି ପଳାଇବାକୁ ପଡ଼ିଲା ଏବଂ ନୂଆ ଜାଗାରେ ଯାଇ ନୂଆ ଜୀବନ ଆରମ୍ଭ କରିବାକୁ ପଡ଼ିଲା ।
୭. ଆମକୁ କାହିଁକି ବର୍ତ୍ତମାନଠାରୁ ହିଁ ଯିହୋବାଙ୍କ ଉପରେ ଭରସା ବଢ଼ାଇବାକୁ ପଡ଼ିବ ?
୭ ଶିକ୍ଷା: ଖୁବ୍ ଶୀଘ୍ର ‘ମହାକ୍ଳେଶ’ ଆରମ୍ଭ ହେବାକୁ ଯାଉଛି ଓ ଏହି ଦୁଷ୍ଟ ଦୁନିଆର ବିନାଶ ହୋଇଯିବ । (ମାଥି. ୨୪:୨୧) ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କ ଭଳି ଆମକୁ ବି ଜାଗ୍ରତ ରହିବାକୁ ପଡ଼ିବ ଓ ପ୍ରସ୍ତୁତ ରହିବାକୁ ପଡ଼ିବ । (ଲୂକ ୨୧:୩୪-୩୬) ହୋଇପାରେ ମହାକ୍ଳେଶ ସମୟରେ ଆମକୁ ନିଜର କିଛି ଜିନିଷ କିମ୍ବା ସବୁକିଛି ଛାଡ଼ିବାକୁ ପଡ଼ିପାରେ । ସେସମୟରେ ଆମକୁ ଯିହୋବାଙ୍କ ଉପରେ ଭରସା ରଖିବାକୁ ପଡ଼ିବ ଯେ ସେ ଆମକୁ ଛାଡ଼ିବେ ନାହିଁ । କିନ୍ତୁ ମହାକ୍ଳେଶ ଆରମ୍ଭ ହେବା ପୂର୍ବରୁ ହିଁ ଅର୍ଥାତ୍ ବର୍ତ୍ତମାନଠାରୁ ହିଁ ଆମକୁ ଯିହୋବାଙ୍କ ଉପରେ ଭରସା ରଖିବାକୁ ପଡ଼ିବ । ସେଥିପାଇଁ ନିଜକୁ ପଚାରନ୍ତୁ, ‘ମୋ କାମରୁ ଓ ମୁଁ ଭବିଷ୍ୟତ ପାଇଁ ଯାହା ଭାବିକି ରଖିଛି, ସେଥିରୁ କʼଣ ଜଣାପଡ଼େ ? କʼଣ ମୁଁ ଧନ-ସମ୍ପତ୍ତି ଉପରେ ଭରସା କରେ ନା ସେହି ଈଶ୍ୱରଙ୍କ ଉପରେ ଯିଏ ପ୍ରତିଜ୍ଞା କରିଛନ୍ତି ଯେ ସେ ଆମକୁ କେବେ ବି ଛାଡ଼ିବେ ନାହିଁ ?’ (୧ ତୀମ. ୬:୧୭) ଏଥିରେ କୌଣସି ସନ୍ଦେହ ନାହିଁ ଯେ ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କ ଉଦାହରଣ ଉପରେ ଧ୍ୟାନ ଦେଲେ ଆମେ “ମହାକ୍ଳେଶ” ସମୟରେ ବିଶ୍ୱସ୍ତ ରହିପାରିବା । କିନ୍ତୁ ମହାକ୍ଳେଶର ସମୟ ଏତେ କଠିନ ହେବ ଯାହାର ସାମନା ଖ୍ରୀଷ୍ଟିୟାନମାନେ କେବେ କରି ନାହାନ୍ତି । ସେସମୟରେ ଆମେ କିପରି ଜାଣିବା ଯେ ଆମକୁ କʼଣ କରିବାକୁ ପଡ଼ିବ ?
ନେତୃତ୍ୱ ନେଉଥିବା ଭାଇମାନଙ୍କର ଆଜ୍ଞା ମାନନ୍ତୁ
୮. ଯୀଶୁ ନିଜର ଶିଷ୍ୟମାନଙ୍କୁ କʼଣ ପରାମର୍ଶ ଦେଇଥିଲେ ?
୮ ଏବ୍ରୀ ଖ୍ରୀଷ୍ଟିୟାନମାନଙ୍କୁ ପାଉଲଙ୍କର ଚିଠି ମିଳିବାର କିଛି ବର୍ଷ ପରେ ରୋମୀୟ ସେନା ଆସି ଯିରୂଶାଲମ ନଗରକୁ ଘେରି ନେଲା । ଏହା ଦେଖି ଖ୍ରୀଷ୍ଟିୟାନମାନେ ବୁଝିଗଲେ ଯେ ସେମାନଙ୍କୁ ସେଠାରୁ ପଳାଇବାର ସମୟ ଆସିଯାଇଛି ଓ ଖୁବ୍ ଶୀଘ୍ର ଯିରୂଶାଲମ ନଗର ବିନାଶ ହୋଇଯିବ । (ମାଥି. ୨୪:୩; ଲୂକ ୨୧:୨୦, ୨୪) କିନ୍ତୁ ସେମାନଙ୍କୁ କେଉଁ ଜାଗାକୁ ପଳାଇବାର ଥିଲା ? ଯୀଶୁ ସେମାନଙ୍କୁ କେବଳ ଏହା କହିଥିଲେ ଯେ “ଯେଉଁମାନେ ଯିହୁଦା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇ ଯାଆନ୍ତୁ ।” (ଲୂକ ୨୧:୨୧) କିନ୍ତୁ ସେହି ଅଞ୍ଚଳରେ ଅନେକ ପର୍ବତ ଥିଲା, ତାହେଲେ ସେମାନେ କେଉଁ ପର୍ବତ ଆଡ଼କୁ ଯାଆନ୍ତେ ?
୯. ଖ୍ରୀଷ୍ଟିୟାନମାନେ ହୁଏତ କାହିଁକି ଦ୍ୱନ୍ଦ୍ୱରେ ଥିଲେ ଯେ ସେମାନେ କେଉଁ ପର୍ବତକୁ ଯିବେ ? (ନକ୍ସା ମଧ୍ୟ ଦେଖନ୍ତୁ ।)
୯ ଧ୍ୟାନ ଦିଅନ୍ତୁ ଯେ ସେଠାର ଆଖପାଖରେ କେଉଁ ପର୍ବତଗୁଡ଼ିକ ଥିଲା: ଶମରୀୟା ପର୍ବତ, ଗାଲିଲୀ ପର୍ବତ, ହର୍ମୋଣ ପର୍ବତ ଓ ଲିବାନୋନ୍ ପର୍ବତମାଳା । ତାʼ ସହିତ ଯର୍ଦ୍ଦନ ନଦୀର ଆର ପାଖରେ ବି ଅନେକ ପର୍ବତ ଥିଲା । (ନକ୍ସା ଦେଖନ୍ତୁ ।) କିଛି ଲୋକ ହୁଏତ ଭାବୁଥିଲେ ଯେ ଏହି ପର୍ବତଗୁଡ଼ିକରେ ଥିବା ନଗରରେ ଯାଇ ସେମାନେ ସୁରକ୍ଷିତ ରହିପାରିବେ । ଯେପରି ଗାମଲା ସହର । ସେହି ସହର ଉଚ୍ଚ ପର୍ବତରେ ସ୍ଥାପିତ ଥିଲା ଏବଂ ସେଠାରେ ପହଞ୍ଚିବା ବହୁତ କଷ୍ଟକର ଥିଲା । ସେଥିପାଇଁ ହୁଏତ କିଛି ଖ୍ରୀଷ୍ଟିୟାନମାନଙ୍କୁ ଲାଗିଲା ଯେ ଗାମଲା ସହରକୁ ଗଲେ, ସେମାନେ ସୁରକ୍ଷିତ ରହିପାରିବେ । କିନ୍ତୁ ଆଗକୁ ଯାଇ ସେହି ସହରରେ ରହୁଥିବା ଯିହୁଦୀ ଓ ରୋମୀୟ ସେନାମାନଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ହେଲା ଏବଂ ସେଠାରେ ରହୁଥିବା ଅନେକ ଲୋକଙ୍କୁ ମାରି ଦିଆଗଲା ।a
ଦେଖିବାକୁ ଗଲେ ଏପରି ଅନେକ ପର୍ବତ ଥିଲା ଯେଉଁଠାରେ ଖ୍ରୀଷ୍ଟିୟାନମାନେ ଆଶ୍ରୟ ନେଇପାରିଥାʼନ୍ତେ, କିନ୍ତୁ ସବୁ ପର୍ବତ ସୁରକ୍ଷିତ ନ ଥିଲା (ପାରାଗ୍ରାଫ ୯)
୧୦-୧୧. (କ) ଯିହୋବା ହୁଏତ କିପରି ଖ୍ରୀଷ୍ଟିୟାନମାନଙ୍କୁ ବାଟ ଦେଖାଇଲେ ? (ଏବ୍ରୀ ୧୩:୭, ୧୭) (ଖ) ନେତୃତ୍ୱ ନେଉଥିବା ଭାଇମାନଙ୍କର ଆଜ୍ଞା ମାନି ଖ୍ରୀଷ୍ଟିୟାନମାନଙ୍କୁ କିପରି ଲାଭ ହେଲା ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୦ ଏପରି ଜଣାପଡ଼େ ଯେ ଯିହୋବା ନେତୃତ୍ୱ ନେଉଥିବା ଭାଇମାନଙ୍କ ଜରିଆରେ ଖ୍ରୀଷ୍ଟିୟାନମାନଙ୍କୁ ବାଟ ଦେଖାଇଲେ । ୟେଶୁବିୟସ୍ ନାମକ ଜଣେ ଇତିହାସକାର ପରେ ଲେଖିଲେ, “ଯିରୂଶାଲମ ମଣ୍ଡଳୀର ଲୋକମାନଙ୍କୁ ଈଶ୍ୱରଙ୍କ ଜରିଆରେ ହିଁ ମାର୍ଗଦର୍ଶନ ମିଳିଲା । ଈଶ୍ୱର, ନେତୃତ୍ୱ ନେଉଥିବା ଭାଇମାନଙ୍କ ଜରିଆରେ କହିଲେ ଯେ ସେମାନଙ୍କୁ କʼଣ କରିବାକୁ ପଡ଼ିବ; ସେମାନଙ୍କୁ ଆଜ୍ଞା ଦେଲେ . . . ଯେ ସେମାନେ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ସହର ଛାଡ଼ି ପେରିଆର ପେଲ୍ଲା ନଗରକୁ ଚାଲିଯାʼନ୍ତୁ ।” ଏପରି ଜଣାପଡ଼େ ଯେ ପେଲ୍ଲା ନଗର ସୁରକ୍ଷିତ ରହିବା ପାଇଁ ବିଲକୁଲ୍ ସଠିକ୍ ଜାଗା ଥିଲା । କାରଣ ସେହି ନଗର ଯିରୂଶାଲମରୁ ବେଶୀ ଦୂର ନ ଥିଲା ଏବଂ ସେମାନେ ସହଜରେ ସେହି ନଗରକୁ ଯାଇପାରନ୍ତେ । ପେଲ୍ଲାର ଅଧିକାଂଶ ଲୋକମାନେ ଯିହୁଦୀ ନ ଥିଲେ, ସେଥିପାଇଁ ଯେବେ କଠୋରପନ୍ଥୀ ଯିହୁଦୀ ଓ ରୋମୀୟ ଲୋକମାନଙ୍କ ମଧ୍ୟରେ ଯୁଦ୍ଧ ହେଲା, ତେବେ ପେଲ୍ଲା ନଗର ଉପରେ ଏହାର ଅଧିକ ପ୍ରଭାବ ପଡ଼ିଲା ନାହିଁ ।—ନକ୍ସା ଦେଖନ୍ତୁ ।
୧୧ ପାଉଲ ଖ୍ରୀଷ୍ଟିୟାନମାନଙ୍କୁ ପରାମର୍ଶ ଦେଇଥିଲେ, ‘ତୁମ୍ଭମାନଙ୍କର ନେତାମାନଙ୍କର ବାଧ୍ୟ ହୁଅ ।’ [“ଯେଉଁମାନେ ତୁମ ମଧ୍ୟରେ ନେତୃତ୍ୱ ନିଅନ୍ତି, ସେମାନଙ୍କର ଆଜ୍ଞା ମାନ” NWT] ଆଉ ଯେବେ ନେତୃତ୍ୱ ନେଉଥିବା ଭାଇମାନେ, ଭାଇଭଉଣୀମାନଙ୍କୁ କହିଲେ ଯେ ସେମାନେ ପେଲ୍ଲା ଆଡ଼କୁ ପଳାଇ ଯାʼନ୍ତୁ, ତେବେ ସେମାନେ ସେମାନଙ୍କର ଆଜ୍ଞା ମାନିଲେ । (ଏବ୍ରୀ ୧୩:୭, ୧୭ ପଢ଼ନ୍ତୁ ।) ଏହାର କʼଣ ପରିଣାମ ହେଲା ? ସେମାନଙ୍କର ଜୀବନ ବଞ୍ଚିଗଲା । ଈଶ୍ୱର ନିଜର ଲୋକମାନଙ୍କୁ ଛାଡ଼ିଲେ ନାହିଁ, କାରଣ ସେମାନେ ସେହି ରାଜ୍ୟର ଅର୍ଥାତ୍ ସେହି ଆଗାମୀ ‘ନଗରର’ ଅପେକ୍ଷା କରୁଥିଲେ, ଯାହା “ଭିତ୍ତିମୂଳବିଶିଷ୍ଟ ।”—ଏବ୍ରୀ ୧୧:୧୦.
ପେଲ୍ଲା ବେଶୀ ଦୂର ନ ଥିଲା ଓ ସେଠାରେ କୌଣସି ବି ବିପଦ ନ ଥିଲା (ପାରାଗ୍ରାଫ ୧୦-୧୧)
୧୨-୧୩. କଠିନ ସମୟରେ ଯିହୋବା ନିଜର ଲୋକମାନଙ୍କୁ କିପରି ବାଟ ଦେଖାଇ ଆସିଛନ୍ତି ?
୧୨ ଶିକ୍ଷା: ଯିହୋବା ନେତୃତ୍ୱ ନେଉଥିବା ଭାଇମାନଙ୍କ ଜରିଆରେ ନିଜର ଲୋକମାନଙ୍କୁ ନିର୍ଦ୍ଦେଶ ଦିଅନ୍ତି ଯେ ସେମାନଙ୍କୁ କʼଣ କରିବା ଉଚିତ୍ । ବାଇବଲରେ ଏପରି ଅନେକ ଉଦାହରଣ ଦିଆଯାଇଛି ଯେଉଁଥିରୁ ଜଣାପଡ଼େ ଯେ ଯିହୋବା କଠିନ ସମୟରେ ନିଜର ଲୋକମାନଙ୍କୁ ବାଟ ଦେଖାଇବା ପାଇଁ ମେଷପାଳକମାନଙ୍କୁ ନିଯୁକ୍ତ କରିଛନ୍ତି । (ଦ୍ୱିବି. ୩୧:୨୩; ଗୀତ. ୭୭:୨୦) ଆଉ ଆଜି ଆମେ ଏକଥାର ଅନେକ ପ୍ରମାଣ ଦେଖୁ ଯେ ଯିହୋବା ନେତୃତ୍ୱ ନେଉଥିବା ଭାଇମାନଙ୍କ ଜରିଆରେ ନିଜର ଲୋକମାନଙ୍କୁ ବାଟ ଦେଖାଉଛନ୍ତି ।
୧୩ ଉଦାହରଣ ପାଇଁ, ଯେବେ କୋଭିଡ୍-୧୯ ମହାମାରୀ ଆରମ୍ଭ ହେଲା, ତେବେ “ନେତୃତ୍ୱ ନେଉଥିବା” ଭାଇମାନେ ଆମକୁ ଜରୁରୀ ନିର୍ଦ୍ଦେଶ ଦେଲେ । ପ୍ରାଚୀନମାନଙ୍କୁ ନିର୍ଦ୍ଦେଶ ଦିଆଗଲା ଯେ ସେମାନେ କିପରି ସଭା ଚଲାଇବେ ଓ କିପରି ଯିହୋବାଙ୍କର ଉପାସନା କରିବା ଜାରି ରଖିବାରେ ଭାଇଭଉଣୀମାନଙ୍କୁ ସାହାଯ୍ୟ କରିବେ । ମହାମାରୀ ଆରମ୍ଭ ହେବାର ମାତ୍ର କିଛି ସମୟ ପରେ ଆମେ ୫୦୦ରୁ ବି ଅଧିକ ଭାଷାରେ ନିଜର ଅଧିବେଶନ ରଖିଲୁ । ଭାଇଭଉଣୀମାନେ ଇଣ୍ଟରନେଟ୍ ଓ ଟିଭିରେ କାର୍ଯ୍ୟକ୍ରମ ଦେଖିଲେ ଓ ରେଡିଓରେ ମଧ୍ୟ ଏହାକୁ ଶୁଣିଲେ । ଏହି ଅଧିବେଶନ ବହୁତ ନିଆରା ଥିଲା, କାରଣ ଏପରି ପୂର୍ବେ କେବେ ହୋଇ ନ ଥିଲା । ମହାମାରୀ ସମୟରେ ସମସ୍ତ ଭାଇଭଉଣୀମାନଙ୍କୁ ଲଗାତାର ଯିହୋବାଙ୍କ ତରଫରୁ ସଠିକ୍ ସମୟରେ ନିର୍ଦ୍ଦେଶ ମିଳିବା ଜାରି ରହିଲା । ତେଣୁ ଆମ ମଧ୍ୟରେ ଏକତା ବଜାୟ ରହିଲା । ଆମେ ଭରସା ରଖିପାରିବା ଯେ ଆଗାମୀ ସମୟରେ ଯାହା ବି ସମସ୍ୟା ଆସୁ ନା କାହିଁକି, ଯିହୋବା ନେତୃତ୍ୱ ନେଉଥିବା ଭାଇମାନଙ୍କ ଜରିଆରେ ଆମକୁ ବାଟ ଦେଖାଇବେ, ଯାହାଫଳରେ ଆମେ ସଠିକ୍ ନିଷ୍ପତ୍ତି ନେଇପାରିବା । ଯଦି ଆମେ ମହାକ୍ଳେଶ ପାଇଁ ପ୍ରସ୍ତୁତ ହେବାକୁ ଚାହୁଁ ଓ ସେସମୟରେ ଠିକ୍ ନିଷ୍ପତ୍ତି ନେବା ପାଇଁ ଚାହୁଁ, ତାହେଲେ ଆମକୁ ଯିହୋବାଙ୍କ ଉପରେ ଭରସା ରଖିବାକୁ ପଡ଼ିବ ଓ ତାଙ୍କର ଆଜ୍ଞା ମାନିବାକୁ ପଡ଼ିବ । କିନ୍ତୁ ଏହି କଠିନ ସମୟର ସାମନା କରିବା ପାଇଁ ଆମକୁ ଆଉ କେଉଁ କେଉଁ ଗୁଣ ବଢ଼ାଇବାକୁ ପଡ଼ିବ ।
ଭାଇମାନଙ୍କ ଭଳି ପ୍ରେମ କରନ୍ତୁ ଓ ଅତିଥି ସତ୍କାର କରନ୍ତୁ
୧୪. ଏବ୍ରୀ ୧୩:୧-୩ ପଦ ଅନୁସାରେ, ଯିରୂଶାଲମର ବିନାଶ ହେବା ପୂର୍ବରୁ ଖ୍ରୀଷ୍ଟିୟାନମାନଙ୍କୁ ନିଜ ଭିତରେ କେଉଁ କେଉଁ ଗୁଣ ବଢ଼ାଇବାର ଥିଲା ?
୧୪ ମହାକ୍ଳେଶ ସମୟରେ ଆମକୁ ଆହୁରି ଅଧିକ ନିଜର ଭାଇଭଉଣୀମାନଙ୍କୁ ପ୍ରେମ କରିବାକୁ ପଡ଼ିବ । ଏହି ମାମଲାରେ ଆମେ ଯିରୂଶାଲମ ଓ ଯିହୁଦାରେ ରହୁଥିବା ଖ୍ରୀଷ୍ଟିୟାନମାନଙ୍କଠାରୁ ଅନେକ କଥା ଶିଖିପାରିବା । ସେମାନେ ପରସ୍ପରକୁ ବହୁତ ପ୍ରେମ କରୁଥିଲେ । (ଏବ୍ରୀ ୧୦:୩୨-୩୪) କିନ୍ତୁ ଯିରୂଶାଲମ ନଗରର ବିନାଶ ହେବା ପୂର୍ବରୁ ସେମାନଙ୍କୁ ଆହୁରି ଅଧିକ “ଭ୍ରାତୃପ୍ରେମ” କରିବାର ଥିଲା ଓ “ଆତିଥ୍ୟସତ୍କାର” କରିବାର ଥିଲା ।b (ଏବ୍ରୀ ୧୩:୧-୩ ପଢ଼ନ୍ତୁ ।) ଆଜି ଏହି ଦୁନିଆର ବିନାଶ ବହୁତ ପାଖେଇ ଆସିଛି ଆଉ ବିନାଶ ଆସିବା ପୂର୍ବରୁ ଆମେ ମଧ୍ୟ ଭାଇଭଉଣୀମାନଙ୍କ ପାଇଁ ନିଜର ପ୍ରେମ ବଢ଼ାଇବା ଉଚିତ୍ ।
୧୫. ଯିରୂଶାଲମ ଛାଡ଼ିବା ପରେ ଖ୍ରୀଷ୍ଟିୟାନମାନଙ୍କୁ କାହିଁକି ପରସ୍ପରକୁ ଭ୍ରାତୃପ୍ରେମ ଓ ଅତିଥି ସତ୍କାର କରିବାର ଥିଲା ?
୧୫ ରୋମୀୟ ସେନା ଯିରୂଶାଲମରେ ଘେରାବନ୍ଦୀ କରିବାର ମାତ୍ର କିଛି ସମୟ ପରେ ହଠାତ୍ ନଗର ଛାଡ଼ି ଚାଲିଗଲା । ଏବେ ଖ୍ରୀଷ୍ଟିୟାନମାନଙ୍କ ପାଖରେ ସେଠାରୁ ପଳାଇବାର ସୁଯୋଗ ଥିଲା । ଏପରି ସମୟରେ ସେମାନେ ନିଜ ସହ ବେଶୀ ଜିନିଷ ନେଇପାରି ନ ଥାʼନ୍ତେ । (ମାଥି. ୨୪:୧୭, ୧୮) ତେଣୁ ପେଲ୍ଲା ଯିବା ସମୟରେ ସେମାନଙ୍କୁ ପରସ୍ପରର ସାହାଯ୍ୟ କରିବାର ଥିଲା ଆଉ ଏକ ନୂଆ ଜୀବନ ଆରମ୍ଭ କରିବାରେ ପରସ୍ପରକୁ ସହଯୋଗ କରିବାର ଥିଲା । ଅନେକ ଭାଇଭଉଣୀଙ୍କ ପାଖରେ ଖାଇବା ପାଇଁ, ପିନ୍ଧିବା ପାଇଁ ପୋଷାକ ଓ ରହିବା ପାଇଁ କୌଣସି ଜାଗା ନ ଥିଲା । ଏହି “କଠିନ ସମୟରେ” ଖ୍ରୀଷ୍ଟିୟାନମାନଙ୍କ ପାଖରେ ସୁଯୋଗ ଥିଲା ଯେ ସେମାନେ ପରସ୍ପରକୁ ଭ୍ରାତୃପ୍ରେମ ଓ ଅତିଥି ସତ୍କାର କରନ୍ତୁ, ଅର୍ଥାତ୍ ପରସ୍ପରକୁ ସହଯୋଗ କରନ୍ତୁ ଓ ସେମାନଙ୍କ ପାଖରେ ଯାହା ବି ଅଛି, ତାହା ଅନ୍ୟମାନଙ୍କ ସହ ବାଣ୍ଟନ୍ତୁ ।—ତୀତ. ୩:୧୪ NWT.
୧୬. ଯେଉଁ ଭାଇଭଉଣୀମାନଙ୍କୁ ସାହାଯ୍ୟର ଆବଶ୍ୟକତା ରହିଛି, ଆମେ ସେମାନଙ୍କୁ କିପରି ପ୍ରେମ ଦେଖାଇପାରିବା ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୬ ଶିକ୍ଷା: ଯଦି ଆମେ ଭାଇଭଉଣୀମାନଙ୍କୁ ପ୍ରେମ କରୁ, ତାହେଲେ ଆମେ ଆବଶ୍ୟକ ସମୟରେ ସେମାନଙ୍କୁ ସାହାଯ୍ୟ କରିବା । ନିକଟରେ ହୋଇଥିବା ଯୁଦ୍ଧ ଓ ପ୍ରାକୃତିକ ବିପତ୍ତିଗୁଡ଼ିକ ଯୋଗୁଁ ଯେବେ ଭାଇଭଉଣୀମାନଙ୍କୁ ଅନ୍ୟ ଜାଗାକୁ ଯାଇ ରହିବାକୁ ପଡ଼ିଲା, ତେବେ ସେଠାର ଖ୍ରୀଷ୍ଟିୟାନମାନେ ସେମାନଙ୍କୁ ସାହାଯ୍ୟ କଲେ ଓ ସେମାନଙ୍କର ଉତ୍ସାହ ବଢ଼ାଇଲେ । ଏପରି ଭାବେ ସେମାନେ ଯିହୋବାଙ୍କର ସେବାରେ ଲାଗି ରହିପାରିଲେ । ୟୁକ୍ରେନ୍ରେ ଆମର ଜଣେ ଭଉଣୀଙ୍କୁ ଯୁଦ୍ଧ ଯୋଗୁଁ ନିଜର ଘର ଛାଡ଼ିବାକୁ ପଡ଼ିଲା । ସେ କହନ୍ତି, “ଆମେ ଦେଖିଲୁ ଯେ ଯିହୋବା କିପରି ଭାଇଭଉଣୀମାନଙ୍କ ଜରିଆରେ ଆମର ଯତ୍ନ ନେଲେ ଓ ଆମକୁ ବାଟ ଦେଖାଇଲେ । ଭାଇଭଉଣୀମାନେ ପ୍ରେମର ସହ ଆମକୁ ସ୍ୱାଗତ କଲେ । ପ୍ରଥମେ ୟୁକ୍ରେନ୍ରେ, ତାʼପରେ ହଙ୍ଗେରୀରେ ଏବଂ ଏବେ ଜର୍ମାନୀରେ ମଧ୍ୟ ଯିହୋବା ଭାଇଭଉଣୀମାନଙ୍କ ଜରିଆରେ ଆମକୁ ସାହାଯ୍ୟ କଲେ ।” ଯେବେ ଆମେ ଭାଇଭଉଣୀମାନଙ୍କର ଯତ୍ନ ନେଉ ଓ ସେମାନଙ୍କୁ ଅତିଥି ସତ୍କାର କରୁ, ତେବେ ପ୍ରକୃତରେ ଆମେ ଯିହୋବାଙ୍କ ସହ ମିଶି କାମ କରୁଥାଉ ।—ହିତୋ. ୧୯:୧୭; ୨ କରି. ୧:୩, ୪.
ଯେଉଁ ଭାଇଭଉଣୀମାନଙ୍କୁ ନିଜର ଘର ଛାଡ଼ି ଅନ୍ୟ ଜାଗାରେ ଆଶ୍ରୟ ନେବାକୁ ପଡ଼େ, ସେମାନଙ୍କୁ ସାହାଯ୍ୟ କରନ୍ତୁ (ପାରାଗ୍ରାଫ ୧୬)
୧୭. ଆମକୁ ବର୍ତ୍ତମାନଠାରୁ କାହିଁକି ଭାଇମାନଙ୍କ ଭଳି ଅନ୍ୟମାନଙ୍କୁ ପ୍ରେମ କରିବା ଓ ଅତିଥି ସତ୍କାର କରିବା ଜରୁରୀ ?
୧୭ ଏଥିରେ କୌଣସି ସନ୍ଦେହ ନାହିଁ ଯେ ମହାକ୍ଳେଶ ସମୟରେ ଆମକୁ ଆହୁରି ଅଧିକ ଭାଇଭଉଣୀମାନଙ୍କୁ ସାହାଯ୍ୟ କରିବାକୁ ପଡ଼ିବ । (ହବ. ୩:୧୬-୧୮) ତେଣୁ ଯିହୋବା ବର୍ତ୍ତମାନଠାରୁ ଆମକୁ ଶିଖାଉଛନ୍ତି ଯେ ଆମେ କିପରି ଭାଇମାନଙ୍କ ଭଳି ଅନ୍ୟମାନଙ୍କୁ ପ୍ରେମ କରିବା ଓ ତାଙ୍କର ଅତିଥି ସତ୍କାର କରିବା । ଆଗାମୀ ସମୟରେ ଆମକୁ ଏପରି କରିବାର ଅଧିକ ଆବଶ୍ୟକ ପଡ଼ିବ ।
ଆଗକୁ କʼଣ ହେବ ?
୧୮. ଆମେ ପ୍ରଥମ ଶତାବ୍ଦୀର ଏବ୍ରୀ ଖ୍ରୀଷ୍ଟିୟାନମାନଙ୍କଠାରୁ କʼଣ ଶିଖିପାରିବା ?
୧୮ ଯେଉଁ ଖ୍ରୀଷ୍ଟିୟାନମାନେ ଆଜ୍ଞା ମାନିଲେ ଓ ଯିରୂଶାଲମ ଛାଡ଼ି ପର୍ବତ ଆଡ଼କୁ ପଳାଇଲେ, ସେମାନଙ୍କର ଜୀବନ ରକ୍ଷା ହେଲା । ସେମାନଙ୍କୁ ସବୁକିଛି ଛାଡ଼ି ପଳାଇବାକୁ ପଡ଼ିଲା, କିନ୍ତୁ ଯିହୋବା ସେମାନଙ୍କୁ ଛାଡ଼ିଲେ ନାହିଁ । ସେ ସେମାନଙ୍କର ଯତ୍ନ ନେଲେ । ଆମେ ସେମାନଙ୍କଠାରୁ କʼଣ ଶିଖିପାରିବା ? ଆଗକୁ ଘଟଣାଗୁଡ଼ିକ ଠିକ୍ କିପରି ଭାବେ ଘଟିବ, ସେବିଷୟରେ ଆମକୁ ସବୁକିଛି ଜଣାନାହିଁ । କିନ୍ତୁ ଆମେ ଏହା ନିଶ୍ଚୟ ଜାଣିଛୁ ଯେ ଆମକୁ ଆଜ୍ଞା ମାନିବା ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ, କାରଣ ଯୀଶୁ ଆମକୁ ଏପରି କରିବା ପାଇଁ କହିଛନ୍ତି । (ଲୂକ ୧୨:୪୦) କେବଳ ଏତିକି ନୁହେଁ, ପାଉଲ ଏବ୍ରୀ ଖ୍ରୀଷ୍ଟିୟାନମାନଙ୍କୁ ନିଜର ଚିଠିରେ ଯେଉଁ ପରାମର୍ଶ ଦେଇଥିଲେ, ଆମକୁ ତାହା ବି ମାନିବାକୁ ପଡ଼ିବ । ତାʼସହ ଯିହୋବା ବି ପ୍ରତିଜ୍ଞା କରିଛନ୍ତି ଯେ ସେ ଆମ ପ୍ରତ୍ୟେକ ଜଣଙ୍କୁ କେବେ ବି ଛାଡ଼ିବେ ନାହିଁ । (ଏବ୍ରୀ ୧୩:୫, ୬) ତାହେଲେ ଆସନ୍ତୁ ଆମେ ଉତ୍ସାହର ସହିତ ଈଶ୍ୱରଙ୍କର ରାଜ୍ୟ ଅର୍ଥାତ୍ ‘ଆମ୍ଭମାନଙ୍କର ଚିରସ୍ଥାୟୀ ଆଗାମୀ ନଗରର ଅନ୍ୱଷେଣ କରିବା,’ ଯାହା ଆମ ପାଇଁ ଅନେକ ଆଶିଷ ଆଣିବ ।—ମାଥି. ୨୫:୩୪.
ଗୀତ ୧୫୭ ଶେଷରେ ହେବ ଶାନ୍ତି !
a ଯେବେ ଖ୍ରୀଷ୍ଟିୟାନମାନେ ଯିହୁଦା ଓ ଯିରୂଶାଲମରୁ ପଳାଇଲେ, ତାହାର ମାତ୍ର କିଛି ସମୟ ପରେ ଅର୍ଥାତ୍ ୬୭ ଖ୍ରୀଷ୍ଟାବ୍ଦରେ ଏହି ଯୁଦ୍ଧ ହୋଇଥିଲା ।
b ଯେଉଁ ଗ୍ରୀକ୍ ଶବ୍ଦର ଅନୁବାଦ “ଭ୍ରାତୃପ୍ରେମ” କରାଯାଇଛି, ତାହା ନିକଟତର ସମ୍ପର୍କୀୟମାନଙ୍କ ମଧ୍ୟରେ ଯେଉଁ ପ୍ରେମ ଦେଖାଯାଏ ତାʼପାଇଁ ବ୍ୟବହାର କରାଯାଉଥିଲା । ପାଉଲ ସେହି ଶବ୍ଦର ବ୍ୟବହାର କରି କହିଲେ ଯେ ଖ୍ରୀଷ୍ଟିୟାନ ଭାଇଭଉଣୀମାନଙ୍କ ମଧ୍ୟରେ କିପରି ପ୍ରେମ ହେବା ଉଚିତ୍ । କିନ୍ତୁ ପାଉଲ ଏଠାରେ ଏହି ଶବ୍ଦ ଖ୍ରୀଷ୍ଟିୟାନ ଭାଇଭଉଣୀମାନଙ୍କ ମଧ୍ୟରେ ଥିବା ପ୍ରେମ ପାଇଁ ବ୍ୟବହାର କରିଛନ୍ତି ।